ଢେଉ ପରେ ଢେଉ

 

 

 

 

 

 

 

 

 

 

 

ଢେଉ ପରେ ଢେଉ

ଶ୍ରୀ ଭୁବନେଶ୍ଵର ମହାପାତ୍ର

 

ଏକ

 

ଈଶ୍ଵର ପଟ୍ଟନାୟକ ମେଘମୁକ୍ତ ଆକାଶକୁ ଚାହିଁ ରହିଥିଲେ ।

 

ଆଜିକି ଠିକ୍ ପଚାଶବର୍ଷ ପୂର୍ଣ୍ଣ ହୋଇଗଲା । ଗୁଣଗ୍ରାହୀ ବନ୍ଧୁବାନ୍ଧବମାନଙ୍କ ଠାରୁ ଆରମ୍ଭକରି ସରକାରୀ ବେ-ସରକାରୀ ମହଲରୁ ତାଙ୍କୁ ଆଜି ଅଯାଚିତ ପ୍ରଚୁର ସମ୍ବର୍ଦ୍ଧନା ମିଳୁଚି । ବ୍ୟବସାୟୀମାନଙ୍କ ତରଫରୁ ମାନପତ୍ର ଦିଆଯାଉଚି । ଦୀର୍ଘାୟୁ କାମନାକରି ଦେଶ ବିଦେଶରୁ ଶହ ଶହ ଚିଠି ମଧ୍ୟ ତାଙ୍କ ପାଖକୁ ଆସୁଚି ।

 

ଆଜି ତାଙ୍କର ଜନ୍ମବାର୍ଷିକୀରେ ମୂଲ୍ୟବାନ ଉପହାରର ମଧ୍ୟ ଅଭାବ ନାହିଁ ।

 

କିନ୍ତୁ କେଜାଣି କାହିଁକି ଈଶ୍ଵର ପଟ୍ଟନାୟକଙ୍କୁ ଏ ସବୁ ଫାଙ୍କା ଫାଙ୍କା ଲାଗୁଥିଲା । ଏଇ ବିରାଟ ସୌଧ, ଆଉ ଆଗରେଥିବା ମେଡ଼ିସିନ୍ ଫ୍ୟାକ୍ଟରୀ ବ୍ୟତୀତ ଜୀବନରେ ସେ ଅନ୍ୟ କିଛି କରିବାର ସୁବିଧା ପାଇ ପାରିଲେ ନାହିଁ । ଆଜିପର୍ଯ୍ୟନ୍ତ ସେ କାମ ଭିତରେ ନିଜକୁ ହଜେଇ ଦେଇଥିଲେ । ବୁଝିବାକୁ ଅବସର ନାହିଁ । ସମୟ ଆପେ ଆପେ ଗଡ଼ିଗଲା ।

 

ଜୀବନର ଶେଷ ପାହାଚରେ ଛିଡ଼ାହୋଇ ଆଜି ଅତୀତକୁ ସ୍ମରଣ କଲେ ମନେ ହେଉଚି......ସବୁ ଶୂନ୍ୟ....ଶୂନ୍ୟ...

 

କୃଷ୍ଣପକ୍ଷ ରାତି । ଆକାଶରେ ଅଗଣିତ ତାରା । ସେମାନଙ୍କର ଆଲୋକ ଈଶ୍ୱର ପଟ୍ଟନାୟକଙ୍କୁ ଖୁବ୍ ଆନନ୍ଦ ଦେଲା । ଭାବନ୍ତି...ସୂର୍ଯ୍ୟର ଆଲୋକ, ଚନ୍ଦ୍ରର ଆଲୋକ ଏ ଦୁହିଁଙ୍କ ଭିତରେ ଗୋଟାଏ ଗୋପନ ଅହଙ୍କାର ଲୁଚି ରହିଛି । କିନ୍ତୁ ତାରାମାନଙ୍କ ଭିତରେ ସେ ଗର୍ବ ନାହିଁ କି, ସେ ଅହଙ୍କାର ନାହିଁ । ନିଜ ନିଜର ଅସ୍ତିତ୍ୱ ପ୍ରକାଶ କରି ନୀରବରେ ବସି ରହିଚନ୍ତି ସେମାନେ । ନିଜକୁ ଜାହିର କରିବାର ପ୍ରବୃତ୍ତି ନାହିଁ ସେମାନଙ୍କର ।

 

ଦମୟନ୍ତୀ !! ଜନ୍ମବାର୍ଷିକୀରେ ବାରମ୍ବାର ଦମୟନ୍ତୀଙ୍କର କଥା ମନେପଡ଼ୁଚି ଈଶ୍ୱର ପଟ୍ଟନାୟକଙ୍କର । ପାଞ୍ଚବର୍ଷ ହେଲା ସେ ଅବଶ୍ୟ ଅନ୍ୟମାନେ ଭୁଲିଯାଇଚନ୍ତି ।

 

ଈଶ୍ୱର ପଟ୍ଟନାୟକଙ୍କର ମନରେ ନାଚି ନାଚି ଉଠିଲା ସୁଦୂର ଅତୀତର ସ୍ମରଣୀୟ ଦିନ । ସେତେବେଳେ ଐଶ୍ଵର୍ଯ୍ୟ ନ ଥିଲା, ଆତ୍ମୀୟସ୍ଵଜନ କେହି ନ ଥିଲେ...... ଛାଇପରି ସଙ୍ଗରେ ରହି ଆସିଥିଲା । ନିରାଶ ହେଲେ... ଯାଇଥିଲା ସେ । ସାରାଜୀବନ ସେ କେବଳ ସେବାକରି......

 

ଈଶ୍ଵର ପଟ୍ଟନାୟକ ଜୀବନରେ ବହୁ ବହୁ ନାରୀର ସଂସ୍ପର୍ଶରେ ଆସିଚନ୍ତି; କିନ୍ତୁ ଦମୟନ୍ତୀଙ୍କ...... ତୁଳନା କରାଯାଇ ନପାରେ ।

 

କାହିଁ କେତେଦିନ ତଳର କଥା । ତଥାପି ଈଶ୍ଵର ପଟ୍ଟନାୟକଙ୍କ ସ୍ପଷ୍ଟ ମନେଅଛି.....ସେତେବେଳେ ତାଙ୍କର ବୟସ ତେଇଶି । ଦମୟନ୍ତୀଙ୍କୁ ପନ୍ଦର ପୂରି ଷୋହଳ ଚାଲିଥାଏ । ବିବାହ ପ୍ରସ୍ତାବ ଆଣିଲେ ଦୂର ସମ୍ପର୍କୀୟ ଦାଦା ହରିହର । ଝିଅଟି ଦେଖିବାକୁ ଖୁବ୍ ସୁନ୍ଦରୀ । ବନପୁର ଗାଁର ଅର୍ଜ୍ଜୁନ ମହାନ୍ତିଙ୍କର କୋଡ଼ପୋଛା କନ୍ୟାରତ୍ନ । ଘର ସଂସାର ସମ୍ଭାଳିବାକୁ ଏକମାତ୍ର ଯୋଗ୍ୟପାତ୍ରୀ ।

 

ଦିନ କେତେଟାରେ ପ୍ରସ୍ତାବ ଆଗେଇବାରେ ଲାଗିଲା । କନ୍ୟା ପକ୍ଷଙ୍କର କୌଣସି ଆପତ୍ତି ନାହିଁ । ଯେତେ ଶୀଘ୍ର ହାତଗଣ୍ଠି ପଡ଼ିଯାଏ ଭଲ । କନ୍ୟାଦାୟରୁ ସେମାନେ ମୁକ୍ତ ହେବେ ।

ହରିଦାଦାଙ୍କର ଅକ୍ଳାନ୍ତ ଚେଷ୍ଟା ଆଉ ପରିଶ୍ରମରେ ବିବାହ ପର୍ବ ନିର୍ବିଘ୍ନରେ ଶେଷହେଲା-। ବାପାଙ୍କୁ କିଛି କରିବାକୁ ପଡ଼ିନାହିଁ । ଏକା ହରିଦାଦା ସବୁ ତୁଲେଇ ନେଇପାରିଲେ-

ଗୋଟାଏ ଦୀର୍ଘ ନିଶ୍ୱାସ ପକେଇଲେ ଈଶ୍ୱର ପଟ୍ଟନାୟକ । ଉପରର ଆକାଶ ଆହୁରି ନିସ୍ତବ୍‍ଧ ହୋଇଆସୁଚି । ତାରାମାନେ ଆହୁରି ଉଜ୍ଜ୍ଵଳ, ଆହୁରି ସ୍ଵଚ୍ଛ ଦେଖାଯାଉଚନ୍ତି । ପୃଥିବୀର କ୍ଳେଦ, ପୃଥିବୀର ଆବର୍ଜନା ଉପରେ ସେମାନଙ୍କର ନିର୍ମଳ ଆଶୀର୍ବାଦ ଝରିପଡ଼ୁଚି ପ୍ରତିଦିନ । ତାରାଙ୍କର ପବିତ୍ର ଜ୍ୟୋତି ନ ଥିଲେ ବସୁଧାରେ ପାପର ମାତ୍ର ଆହୁରି ବଢ଼ିଚାଲି ଥାଆନ୍ତା ।

ପାପ ? କେତେ ପାପ ସେ ଜୀବନରେ କରିଛନ୍ତି । ଏଇ ବିରାଟ ଅଟ୍ଟାଳିକା, ଏଇ ଲୋକପ୍ରିୟ କାରଖାନା ସୃଷ୍ଟିହେବା ପଛରେ କେତେ ଯେ ଉତ୍କଟ ପାପ ଲୁଚିରହିଚି; ଏକମାତ୍ର ଈଶ୍ଵର ପଟ୍ଟନାୟକଙ୍କ ଛଡ଼ା ସେ ପାପର ବିନ୍ଦୁବିସର୍ଗ କେହି ଜାଣିନାହାନ୍ତି । ଏପରି କି ଦମୟନ୍ତୀଙ୍କୁ ମଧ୍ୟ ସେ କଥା ଅଜଣା ଥିଲା ।

ପୁରାଣର ଦମୟନ୍ତୀଙ୍କପରି ଈଶ୍ୱରବାବୁଙ୍କର ଅଙ୍କଲକ୍ଷ୍ମୀ ଦମୟନ୍ତୀ ବହୁ ଦୁଃଖ କଷ୍ଟ ଭିତରେ ଜୀବନ କାଟିଥିଲେ । ବିବାହ ପରେ ମାତ୍ର ପାଞ୍ଚବର୍ଷ ଅନାବିଳ ସ୍ନେହ ଆନନ୍ଦ ଭିତରେ କଟିଥିଲା । ତା' ପରେ ଆରମ୍ଭ ହେଲା ଜୀବନ-ସଂଗ୍ରାମ ।

ଗାଁ ଧାରରେ ବହିଯାଉଥିବା ଦୟାନଦୀଟି କେଜାଣି କାହିଁକି ହଠାତ୍ ଦିନେ ରାତିରେ ନିର୍ଦ୍ଦୟ ହୋଇଉଠିଲା । ଘାଇ ଭାଙ୍ଗିଲା କନକପୁରର ପଶ୍ଚିମପଟେ । ଭୟ ଓ ଆତଙ୍କରେ ଗାଁଲୋକେ ପ୍ରମାଦ ଗଣିଲେ । ସାରା ରାତି କାହାରି ଆଖିକୁ ନିଦ ନାହିଁ । ନିଜ ନିଜର ଘରକୁ ସାଧ୍ୟମତେ ଜଗିରହିଲେ ସମସ୍ତେ । ହେଲେ ସବୁ ବିଫଳ ହେଲା । ଈଶ୍ଵର ପଟ୍ଟନାୟକଙ୍କର ଜନ୍ମମାଟି କନକପୁରର ଶିରୀସମ୍ପଦ ଗୋଟାଏ ରାତିଭିତରେ ନଈ ମୁହଁରେ ଧ୍ଵଂସ ପାଇଗଲା ।

ତା'ପର ଦିନ ସକାଳୁ ସକାଳୁ ହରିଦାଦା ଘରେ ହାଜର ହୋଇଗଲେ । ତାଙ୍କର ଆଉ ବାସ ନାହିଁ । ଦୟା ନଈ ସର୍ବସ୍ଵ ଗ୍ରାସ କରିଚି ।

ଗାଁଲୋକେ ସବୁ କୁଆଡ଼େ ଗଲେ ?

ହରିଦାଦାଙ୍କୁ ପ୍ରଶ୍ନ କଲେ ଈଶ୍ଵର ପଟ୍ଟନାୟକଙ୍କର ବାପା ଶିବାଜୀ ପଟ୍ଟନାୟକ ।

ପ୍ରାଣଭୟରେ ସମସ୍ତେ ଗାଁ ଛାଡ଼ି ପଳେଇଚନ୍ତି । ମୁଁ କେବଳ ତୁମରିମାନଙ୍କ ପାଇଁ ରହିଗଲି ।

ହରିଦାଦା ଉତ୍ତର ଦେଲେ ଦୁଃଖରେ ।

ଶିବାଜୀ ପଟ୍ଟନାୟକଙ୍କ ମନରେ ଘୋର ଆତଙ୍କ । କୁଆଡ଼େ ସେ ଯିବେ ? କନକପୁର ତ ଶ୍ମଶାନ ହୋଇଗଲା । ଆଉ ଏ ମାଟିପୁଳାକ ଆବୁରି ବସିଲେ କ'ଣ ହେବ ?

 

ହରିଦାଦାଙ୍କ ସହିତ ବହୁ ଆଲୋଚନା ପରେ ଶିବାଜୀ ପଟ୍ଟନାୟକ କନକପୁରର ମାୟା ମମତା ତୁଟେଇ ଆସିଲେ ସହରକୁ । ପାଖରେ ଯାହା ଟଙ୍କା ପଇସା ଥିଲା, ତାକୁଇ ଖର୍ଚ୍ଚ କରି ଖଣ୍ଡେ ଛୋଟ ଘର ମଧ୍ୟ କିଣିଲେ । ହରିଦାଦାଙ୍କ ସଂସାରରେ ଆଉ କେହି ନ ଥିଲେ । ତେଣୁ ଜୀବନର ବାକି ଦିନଗୁଡ଼ିକପାଇଁ ସେ ମଧ୍ୟ ତାଙ୍କରି ପାଖରେ ରହିଗଲେ ।

 

କେତେଟା ଦିନପରେ ହରିଦାଦା ହେଲେ ବାଳଗୋପାଳ ମଠର ସଦର ଗୁମାସ୍ତା । ବେତନ ସ୍ଵଳ୍ପ । ହେଲେ ଆୟର ପନ୍ଥା ବହୁମୁଖୀ ।

 

ଶିବାଜୀ ପଟ୍ଟନାୟକ କିନ୍ତୁ ବେକାର । ଗାଁରେ ଜମିଜମା ଦେଖାଶୁଣା କରୁଥିଲେ । ସହରରେ ତାଙ୍କପାଇଁ କାମ ନାହିଁ । ସକାଳୁ ସନ୍ଧ୍ୟାଯାଏ ସହରସାରା ବୁଲି ବୁଲି ସେ ବ୍ୟର୍ଥ ହୃଦୟରେ ଘରକୁ ଫେରନ୍ତି ।

 

ସଂସାରରେ ପୁଣି ଚାରୋଟି ପ୍ରାଣୀ......ଈଶ୍ଵର, ଦମୟନ୍ତୀ, ହରିଦାଦା ଓ ସେ ନିଜେ । ଈଶ୍ଵରଙ୍କର ମାଆ ଅନେକ ଆଗରୁ ଦେହତ୍ୟାଗ କରିଚନ୍ତି । ତେଣୁ ସାତପୁରୁଷ ଭିଟାମାଟି ଖଣ୍ଡକ ଛାଡ଼ିବାର ଦୁର୍ଭାଗ୍ୟ ତାଙ୍କ ଜୀବନରେ ଘଟି ନାହିଁ ।

 

ଆଜିର କଟକ ସହର ନୁହେଁ, ତିରିଶିବର୍ଷ ତଳର କଟକ । ଏତେ ଦୋକାନ ବଜାର ନ ଥିଲା । ପ୍ରାୟ ଅଧିକାଂଶ ଗଳିକନ୍ଦି ଅନ୍ଧାର । ବିଜୁଳି ଆଲୋକ ନାହିଁ । ଗ୍ରାମ୍ୟ ପରିବେଶ କେତେକ ଅଞ୍ଚଳରେ ପୂରାପୂରି ରହିଥାଏ ।

 

ଦମୟନ୍ତୀଙ୍କୁ ବିଶେଷ କିଛି ଅସୁବିଧା ହେଲା ନାହିଁ । ଘର ପାଖରେ ପୋଖରୀ ଥିଲା, ଜଙ୍ଗଲ ଥିଲା । ପୋଖରୀ ତୁଠରେ ବାସନ ମାଜିଲାବେଳେ ତାଙ୍କର କେତେବେଳେ ଧାରଣା ହୁଏ ନି ଯେ ସେ କଟକ ସହରରେ ରହିଚନ୍ତି । ଗାଁର ପୋଖରୀ ତୁଠ ଠିକ୍ ଏମିତି ଥିଲା ।

 

ପୋଖରୀର ଉତ୍ତର ଦିଗକୁ ବିଶ୍ଵନାଥଙ୍କର ମନ୍ଦିର । ଦମୟନ୍ତୀ ସକାଳେ ଓ ସନ୍ଧ୍ୟାରେ ଏକା ଏକା ଯାଇ ବିଶ୍ଵନାଥଙ୍କୁ ଦର୍ଶନ କରିଆସନ୍ତି । ମହାଦେବଙ୍କୁ ଫୁଲ ବେଲପତ୍ରି ଚଢ଼େଇ ମନେ ମନେ ନିଜର ଗୁହାରୀ ଜଣାନ୍ତି ।

 

ସହରକୁ ଆସି ଈଶ୍ଵର ପଟ୍ଟନାୟକ ଅଳ୍ପଦିନ ଭିତରେ ବେଶ ଜଣାଶୁଣା ହୋଇପାରିଚନ୍ତି-। ସାମାନ୍ୟ କଥାବାର୍ତ୍ତାରେ କେତେ ବନ୍ଧୁଙ୍କର ଆଦର ଅଭ୍ୟର୍ଥନା ସେ ପାଇଲେଣି । ବିଶେଷକରି ମଦନ ତାଙ୍କୁ କେତେବେଳେ ପାଖଛଡ଼ା କରିବାକୁ ରାଜିହୁଏ ନାହିଁ । କେତେ ନୂଆ ନୂଆ ଖେଳ ସେ ଆବିଷ୍କାର କଲେଣି । ଈଶ୍ୱର ପଟ୍ଟନାୟକ ମଦନ ସାଙ୍ଗରେ ସବୁବେଳେ ହସଖେଳରେ ଦିନ ବିତେଇ ଦିଅନ୍ତି । ଘର ଖବର ବୁଝିବାକୁ ତାଙ୍କର ହୋସ୍‍ ନ ଥାଏ.... ।

 

....ମନେ ମନେ ହସିଉଠିଲେ ଈଶ୍ୱର ପଟ୍ଟନାୟକ । ରାତି ଅନେକ ହେଲାଣି । ଏଣିକି ବିଶ୍ରାମନେବା ଦରକାର । କାଲି ସକାଳ ଛଅଟାରେ ଫ୍ୟାକ୍ଟରୀକୁ ପୁଣି ଯିବାକୁ ହେବ । ଗତ ଦିନର ସ୍ମୃତିକୁ କାହିଁକି ଆଉ ରୋମନ୍ଥନ କରିବେ ?

 

ନିଜର ଏକମାତ୍ର ପୁଅ ଉଦୟନାରାୟଣ ଉପରେ ସେ ଅନେକ ଭରସା କରିଥିଲେ । ବ୍ୟବସାୟର ଦାୟିତ୍ୱ ସେ ନେଲେ ତାଙ୍କୁ ଏ ଉତ୍ତର ବୟସରେ ଛୁଟି ମିଳନ୍ତା । କିନ୍ତୁ ସେ ଆଶା ତାଙ୍କର ପୂରଣ ହୋଇପାରୁ ନି । ଉଦୟର ସେ ଦିଗକୁ ଆଦୌ ନଜର ନାହିଁ । ନିଜର ଖିଆଲରେ ସେ କାମ କରେ । ଘରକୁ ସେ କେତେବେଳେ ଆସେ, କେତେବେଳେ ଯାଏ, ସେ କଥା ଈଶ୍ୱର ପଟ୍ଟନାୟକ ଜାଣିପାରନ୍ତି ନାହିଁ ।

 

ତାଙ୍କର ଆଉ ଏକ ଦୁଶ୍ଚିନ୍ତା ନୟନା......ଉଦୟର ବଡ଼ ଭଉଣୀ । ଦମୟନ୍ତୀ ବଞ୍ଚି ଥାଉ ଥାଉ ଝିଅକୁ ବିବାହ ଦେଇଥିଲେ । କିନ୍ତୁ ପୂର୍ଣ୍ଣ ଗୋଟିଏ ବର୍ଷ ନ ପୂରୁଣୁ ମୁଣ୍ଡରୁ ସିନ୍ଦୁର ଲିଭାଇ ନୟନା ପୁଣି ଫେରିଆସିଲା ତାଙ୍କରି ପାଖକୁ । ସେ ବୁକୁଫଟା ଆଘାତରେ ଦମୟନ୍ତୀଙ୍କର ମାତୃ-ହୃଦୟ ଖଣ୍ଡବିଖଣ୍ଡ ହୋଇଗଲା । ଏକମାତ୍ର ଝିଅ ନୟନାର ବୈଧବ୍ୟ ସେ ସହ୍ୟ କରିପାରିଲେ ନାହିଁ-। ସେଇ ଚିନ୍ତାରେ ସେ ବିଛଣା ଧରିଲେ ଓ ଶେଷରେ ଦିନେ ଧୂଳି ମାଟିରେ ମିଶିଗଲେ-। ଶେଷ ନିଶ୍ୱାସ ଛାଡ଼ିବା ପୂର୍ବରୁ ନିଜର ସ୍ୱାମୀ ଈଶ୍ଵର ପଟ୍ଟନାୟକଙ୍କୁ ସେ କେବଳ ଏତିକି କହିଥିଲେ, ଏଣିକି ଭଗବାନଙ୍କୁ ଆରାଧନା କର ।

 

......ଚେଆରରୁ ଉଠିପଡ଼ିଲେ ଈଶ୍ଵର ପଟ୍ଟନାୟକ । ଭଗବାନ !! ଏଇଠି ଦମୟନ୍ତୀଙ୍କ ସାଙ୍ଗରେ ତାଙ୍କର ମତର ଅମେଳ ହୁଏ । ଦେବତା ଭକ୍ତି ତାଙ୍କର ଆଦୌ ନାହିଁ । ସ୍ୱାମୀ ସ୍ତ୍ରୀଙ୍କର ସାରାଜୀବନ ଏଇ ଗୋଟିଏ କଥା ଘେନି ତର୍କ ବିତର୍କ ଲାଗିଚି, ଅଶାନ୍ତି ସୃଷ୍ଟି ହେଇଚି ।

 

ନା, ଭଗବାନଙ୍କ ଉପରେ ତାଙ୍କର ଆସ୍ଥା ନାହିଁ । ଭଗବାନ ହେଲେ ଦୁର୍ବଳ ଲୋକଙ୍କର ଆଶ୍ରୟସ୍ଥଳ । ସେ ହେଲେ କର୍ମଠ ପୁରୁଷ । ସେ ବିଶ୍ୱାସ କରନ୍ତି ପୁରୁଷାକାରକୁ ।

 

ଭଗବାନ କ'ଣ ପ୍ରକୃତରେ ଅଛନ୍ତି ? ତାଙ୍କର ଅସ୍ତିତ୍ୱ...କାହିଁ ? ଈଶ୍ଵରଙ୍କର କ୍ଷମତା ଥିଲେ ଈଶ୍ୱର ପଟ୍ଟନାୟକଙ୍କର ଏ ଧନ ଦୌଲତ କେତେଦିନ ଆଗରୁ ଉଭେଇ ଯାଆନ୍ତାଣି । ଜୀବନରେ ସେ ଆଉ କେଉଁ ପାପ ବାକି ରଖିଚନ୍ତି ?

 

କେତେଟା ବର୍ଷ ଭିତରେ ଡଗରପଡ଼ା ଅଞ୍ଚଳରେ ଈଶ୍ୱର ପଟ୍ଟନାୟକ ବେଶ ଜଣାଶୁଣା ହୋଇ ଉଠିଥିଲେ । ମଦନପରି ବନ୍ଧୁଙ୍କମେଳରେ ସେ ଧୀରେ ଧୀରେ ତଳକୁ ଖସିଆସିଲେ । ନିର୍ଜ୍ଜନ, ନିକାଞ୍ଚନ ଜାଗା ଦେଖି ଆରମ୍ଭ ହେଲା ଜୁଆଖେଳ । ଦିନେ ଜୁଆଖେଳରେ ଟଙ୍କା ଜିତି ଈଶ୍ଵର ପଟ୍ଟନାୟକ ଘରକୁ ଫେରିଲେ । ଘରେ ସେତେବେଳେ ବାପା କିମ୍ବା ହରିଦାଦା କେହି ନ ଥାନ୍ତି । ପକେଟରୁ ମୁଠା ମୁଠା' ପଇସା ବାହାରକରି ସ୍ତ୍ରୀ ଦମୟନ୍ତୀ ହାତକୁ ବଢ଼େଇ ଦେଲେ ଈଶ୍ୱର ପଟ୍ଟନାୟକ । ଆଶ୍ଚର୍ଯ୍ୟରେ ଚାହିଁ ରହିଥାନ୍ତି ଦମୟନ୍ତୀ । ଦିନେ ନାହିଁ, କାଳେ ନାହିଁ । ସ୍ୱାମୀଙ୍କର ହଠାତ୍ ଏତେ ଟଙ୍କା ରୋଜଗାର ହେଲା କେଉଁଠୁ ?

 

ଏତେ ପଇସା ତୁମକୁ କିଏ ଦେଲା ?

 

ଦମୟନ୍ତୀଙ୍କର ପ୍ରଶ୍ନକୁ ଅତି ସହଜରେ ଏଡ଼େଇଦେଲେ ଈଶ୍ଵର ପଟ୍ଟନାୟକ । ସତହେଉ ବା ଅସତ ଉପାୟରେ ହେଉ ଘରକୁ ସେ ଟଙ୍କା ଆଣିଚନ୍ତି । ସ୍ତ୍ରୀ ନିକଟରେ ସେ କୈଫିୟତ୍ ଦେବେ କାହିଁକି ? ନିଜର ପୁରୁଷାକାରକୁ ବଜାୟରଖି ସେଦିନ ଈଶ୍ଵର ପଟ୍ଟନାୟକ ହସି ହସି କହିଥିଲେ, ଭୟ ନାହିଁ ଦମୟନ୍ତୀ । ମୋର ଏ ପାପଧନ ତୁମର କିଛି କ୍ଷତି କରିବ ନାହିଁ । ତୁମର ପୁରାଣ କହୁଛି...ଦସ୍ୟୁ ରତ୍ନାକର ପାପ କେବଳ ସେ ନିଜେ ବହନ କରିଥିଲା ।

 

ଦମୟନ୍ତୀଙ୍କର ଗୋରା ତକତକ ମୁହଁଟି ମୁହୂର୍ତ୍ତକ ଭିତରେ ଝାଉଁଳିଗଲା । ପାପଧନ ପ୍ରାୟଶ୍ଚିତ୍ତରେ ଯିବ, ଏଇ ଚିନ୍ତାରେ ଘାରିହେଲେ ସେ ।

 

ପ୍ରକୃତରେ ଅଚାନକ ବିପଦ ଦେଖାଦେଲା । ରାତି ବାରଟା ହେଲାଣି । ତଥାପି ଶିବାଜୀ ପଟ୍ଟନାୟକ ଘରକୁ ଫେରି ନାହାନ୍ତି । ସନ୍ଧ୍ୟା ଲାଗୁ ଲାଗୁ ସେ ଦାଣ୍ଡରୁ ଲେଉଟି ଆସନ୍ତି । ଆଜି ଏ ବ୍ୟତିକ୍ରମ କାହିଁକି ?

 

ହରିଦାଦା ମଧ୍ୟ ସେଦିନ ମଠରୁ ଖୁବ୍ ଡେରିରେ ଫେରିଲେ । ରାସ୍ତା ଏକାବେଳକେ ନିକାଞ୍ଚନ ହୋଇ ଗଲାଣି । ସମସ୍ତେ ସୁଖ ନିଦ୍ରାରେ ବିଭୋର । ହେଲେ ଈଶ୍ଵର ପଟ୍ଟନାୟକ ଓ ହରିଦାଦାଙ୍କ ଆଖିକୁ ନିଦ ନାହିଁ । ସନ୍ଧ୍ୟାରେ ଫେରିବା ଲୋକ, ରାତି ଅଧଯାଏ କୁଆଡ଼େ ଗଲେ ?

 

ଭୋର ବେଳକୁ ଗୋଟାଏ ପୋଲିସଭ୍ୟାନ୍‍ ଦୁଆରେ ଲାଗିଲା । ପୋଲିସ ଅଫିସର ବଡ଼ ତୀକ୍ଷ୍‍ଣ ଗଳାରେ ପ୍ରଶ୍ନ କଲେ, ଈଶ୍ୱର ପଟ୍ଟନାୟକ କିଏ ?

 

ଈଶ୍ଵର ପଟ୍ଟନାୟକ ନୀରବରେ ତାଙ୍କ ନିକଟକୁ ଆଗେଇ ଯାଇଥିଲେ ।

 

ପୋଲିସ୍ ଅଫିସର ତା' ପରେ ଖଣ୍ଡେ ଛୋଟିଆ କାଗଜ ତାଙ୍କ ହାତକୁ ବଢ଼ାଇ ଦେଲେ-। ଈଶ୍ୱର କାଗଜ ଖୋଲି ପଢ଼ିଲେ ।

 

ଈଶ୍ଵର ରେ !

 

ଅନ୍ନକଷ୍ଟ ସହି ପାରିଲି ନାହିଁ । ମୋର ସବୁଚେଷ୍ଟା ବ୍ୟର୍ଥ ହେଲା । ଶେଷକୁ ନିଜକୁ ନିଜେ ହତ୍ୟାକଲି । ଗୋଟାଏ ପେଟର ସମସ୍ୟା ଅନ୍ତତଃ କମିଲା । ଏଣିକି ତୋ ଭାଗ୍ୟ !!

 

। ଇତି ।

ତୋର ହତଭାଗ୍ୟ ବାପା

 

ତଳେ ଈଶ୍ଵରଙ୍କର ପୁରା ନାମ ଓ ଠିକଣା ଥିଲା ।

 

ମୋ ବାପା କାହାନ୍ତି ?

 

ବିକଳରେ ଚିତ୍କାରକରି ଉଠିଲେ ଈଶ୍ୱର ।

 

ଡାକ୍ତରଖାନା ବାରଣ୍ଡାରେ । ପୋଷ୍ଟମଟମ୍‍ ସରିଯାଇଚି । ଲାସ୍‍କୁ ଆପଣମାନେ ନେଇଆସି ପାରନ୍ତି ।

 

ନିର୍ବିକାର ଭାବରେ ଉତ୍ତର ଦେଲେ ପୋଲିସ ଅଫିସର ।

 

ହରିଦାଦା ଈଶ୍ଵରଙ୍କୁ ସାନ୍ତ୍ୱନା ଦେଲେ । ଚିରଦିନ କେହି କେବେ ବଞ୍ଚିରହି ନାହିଁ । ଦିନେ ନା ଦିନେ ସମସ୍ତଙ୍କୁ ଯମରାଜାଙ୍କ ପାଖକୁ ଯିବାକୁ ହେବ ।

 

ରାତି ପାହି ପାହି ଆସୁଚି । ପୂର୍ବ ଆକାଶରେ ନୂତନ ଦିନର ଉଜ୍ଜ୍ୱଳ ସଙ୍କେତ । ପୁରୁଣା ରାତି ଶେଷ ହୋଇଗଲାଣି ।

 

ହରିଦାଦା ଅତି କ୍ଷୀଣକଣ୍ଠରେ କହିଲେ ତୋର ବନ୍ଧୁମାନଙ୍କୁ ଖବର ଦେ' ଈଶ୍ଵର । ଶବ ସଂସ୍କାର କରିବାକୁ ଆଉ ଡେରି କାହିଁକି ?

 

ଆଖିରୁ ଲୁହ ଶୁଖି ଯାଇଥିଲା ଈଶ୍ଵରଙ୍କର । ଏକମାତ୍ର ବନ୍ଧୁ ମଦନ ପାଖକୁ ସେ ଦଉଡ଼ିଗଲେ । ଏ ବିପଦରେ ସେ ନିଶ୍ଚୟ ସାହାଯ୍ୟ କରିବ ତାଙ୍କୁ ।

 

ପୂର୍ବଦିନ ସନ୍ଧ୍ୟାରେ ଜୁଆଖେଳରେ ସାମାନ୍ୟ ବଚସା ଦୁଇ ବନ୍ଧୁଙ୍କ ଭିତରେ ହୋଇଥିଲା-। ହେଲେ ସେ ସବୁ ମଦନ ଭୁଲି ଯାଇଚି । ଶବଦାହଠୁଁ ବଳି ପୁଣ୍ୟ ନାହିଁ । ବିନା ଆପତ୍ତିରେ ଈଶ୍ୱର ପଟ୍ଟନାୟକଙ୍କର ବନ୍ଧୁମାନେ ଆଗେଇ ଆସିଲେ ।

 

ଶବ ସଂସ୍କାରପାଇଁ ଅର୍ଥର ପ୍ରୟୋଜନ । ହରିଦାଦାଙ୍କ ପାଖରେ ଟଙ୍କା ନାହିଁ । ଏ କ୍ଷେତ୍ରରେ ତାଙ୍କୁ ବା କିଏ ଅର୍ଥ ସାହାଯ୍ୟ କରିବ ।

 

ଗୋଟିଏ ନିଭୃତ ଘରକୁ ଈଶ୍ଵରକୁ ଡାକି ହରିଦାଦା ପଚାରିଲେ, ତୋ ପାଖରେ ଟଙ୍କା କିଛି ଅଛି ଈଶ୍ୱର ?

 

ପୂର୍ବଦିନ ରାତିରେ ଈଶ୍ୱର ଅନେକ ଟଙ୍କା ଜୁଆଖେଳରେ ଜିତିଥିଲେ । ସେ ଟଙ୍କା ପାଇ ଦମୟନ୍ତୀଙ୍କର ମନକୁ କେତେ ପାପ ଛୁଉଁଥିଲା । ଶେଷରେ ସେଇ ଟଙ୍କାରେ ବାପାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ବୋଲି ସେ ମନସ୍ଥ କଲେ ।

 

ଈଶ୍ଵର କିଛି କହିବା ଆଗରୁ ଦମୟନ୍ତୀ ସେ ଟଙ୍କାତକ ହରିଦାଦାଙ୍କ ହାତକୁ ବଢ଼େଇଦେଲେ ।

 

ହରିଦାଦା ଆଶ୍ଚର୍ଯ୍ୟ ! ପଥରପରି ଛିଡ଼ା ହୋଇଥିଲେ ଈଶ୍ୱର ପଟ୍ଟନାୟକ । ମନେ ମନେ ସେ ଯେପରି ଗୋଟାଏ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ । ନିଜର ପାପପାଇଁ ବାପା ହୁଏତ ସ୍ଵର୍ଗବାସ କଲେ ।

 

ବାପାଙ୍କର ଅପମୃତ୍ୟୁ ପରେ ଈଶ୍ୱର ପ୍ରାୟ ମାସେଖଣ୍ଡେ କୁଆଡ଼େ ଯିବା ଆସିବା କଲେ ନାହିଁ । କିଛିଦିନ ଆତ୍ମଗ୍ଳାନିରେ ଦହିହେଲେ ସେ ।

 

କିନ୍ତୁ ସମୟକ୍ରମେ ଧୀରେ ଧୀରେ ସେ ଦୁଃଖ ଭୁଲି ହୋଇଗଲା । ହରିଦାଦା ମଠରୁ ଫେରିଲେ ଈଶ୍ଵର ତାଙ୍କପାଖରେ ବସି କେତେ ଖୁସି ଗପ କରନ୍ତି । ଦମୟନ୍ତୀଙ୍କର ମନରେ ଆନନ୍ଦ-। ସ୍ୱାମୀ ଏଥର ଠିକ୍ ବାଟକୁ ଆସିଚନ୍ତି ?

 

ଦିନେ ମୁହଁସଞ୍ଜବେଳେ ଈଶ୍ଵର ଏକାକୀ ବସିଥିଲେ । ଲାଜ ଲାଜ ହୋଇ ଦମୟନ୍ତୀ ଆସି ତାଙ୍କପାଖରେ ହାଜର ହେଲେ । ତାଙ୍କର ଆସିବାଭଙ୍ଗୀରୁ ଈଶ୍ୱର କିଛି ଠଉରେଇ ପାରିଲେ ନାହିଁ । ସ୍ୱାମୀପାଖକୁ ସ୍ତ୍ରୀ ଆସିବାରେ ଯଦିବା ସେପରି କିଛି ବୈଚିତ୍ର ନଥିଲା, ତଥାପି ଈଶ୍ୱର ପଚାରିଲେ କୁଆଡ଼େ ଆସିଲ ? କ'ଣ କିଛି କହିବ ?

 

ମୁଁ କାହିଁକି ଆସିଚି, ତୁମେ କ'ଣ ଜାଣିପାରୁ ନ ?

 

ସାମାନ୍ୟ ହସି ଦମୟନ୍ତୀ କହିଲେ ।

 

ନ କହିଲେ କେମିତି ଜାଣିବି ?

 

କହିପାରିବ, ମୋ କୋଳକୁ ପୁଅ ଆସୁଚି କି ଝିଅ ଆସୁଚି ?

 

ଈଶ୍ଵରଙ୍କର ସ୍ଥିର ମନଟା ହଠାତ୍ କମ୍ପିଉଠିଲା । ଏ କମ୍ପନ କିନ୍ତୁ ଆନନ୍ଦର । ପିତୃତ୍ୱ ରୂପ ପାଇଛି । ସେ ହେବେ ସନ୍ତାନର ବାପା । ସଙ୍ଗେ ସଙ୍ଗେ ମନର ଗତି ପୁଣି ବଦଳିଗଲା । ରୋଜଗାର ନାହିଁ, ବେକାର । ଏ ସମୟରେ ସଂସାର ବଢ଼ିଲେ କେମିତି ଚଳିବେ ସେ । ହରିଦାଦାଙ୍କର ସ୍ଵଳ୍ପ ଆୟରେ ତିନିଜଣ କୌଣସିମତେ ଚଳି ଯାଉଚନ୍ତି । ସେଥିରେ ପୁଣି ଅନାଗତ ଶିଶୁକୁ ସେ ବଞ୍ଚେଇ ରଖିବେ କିପରି ?

 

କ'ଣ ହେଲା ? ମୋ ପ୍ରଶ୍ନର ଉତ୍ତର ଦେଲ ନି ଯେ ? ଈଶ୍ୱରଙ୍କର ଖୁବ୍ ନିକଟକୁ ଘୁଞ୍ଚିଆସି ଦମୟନ୍ତୀ ପଚାରିଲେ । ପରେ ପରେ ନିଜର ଆନନ୍ଦରେ ନିଜେ ବିଭୋରହୋଇ ସେ କହିଲେ, ମୁଁ ଜାଣେ, ବାପା ପୁଣି ଆମ ପାଖକୁ ଲେଉଟି ଆସୁଚନ୍ତି ।

 

ଦମୟନ୍ତୀଙ୍କର ବିଶ୍ୱାସ ଅଟଳ । ଶ୍ଵଶୁରଙ୍କର ସେବାଯତ୍ନ ସେ ମନ ମୁତାବକ କରିପାରି ନାହାନ୍ତି । ତାଙ୍କର ବିଶ୍ୱାସ....ସନ୍ତାନରୂପରେ ସେ ପୁଣି ଫେରି ଆସୁଚନ୍ତି ବୋହୂର ସେବାଯତ୍ନ ପାଇବାକୁ ।

 

ଦମୟନ୍ତୀଙ୍କର ଏ ସରଳ ବିଶ୍ୱାସରେ ଆଘାତ ଦେବାକୁ ଈଶ୍ଵରଙ୍କର ଇଚ୍ଛା ହେଲା ନାହିଁ-। ସେ କେବଳ କହିଲେ, ମୁଁ କିନ୍ତୁ ଅନ୍ୟ କଥା ଭାବୁଚି ଦମୟନ୍ତୀ । ଭାବୁଚି ଏ ସଂସାର କେମିତି ଚଳିବ ? ରୋଜଗାର ନ କଲେ ପୁଅକୁ ଖାଇବାକୁ ଦେବା କେମିତି ?

 

ଅତି ସତ କଥା । ଦମୟନ୍ତୀ ଖୁବ୍ ଭଲଭାବରେ ଜାଣନ୍ତି, ହରିଦାଦା ନ ଥିଲେ ସେମାନଙ୍କର ପେଟକୁ ଦାନା ବି ଜୁଟନ୍ତା ନାହିଁ । ଦୁଇରୁ ତିନିହେଲେ ଅବସ୍ଥା ନିଶ୍ଚୟ ଅସମ୍ଭାଳ ହୋଇ ଉଠିବ ।

 

ପ୍ରକୃତରେ ଭାବିବାର କଥା ।

 

ଦମୟନ୍ତୀ ଗମ୍ଭୀରଭାବରେ ଉତ୍ତର ଦେଲେ ।

 

କେଉଁଠି ଖଣ୍ଡେ ଚାକିରି ଯୋଗାଡ଼ କରିପାରିଲି ନାହିଁ ।

 

....ଦୀର୍ଘ ନିଃଶ୍ୱାସ ପକେଇ କହିଲେ ଈଶ୍ଵର ।

 

ପୁଣି କହିଲେ, ଆଉ କିଏ ବା ଚାକିରି ଦବ ? ପେଟରେ ତ ବିଦ୍ୟା ନାହିଁ ।

 

ଦମୟନ୍ତୀ କିଛି ସମୟ ଭାବନାରେ ବୁଡ଼ିରହିଲେ । ଅଚଳ ସଂସାରକୁ ସଚଳ କରିବାକୁ ମନେ ମନେ ଗୋଟାଏ ଉପାୟ ଠିକ୍‍କରି ସେ କହିଲେ, ଚାକିରି ଖୋଜିବା ଆଉ ଦରକାର ନାହିଁ । ମୋ ପାଖରେ ଯେତେ ଗହଣା ଅଛି, ତାକୁଇ ବିକି ତୁମେ ଗୋଟାଏ ଛୋଟିଆ ଦୋକାନ ଆରମ୍ଭ କର । ବ୍ୟବସାୟ କଲେ ଆମେ ସୁଖେ ଦୁଃଖେ ଚଳିଯାଇ ପାରିବା ।

 

ପ୍ରସ୍ତାବଟା ମନ୍ଦ ନୁହେଁ । ଈଶ୍ୱରଙ୍କର ମନକୁ ପାଇଲା ଦମୟନ୍ତୀଙ୍କର କଥା । କାନର ଦୁଲ୍ ଓ ହାତର ସୁନା କାଚ ଚାରିପଟ ଦେଇ ଦମୟନ୍ତୀ କହିଲେ, ଆମର ଏତିକିହେଲା ସମ୍ବଳ । ୟାକୁଇ ନେଇ ତୁମେ ଗଗନ ବଣିଆ ଦୋକାନରେ ବିକିଦିଅ । ଯାହା ହେବ ।

 

ଦମୟନ୍ତୀଙ୍କର କଥାରେ ଈଶ୍ଵର ସାମାନ୍ୟ ବିସ୍ମିତ ହେଲେ । ସେ ପଚାରିଲେ, ଗଗନ ବଣିଆକୁ ତୁମେ କେମିତି ଜାଣିଲ ଦମୟନ୍ତୀ ?

ପ୍ରଶ୍ନ ଶୁଣି ଦମୟନ୍ତୀଙ୍କ ମୁହଁରେ କ୍ଷୀଣ ହାସ୍ୟରେଖା ଫୁଟି ଉଠିଲା । ସେ କହିଲେ ଘରର ସ୍ତ୍ରୀମାନେ ତ ବଣିଆମାନଙ୍କ ସହିତ ସବୁବେଳେ ସମ୍ପର୍କ ରଖନ୍ତି । କିଏ ନୂଆଁ ଗହଣା କରିବାପାଇଁ, କିଏ ବା ପୁରୁଣା ଗହଣା ବିକ୍ରୀ କରିବାପାଇଁ ସେମାନଙ୍କ ପାଖକୁ ଯାଆନ୍ତି । ମୋର ତ ନୂଆର ପ୍ରଶ୍ନ ନାହିଁ । ପୁରୁଣା ଗହଣାଧରି ମୁଁ ଥରେ ଦୁଇଥର ଗଗନ ବଣିଆ ପାଖକୁ ଯାଇଚି । ତୁମେ ସେଇଠିକି ଯାଅ; ତୁମେ ଠିକ୍ ଦରରେ ବିକି ପାରିବ ।

କାଳବିଳମ୍ବ ନକରି ଈଶ୍ୱର ପଟ୍ଟନାୟକ ଗହଣାଧରି ବାହାରକୁ ଚାଲିଗଲେ ।

ବେଶିବାଟ ନୁହେଁ; ମାତ୍ର ପାଞ୍ଚମିନିଟ୍‍ ଭିତରେ ସେ ପହଁଚିଲେ ଗଗନ ପାତ୍ରଙ୍କ ଦୋକାନରେ । ଗଗନବାବୁ ସେତେବେଳେ ଚା' ଖାଇବାରେ ବ୍ୟସ୍ତଥିଲେ । ଈଶ୍ୱରଙ୍କୁ ଦେଖୁ ଦେଖୁ ସେ ହସି ହସି ପଚାରିଲେ କ'ଣ ଖବର ବାବୁ ? ଖୁବ୍ ବ୍ୟସ୍ତ ଥିଲାପରି ଜଣା ପଡ଼ୁଛନ୍ତି ?

ଗହଣା ବିକିବାକୁ ଆସିଚି ।

ଏତିକି କହି ପକେଟରୁ ଦୁଲ ଓ କାଚ ବାହାରକରି ଗଗନ ପାତ୍ରଙ୍କ ହାତକୁ ବଢ଼େଇଦେଲେ ଈଶ୍ୱର । ମୁଁହରେ ଥିଲା ବିଷାଦର ଚିହ୍ନ ।

ସୁନା ଜିନିଷକୁ ପରୀକ୍ଷା କରୁ କରୁ ପୂର୍ବପରି ହସ ହସ ମୁଁହରେ ଗଗନବାବୁ ପ୍ରଶ୍ନ କଲେ, ଏ ଗହଣା ଆପଣ ଘରୁ ଆଣିଚନ୍ତି ତ ?

ଆପଣଙ୍କର କ'ଣ ସନ୍ଦେହ ହେଉଚି ?

 

ନା-ନା ସନ୍ଦେହ ନୁହେଁ । ତେବେ କେତେ ଲୋକ ନିଜ ଘରୁ ନ ଆଣି ପରଘରୁ ଜିନିଷ ଆଣି ଆମ ଦୋକାନକୁ ଆସନ୍ତି ।

 

ତା'ପରେ ଭଲଭାବରେ ପରୀକ୍ଷା–ନିରୀକ୍ଷା ଚାଲିଲା । ଜିନିଷ ଓଜନ ହେଲା ଶେଷରେ ଗଗନ ପାତ୍ର ରାୟ ଦେଲେ, ପକ୍କା ଗିନି ସୁନା ନୁହେଁ । ଖାଦ ବହୁତ ଅଛି । ଏଇତକ ଜିନିଷପାଇଁ ମୁଁ ଆପଣଙ୍କୁ ମାତ୍ର ଅଶୀଟଙ୍କା ଦେଇପାରେ । ସେତିକି ଅତି ବେଶୀରେ ଦାମ୍‍ ହେବ ।

 

ବ୍ୟବସାୟପାଇଁ ଟଙ୍କାର ନିହାତି ଲୋଡ଼ା । ଏ ସହରରେ ଅଶୀଟଙ୍କା ତ ଦୂରର କଥା, ଅଶୀପଇସା ତ କିଏ ତାଙ୍କୁ କରଜ ଦେବେ ନାହିଁ । ତେଣୁ ଯାହା ମିଳୁଚି, ସେଥିରେ ରାଜି ହୋଇଯିବାର କଥା ।

 

ଈଶ୍ୱର ପଟ୍ଟନାୟକ ଅଶୀଟଙ୍କା ଧରି ବଣିଆ ଦୋକାନରୁ ଆସିଲେ ।

 

ପ୍ରଧାନ ରାସ୍ତାରୁ ଗଳି ରାସ୍ତାକୁ ଆସିବାବେଳେ ଈଶ୍ୱରଙ୍କର ହଠାତ୍ ଦେଖାହେଲା ବନ୍ଧୁ ମଦନ ସାଙ୍ଗରେ । ସେ ତାକୁ ଦେଖି ନ ଦେଖିଲାପରି ଚାଲିଯାଉଥିଲେ । ମଦନ କିନ୍ତୁ ପଛରୁ ଡାକ ପକେଇଲା, ଶୁଣିଯା' ଈଶ୍ୱର ! ଏତେଦିନ ପରେ ଦେଖା ବାଟକାଟି ଚାଲିଯାଉଚୁ କୁଆଡ଼େ ?

 

ଈଶ୍ୱର ମୁହଁ ଫେରେଇବା ସଙ୍ଗେ ସଙ୍ଗେ ମଦନ ତା'ହାତକୁ ଖଣ୍ଡେ ସିଗାରେଟ ବଢ଼େଇଦେଇ ହସି ହସି କହିଲା, ସମସ୍ତଙ୍କ ଘରେ ଶ୍ରୀମତୀ ଅଛନ୍ତି ବନ୍ଧୁ । ହେଲେ ତୋପରି ସ୍ତ୍ରୀର ସୁନ୍ଦର ମୁହଁକୁ ଚାହିଁ ଦିନରାତି ଚବିଶଘଣ୍ଟା ଘରେ ବସିରହିଚି କିଏ ?

 

ଈଶ୍ୱର ହଠାତ୍ କିଛି କହିପାରିଲେ ନାହିଁ । ସିଗାରେଟରେ ନିଆଁ ଲଗାଉ ଲଗାଉ ସେ ରହି ରହି କହିଲେ, କ'ଣ କରିବି ଭାଇ ଚାକିରି ବାକିରି ନାହିଁ । ବେକାର ଜୀବନ ବଡ଼ ବାଧିଲାଣି ।

 

ଓ, ଏଇ କଥା । ହସି ହସି କଥାଟାର ଗୁରୁତ୍ୱ କମେଇଦେଲା ମଦନ ।

 

ଆଚ୍ଛା, ତୁ ଏଇନେ କୁଆଡ଼େ ଯାଉଚୁ କହିଲୁ ? ମଦନ କଣ୍ଠରେ ଉଦ୍‍ଗ୍ରୀବତା ।

 

ଘରକୁ ଫେରୁଚି ।

 

ମୋ ପିଛାଧର ଈଶ୍ୱର । ଚାକିରିର ସନ୍ଧାନ ମିଳିବ ।

 

କୋଉଠିକି ଯିବି ?

 

ଅବାଧ୍ୟ ହୁଅନା । ପକେଟରେ ଟଙ୍କା ଅଛି ତ ?

 

ଅଛି ।

 

ତେବେ ଆଉ ଭାବିବାର କିଛି ନାହିଁ । ଆ' ମୋ ସାଙ୍ଗେ । ମଦନ ଈଶ୍ଵରକୁ ଏକରକମ ଟାଣି ଟାଣି ନେଇଗଲା ।

 

କଚିରି ରାସ୍ତାରୁ ଗୋଟିଏ ସଂକୀର୍ଣ୍ଣ ଗଳିଭିତରେ ପହଞ୍ଚିଲା ମାତ୍ରକେ ଈଶ୍ୱର ପଟ୍ଟନାୟକଙ୍କର ପାଦ ଅଟକି ଗଲା । ମଦନ ତାକୁ କେଉଁଠିକି ଆଣିଚି ?

 

ଗଳିର ଦୁଇପାଖରେ କେତେଟା ଭଙ୍ଗା ଭଙ୍ଗା କୋଠାଘର । କିନ୍ତୁ ତା’ରିଭିତରୁ ବିକଟାଳ ହସ ସଙ୍ଗେ ସଙ୍ଗେ ବେଳେ ବେଳେ ସଙ୍ଗୀତର ସ୍ୱର ମୂର୍ଚ୍ଛନା ଭାସିଆସୁଚି । କେତୋଟି ଘରର ଦୁଆର ଆଗରେ ବାଟ ଓଗାଳି ବସିଚନ୍ତି ବେଶ ପରିପାଟୀ ସହିତ କେତେଜଣ ଯୁବତୀ ।

 

ଈଶ୍ୱରଙ୍କର ସାରା ଦେହଟା ଶିହରି ଉଠିଲା । ପକେଟରେ ହାତ ପୂରେଇ ନଗଦ ପାଇଥିବା ଆଶୀଟଙ୍କାର ଅସ୍ତିତ୍ୱ ସେ ଥରେ ଅନୁଭବ କରିନେଲେ ।

 

ଆ' ଈଶ୍ୱର ! ପୁଷ୍ପାକୁ ଦେଖିଲେ ତୁ ଦୁନିଆ ଭୁଲିଯିବୁରେ ।

 

ଈଶ୍ଵରଙ୍କର ଅବଶ ହାତଟିକୁ ଧରି ମଦନ ଟାଣି ନେଇଗଲା । ଈଶ୍ଵରଙ୍କର ଚେତନା ଧୀରେ ଧୀରେ ଲୋପ ପାଇଆସୁଚି । ସେ କୁଆଡ଼େ ଯାଉଚନ୍ତି, କିଛି ବୁଝିପାରିଲେ ନାହିଁ । ପାଦତଳର ମାଟି କମ୍ପିଲାପରି ମନେହେଉଚି । ଦୁଇପଟେ ସଜ୍ଜିତା ନାରୀ । କାହା ତୁଣ୍ଡରେ ଗୁଣୁ ଗୁଣୁ ଗୀତ । କିଏ ବା ସୁବାସିତ ପାନଖାଇ ପିକ ପକେଇବାରେ ବ୍ୟସ୍ତ । ଅନ୍ୟ କିଏ ଆଗେଇଆସି ମଦନ ନିକଟରେ ନିଜର ଆବେଦନ ଜଣାଉଚି....ମୋ ଘରକୁ ପଠେଇ ଦିଅ ମଦନ ଭାଇ… !

 

ମଦନ କିନ୍ତୁ କାହାକୁ କିଛି ନକହି ଅବସନ୍ନ ଈଶ୍ଵରକୁ ଟାଣି ଟାଣି ନେଇଗଲା ଗଳିମୁଣ୍ଡର ଶେଷ ଘରକୁ । ଅତି ପୁରୁଣା ଘର । ସାମନାପଟ କାନ୍ଥ ଅଧା ଅଧା ଭାଙ୍ଗିଯାଇଚି । ଭିତରପଟୁ ଦୁଆର ବନ୍ଦ ।

 

ଦୁଆରରେ ସାମାନ୍ୟ ଆଘାତଦେଇ ମଦନ ଡାକିଲା, ପୁଷ୍ପା ଘରେ ଅଛ ?

 

ଧୀରେ ଧୀରେ ଦୁଆର ଖୋଲିଲା ।

 

ଲଣ୍ଠନର ସ୍ତୀମିତ ଆଲୋକରେ ଈଶ୍ୱର ଦେଖିଲେ କୋଡ଼ିଏ ବର୍ଷର ଜଣେ ଯୁବତୀକୁ । ଦେହରେ ପ୍ରସାଧନର ପ୍ରଲେପ ନାହିଁ । ଗୋଟାଏ ସାଧାରଣ ଶାଢ଼ି ଗୁଡ଼େଇହୋଇ ଭୟବିହ୍ଵଳ ଚାହାଣିରେ ଛିଡ଼ା ହୋଇଚି ।

 

ଆରେ, ତୁମେ କାହିଁକି ସଜେଇ ହୋଇନାହଁ ପୁଷ୍ପା ? ମଦନ ଆଶ୍ଚର୍ଯ୍ୟରେ ପ୍ରଶ୍ନ କଲା ।

 

ସେ ଆଶା କାହିଁକି କରିବି ? ଏ ଦୁଆରରେ କୌଣସି ଅତିଥିଙ୍କର ପାଦ ପଡ଼େନାହିଁ । ଅତି ନିର୍ଲିପ୍ତଭାବରେ ଉତ୍ତରଦେଲା ପୁଷ୍ପା ।

 

ନୂଆ ଅତିଥିଟିଏ ଆଜି ଆସିଚନ୍ତି ପୁଷ୍ପା । ତାଙ୍କୁ ଯଥାବିଧି ସମ୍ମାନ ଦିଅ ।

 

ଏତିକି କହି ମଦନ ଈଶ୍ୱରଙ୍କୁ ଟାଣିନେଇ ପୁଷ୍ପାର ଘରଭିତରକୁ ଚାଲିଗଲା ।

 

ଈଶ୍ୱର ପଟ୍ଟନାୟକଙ୍କର ଠିକ୍ ମନେଅଛି, ସେଦିନ ସେ ଯନ୍ତ୍ରଚାଳିତପରି ମଦନକୁ ଅନୁସରଣ କରୁଥାଆନ୍ତି । ସେ ଯାହାସବୁ କରୁଥାଆନ୍ତି ବିବେକ ବିରୁଦ୍ଧରେ ।

 

ଏଇଠି ବସ୍ । ମୁଁ ଏଇ ସଙ୍ଗେ ସଙ୍ଗେ ଆସୁଚି ।

 

ମଦନ ନିମିଷକ ମଧ୍ୟରେ ସେ ଘରୁ ଅନ୍ତର୍ଦ୍ଧାନ ହୋଇଗଲା ।

 

ଈଶ୍ଵରଙ୍କର ତୁଣ୍ଡରେ କଥା ନାହିଁ । କଣ୍ଠ କ୍ରମେ କ୍ରମେ ଶୁଖିଆସୁଚି । ପାଦ ଦୁଇଟା ଟଳମଟଳ ଅବସ୍ଥାରେ । ବୋଧହୁଏ ଆଉ କିଛି ସମୟରେ ତାଙ୍କର ଜ୍ଞାନ ଲୋପ ପାଇଯିବ ।

 

ମଦନ ଯିବା ପରେ ପରେ ସେ ଘରକୁ ଆସିଲା ପୁଷ୍ପା । ମୁଁହରେ ତା'ର ଚାପା ହସ । ଆସୁ ଆସୁ ଅତି ମୁଲାଏମ୍ ଗଳାରେ ସେ କହିଲା, ଆପଣ ବିଶ୍ରାମ କରନ୍ତୁ । ମୋର ବେଶି ଡେରି ହବନି ।

 

ପାଖ ଘରକୁ ପୁଷ୍ପା ଚାଲିଗଲା । ଈଶ୍ୱର ବର୍ତ୍ତମାନ ଏକା । ସେ ଭାବିଲେ…କେହି ତ ପାଖରେ ନାହାନ୍ତି । ଏଇ ଅବସରରେ ଏ ଘର ଛାଡ଼ି ଚାଲିଗଲେ ସବୁଦିଗରୁ ଶ୍ରେୟସ୍କର । ଦମୟନ୍ତୀ ତାଙ୍କର ଫେରିବା ବାଟକୁ ଚାତକୀପରି ଚାହିଁ ବସିଥିବ । ହରିଦାଦା ହୁଏତ ମଠର କାମ ଶେଷକରି ଘରକୁ ଫେରିବେଣି । ଆଉ ଡେରିକରିବା ଠିକ୍ ହେବ ନାହିଁ ।

 

ଦୁଆରବନ୍ଧ ପାଖକୁ ଆଗେଇ ଆସିଲେ ଈଶ୍ୱର । କିନ୍ତୁ ବାହାରକୁ ସେ ଯିବେ କିପରି ? ବାହାରପଟୁ ଶିକୁଳି ଲଗା ହୋଇଚି ଯେ ? ତା'ହେଲେ ସେ କ'ଣ ଏ ଘରେ ବନ୍ଦୀ !!

 

ପାଖଘରୁ ପୁଷ୍ପା ଦେଖାଦେଲା । ପୂର୍ବପରି ତା'ର ଆଉ ସେ ଅବହେଳିତ ରୂପ ନାହିଁ । ତରବରରେ ସେ କିଞ୍ଚିତ୍ ସଜେଇହେଇ ଆସିଚି ।

 

ଆରେ ଆପଣ ଛିଡ଼ା ହେଇଚନ୍ତି କାହିଁକି ? ବସନ୍ତୁ ।

 

ଏହା ଭିତରେ ପୂର୍ବର ଶାଢ଼ିଟା ମଧ୍ୟ ବଦଳେଇ ନେଇଚି ପୁଷ୍ପା । ହାତରେ ତା'ର ବୋତଲ ଓ ଗ୍ଲାସ । ବିଛଣା ଉପରେ ବସିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଆଖିରେ ଆଖି ମିଶେଇ ପୁଷ୍ପା ଅତି ନରମ ଗଳାରେ ପ୍ରଶ୍ନ କଲା, କ'ଣ ଏ ସବୁ ଅଭ୍ୟାସ ଅଛି ତ ?

 

ମୁଁ ଘରକୁ ଫେରିଯିବି । ଅତି କଷ୍ଟରେ ଈଶ୍ୱର କେବଳ ଏତିକି କହି ପାରିଲେ ।

 

ଘରକୁ ତ ନିଶ୍ଚୟ ଫେରିଯିବେ । ପୁଷ୍ପା କହୁ କହୁ ହସିଉଠିଲା ଜୋରରେ । ଏଇ ହସିବା ଭଙ୍ଗୀଟା ଅତି ବୀଭତ୍ସ, ଅତି କଦାକାର ପୁଷ୍ପାର । ବଡ଼ ବଡ଼ ଦାନ୍ତ ତିନିଟା ବାହାରକୁ ଚାଲି ଆସୁଥିଲା ହସିଲା ବେଳେ ।

 

ହସି ହସି ପୁଷ୍ପା ଟାଣି ଆଣିଲା ଈଶ୍ୱରଙ୍କୁ ନିଜର ବିଛଣାକୁ ।

 

ଈଶ୍ୱର କଣେଇ ଚାହିଁଲେ ପୁଷ୍ପାକୁ । ତାଙ୍କର ମନେହେଲା ଗୋଟାଏ କଳା-ନାଗୁଣୀ ଧୀରେ ଧୀରେ ତାଙ୍କ ନିକଟକୁ ଆଗେଇ ଆସୁଚି । ଆଉ ଟିକିଏ ପରେ ସେ ନାଗୁଣୀ ତାଙ୍କୁ ଗ୍ରାସ କରିବ ।

 

ବୋତଲରୁ ତରଳ ପାନୀୟ କିଛି ଗିଲାସରେ ଆଣି ପୁଷ୍ପା କହିଲା, ଏତିକି ସଦ୍‍ବ୍ୟବହାର କରନ୍ତୁ । ଆପଣଙ୍କର କିଛି କ୍ଷତି ହେବନି । ବରଂ ମନ, ଦେହ ଉଭୟ ସତେଜ ରହିବ ଆପଣଙ୍କର । ମୋ ରାଣ, ପିଇ ଦିଅନ୍ତୁ ।

 

ବିନା ଆପତ୍ତିରେ ଈଶ୍ୱର ସେ ତରଳ ପାନୀୟତକ ଉଦରସ୍ଥ କରିନେଲେ । କଣ୍ଠନଳୀଟା ସାରା ତାଙ୍କର ପୋଡ଼ିଗଲା ପରି ଲାଗିଲା । ମୁଁହରେ ସ୍ୱାଭାବିକ ଅବସ୍ଥାଟା ହଠାତ୍ ବଦଳିଗଲା ଈଶ୍ଵରଙ୍କର ।

 

ୟା' ପରେ ସୁବାସିତ ପାନ ଖଣ୍ଡିଏ ଖାଇବାକୁ ପଡ଼େ ।

 

ଈଶ୍ୱରଙ୍କ ମୁହଁରେ ଜୋରକରି ଖିଲିପାନ ଖଣ୍ଡେ ଗୁଞ୍ଜିଦେଲା ପୁଷ୍ପା । ପ୍ରକୃତରେ ସେ ପାନର ମାହାତ୍ମ୍ୟ ଥିଲା । ଈଶ୍ୱରଙ୍କୁ ଖୁବ୍ ଭଲ ଲାଗିଲା । ସେ ପାନକୁ ସେ ଯେତେ ଚୋବାଉଥାଆନ୍ତି, ତା'ଭିତରେ ସେତିକି ସେ ପରିବର୍ତ୍ତନ ଲକ୍ଷ୍ୟ କରୁଥାଆନ୍ତି । ଆଖି ଆଗରୁ ତାଙ୍କର ଧୀରେ ଧୀରେ ଏ କୁତ୍ସିତ ଦୁନିଆ ଅପସରି ଗଲା । ତାଙ୍କର ମନେହେଲା, ଯେପରି ସେ ଅମରାବତୀର ଇନ୍ଦ୍ର ଓ ତାଙ୍କ ନିକଟରେ ଅପରୂପ ବେଶ ବିନ୍ୟାସରେ ବସିଅଛି ଅପସରା ଶ୍ରେଷ୍ଠା ଉର୍ବଶୀ ।

 

ଗୋଟାଏ ମଧୁର ରାଗିଣୀର ଝଙ୍କାର ତୋଳ....। ତକିଆରେ ସମ୍ପୂର୍ଣ୍ଣ ଆଉଜିଯାଇ ଫରମାସ କଲେ ଈଶ୍ଵର ।

 

ପୁଷ୍ପା ସମୟର ପୁଣି ସୁବିଧା ନେଲା । ଏଥର ସେ ଈଶ୍ୱରଙ୍କର ଅତି ନିକଟକୁ ଘୁଞ୍ଚିଯାଇ ଆଲିଙ୍ଗନ କରିବା ଅବସ୍ଥାରେ ଆଉ କିଛି ପାନୀୟ ପିଇବାକୁ ଅନୁରୋଧ କଲା ।

 

ମୋ ରାଣ, ଏତକ ପିଇଦିଅନ୍ତୁ.......

 

ଢକଢକ କରି ଈଶ୍ଵର ସେତକ ମଧ୍ୟ ଶେଷ କରିଦେଲେ । ତଣ୍ଟିଭିତରଟା ଏଥର ଆଉ ପୋଡ଼ିଗଲା ନାହିଁ । ଖୁବ୍ ଭଲ ଲାଗିଲା ।

 

ଏ ଘଟଣାର ପରେ ପରେ ଈଶ୍ଵର ନିଜର ସତ୍ତା ହରେଇ ବସିଲେ । ଏପରିକି କିଛି କଥାବାର୍ତ୍ତା କରିବାକୁ ତାଙ୍କର ମଧ୍ୟ ମନବଳ ନଥିଲା । ପୁଷ୍ପା ଗୋଡ଼ରୁ ଜୋତା ଖୋଲିଦେବା ସଙ୍ଗେ ସଙ୍ଗେ ସେ ଚିତହୋଇ ବିଛଣାରେ ପଡ଼ିଗଲେ । ଧୀରେ ଧୀରେ ସେ କେଉଁ ଅତଳ ଗର୍ଭକୁ ଖସିଗଲେ, ତାଙ୍କର ଆଉ ମନେନାହିଁ ।

 

ଅନେକ ରାତି ହେଇଗଲାଣି ବାପା......ପଛରେ ଆସି ଠିଆହେଲା ନୟନା ।

 

ଈଶ୍ଵର ପଟ୍ଟନାୟକଙ୍କର ବାହ୍ୟ ଚେତନା ଫେରିଆସିଲା ।

 

ପ୍ରକୃତରେ ରାତି ବେଳକୁ ବେଳ ବଢ଼ିଚାଲିଚି । ଆକାଶର ନକ୍ଷତ୍ରପୁଞ୍ଜ ଆଉରି ଉଜ୍ଜ୍ଵଳ ଦେଖାଗଲେଣି । ତାଙ୍କର ମନେହେଲା ସେଇ ତାରାମାନେ ଯେପରି ତାଙ୍କୁ ଆଜି ଉପହାସକରି କହୁଚନ୍ତି...ଚମତ୍କାର ! ସେଦିନର ଦାୟିତ୍ୱହୀନ ଈଶ୍ଵର ପଟ୍ଟନାୟକ, ଆଉ ଆଜି ସେ ସମାଜରେ ଚରିତ୍ରବାନ୍, ଜାତିର ବରେଣ୍ୟ, ସମାଜର ସୁଦୃଢ଼ ସ୍ତମ୍ଭ ।

 

ଦୀର୍ଘ ନିଶ୍ୱାସ ପକେଇ ଠିଆହେଲେ ଈଶ୍ଵର ପଟ୍ଟନାୟକ ।

 

ଚାଲ୍‍ ମା' । ମୋପାଇଁ ଏଯାଏ ତୁ ବୋଧେ ଅପେକ୍ଷା କରିଚୁ ।

 

ଈଶ୍ଵର ପଟ୍ଟନାୟକ କ୍ଳାନ୍ତ ପଦକ୍ଷେପରେ ଭିତରକୁ ଯିବାର ଉପକ୍ରମ କଲେ । ଦୋତଲା ପାହାଚପର୍ଯ୍ୟନ୍ତ ଯାଇ ହଠାତ୍ ସେ କିନ୍ତୁ ଅଟକିଗଲେ । ପ୍ରଶ୍ନକଲେ, ଉଦୟ ଘରକୁ ଫେରିଲାଣି ?

 

ମୃଦୁକଣ୍ଠରେ ନୟନା ଉତ୍ତରଦେଲା, ହଁ, ସେ ଶୋଇପଡ଼ିଲାଣି ।

 

ଈଶ୍ଵର ପଟ୍ଟନାୟକ ଖୁବ୍ ଭଲଭାବରେ ଜାଣନ୍ତି, ଉଦୟ ଏପର୍ଯ୍ୟନ୍ତ ଘରକୁ ଫେରିନି । ନୟନା ନିଜର ଛୋଟ ଭାଇର ଦୋଷ ତ୍ରୁଟି ଲୁଚେଇ ରଖିବାପାଇଁ ତାଙ୍କ ଆଗରେ ରୋଜ ମିଛ କଥା କହେ । ଆଜି ମଧ୍ୟ କହୁଚି ।

 

ଦ୍ୱିତୀୟ ଥରପାଇଁ ଦୀର୍ଘ ନିଶ୍ୱାସ ପକେଇଲେ ଈଶ୍ଵର ପଟ୍ଟନାୟକ । ଉପାୟ ନାହିଁ । ପୃଥିବୀରେ ପାପ କୌଣସି ଦିନ ଲୁଚି ରହିପାରେ ନା । ଉଦୟ ତାଙ୍କର ପୁଅ । ନିଜ ଚରିତ୍ରର ପ୍ରଭାବ ତା' ଉପରେ ପଡ଼ିଛି ଓ ଆହୁରି ମଧ୍ୟ ପଡ଼ିବ ।

 

ଧୀରେ ଧୀରେ ଈଶ୍ଵର ପଟ୍ଟନାୟକ ନିଜର ବିଶ୍ରାମକକ୍ଷକୁ ଆଗେଇଲେ....

 

ଦୁଇ

 

....ଈଶ୍ଵରବାବୁଙ୍କର ନିଦଟା ହଠାତ୍ ଭାଙ୍ଗିଗଲା । ଅସହ୍ୟ ଗରମ ପଡ଼ୁଚି ଆଜିକାଲି । ସାରାରାତି ପଙ୍ଖା ବୁଲିଲେ ମଧ୍ୟ କିଛି କାମ ଦେଉନାହିଁ । ନିଶ୍ୱାସ ବନ୍ଦ ହୋଇଗଲା ପରି ଲାଗୁଚି ।

ମୁଣ୍ଡପାଖରେ ଥଣ୍ଡାପାଣି ଘୋଡ଼ା ହୋଇଥିଲା । ଗୋଟାଏ ଦମରେ ଗିଲାସେ ପାଣି ସେ ପିଇଦେଲେ । ସାମାନ୍ୟ ସୁସ୍ଥ ବୋଧକଲେ ସେ ।

ପଙ୍ଖାର ବେଗଟା ସେ ଆହୁରି ବଢ଼େଇ ଦେଲେ । ଘରଟାକୁ ଏଆରକଣ୍ଡିସନ୍‍ କରିବାକୁ ସେ ଏଇ କେତେଦିନ ହେଲା ମନେ ମନେ ଚିନ୍ତା କରୁଚନ୍ତି । କିନ୍ତୁ ମିସ୍ତ୍ରୀ ଅଭାବରୁ କାମଟା ଶେଷ ହୋଇ ପାରୁନାହିଁ । ଆଜିକାଲି ଲୋକଙ୍କର କର୍ତ୍ତବ୍ୟଜ୍ଞାନ ନାହିଁ । ଦିନକୁ ଦିନ ଅଳସୁଆ ହୋଇ ଯାଉଚନ୍ତି । ବସି ବସି ପରନିନ୍ଦା କଲେ ସେମାନଙ୍କର ମନରେ ଆନନ୍ଦ ଆସୁଚି ।

ଆଉ ଶୋଇ ପାରିଲେ ନାହିଁ ଈଶ୍ଵରବାବୁ । ଚେଷ୍ଟାକଲେ ମଧ୍ୟ ଆଖିକୁ ନିଦ ଆସୁନାହିଁ । ଆଜିକାଲି ସେ ପ୍ରାୟ ଅନିଦ୍ରାରେ ରାତି କାଟୁଚନ୍ତି ।

ଘରଭିତରେ ପଦଚାଳଣ କରିବାକୁ ଲାଗିଲେ ଈଶ୍ଵରବାବୁ ।

ଡ୍ରଇଂରୁମ୍‍ରୁ ଘଣ୍ଟାଟା 'ଢଂ'କରି ବାଜି ଉଠିଲା । ଦେଢ଼ଟା କି ଅଢ଼େଇଟା ହୋଇପାରେ । ହଠାତ୍ ସେ ଶୁଣି ପାରିଲେ ତାଙ୍କ ଗେଟ ଖୋଲାହେବାର ଶବ୍ଦ । ପରେ ପରେ ମଟର ଆସିବାପରି ଜଣାଗଲା ।

 

ଉଦୟ ବୋଧହୁଏ ଏତେ ରାତିରେ ଘରକୁ ଫେରୁଚି । ଏଯାଏ ସେ କେଉଁଠି ଥିଲା ? ବିଳାସ-ବ୍ୟସନର ନିଶା ଦିନକୁ ଦିନ ବଢ଼ି ଯାଉଛି ତା'ର । ସେ ନିଶାର ଇତି ହେବା ଦରକାର ।

 

ଈଶ୍ଵରବାବୁ ଦୁଆର ଖୋଲିବାକୁ ଆଗେଇ ଆସିଲେ । କିନ୍ତୁ କାନ୍ଥରେ ଥିବା ଦମୟନ୍ତୀଙ୍କର ପୂର୍ଣ୍ଣାଙ୍ଗ ଛବିଟାପ୍ରତି ତାଙ୍କର ନଜର ପଡ଼ିଗଲା । ସେ ଅଟକିଗଲେ । ଅଏଲପେଣ୍ଟଟା ଯେପରି ଜୀବନ୍ତ ହୋଇ ଉଠିଚି । କ୍ଷୀଣ ଆଲୋକରେ ମନେହେଲା ଛବିଟାର ଆଖି ଦୁଇଟା କମ୍ପି ଉଠୁଛି ବାରମ୍ବାର । ସେ ଆଖିରେ ନିଷେଧର ଇଙ୍ଗିତ । ଅଏଲପେଣ୍ଟର ଦମୟନ୍ତୀ ଯେପରି ତାଙ୍କୁ ବାଧା ଦେଇ କହୁଚି, କେଉଁ ଅଧିକାରରେ ତୁମେ ପୁଅକୁ ଶାସନ କରିବାକୁ ଯାଉଚ ? ମଧ୍ୟରାତ୍ରିରେ ତୁମେ କ'ଣ ଘରକୁ ଫେରନାହିଁ ? ତୁମରି ପ୍ରତୀକ୍ଷାରେ ମୁଁ କ'ଣ ଏମିତି ଯନ୍ତ୍ରଣା ଅନୁଭବ କରିନାହିଁ-

 

ଈଶ୍ଵରବାବୁଙ୍କର ସ୍ନାୟୁଗୁଡ଼ାକ ଶିଥିଳ ହୋଇ ଆସିଲା । ପାଦ ଆଉ ଆଗକୁ ଯାଉନାହିଁ । ଅଚଳ ଅବଶ ପାଦ ଦୁଇଟାକୁ କୌଣସି ମତେ ସେ ବିଛଣାଆଡ଼କୁ ଟାଣିଆଣି ସ୍ପ୍ରିଙ୍ଗ୍‍ଦିଆ ଖଟଉପରେ ଧପ୍‍କରି ବସି ପଡ଼ିଲେ ।

 

ଜୀବନ-ସମୁଦ୍ରରେ ତରଙ୍ଗ ଉଠିଲା । ବର୍ତ୍ତମାନ ଦୂରେଇଯାଇ ଆଖି ଆଗରେ ଭାସି ଉଠିଲା ପୁଣିଥରେ ଅଭୁଲା ଅତୀତ.....

 

.....ପୁଷ୍ପା ଘରୁ ସେଦିନ ରାତିରେ ଈଶ୍ଵର କେତେବେଳେ ଫେରିଲେ, ତାଙ୍କର ମନେ ନାହିଁ । ତାଙ୍କର କେବଳ ଏତିକି ମନେ ଅଛି ରାତିର ଶେଷ ଆଡ଼କୁ ମଦନ ଆସି ତାଙ୍କୁ ରିକ୍ସାରେ ଘର ପାଖରେ ଛାଡ଼ିଦେଇ ଯାଇଥିଲା । ସେତେବେଳେ ହରିଦାଦା ଦାଣ୍ଡ ଦୁଆର ଆଗରେ ଛିଡ଼ା ହୋଇଥିଲା । ତାଙ୍କର ଅସ୍ପଷ୍ଟ ଉଚ୍ଚାରଣ 'ନାରାୟଣ ନାରାୟଣ' ନିଶାଚ୍ଛନ୍ନ ଈଶ୍ଵରଙ୍କ କାନରେ ପଡ଼ିଥିଲା । କୌଣସି କଥା ନକହି ଟଳାୟମାନ ଅବସ୍ଥାରେ ଈଶ୍ଵର ସିଧା ସିଧା ଯାଇ ନିଜର ବିଛଣାରେ ଶୋଇ ପଡ଼ିଥିଲେ ।

 

ତା'ପରଦିନ ତାଙ୍କର ନିଦ ଭାଙ୍ଗିଲା ସକାଳ ଦଶଟାରେ । ହଠାତ୍ ସେ ବିଛଣାରୁ ଉଠିପାରିଲେ ନାହିଁ । ମୁଣ୍ଡଟା ଖୁବ୍ ଓଜନିଆ ଲାଗିଲା । ଗଲା ରାତିର ସବୁ କଥା ତାଙ୍କର ଗୋଟି ଗୋଟି ହୋଇ ମନେ ପଡ଼ିଗଲା । ଛି-ଛି....କ'ଣ କରିବାକୁ ଯାଇ ସେ କ'ଣ କଲେ ? ସ୍ତ୍ରୀ ଦେହରୁ ଗହଣାନେଇ ସେ ଯାଇଥିଲେ ଟଙ୍କା ଆଣି ବ୍ୟବସାୟ ଆରମ୍ଭ କରିବାକୁ । ଶେଷରେ.... । ଅନୁଶୋଚନାରେ ବ୍ୟାକୁଳ ହେଉଥିଲେ ଈଶ୍ଵର ।

 

କିଛି ସମୟପରେ ହାତରେ ଚା' କପ୍ ଧରି ସେ ଘରକୁ ଆସିଲେ ଦମୟନ୍ତୀ । ଆଗର ସେ ହସ ହସ ମୁହଁ ତାଙ୍କର ନାହିଁ । ଗୋଟିଏ ରାତି ଭିତରେ ତାଙ୍କର ଯେପରି ଅନେକ କିଛି ପରିବର୍ତ୍ତନ ହୋଇଯାଇଛି ।

 

ଚା' କପ୍‍ଟି ଈଶ୍ଵରଙ୍କର ମୁଣ୍ଡପାଖରେ ଥୋଇଦେଇ ଦମୟନ୍ତୀ ନୀରବରେ ସେ ଘରୁ ଚାଲିଗଲେ । ସକାଳୁ ସକାଳୁ ଚା'ଖାଇବା ଈଶ୍ଵରଙ୍କର ଅଭ୍ୟାସ । ସେ ତେଣୁ ସେଇ ଅନୁତାପ କରିବା ଭିତରେ କପ୍‍ରୁ ଚା'ତକ ଗୋଟାଏ ଦମରେ ଶେଷ କରିଦେଲେ ।

 

ହରିଦାଦା ମଠକୁ ଚାଲିଗଲେଣି । ମନକୁ ପୁଣି ଶକ୍ତ କରିନେଲେ ଈଶ୍ଵର । ନା'–ଆଉ ନୁହେଁ । ଗହଣା ବିକ୍ରି-ଟଙ୍କାରେ ଏବେ ନିଶ୍ଚୟ ବ୍ୟବସାୟ ଆରମ୍ଭ କରିବାକୁ ପଡ଼ିବ ।

 

ପକେଟରୁ ଟଙ୍କା କାଢ଼ିବାକୁ ଚେଷ୍ଟାକଲେ ଈଶ୍ଵର; କିନ୍ତୁ ଏ କ'ଣ ? ପକେଟରେ ଯେ ଗୋଟିଏ ହେଲେ ଟଙ୍କା ନାହିଁ । ସବୁ ଟଙ୍କା କ'ଣ ତା'ହେଲେ ପୁଷ୍ପା ତାଙ୍କର ଅଜ୍ଞାତରେ ଗତ ରାତିରେ ନେଇଯାଇଚି ?

 

ନା, ଏମିତି ବି ହୋଇପାରେ ଯେ ଦମୟନ୍ତୀ ତାଙ୍କର ଟଳମଳ ଅବସ୍ଥା ଦେଖି ଟଙ୍କାତକ ପକେଟରୁ ନେଇ ପାରିଥାନ୍ତି ।

 

ଶୁଣୁଚ, ଦମୟନ୍ତୀଙ୍କୁ ଡାକି ଡାକି ଘରଭିତରୁ ଈଶ୍ଵର ତଳଆଡ଼କୁ ଆସିଲେ । ଦମୟନ୍ତୀ ସେତେବେଳେ ପୁରାଣ ବୋଲିବାରେ ବ୍ୟସ୍ତଥିଲେ । ପୂଜା, ଅର୍ଚ୍ଚନା, ପୁରାଣ ପାଠ ତାଙ୍କର ପ୍ରତିଦିନର ପ୍ରଧାନ କର୍ତ୍ତବ୍ୟ ।

 

ଟଙ୍କାଗୁଡ଼ାକ ତା' ହେଲେ ତୁମ ପାଖରେ ଅଛି ?

 

ଈଶ୍ଵରଙ୍କର ଏ ଅଦ୍ଭୁତ ପ୍ରଶ୍ନରେ ଦମୟନ୍ତୀଙ୍କର ଆଖି ଦୁଇଟା ହଠାତ୍ ନିଆଁପରି ଜଳିଉଠିଲା । ତାଙ୍କର ସ୍ଵଭାଵ ସୁଲଭ ଶାନ୍ତ ମୁହଁଟି ରାଗରେ ଲାଲ୍ ପଡ଼ିଗଲା । ଏ କ୍ଷେତ୍ରରେ କୌଣସି ଉତ୍ତରଦେବା ତାଙ୍କର ଦରକାର ପଡ଼ୁନାହିଁ ।

 

ପୁରାଣ ବହି ବନ୍ଦକରି ଦମୟନ୍ତୀ ଅନ୍ୟ ଘରକୁ ଚାଲିଗଲେ । ଦ୍ୱିତୀୟ ପ୍ରଶ୍ନ ପଚାରିବାକୁ ଈଶ୍ଵରଙ୍କର ମଧ୍ୟ ସାହସ ନ ଥିଲା । ଦମୟନ୍ତୀଙ୍କର ନୀରବ ପ୍ରସ୍ଥାନହିଁ ଘଟଣାକୁ ବେଶ୍ ପରିଷ୍କାର କରିଦେଇଚି......ସେ ଟଙ୍କା ନେଇନାହାନ୍ତି ।

 

ଈଶ୍ଵରଙ୍କର ସନ୍ଦେହ ବଢ଼ିଲା ବାକି ଦୁଇଜଣଙ୍କ ଉପରେ । ପୁଷ୍ପା ଆଉ ମଦନ । ରିକ୍ସାର ଆଣିଲାବେଳେ ମଦନ ହୁଏତ ଟଙ୍କା ହରଣଚାଳ କରି ଥାଇପାରେ ।

 

କାହାକୁ କିଛି ନ କହି ଈଶ୍ଵର ମୁହଁ ହାତ ଧୋଇ ଟଙ୍କା ଖୋଜାରେ ପୁଣି ରାସ୍ତାକୁ ବାହାରି ପଡ଼ିଲେ । ପ୍ରଥମେ ମଦନକୁ ପଚାରିବା ଦରକାର । ଏକରକମ ଦଉଡ଼ି ଦଉଡ଼ି ଈଶ୍ଵର ହାଜର ହେଲେ ମଦନ ଘରେ ।

 

ଜଣେ ବିଧବା ସ୍ତ୍ରୀଲୋକ ଘରଭିତରୁ ଜବାବଦେଲେ, କାହାକୁ ଖୋଜୁଚ ପୁଅ ? ମଦନ ତ ରାତି ଥାଉ ଥାଉ ଘର ଛାଡ଼େ ଯେ ପୁଣି ରାତି ଅଧହେଲେ ଘରକୁ ଆସେ । ତାକୁ କ'ଣ ଦିନରେ ଖୋଜିଲେ ତୁମେ ପାଇବ ?

 

ସେ କେଉଁଠି କାମକରେ ମାଉସୀ ? ଈଶ୍ଵର ପ୍ରଶ୍ନ କଲେ ।

 

ତା' କାମ ତାକୁ ଜଣା । ପଇସାଟିଏ ତ ମୁଁ ତା'ପାଖରୁ ପାଏନି । ତା' କାମ କଥା ମୁଁ କେମିତି କହିବି । ତେବେ କର-ମଟର କମ୍ପାନୀରେ ତଲାସ କର.... । ଗୁଣମଣି ହୁଏତ ସେଇଠି ଆଡ଼୍‍ଡ଼ା କରୁଥିବେ ।

 

ଈଶ୍ଵର ଆଉ ସାମାନ୍ୟ ମାତ୍ର ବିଳମ୍ବ କଲେନାହିଁ । କର-ମଟର କମ୍ପାନୀ.....ଗୁଡ଼ାଏ ବାଟ-। ତଥାପି ଖୁବ୍ ଶୀଘ୍ର ସେଠାରେ ପହଞ୍ଚିବାକୁ ହେବ ।

 

ମଟର କମ୍ପାନୀରେ କିନ୍ତୁ ମଦନର ସାକ୍ଷାତ ମିଳିଲା ନାହିଁ । ତା'ର ଖବରଅନ୍ତର ମଧ୍ୟ କେହି ସେଠାରେ କହିପାରିଲେ ନାହିଁ । ଏତେ ବଡ଼ ସହରଟାରେ ତାକୁ ଖୋଜି ବାହାର କରିବା ମଧ୍ୟ ସମ୍ଭବ ନୁହେଁ । ଈଶ୍ଵର ଏଥର ବାଟ ଭାଙ୍ଗିଲେ ପୁଷ୍ପାର ଘରକୁ । ଗୋଟାଏ ରାତି ପୁଷ୍ପାଘରେ ତାଙ୍କର ଅଜ୍ଞାନ ଅବସ୍ଥାରେ କଟିଚି । ସେ ହୁଏତ ଟଙ୍କାର ସନ୍ଧାନ ଦେଇପାରେ ।

 

କିଛି ବାଟ ଯିବାପରେ ମନରେ ତାଙ୍କର 'କିନ୍ତୁ' ଭାବ ଉଦୟ ହେଲା । ପୁଷ୍ପା ଯେଉଁ ଗଳିରେ ରହିଚି, ସେଠାକୁ ଦିନରେ କୌଣସି ଭଦ୍ରଲୋକ ଯିବାଆସିବା କରନ୍ତି ନାହିଁ । ମଦନ ତାଙ୍କୁ ରାତିରେ ସେ ନର୍କପୁରୀକୁ ବଳତ୍କାରେ ନେଇ ଯାଇଥିଲା । ଆଜି ସେ ପ୍ରକାଶ୍ୟ ଆଲୋକରେ ଏକା ଏକା ସେ ଅବାଞ୍ଛନୀୟ ଜାଗାକୁ ଯିବେ କିପରି ?

 

ଘରକୁ ଫେରିଆସିଲେ ଈଶ୍ଵର । ସନ୍ଧ୍ୟାହେଲେ ପୁଷ୍ପାକୁ ସେ ନିଶ୍ଚୟ ଭେଟିବେ ଓ ଟଙ୍କା କଥା ପଚାରିବେ । ସାରାଦିନ ତାଙ୍କର ଦମୟନ୍ତୀଙ୍କ ସହିତ କୌଣସି କଥାବାର୍ତ୍ତା ହୋଇ ନାହିଁ । କାହାକୁ କିଛି ନ କହି ସେ ଚୁପ୍‍ଚାପ୍‍ ଘରଭିତରେ ବସିରହିଲେ ।

 

ସନ୍ଧ୍ୟା ହେଲା । ଦିନର ଆଲୁଅ ଏକାବେଳକେ ଲିଭିଗଲା । ଈଶ୍ଵର ଲୁଚି ଲୁଚି ଚାଲିଲେ ପୁଷ୍ପା ଘରକୁ । ଈଶ୍ଵରଙ୍କ ଦେଖୁ ଦେଖୁ ପୁଷ୍ପା ହସି ହସି କହିଲା ମୁଁ ଜାଣେ, ଆପଣ ନିଶ୍ଚୟ ମୋ ପାଖକୁ ଆସିବେ ।

 

ଈଶ୍ଵର କିଛି ଜବାବ ଦେଲେ ନାହିଁ । ସେ ଦେଖିଲେ କାଲିଠାରୁ ପୁଷ୍ପା ଆଜି ନିଜକୁ ଆହୁରି ଆଧୁନିକ ଢାଞ୍ଚାରେ ସଜେଇଚି । ମୁଣ୍ଡରେ ଫୁଲ, ଶାଢ଼ି ବ୍ଲାଉଜରେ ଦାମିକା ସେଣ୍ଟ୍‍, ଆଖିରେ କଜଳ, ଗୋଡ଼ରେ ଅଳତା । ନିଜକୁ ଆକର୍ଷଣୀୟ ଓ ସୁନ୍ଦରକରି ଦେଖେଇବାର ପ୍ରଗାଢ଼ ଚେଷ୍ଟା । ବିଛଣାର ଚାଦରଟା ମଧ୍ୟ ଆଜି ବଦଳିଯାଇଛି ।

ନୀରବରେ ଈଶ୍ଵର ଚାରିଆଡ଼କୁ ଥରେ ନଜର ପକେଇ ଦେଲେ ।

ବସନ୍ତୁ । ଆଜିର ପରିବର୍ତ୍ତନ ମନକୁ ପାଉଚି ନା ?

ଈଶ୍ଵରଙ୍କର ପୋଷାକ ଉପରେ ସେଣ୍ଟ୍‍ ଢାଳି ଦଉ ଦଉ ପୁଷ୍ପା ପ୍ରଶ୍ନ କଲା । ମୁହଁରେ ତା'ର ବିଜୟ ଉଲ୍ଲାସର ଚିହ୍ନ ।

ପୁଷ୍ପାର ଆଜିର ଆଚରଣରେ ଈଶ୍ଵର ବିଶେଷ ଖୁସିହୋଇ ପାରିଲେ ନାହିଁ । ପୋଷାକରେ ସେଣ୍ଟ୍‍ର ଗନ୍ଧ ଅନୁଭବ କଲେ ଘରେ ଦମୟନ୍ତୀର ମନର ଅବସ୍ଥା କ'ଣ ହେବ ? ପୁଷ୍ପା କିନ୍ତୁ ଦ୍ଵିଗୁଣ ଉତ୍ସାହରେ କାମ କରିଯାଉଥାଏ ।

ଆଜି ପୁଣି ଏତେ ଲାଜ କାହିଁକି ? ଚିନ୍ତାଗ୍ରସ୍ତ ଈଶ୍ଵରଙ୍କୁ ଝୁଙ୍କେଇଦେଇ ପୁଷ୍ପା ଜୋରକରି ତାଙ୍କୁ ବିଛଣାରେ ବସେଇଦେଲା ।

ମଦନ କାହିଁ ? ସାମାନ୍ୟ ରୁକ୍ଷ ଗଳାରେ ଈଶ୍ଵର ପ୍ରଶ୍ନ କଲେ ।

ଖିଲି ଖିଲି କରି ହସିଉଠିଲା ପୁଷ୍ପା । ମୁହଁରେ ଲୁଗାଦେଇ ଭଙ୍ଗା ଭଙ୍ଗା ଗଳାରେ ସେ କହିଲା, ମଦନବାବୁଙ୍କୁ କାହିଁକି ଖୋଜୁଚନ୍ତି ? ଏ ଘରକୁ ଏକ ସମୟରେ ଦୁଇଜଣ ଆସିବାର ବିଧି ତ ନାହିଁ ।

ପୂର୍ବପରି ମୁହଁରେ ବିରକ୍ତି ଭାବ ଆଣି ଈଶ୍ଵର କହିଲେ, କାଲି ମୋ ପକେଟରୁ ଅଶୀଟଙ୍କା ଚୋରି ହୋଇଯାଇଛି । କିଏ ନେଇଚି ମୁଁ ଜାଣିବାକୁ ଚାହେଁ ।

ଟଙ୍କା କେହି ନେଇନାହାନ୍ତି । ଆପଣଙ୍କ ଟଙ୍କାକୁ ମୁଁ ଅତି ଯତ୍ନରେ ରଖିଚି ।

ଟଙ୍କା ଦିଅ । ମୁଁ ଚାଲିଯିବି ।

ଆପଣ ଚାଲିଯିବେ, ମୁଁ ଜାଣେ । ହେଲେ କିଛି ସମୟ ବିଶ୍ରାମ ନେଇ ଯାଆନ୍ତୁ । ମିନତିଭରା କଣ୍ଠରେ ପୁଷ୍ପା ଅନୁରୋଧ କଲା ।

ନା-ଆଜି ଆଉ ବିଶ୍ରାମ ନେବାର ସମୟ ନାହିଁ । ମତେ ଏଇ ମୁହୂର୍ତ୍ତରେ ଫେରି ଯିବାକୁ ହବ ।

ବିଛଣା ଉପରୁ ଉଠିପଡ଼ି ଠିଆହେଲେ ଈଶ୍ଵର ।

କାହିଁକି ? ଘରେ ଶ୍ରୀମତୀ ବୋଧହୁଏ ଗାଳି ଦେଉଚନ୍ତି ? ହଁ, ପ୍ରଥମେ ପ୍ରଥମେ ଏମିତି ହୁଏ । ପରେ ସେ ସବୁ ଦେହସୁହା ହେଇଯାଏ ।

ପୁଷ୍ପା ପୁଣିଥରେ ଜୋରକରି ଈଶ୍ଵରଙ୍କୁ ବସେଇ ଦେଲେ ।

ସୁଟକେଶରୁ ଟଙ୍କା ଆଣି ପୁଷ୍ପା ଈଶ୍ଵରଙ୍କ ହାତକୁ ବଢ଼େଇ ଦେଇ କହିଲା, ନିଅନ୍ତୁ ଆପଣଙ୍କ ଟଙ୍କା । ପାଞ୍ଚଟଙ୍କା ମୁଁ ନେଇଚି । ସେଥିରୁ ମଦନବାବୁଙ୍କର ପ୍ରାପ୍ୟ ଦୁଇଟଙ୍କା । ପୁଷ୍ପାର ଶେଷକଥା ଗୁଡ଼ାକ ଥିଲା ଅତି କରୁଣା ଓ ବ୍ୟଥାଭରା ।

 

ପାଞ୍ଚଟଙ୍କାରୁ ଦୁଇଟଙ୍କା ମଦନର ପ୍ରାପ୍ୟ.... କଥାଟା ଠିକ୍ ବୁଝି ପାରିଲେ ନାହିଁ ଈଶ୍ୱର । ସେ ପଚାରିଲେ, ତୁମେ ମଦନକୁ କାହିଁକି ଟଙ୍କା ଦବ ?

 

ଆମର କଣ୍ଟ୍ରାକ୍ଟ ସେଇୟା । ନୂଆ ଅତିଥି ଯୋଗାଡ଼କରି ଆଣିଲେ ସେ ଜଣପିଛା ଦୁଇଟଙ୍କା ନିଅନ୍ତି ।

 

ପୁଷ୍ପାର କଥାଶୁଣି ଈଶ୍ୱର କିଛି ସମୟ ଚୁପ ହୋଇ ବସି ରହିଲେ । ମଦନ ତା'ହେଲେ ଏ ହୀନ ଉପାୟରେ ଟଙ୍କା ରୋଜଗାର କରୁଚି ?

 

ଆଉରି ପାଞ୍ଚଟଙ୍କା ପୁଷ୍ପାକୁ ଦେଇ ଈଶ୍ଵର କହିଲେ, ଏ ଟଙ୍କା ତମେ ରଖ ।

 

କାହିଁକି ?

 

ଆଜିର ପ୍ରାପ୍ୟ ।

 

ଈଶ୍ୱର ଫେରିଯିବାକୁ ଉପକ୍ରମ କଲେ ।

 

ପୁଷ୍ପା କିନ୍ତୁ ତାଙ୍କୁ ଛାଡ଼ିଦେବାକୁ ଏକାବେଳକେ ନାରାଜ । ଈଶ୍ଵରଙ୍କର ବାଟ ଓଗାଳି ସେ କହିଲା, ଏ ଘରକୁ ଆସି କିଏ କ'ଣ ଏମିତି ଖାଲି ଖାଲି ଫେରି ଯାଆନ୍ତି ?

 

କ'ଣ ଭାବି ଈଶ୍ୱର ପୁଣି ଫେରି ଆସିଲେ ବିଛଣା ଉପରକୁ । ପୁଷ୍ପା ଅତି ତରବରରେ ବୋତଲ ଓ ଗ୍ଲାସ ଆଣି ଈଶ୍ୱରଙ୍କ ଆଗରେ ରଖି କହିଲା, ଆରମ୍ଭ କରନ୍ତୁ ।

 

ନା-ଆଜି ମୁଁ ବେଶି ପିଇବି ନାହିଁ । ଈଶ୍ୱର ଦ୍ୱିଧାରେ ପଡ଼ି ଉତ୍ତର ଦେଲେ ।

 

ବେଶି କାହିଁକି ପିଇବେ ? ଯେତିକି ଇଚ୍ଛା ହେଉଚି, ସେତିକି ପିଅନ୍ତୁ ।

 

ତୁମର ସେ ମନଭୁଲା ପାନ କେତେଖଣ୍ଡି ତା'ହେଲେ ଆଣ ।

 

ବହୁ ଆଗରୁ ମୁଁ ପାନ ଆଣିଚି । ପାନୀୟ ପରେ ପରେ ସୁବାସିତ ତାମ୍ବୁଳ ।

 

ଗ୍ଲାସ୍ ପରେ ଗ୍ଲାସ୍ ପାନୀୟ ଶେଷ କରିଦେଲେ ଈଶ୍ଵର । କାଲିଭଳି କଣ୍ଠନଳୀଟା ତାଙ୍କର ଆଉ ପୋଡ଼ିଗଲା ନାହିଁ ।

 

ପାନ ନିଅନ୍ତୁ ।

 

ପୁଷ୍ପା ଠିକ୍ ବେଳଜାଣି ଈଶ୍ଵରଙ୍କ ହାତକୁ ପାନ ବଢ଼େଇ ଦେଲା ।

 

ଈଶ୍ଵର ପାନ ଖଣ୍ଡିଏ ଖାଇଲେ ।

 

ଧୀରେ ଧୀରେ ତାଙ୍କର ଦେହଟା ଥଣ୍ଡା ହୋଇ ଆସିଲା । ସବୁ କ୍ଳାନ୍ତି, ସବୁ ଅବସାଦ ଦୂରେଇ ଗଲାପରି ବୋଧହେଲା । ଦମୟନ୍ତୀଙ୍କର ଇହକାଳର ଦେବତା 'ଈଶ୍ଵର' ଏ ନୁହଁନ୍ତି । ଇଏ ହେଉଚନ୍ତି....ଅନ୍ୟ ଏକ ଈଶ୍ଵର–ଯେ' ସମାଜ ମାନନ୍ତି ନାହିଁ, ସଭ୍ୟତା ମାନନ୍ତି ନାହିଁ । ଦେବତ୍ୱ ବଦଳରେ ପଶୁତ୍ୱ ଜାଗିଉଠିଚି ଈଶ୍ୱର ପଟ୍ଟନାୟକଙ୍କ ଠାରେ....ପିନ୍ଧିଥିବା ସାର୍ଟଟାକୁ ଦେହରୁ କାଢ଼ିଦେଲେ ଈଶ୍ଵର ।

 

ଘରକୁ ଫେରିଯିବେ ପରା । ସାର୍ଟ କାହିଁକି କାଢ଼ିଲେ ? ସାମାନ୍ୟ ବିଦ୍ରୂପମିଶା କଣ୍ଠରେ ପୁଷ୍ପା ପ୍ରଶ୍ନ କଲା ।

 

ନା-ମୁଁ ଯିବିନି । ତୁମେ ମୋ ପାଖକୁ ଆସ ।

 

ଏତିକି କହି ଈଶ୍ଵର ପୁଷ୍ପାକୁ ନିଜପାଖକୁ ଖୁବ୍ ଜୋରରେ ଟାଣି ଆଣିଲେ ।......

 

ପାପ-ପଙ୍କରେ ଲୋଟିଗଲେ ଈଶ୍ଵର ପଟ୍ଟନାୟକ । ଧୀରେ ଧୀରେ କେଉଁ ଅତଳ ଗହ୍ୱରକୁ ଖସିଗଲେ, ସେ ନିଜେ ମଧ୍ୟ ଜାଣିପାରିଲେ ନାହିଁ ।

 

ଅଣଚାଶ ପବନରେ ଗୋଟାଏ ସରଳ, ଶାନ୍ତ ପରିବେଶ ହଠାତ୍ ଭାଙ୍ଗିରୁଜି ଛାରଖାର ହୋଇଗଲା । ଆବେଗମୟ ମୁହୂର୍ତ୍ତ କଟିଗଲା । ଈଶ୍ଵର ପୁଣି ନିଜର ଚେତନାଶକ୍ତି ଫେରିପାଇଲେ ।

 

ନିଜ କୋଳରେ ସେ କାହାକୁ ଦେଖୁଚନ୍ତି ? ସହରର ବିଖ୍ୟାତ ବାରବନିତା ପୁଷ୍ପା !! କଦାକାର....କୁତ୍ସିତ.... !!

 

ଗୋଟାଏ ଧକ୍‍କାରେ ପୁଷ୍ପାକୁ ତଳକୁ ଠେଲିଦେଲେ ଈଶ୍ଵର । ଆଉ ନୁହେଁ–ତାଙ୍କୁ ଏଇ ମୁହୂର୍ତ୍ତରେ ଘରକୁ ଲେଉଟି ଯିବାକୁ ହବ ।

 

ସାର୍ଟଟାକୁ ଦେହରେ ଗଳେଇଦେଇ ଈଶ୍ଵର କ୍ଷିପ୍ର ପଦକ୍ଷେପରେ ବାହାରକୁ ଚାଲିଗଲେ-। ସାରା ଦେହରୁ ତାଙ୍କର କି ଉତ୍କଟ ଗନ୍ଧ ବାହାରୁଚି ! ଏ ଅବସ୍ଥାରେ ସେ ଦମୟନ୍ତୀ ଓ ହରିଦାଦାଙ୍କ ପାଖରେ ମୁହଁ ଦେଖେଇବେ କେମିତି ? .....ଘୃଣାରେ ଦମୟନ୍ତୀ ବାଟଭାଙ୍ଗି ଚାଲିଯିବେ-। ତାଙ୍କର ନୀରବ ଭର୍ତ୍ସନା ଅତି ଅସହ୍ୟ । ଗାଳିଦେଲେ ବା ଅପମାନଦେଲେ ସହି ହୁଅନ୍ତା । କିନ୍ତୁ ତାଙ୍କର ନିର୍ବିକାର ନୀରବତା ଅତି ଯନ୍ତ୍ରଣା-ଦାୟକ ।

 

ମହାନଦୀ ବେଶି ବାଟ ନୁହେଁ । ଈଶ୍ଵର ସେଇଠିକି ସିଧା ଚାଲିଲେ । ମହାନଦୀରେ ସ୍ନାନସାରିଲେ । ଈଶ୍ଵର ମନେ ମନେ ଚିନ୍ତାକଲେ, ସବୁ ପାପ ଧୋଇ ହୋଇଗଲା ।

 

ସ୍ନାନସାରି ଉପରକୁ ଉଠିବା ସଙ୍ଗେ ସଙ୍ଗେ ଈଶ୍ଵର ଦେଖିଲେ ପୁଷ୍ପା ଆଗରେ ଛିଡ଼ାହୋଇ ମୁରୁକିହସା ଦେଉଚି । ସୂର୍ଯ୍ୟ ଉଦୟ ପୂର୍ବରୁ ସେ ମଧ୍ୟ ପାପନାଶିନୀ ମହାନଦୀରେ ପ୍ରତିଦିନ ସ୍ନାନ କରେ ।

 

ପାପ ସବୁ ଧୋଇ ହେଇଗଲା ତ.... ? ପୁଷ୍ପା ଇଷତ୍‍ ବିଦ୍ରୂପ-ହସ କଣ୍ଠରେ ପ୍ରଶ୍ନ କଲା ।

 

ପାପ ନୁହେଁ, ପାପର ଗନ୍ଧ । ଈଶ୍ଵର ଜବାବ ଦେଲେ । ଜୋରରେ ହସିଉଠିଲା ପୁଷ୍ପା । ଯେତେ ଧୋଇଲେ ସେ ଗନ୍ଧ ଯିବ ନାହିଁ ବାବୁ । ସେ ମୋ ହାତ ତିଆରି ।

 

ପାଣି ଭିତରକୁ ପଶିଗଲା ପୁଷ୍ପା । ରାତି ପାହି ପାହି ଆସୁଚି । ଦିଗ୍‍ବଳୟର ବର୍ଣ୍ଣ କ୍ରମେ କ୍ରମେ ଲାଲ ପଡ଼ି ଆସିଲାଣି । ଅତି ଶୀଘ୍ର କାମ ସାରି ନ ଦେଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଈଶ୍ଵର ମଧ୍ୟ ପୁଷ୍ପାକୁ ଆଉ କିଛି କହିଲେ ନାହିଁ । ଏକମୁହାଁ ହୋଇ ଫେରିଲେ ଘରକୁ ।

 

ଈଶ୍ଵର ଦେଖିଲେ ହରିଦାଦା ତାଙ୍କରି ପ୍ରତୀକ୍ଷାରେ ରାସ୍ତାରେ ଛିଡ଼ା ହୋଇଚନ୍ତି । ମଠକୁ ଯିବାର କିଛି ଉପକ୍ରମ ନାହିଁ । ପଛପଟେ ବାଟ ଭାଙ୍ଗି ଚାଲିଯିବାବେଳେ ହରିଦାଦାଙ୍କର ଗମ୍ଭୀର କଣ୍ଠସ୍ଵର ସେ ଶୁଣିପାରିଲେ ।

 

ଛିଡ଼ାହୁଅ ଈଶ୍ଵର ।

 

ଈଶ୍ଵର ଅଟକିଗଲେ ।

 

ସାରା ରାତି ତୁ କେଉଁଠି ଥିଲୁ ?

 

କି ଉତ୍ତର ଦେବେ ଈଶ୍ଵର ? କ୍ଷଣକ ଭିତରେ ସେ ନିଜର କୈଫିୟତ ଠିକ୍ କରିନେଲେ-

 

ଶାନ୍ତନୁର ବାପା ମରିଗଲେ । ଶବଦାହ କରିବାକୁ ଯାଇଥିଲି ।

 

ଶବଦାହ ପରେ ଦେହରୁ ଅତର ଗନ୍ଧ ବାହାରେ ପରା... ।

 

ଈଶ୍ଵରଙ୍କର ମୁଣ୍ଡରେ ହଠାତ୍ ବଜ୍ରପାତ ହେଲା । ହରିଦାଦାଙ୍କ ପାଖରେ ସେ ତା'ହେଲେ ଧରା ପଡ଼ିଯାଇଚନ୍ତି । ମହାନଦୀର ପବିତ୍ର ପାଣି ତାଙ୍କର ପାପରାଶି କ୍ଷୟ କରିପାରି ନାହିଁ । ମୁହଁ ତଳକୁ ପୋତି ଛିଡ଼ାହେଲେ ଈଶ୍ଵର ।

 

ଆହୁରି ଗମ୍ଭୀର ଗଳାରେ ହରିଦାଦା ଏଥର କହିଲେ, ବୋହୂସଙ୍ଗେ ମୋର ପରାମର୍ଶ ସରିଯାଇଛି । ଏ ଘର ମୁଁ ବିକିଦେଇ ବାଲିକୁଦା ଚାଲିଯିବି ।

 

ଈଶ୍ଵର ଅବାକ୍ ହେଲେ । ହରିଦାଦା ହଠାତ୍ ଏ ଧରଣର ପ୍ରସ୍ତାବ ଦେଉଚନ୍ତି କାହିଁକି ? ଅତି ସଞ୍ଜତଭାବରେ ଈଶ୍ଵର ପଚାରିଲେ, ଘର ବିକ୍ରି କରିବେ କାହିଁକି ?

 

ତା'ଛଡ଼ା ଆଉ ଅନ୍ୟ ଉପାୟ ନାହିଁ । ଟାଉନ୍ ପ୍ଲାନିଂ ଅଫିସ ଏ ଜାଗାସବୁ ଦାଖଲ କରିବ ବୋଲି ଆଗୁଆ ନୋଟିସ୍‍ ଦେଇ ସାରିଲାଣି । ବର୍ତ୍ତମାନ ବିକ୍ରି କରିଦେଲେ କିଛି ହେଲେ ଟଙ୍କା ମିଳିଯିବ ।

 

କଥାବାର୍ତ୍ତା ଭିତରେ ଉଭୟେ ଘର ଭିତରକୁ ଚାଲିଯାଇ ଥିଲେ । ଈଶ୍ଵର ଓଦା ଲୁଗା ବଦଳେଇ ଶୁଖିଲା ଲୁଗା ମଧ୍ୟ ପିନ୍ଧି ସାରିଥିଲେ । ଚାହା କପ୍‍ ହାତରେ ଧରି ଆସିଲେ ଦମୟନ୍ତୀ । ଆଖି କୋଣରେ ସ୍ତୁପୀକୃତ ଲାଲିମା । ରାତ୍ରି ଉଜାଗରର ଚିହ୍ନ ସୁସ୍ପଷ୍ଟ । ଚା' କପ ଦୁଇଟି ଦୁହିଁଙ୍କ ପାଖରେ ଥୋଇଦେଇ ଦମୟନ୍ତୀ ନୀରବରେ ଯେମିତି ଆସିଥିଲେ ସେମିତି ଚାଲିଗଲେ ।

 

ହରିଦାଦା ଚା'ଖାଉ ଖାଉ ପୁଣି କହିଲେ, ଏ ଘର ବିକ୍ରି କରିଦେଇ ବାଲିକୁଦାରେ ଶସ୍ତାରେ ଗୋଟିଏ ଛୋଟିଆ ଘର କିଣିବାର ମସୁଧା କରୁଚି । ବିକ୍ରି ବାବଦରୁ ଯେଉଁ ଟଙ୍କା ମିଳିବ, ସେଥିରୁ କିଛି ଅଂଶ ତତେ ମୁଁ ଦେବି । ବେକାର ହୋଇ ବସିବାଠୁଁ ସେଇ ଟଙ୍କାରେ ତୁ ବ୍ୟବସାୟ କରିବାକୁ ମୋର ପ୍ରସ୍ତାବ ।

 

ଈଶ୍ଵରଙ୍କର ଆଉ କିଛି ଶୁଣିବାର ଆଗ୍ରହ ନାହିଁ । ସେ କହିଲେ, ଆପଣ ଏତେ କଥା ମତେ କାହିଁକି କହୁଚନ୍ତି ?

 

ଆପଣଙ୍କର ଇଚ୍ଛା, ଆପଣ ପୂରଣ କରିବେ ।

 

ନା-ନା, ମୋର ଇଚ୍ଛା ନୁହେଁ । ତୁ ବର୍ତ୍ତମାନ ସାବାଳକ ହେଇଚୁ । ସବୁ କଥାରେ ତୋ ସଙ୍ଗେ ପରାମର୍ଶ କରିବା ମୋର କର୍ତ୍ତବ୍ୟ । ହରିଦାଦା ଚଟାପଟ ଉତ୍ତର ଦେଲେ ।

 

ମୁଁ ଯେବେ ଆପଣଙ୍କ ପ୍ରସ୍ତାବରେ ରାଜି ନ ହୁଏ......ଏ ଘର ନିଶ୍ଚୟ ବିକ୍ରିହେବ ଈଶ୍ଵର । ତୋର ଇଚ୍ଛା, ଅନିଚ୍ଛାପାଇଁ ଘର ବିକ୍ରି କେବେ ବନ୍ଦ ହୋଇ ପାରିବ ନାହିଁ । ଏ ଘର ମୋର...... । ଶୁଭାକାଂକ୍ଷୀ ହିସାବରେ ମୁଁ ମୋର ଶେଷ କର୍ତ୍ତବ୍ୟ କରିଯିବି । ତୁ ହୁଏତ ନର୍କକୁ ଯାଇପାରୁ; କିନ୍ତୁ ପଟ୍ଟନାୟକ ଘରର କୁଳବୋହୂକୁ ମୁଁ ଦାଣ୍ଡରେ ବସେଇଦେଇ ପାରିବିନି । ଏ ବଂଶକୁ ଆଉ ଯେ' ଆସୁଚି, ତା'ର ଭବିଷ୍ୟତ ମତେ ମଧ୍ୟ ଦେଖିବାକୁ ହେବ ।

 

ହରିଦାଦାଙ୍କ ଅନର୍ଗଳ କଥା ଉପରେ ସେ ଆଉ କିଛି କହିପାରିଲେ ନାହିଁ । ସେ ଅନୁଭବ କଲେ ଏକ ବିଚିତ୍ର ଅନୁଭୂତି । ସନ୍ତାନର ପିତା ହେବାକୁ ସେ ଯାଉଚନ୍ତି । କଥାଟାକୁ ସେ ଯେତିକି ଭାବୁଚନ୍ତି, ସେତିକି ଆନନ୍ଦ ମିଳୁଚି ତାଙ୍କୁ ।

 

ପବିତ୍ର ପିତୃତ୍ୱ ପ୍ରତ୍ୟେକ ମଣିଷର କାମ୍ୟ । ଈଶ୍ଵର ପଟ୍ଟନାୟକ ମନେ ମନେ ବିଭୋରହୋଇ ଉଠିଲେ । ହରିଦାଦାଙ୍କ ଆଡ଼କୁ ଆଉ ତାଙ୍କର ନଜର ନାହିଁ । ସେ କେତେବେଳୁ ଜାଗା ଛାଡ଼ି ଚାଲିଗଲେଣି ।

 

......ସ୍ଥିର ଅପଲକ ଦୃଷ୍ଟିରେ ଦମୟନ୍ତୀଙ୍କର ପ୍ରତିକୃତିକୁ ଚାହିଁ ରହିଥାଆନ୍ତି ଈଶ୍ଵର ପଟ୍ଟନାୟକ । ଦୁଇ ଆଖିରୁ ତାଙ୍କର ଗଙ୍ଗାଧାର ଭଳି ଲୁହ ଛୁଟି ଚାଲିଥାଏ । ଧୀରେ ଧୀରେ ସେ ଦମୟନ୍ତୀଙ୍କର ଫଟୋ ପାଖକୁ ଆସି ବିଗଳିତ କଣ୍ଠରେ କହିଲେ, ମତେ କ୍ଷମାକର ଦମୟନ୍ତୀ, ମୁଁ ପାପୀ ।

 

ତିନି

 

ଈଶ୍ଵର ପଟ୍ଟନାୟକ କାରଖାନାକୁ ଆସୁଚନ୍ତି । ଦୂରରୁ ଦାମୀ ମଟର ଗାଡ଼ିର ହର୍ଣ୍ଣ ଶୁଣାଗଲାଣି । ମୁହୂର୍ତ୍ତକ ମଧ୍ୟରେ କାରଖାନାର ବଡ଼ ସାନ ସମସ୍ତ କର୍ମଚାରୀ ସଚେତନ ହୋଇ ଉଠିଲେ । ଦରୱାନ୍‍ ଗେଟ୍‍ ସାମ୍‍ନାରେ ପୂରା ମାର୍ଚ୍ଚିଂ କରିବାରେ ଲାଗିଗଲା ।

କାରଖାନାର ସଦର ଗେଟରେ ଈଶ୍ଵର ପଟ୍ଟନାୟକଙ୍କର କାର୍‍ ଲାଗିଲା । ମନ୍ତ୍ରପରି ସାମନା ଗେଟ୍‍ଟି ଖୋଲିଯାଇ ଗାଡ଼ି ଯିବାପାଇଁ ବାଟ ପ୍ରଶସ୍ତ ହୋଇଗଲା । କାର୍‍ଟି ଆଗେଇଲା ମେନ୍‍ ଅଫିସ୍‍ଆଡ଼କୁ । ଈଶ୍ଵର ପଟ୍ଟନାୟକଙ୍କର ଗୋଡ଼ ମାଟିରେ ଲାଗୁ ଲାଗୁ ସାମରିକ ଠାଣିରେ ନେପାଳୀ ଦରୱାନ୍ ସଲାମ୍ ଜଣାଇଲା । ଗାଡ଼ିରୁ ଓହ୍ଲେଇ ଈଶ୍ଵରବାବୁ ନିଜର ଅଫିସ୍ ପ୍ରକୋଷ୍ଠକୁ ଚାଲିଗଲେ । ତଳିଆ କର୍ମଚାରୀମାନେ ସମସ୍ତେ ଭୟ ଓ ଆଶଙ୍କାରେ ଥରହର । କାରଖାନାର ମାଲିକ ଶୃଙ୍ଖଳା, ନୀତି, ନିୟମକୁ ସବୁବେଳେ ଉଚ୍ଚ ଆସନ ଦେଇ ଆସିଚନ୍ତି । ସେଥିରେ ଖିଲାପ ହେଲେ ବଡ଼ ସାହେବଙ୍କର ରାଗର ସୀମା ଚରମକୁ ଉଠିଯାଏ । ସଙ୍ଗେ ସଙ୍ଗେ ଚାକିରିରୁ ବି ଦରଖାସ୍ତ ହେବାକୁ ପଡ଼ିପାରେ ।

ଈଶ୍ଵର ପଟ୍ଟନାୟକ ଅଫିସ ଘରେ ପହଞ୍ଚିବା ସଙ୍ଗେ ସଙ୍ଗେ ଭୀଷଣ କ୍ଳାନ୍ତି ଅନୁଭବ କଲେ । ଗତ ରାତିରେ ତାଙ୍କୁ ଅନିଦ୍ରା ହେବାକୁ ପଡ଼ିଚି । ଦେହ ଓ ମନ ଅବସନ୍ନ ।

କଳିଙ୍ଗ କେମିକାଲ୍‍ର ଉଚ୍ଚପଦସ୍ଥ ଅଫିସର୍‍ ତୁଷାରକାନ୍ତି ଦାସ......ଈଶ୍ଵର ବାବୁଙ୍କର ପରସନାଲ୍‍ ଆସିଷ୍ଟାଣ୍ଟ । ହାତରେ କେତେଟା ଫାଇଲ୍‍ ଧରି ସେ ଘର ଭିତରକୁ ନିଶବ୍ଦରେ ପ୍ରବେଶ କଲେ ।

 

କିଛି ଜରୁରୀ ଅଛି ତ ଆଣନ୍ତୁ । ତୁଷାରବାବୁଙ୍କୁ ଦେଖୁ ଦେଖୁ ଈଶ୍ଵରବାବୁ ସାମାନ୍ୟ ବିରକ୍ତିମିଶା କଣ୍ଠରେ କହିଲେ ।

 

କେତେଟା ଚେକ ଅଛି ଦସ୍ତଖତ ହେବାକୁ । ତୁଷାରବାବୁ ଅତି ନରମ ଗଳାରେ ଉତ୍ତର ବେଲେ ।

 

ଆଣନ୍ତୁ ।

 

ଚେକ୍‍ରେ ଦସ୍ତଖତ କରିବାରେ ଲାଗିଲେ ଈଶ୍ଵରବାବୁ । ଚେକ୍ ପରେ କେତେଗୁଡ଼ିଏ ଚିଠି ଦସ୍ତଖତ ହେବାର ଥିଲା । ମାତ୍ର ମାଲିକଙ୍କର ନିର୍ଦ୍ଦେଶ ଅନୁଯାୟୀ ସେ ଚିଠିଗୁଡ଼ିକ ଧରି ଫେରି ଯାଉଥିଲେ ।

 

ଚିଠିଗୁଡ଼ାକ ଉଦୟର ଦସ୍ତଖତରେ ପଠେଇ ଦିଅ । ....ପଛରୁ ଈଶ୍ଵରବାବୁ ତାଗିଦକରି କହିଲେ ।

 

ତୁଷାରବାବୁ ଦୁଆର ପାଖରୁ ପୁଣି ଲେଉଟି ଆସିଲେ । ଉଦୟବାବୁ ଏ ପର୍ଯ୍ୟନ୍ତ କାରଖାନାକୁ ଆସି ନାହାନ୍ତି । ଆସିବାର ସମ୍ଭାବନା ମଧ୍ୟ ନାହିଁ । ଦିନେ ଦେଖାଦେଲେ ଦୁଇଦିନ ଆସୁନାହାନ୍ତି । ବଡ଼ବାବୁଙ୍କୁ ଏ ଖବର ଦେବେ କି ନାହିଁ, ତୁଷାରବାବୁ ଏଇ ଭାବନାରେ ପଡ଼ିଲେ ।

 

ଉଦୟ କାହିଁ ? ଈଶ୍ଵରବାବୁ ପ୍ରଶ୍ନ କଲେ ।

 

ସେ ଏ ଯାଏ ଅଫିସକୁ ଆସି ନାହାନ୍ତି । ଅତି କ୍ଷୀଣ କଣ୍ଠସ୍ଵର ତୁଷାରବାବୁଙ୍କର ।

 

ଆଶ୍ଚର୍ଯ୍ୟ ! ଚିହିକି ଉଠିଲେ ଈଶ୍ଵର ପଟ୍ଟନାୟକ । ଉଦୟ ହେଲା କାରଖାନାର ଜେନେରାଲ ମ୍ୟାନେଜର । ଅଥଚ ସେ ଏପର୍ଯ୍ୟନ୍ତ ଅଫିସକୁ ଆସିନାହିଁ !! ନିଜର ପୁଅହୋଇ ଯେବେ ସେ କାମରେ ଏପରି ଗଲତି କରେ, ତା'ହେଲେ ଅନ୍ୟ କର୍ମଚାରୀମାନଙ୍କୁ କିପରି ଶାସନ କରାଯିବ ?

 

କାହିଁକି ସେ ଆସିନାହିଁ ? କିଛି ଖବର ପଠେଇଚି ?

 

ରୁକ୍ଷ ସ୍ଵରରେ ପ୍ରଶ୍ନକଲେ ଈଶ୍ଵରବାବୁ ।

 

ବଡ଼ ସାହେବଙ୍କର ଏ ଧରଣର ପ୍ରଶ୍ନରେ ତୁଷାରବାବୁ ହସି ପକାଇଲେ । ଆଜିକି ଦଶବର୍ଷ ହେଲା ସେ କାରଖାନାରେ ଏକ ସମ୍ମାନଜନକ ପଦବୀରେ କାମକରି ଆସିଚନ୍ତି । କେବଳ ସେ ଏକା ମାଲିକଙ୍କ ସାମନାରେ ସହଜ ଭାବରେ କଥା କହିପାରନ୍ତି । ଭୁଲ, ତ୍ରୁଟିହେଲେ ସୁଧାରି ନେବାର ସାହସ କେବଳ ତାଙ୍କରି ଥାଏ ।

 

ହସୁଚନ୍ତି କାହିଁକି ? ଈଶ୍ଵରବାବୁଙ୍କର କଣ୍ଠସ୍ଵର ବିରକ୍ତିସୂଚକ ।

 

କର୍ମଚାରୀମାନେ କେବେ କ'ଣ ମାଲିକଙ୍କର ଅନୁପସ୍ଥିତି ପାଇଁ କୈଫିୟତ ତଲବ୍‍ କରିପାରନ୍ତି ? ସେ ଅଧିକାର କ'ଣ ସେମାନଙ୍କର ଅଛି ?

 

ଅକାଟ୍ୟ ଯୁକ୍ତି । ଈଶ୍ଵରବାବୁ ତୁଷାରବାବୁଙ୍କର ଜବାବ ପରେ ଆଉ କିଛି କହିପାରିଲେ ନାହିଁ ।

 

ତୁଷାରବାବୁ ପୁଣି କହିଲେ, ଉଦୟବାବୁ ଅଫିସ୍‍କୁ ପ୍ରତିଦିନ ଠିକ୍ ସମୟରେ ଆସନ୍ତି । ଆଜି କାହିଁକି ସାମାନ୍ୟ ଡେରି ହୋଇ ଯାଇଚି ।

 

ମିଛ କଥା । ଏ ଅଭ୍ୟାସ ତା'ର ବହୁଦିନର ।

 

ଏତିକି କହି ଈଶ୍ଵରବାବୁ ଚେୟାର ଛାଡ଼ି ଛିଡ଼ାହେଲେ । ଉଦ୍ଦେଶ୍ୟ ଜେନେରାଲ ମ୍ୟାନେଜରଙ୍କର ଅଫିସ୍‍ ରୁମ୍‍ ପରିଦର୍ଶନ କରିବା ।

 

ଈଶ୍ଵରବାବୁ ନୀରବରେ ଆଗେଇଲେ । ପଛେ ପଛେ ତୁଷାରବାବୁ ଯାଉଥାନ୍ତି । ଅଫିସର ଜେନେରାଲ୍‍ ସେକ୍ସନ ହଠାତ୍ ନୀରବ ନିସ୍ତବ୍ଧ ହୋଇଗଲା । ସମସ୍ତେ ଭୟ ଓ ଆଶଙ୍କାରେ ନିଜ ନିଜର ଆସନ ଛାଡ଼ି ଠିଆହୋଇ ପଡ଼ିଲେ । ହଠାତ୍ ବଡ଼ ସାହେବ ଅଫିସ ଭିତରକୁ କାହିଁକି ଆସିଲେ ? ସମସ୍ତଙ୍କ ମୁହଁରେ ପ୍ରଶ୍ନବାଚକ ଚିହ୍ନ ? ଗୁରୁତର ଘଟଣା ନ ହେଲେ ବଡ଼ସାହେବ ନିଜର ପ୍ରକୋଷ୍ଠ ଛାଡ଼ି ଅଫିସ ଭିତରକୁ ଆସନ୍ତି ନାହିଁ ।

 

ଲମ୍ବା ହଲ୍‍ର ଦୁଇକଡ଼ରେ ଚେୟାର ଟେବୁଲ । ମଝିରେ ଯିବାପାଇଁ ରାସ୍ତା । କ୍ଷିପ୍ରଗତିରେ ଈଶ୍ଵରବାବୁ ଜେନେରାଲ ମ୍ୟାନେଜରଙ୍କର ଅଫିସଘରେ ହାଜର ହୋଇ ଦେଖିଲେ ଘରଭିତର ଶୂନ୍ୟ । କେହି ନାହାନ୍ତି । ଟେବୁଲ ଉପରେ ଟାଇପକରା ଚିଠିପତ୍ର ସଜେଇ ହୋଇ ଥୁଆ ହୋଇଚି । ଘରର ଚାରିଦିଗକୁ ଭଲକରି ଥରେ ନଜର ପକେଇ ଦେଲେ ଈଶ୍ଵରବାବୁ । ତୁଷାରବାବୁଙ୍କୁ ଲକ୍ଷ୍ୟକରି କହିଲେ, ଉଦୟ ଆସିବା ସଙ୍ଗେ ସଙ୍ଗେ ପ୍ରଥମେ ମୋ ସଙ୍ଗେ ଦେଖା କରିବାକୁ କହିବେ ।

 

ନିଜର ଆସନକୁ ଫେରି ଆସିଲେ ଈଶ୍ଵର ପଟ୍ଟନାୟକ । ତୁଷାରବାବୁ ମଧ୍ୟ ତାଙ୍କୁ ଅନୁସରଣ କଲେ ।

 

ଆପଣ ଆଜି ଅସୁସ୍ଥ ଥିଲାପରି ମୋର ମନେହେଉଚି....ତୁଷାରବାବୁଙ୍କର କଣ୍ଠରେ ଆତ୍ମୀୟତାର ସ୍ଵର ।

 

ହଁ, ମୁଁ ଅସୁସ୍ଥ ଉଦୟ ସକାଶେ । ଉଦୟ ଦିନକୁ ଦିନ ଅବାଧ୍ୟ ହୋଇ ଉଠୁଚି । ଈଶ୍ଵରବାବୁ ଅତି ଗମ୍ଭୀରଭାବରେ ଉତ୍ତର ଦେଲେ ।

 

ଏ ବୟସରେ ସେ'ତ ନିଶ୍ଚୟ ଏମିତି ହେବେ । ସମୟକ୍ରମେ ସେ ପୁଣି ବାଟକୁ ଫେରି ଆସିବେ ଯେ....

 

ନାଁ, ସେ ସମ୍ଭାବନା ଆଉ ନାହିଁ । ନିଜର ଦାୟିତ୍ୱ ବହନ କରିବାର ଯଥେଷ୍ଟ ବୟସ ତା'ର ହୋଇଚି ।

 

ଆପଣ ତାଙ୍କର ବିଭାଘରର ଆୟୋଜନ କରନ୍ତୁ ସାର୍‍ । ଘରକୁ ବୋହୂଟିଏ ଆସିଲେ ଦାୟିତ୍ୱଜ୍ଞାନ ଆପେ ଆପେ ଆସିଯିବ ।

 

ମନେ ମନେ ହସି ଉଠିଲେ ଈଶ୍ଵର ପଟ୍ଟନାୟକ । ନିଜ ଅତୀତର କଥା କ୍ଷଣକପାଇଁ ତାଙ୍କର ମନେ ପଡ଼ିଗଲା । ବାହାଘର ପରେ ତାଙ୍କର କେତେ ଦାୟିତ୍ୱ ବଢ଼ିଯାଇ ଥିଲା ? ଦମୟନ୍ତୀ କ'ଣ ତାଙ୍କର ଉତ୍‍ଶୃଙ୍ଖଳତାକୁ ବାଧାଦେଇ ପାରିଥିଲେ ?

 

ନୀରବରେ କିଛି ସମୟ ବସି ରହିଲେ ଈଶ୍ଵର ପଟ୍ଟନାୟକ । ତା'ପରେ ତୁଷାରବାବୁଙ୍କ ଆଡ଼କୁ ନଜର ପକେଇ କହିଲେ, ଆପଣ ତା'ହେଲେ ଉଦୟର ଶୁଭଶଙ୍ଖପାଇଁ ଖୁବ୍ ବ୍ୟଗ୍ର, ନା ?

 

ସେ କାମ ଅତିଶୀଘ୍ର ସାରିଦିଅନ୍ତୁ ଆଜ୍ଞା ।

 

ନଜର ଉପରେ ଭଲ ପାତ୍ରୀ ଅଛି ?

 

ଆଦେଶ ଦେଲେ ସେ ବ୍ୟବସ୍ଥା ମୁଁ ନିଶ୍ଚୟ କରିବି ।

 

ବେଶ୍‍, ପାତ୍ରୀର ସନ୍ଧାନ ମତେ ଯେତେ ଶୀଘ୍ର ପାରନ୍ତି, ଦିଅନ୍ତୁ ।

 

ଈଶ୍ଵରବାବୁ ଏଥର ଚେୟାର ଛାଡ଼ି ଯିବାପାଇଁ ପ୍ରସ୍ତୁତ ହେଲେ । ଠିକ୍ ଏଇ ସମୟରେ ପିଅନ ଆସି ସ୍ଲିପ ଦେଲା । ସ୍ଲିପଟା ପିଅନ ହାତରୁ ଛଡ଼େଇନେଇ ତୁଷାରବାବୁ କହିଲେ, କହି ଦେ'......ଆଜି ଦେଖାହେଇ ପାରିବ ନାହିଁ ।

 

କିଏ ସ୍ଲିପ ଦେଇଚି ? କ'ଣ ସେ ଚାହେଁ ? ସାମାନ୍ୟ କ୍ଳାନ୍ତ ଭାବରେ ପ୍ରଶ୍ନ କଲେ ଈଶ୍ଵର ପଟ୍ଟନାୟକ ।

 

ଆପଣଙ୍କୁ ଦେଖା କରିବାପାଇଁ ଝିଅଟିଏ ଆଜିକି ଆଠଦିନ ହେଲା ରୋଜ ଆସୁଚି । ତୁଷାରବାବୁ ଉତ୍ତର ଦେଲେ ।

 

କ'ଣ ଚାକିରି କରିବାକୁ ଚାହେଁ ?

 

ସେକଥା ସେ କହୁନି । କେବଳ ଆପଣଙ୍କୁ ଦେଖା କରିବାକୁ ତା'ର ଇଚ୍ଛା ।

 

ନୋ ଭେକେନ୍‍ସି, ଜଣେଇ ଦେଇଛନ୍ତି ତ ?

 

ସେ'ତ ଚାକିରି ପ୍ରାର୍ଥିନୀ ନୁହେଁ । ନୋ ଭେକେନ୍‍ସି ଜଣେଇବି କାହିଁକି ?

 

ସାମାନ୍ୟ ଅବାକ୍‍ ହେଲେ ଈଶ୍ଵର ପଟ୍ଟନାୟକ । ଚାକିରି ଚାହେଁନା, ଅଥଚ ଝିଅଟି ତାଙ୍କୁଇ ଦେଖା କରିବାକୁ ଆଠଦିନ ଦେଲା ଆସୁଚି । କଅଣ ତା'ର ଦରକାର ?

 

ତୁଷାର ବାବୁଙ୍କ ହାତରୁ ସ୍ଲିପଟା ନେଇ ଈଶ୍ଵରବାବୁ ପଢ଼ିଲେ 'ପ୍ରଭାତୀ ଦାସ'....

 

ଈଶ୍ଵରବାବୁଙ୍କର ଭ୍ରୂ ଦୁଇଟା କୁଞ୍ଚିତ ହୋଇ ଆସିଲା । କିଛି ସମୟପାଇଁ ସେ ଅତୀତକୁ ଫେରିଗଲେ । କାହିଁ, କିଛି ତ ମନେପଡ଼ୁନି ତାଙ୍କର । 'ପ୍ରଭାତୀ ଦାସ' ନାଁରେ କୌଣସି ଝିଅକୁ ସେ ତ ଚିହ୍ନି ନାହାନ୍ତି କି, ଜାଣି ନାହାନ୍ତି ।

 

ଝିଅଟିକୁ ଡକେଇ ପଠାନ୍ତୁ । ତୁଷାରବାବୁଙ୍କୁ ଏତିକି କହି ଈଶ୍ଵର ପଟ୍ଟନାୟକ ପୁଣି ତାଙ୍କ ଆସନକୁ ଫେରି ଆସିଲେ । ତୁଷାରବାବୁଙ୍କ ନିର୍ଦ୍ଦେଶମତେ ଆଗନ୍ତୁକା ଝିଅଟି ଘର ଭିତରକୁ ଆସିଲା । ଈଶ୍ଵରବାବୁ ତା'ର ଆପଦମସ୍ତକକୁ ଭଲକରି ନଜର ପକେଇଲେ । ଅତୀତରେ ହୁଏତ କେବେ ଚିହ୍ନା ଜଣା ଥାଇପାରେ ।

 

ନାଁ, ସମ୍ପୂର୍ଣ୍ଣ ନୂତନ ମୁହଁ । ଅଠର ବର୍ଷର ଯୁବତୀ । ପରିଧାନ ଧଳା ମିଲ ଶାଢ଼ି ଖଣ୍ଡେ । ଅତି ସାଧାରଣ ପରିବାରର ଝିଅ ବୋଲି ମନେହେଉଚି । ହେଲେ ମୁଖର ଦୀପ୍ତି ଖୁବ୍ ଉଜ୍ଜ୍ଵଳ । ଅତି କମନୀୟ ଚେହେରା । ଟଣା ଟଣା ଆଖି ଦୁଇଟାରେ ଏକ ବିସ୍ମୟକର ଯାଦୁ ଅଛି ।

 

ମଣିଷର ଆଖି ଅନେକ ସମୟରେ ମୌନ କଥା ଉଚ୍ଚାରଣ କରେ । ଆଗନ୍ତୁକାର ଆଖି ଦୁଇଟି ସେଇଭଳି ଏକ ସଙ୍କେତ ଦେଉଥିଲା ।

 

କଅଣ ଚାହଁ ? ଈଶ୍ଵରବାବୁ ରୁକ୍ଷ ସ୍ଵରରେ ପ୍ରଶ୍ନ କଲେ ।

 

ପ୍ରଭାତୀ କୌଣସି ଉତ୍ତର ନ ଦେଇ ତୁଷାରବାବୁଙ୍କ ଆଡ଼କୁ ଏକ ଲୟରେ ଚାହିଁରହିଲା-। ସେ ଚାହାଣିର ଇଙ୍ଗିତ ହେଲା, ତୁଷାରବାବୁ ସେ ଘର ଛାଡ଼ିଗଲେ ସେ ହୁଏତ ନିରୋଳାରେ ଈଶ୍ଵରବାବୁଙ୍କୁ କିଛି କହିବ । ପରିସ୍ଥିତି ଲକ୍ଷ୍ୟକରି ଈଶ୍ଵରବାବୁ କହିଲେ, ସେ ମୋର ବିଶ୍ଵସ୍ତ କର୍ମଚାରୀ । ମୋର କୌଣସି କଥା ତାଙ୍କଠାରେ ଗୁପ୍ତ ନ ଥାଏ ।

 

ହଁ, ଥାଏ....

 

ଈଶ୍ଵର ପଟ୍ଟନାୟକ ଚମକି ଉଠିଲେ । ଏ କଣ୍ଠସ୍ଵର ଅସାଧାରଣ । ସାଧାରଣ ଭାବରେ ତାକୁ ଅବହେଳା ବା ଅସ୍ୱୀକାର କରିବା ତାଙ୍କର କ୍ଷମତାର ବାହାରେ ।

 

ତୁଷାରବାବୁଙ୍କ ପ୍ରତି ଇଙ୍ଗିତପୂର୍ଣ୍ଣ ଦୃଷ୍ଟି ପକାଇଲେ ଈଶ୍ଵରବାବୁ । ସେତିକି ଯଥେଷ୍ଟ । ତୁଷାରବାବୁ ବିନା ପ୍ରତିବାଦରେ ବାହାରକୁ ଚାଲିଗଲେ । ସାମାନ୍ୟ ନୀରବତା ପରେ ପ୍ରଭାତୀ ଅତି ନରମ ଗଳାରେ ଆରମ୍ଭ କଲା, ଆପଣଙ୍କ ପାଖକୁ ଆସିଥିଲି ଉଦୟ ଭାଇଙ୍କପାଇଁ ।

 

ଉଦୟ ଭାଇ ?? ନିଜର ପୁଅକୁ ଜଣେ ସୁନ୍ଦରୀ ଷୋଡ଼ଶୀ ଭାଇ ବୋଲି ସମ୍ବୋଧନ କରି ତାଙ୍କରି ଆଗରେ ଆତ୍ମୀୟତା ପ୍ରକାଶ କରୁଚି । ଭୀଷଣ ଅସ୍ୱସ୍ତିବୋଧ କଲେ ଈଶ୍ଵର ପଟ୍ଟନାୟକ ।

 

ଜଣେ ଶିଳ୍ପପତି ତଥା ଲକ୍ଷପତିର ପୁଅ ଏପରି ଏକ ସାଧାରଣ ଝିଅ ସହିତ ସମ୍ପର୍କ ସ୍ଥାପନ କରିଛି । ସେ ସମ୍ପର୍କ ପୁଣି ସଂପୂର୍ଣ୍ଣ ଅଜ୍ଞାତରେ ପ୍ରତିକ୍ରିୟା ଆରମ୍ଭ କଲା ଈଶ୍ଵରବାବୁଙ୍କର ମନରେ । ସେ ସିଗାରେଟ ଟାଣିବାରେ ଲାଗିଲେ । ପୁଣି କିଛି ସମୟ ନୀରବରେ କଟିଗଲା ।

 

ଉଦୟ ସହିତ ତୁମର କେତେଦିନର ପରିଚୟ ? ଗମ୍ଭୀର ଓ ଅତି ତୀକ୍ଷ୍‍ଣ ଗଳାରେ ପ୍ରଶ୍ନ କଲେ ଈଶ୍ଵରବାବୁ ।

 

ଅତି ପିଲାଟି ଦିନରୁ ମୁଁ ତାଙ୍କୁ ଜାଣିଚି ।

 

ଉତ୍ତର ଶୁଣି ଈଶ୍ୱରବାବୁ ଆଉ ନିଜ ଆସନରେ ବସି ରହିପାରିଲେ ନାହିଁ । ଅତି ପିଲାଟିଦିନରୁ ଉଦୟ ସାହିତ ଏ ଝିଅଟିର ପରିଚୟ । ଅଥଚ ପିତୃ ଆସନରେ ଥାଇ ଏ ଘଟଣାର ସେ ବିନ୍ଦୁ ବିସର୍ଗ ମଧ୍ୟ ଜାଣି ନାହାନ୍ତି !!

 

ଅସ୍ଥିର ମନରେ ସେ ଘର ଭିତରେ ପଦଚାରଣା କରିବାକୁ ବାଧ୍ୟ ହେଲେ । ହଠାତ୍ ସେ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନାହାନ୍ତି ।

 

ଜଣାଶୁଣା କେଉଁଠି ଆରମ୍ଭ ହେଲା ? ଈଶ୍ୱରବାବୁ ପ୍ରଶ୍ନ କଲେ ।

 

ଘରେ ।

 

ଘରେ ? କାହା ଘରେ ?

 

ଆପଣଙ୍କ ରାଜ ଉଆସରେ ଅବଶ୍ୟ ନୁହେଁ । ପରିଚୟ ହେଇଚି ଆମରି ପତର କୁଡ଼ିଆରେ ।

 

ତୁମ ଘର ଉଦୟ ଜାଣିଲା କେମିତି ?

 

ପ୍ରଥମ ଦିନ ମୁଁ ଚିହ୍ନେଇ ଦେଲି । ତା'ପରେ ସେ ନିଜେ ନିଜେ ଚିହ୍ନିଗଲେ ।

 

ଈଶ୍ୱର ପଟ୍ଟନାୟକର ବିସ୍ମୟର ସୀମା ଭଙ୍ଗ ହେଲା । କିଏ ଏଇ ପ୍ରଗଳ୍‍ଭା ଯୁବତୀ ? ଦୀର୍ଘ ପଚାଶବର୍ଷ ଭିତରେ ତାଙ୍କ ମୁହଁ ସାମ୍ନାରେ ଏପରି ନିର୍ବିକାର ଭାବରେ କିଏ ଉତ୍ତର ଦେବାର ସେ ଦେଖି ନାହାନ୍ତି । ଝିଅଟିର ସାହସ ଅପରିସୀମ । ଅଦ୍ଭୁତ ଆକର୍ଷଣ ଅଛି ତା'ର କଥାବାର୍ତ୍ତାରେ-

 

ତୁମେ କେଉଁଠି ଥାଅ ?

 

ଠିକଣା କହିଲେ ଆପଣ ଚିହ୍ନି ପାରିବେ ନି ।

 

ପୁଣି ଧକ୍କା ଖାଇଲେ ଈଶ୍ୱର ପଟ୍ଟନାୟକ । ମନେ ମନେ ଭୀଷଣ ରାଗିଉଠିଲେ ସେ । ଝିଅଟିର ଦୁଃସାହସ ବେଳକୁ ବେଳ ବଢ଼ି ଚାଲିଛି । ଏଣିକି ତା'ର ଇତିହେବା ଦରକାର ।

 

ମୁହଁରେ ସାଗରର ଗାମ୍ଭୀର୍ଯ୍ୟ ଆଣି ଈଶ୍ୱର ପଟ୍ଟନାୟକ ବଡ଼ ତିକ୍ତ ଗଳାରେ ଏଥର ପଚାରିଲେ, ଉଦୟ ସମ୍ପର୍କରେ ତୁମର କ'ଣ କହିବାର ଅଛି ?

 

କହିବାର କିଛି ନାହିଁ । ଅନୁରୋଧ କରିବାର ଅଛି । ଆପଣ ତାଙ୍କୁ ଶାସନ କରନ୍ତୁ । ଝିଅଟି ଆଉ କିଛି କହିପାରିଲା ନାହିଁ । ମୁହଁକୁ ତଳକୁ କରି ବସି ରହିଲା ।

 

ଅନ୍ୟ ଦିନ ହୋଇଥିଲେ ଈଶ୍ୱରବାବୁ ହୁଏତ କହିଥାନ୍ତେ.....ମୋ ପୁଅକୁ ଶାସନ କରିବାକୁ ତୁମେ ପୁଣି ପରାମର୍ଶ ଦେଇ ପାରୁଚ ?

 

ଆଜି କିନ୍ତୁ ସେ କିଛି କହିପାରିଲେ ନାହିଁ । ପ୍ରଭାତୀ ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ ରହିଲେ-। କେତୋଟି ନିରବ ମୁହୂର୍ତ୍ତ ପରେ ସେ ଲକ୍ଷ୍ୟକଲେ ଝିଅଟି ଏହା ଭିତରେ କାନ୍ଦିବାକୁ ଆରମ୍ଭ କରିଚି-। ହଠାତ୍ ନରମିଗଲେ ଈଶ୍ୱର ପଟ୍ଟନାୟକ । ଶାସନ କରିବାକୁ ଅନୁରୋଧ କରି ପ୍ରଭାତୀ ଆଖିରେ ପୁଣି ଅଶ୍ରୁ ବିନ୍ଦୁ କାହିଁକି ?

 

ନାରୀର ଶେଷ ସମ୍ବଳ ଏଇ ଅଶ୍ରୁ ।

 

କାନ୍ଦନି ପ୍ରଭାତୀ । ଉଦୟ କ'ଣ କଲା କୁହ.... ? ଈଶ୍ୱରବାବୁଙ୍କର ପ୍ରଶ୍ନରେ ଆନ୍ତରିକତା ଯଥେଷ୍ଟ ଥିଲା । ଭିଜାକଣ୍ଠରେ ପ୍ରଭାତୀ ଉତ୍ତରଦେଲେ, ରାତି ଦୁଇଟା ତିନିଟା ପର୍ଯ୍ୟନ୍ତ ଯୁଆଡ଼େ ଇଚ୍ଛା ସିଆଡ଼େ ବୁଲୁଚନ୍ତି । ଯାହା ନ କରିବାର କଥା କରୁଚନ୍ତି ।

 

ହସିବାକୁ ବାଧ୍ୟ ହେଲେ ଈଶ୍ୱର ପଟ୍ଟନାୟକ । ମନ ପ୍ରାଣ ଦେଇ ଭଲପାଇଲେ ଝିଅମାନେ ପୁରୁଷମାନଙ୍କର ଗତିବିଧିକୁ ସବୁବେଳେ ଏମିତି ନିୟନ୍ତ୍ରିତ କରିବାକୁ ଚାହାନ୍ତି । ସେଇ ହସ ଭିତରେ ଈଶ୍ୱରବାବୁ କହିଲେ, ସ୍ପଷ୍ଟକରି କହୁନାହୁଁ କାହିଁକି ଉଦୟ ମଦ ଖାଏ, ମାତାଲ ହୁଏ ।

 

ଏ କଥା କହି ଆପଣ ପୁଣି ହସି ପାରୁଚନ୍ତି ?

 

ଆଶ୍ଚର୍ଯ୍ୟମିଶା କଣ୍ଠରେ ପ୍ରଭାତୀ ପ୍ରଶ୍ନ କଲା ।

 

ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି ? ଲକ୍ଷପତିର ପୁଅ ହେଲେ ଚରିତ୍ର ଦୋଷ ରହିବା ସ୍ୱାଭାବିକ ।

 

ଈଶ୍ୱରବାବୁଙ୍କର ତାତ୍ସଲ୍ୟମିଶା ଉତ୍ତର ଶୁଣି ପ୍ରଭାତୀ ରାଗରେ ତେଜି ଉଠିଲା । ତା'ର ଜବାବ ହେଲା, ନା, ବଡ଼ଲୋକୀର ନମୁନା ସ୍ୱେଚ୍ଛାଚାରିତା ନୁହେଁ । ଟଙ୍କା ଥିଲେ ଯେ ଅସଦ୍ ଉପାୟରେ ଖର୍ଚ୍ଚ କରିବାକୁ ହେବ, ୟାର କୌଣସି ଅର୍ଥ ନାହିଁ ।

 

ଅର୍ଥ ଯଥେଷ୍ଟ ଅଛି । ତୁମର ଟଙ୍କା ଥିଲେ ତୁମେ ମଧ୍ୟ ବଦଖର୍ଚ୍ଚ କରୁଥାଆନ୍ତ । ଟଙ୍କା ଥିଲେ ଟେରିଲିନ, ଟେରିକଟ ଶାଢ଼ି ପିନ୍ଧିବା ତୁମର ହୁଏତ ଅଭ୍ୟାସରେ ପଡ଼ିଯାଆନ୍ତାଣି ।

 

ଈଶ୍ୱରବାବୁଙ୍କ କଥାକୁ ମାନିଯିବା ପ୍ରଭାତୀ ପକ୍ଷରେ ସମ୍ଭବ ନୁହେଁ । ସ୍ଥିର କଣ୍ଠରେ ସେ ପୁଣି କହିଲା, ଭୁଲ୍ କଥା । କେବଳ ଟଙ୍କା ଥିଲେ ହେବ ନାହିଁ, ଭଲ ଶାଢ଼ି ବା ଗହଣା ପିନ୍ଧିବାକୁ ହେଲା ଭାଗ୍ୟଦେବୀ ପ୍ରସନ୍ନ ହେବା ଦରକାର ।

 

ଭାଗ୍ୟକୁ ମୁଁ ବିଶ୍ୱାସ କରେନା । ସ୍ତ୍ରୀଲୋକର ହାତରେ ଧନ ହେଲେ ସେ କେବଳ ଭଲ ଭଲ ଶାଢ଼ି, ଗହଣା କିଣିବାରେ ମନ ଦିଏ ।

 

ନା, ସବୁ କ୍ଷେତ୍ରରେ ନୁହେଁ । ପ୍ରଭାତୀ ତର୍କର ସୁଅକୁ ଶେଷ କରିଦେବାପାଇଁ ହୁଏତ ଆଉ କିଛି କହିଲା ନାହିଁ ।

 

କିନ୍ତୁ ଜିଦଖୋର୍ ଈଶ୍ୱରବାବୁ ପ୍ରଭାତୀକୁ ପୁଣି ଯୁକ୍ତି ଭିତରକୁ ଟାଣିଆଣିଲେ । ସେ କହିଲେ, ଧନୀର ଦୁଲାଳୀ ଭାଗ୍ୟ ବିଡ଼ମ୍ବନା ଯୋଗୁଁ କେଉଁଠି ସାଧାରଣ ଜୀବନଯାପନ କରୁଚି, ତୁମେ ତା'ର ଉଦାହରଣ ଦେଇପାରିବ ପ୍ରଭାତୀ ? ମୁଁ କହୁଛି, ତୁମେ ତା'ର ନଜିର ଦେଇ ପାରିବ ନି ।

 

ନଜିର ମୁଁ ନିଶ୍ଚୟ ଦେଇପାରିବି । କିନ୍ତୁ ସେ କଥା ଶୁଣିଲେ ଆପଣଙ୍କ ମନରେ କଷ୍ଟ ହେବ ।

 

ପୁଣି ଥରେ ହସି ଉଠିଲେ ଈଶ୍ୱର ପଟ୍ଟନାୟକ । ସେ କହିଲେ, ମନ ବୋଲି ମୋର କିଛି ନାହିଁ ପ୍ରଭାତୀ । ତୁମେ ସ୍ଵଚ୍ଛନ୍ଦରେ ନଜିର ଦେଇପାର । ସଙ୍କୋଚ କରୁଚ କାହିଁକି ? କୁହ... !

 

ପ୍ରଭାତୀ ତଥାପି କିଛି କହି ପାରିଲା ନାହିଁ । ତା'ର ନୀରବତା ଦେଖି ଈଶ୍ୱରବାବୁ ହସି ହସି କହିଲେ, କୌଣସି ଉତ୍ତର ନାହିଁତ ? ମୁଁ ଜାଣେ ଈଶ୍ୱର ପଟ୍ଟନାୟକ ନିକଟରେ ତୁମେ ନିଶ୍ଚୟ ହାର ମାନିବ ।

 

ନା, ମୁଁ ହାରିନି । ମୁଁ କେବଳ ଭାବୁଚି କଥାଟା କହିବା ଉଚିତ ହେବ କି ନାହିଁ ?

 

ମୁଁ ନିଜେ ଯେତେବେଳେ ଅଭୟ ଦେଇଚି, ତୁମର ଆଉ ଆପତ୍ତି ରହୁଚି କେଉଁଠି ? ଏ କଥାର ମୀମାଂସା ନ ହେବାଯାଏ ମୁଁ ତୁମକୁ ଛାଡ଼ୁନାହିଁ । ମୁଁ ତୁମକୁ ପୁଣିଥରେ ମନେ ପକେଇ ଦଉଚି ପ୍ରଭାତୀ, ଈଶ୍ୱର ପଟ୍ଟନାୟକ ଜୀବନରେ ପରାଜୟ ଆଜି ପର୍ଯ୍ୟନ୍ତ ଦେଖା ଦେଇନାହିଁ ।

 

ଏଥର ପ୍ରଭାତୀ ସାମାନ୍ୟ ହସି କହିଲା, ମୁଁ କିନ୍ତୁ କହିବି, ଈଶ୍ୱର ପଟ୍ଟନାୟକଙ୍କ ଜୀବନରେ ପରାଜୟର ଦିନ ନିକଟେଇ ଆସୁଚି ।

 

ପ୍ରଭାତୀର ଏ ଧରଣର ଟିପ୍‍ପଣୀ ଈଶ୍ୱର ପଟ୍ଟନାୟକଙ୍କୁ ଚାବୁକ୍ ମାରିଲା ପରି ଲାଗିଲା-। ଜୀବନ ଯୁଦ୍ଧରେ ଜଣେ ନଗଣ୍ୟା ଝିଅ ତାଙ୍କୁ ଆହ୍ୱାନ କରୁଚି । ଜୀବନ-ସଂଗ୍ରାମରେ ଯେ ଅଜେୟ-। ଆଜି ତାଙ୍କର କନ୍ୟାଠୁଁ କମ୍ ବୟସୀ ଜଣେ ଝିଅ ହସି ହସି ତାଙ୍କୁ ବିଦ୍ରୂପ କରିବାର ଚେଷ୍ଟା କରୁଚି-

 

ଆହତ କଣ୍ଠରେ ଈଶ୍ୱରବାବୁ କହିଲେ, କ'ଣ ତୁମେ କହିବାକୁ ଚାହଁ ପ୍ରଭାତୀ ? ଅତି ସତକଥା କହୁଚି । ଅଜସ୍ର ଟଙ୍କା ଆପଣଙ୍କ ପାଖରେ ଅଛି । ଏ ବିରାଟ କାରଖାନାର ଆପଣ ହେଲେ ମାଲିକ । ଆପଣଙ୍କ ଐଶ୍ୱର୍ଯ୍ୟର ତୁଳନା ନାହିଁ.... ।

 

ପ୍ରଭାତୀର କଥାରେ ବାଧାଦେଲେ ଈଶ୍ୱରବାବୁ । ସେ କହିଲେ, ମୋର ଧନ ଦୌଲତକୁ ସମସ୍ତେ ହିଂସା କରନ୍ତି । ତୁମେ କ'ଣ ସେଇ ବାଟ ଧରୁଚ ପ୍ରଭାତୀ ?

 

ଠିକ୍ ତା' ନୁହେଁ । ଏତେ ଧନ ଦଉଲତ ଥାଇ ମଧ୍ୟ ନୟନା ଅପା କାହିଁକି ଶାଢ଼ି ପିନ୍ଧିବାର ଅଧିକାର ପାଇ ନାହାନ୍ତି ? ଧଳା ଛେଦା ପିନ୍ଧିବା କ'ଣ ତାଙ୍କ ଖଣ୍ଡିତ ଭାଗ୍ୟର ନମୁନା ନୁହେଁ ?

 

ଏ କ'ଣ କହିଲା ପ୍ରଭାତୀ ? ଈଶ୍ୱର ପଟ୍ଟନାୟକଙ୍କର ତେଜୋଦୀପ୍ତ ମୁଖଟି ହଠାତ୍ ବିବର୍ଣ୍ଣ ପାଣ୍ଡୁର ହୋଇଗଲା ।

 

ଆଜିପାଇଁ ମତେ ବିଦାୟ ଦିଅନ୍ତୁ । ଈଶ୍ୱରବାବୁଙ୍କୁ ଚିନ୍ତାସାଗରରେ ବୁଡ଼େଇଦେଇ ପ୍ରଭାତୀ କୌଣସି ଉତ୍ତରକୁ ଅପେକ୍ଷା ନ କରି କ୍ଷିପ୍ର ଗତିରେ ବାହାରକୁ ଚାଲିଗଲା ।

 

ଘର ଭିତରେ ସମ୍ପୂର୍ଣ୍ଣ ନୀରବତା । ଈଶ୍ୱର ପଟ୍ଟନାୟକ ଏକ ଲୟରେ ପ୍ରଭାତୀର ଯିବା ବାଟକୁ ଚାହିଁଚନ୍ତି । ମୁଣ୍ଡ ଭିତରେ ତାଙ୍କର ଅସଂଖ୍ୟ ଚିନ୍ତାର ଲହଡ଼ି ଖେଳି ବୁଲୁଚି । ନିଜର ଅଜ୍ଞାତରେ ହାତଟା ତାଙ୍କର ଶକ୍ତ ହୋଇ ଉଠିଲା । କଲିଂବେଲ୍‍ର ଧଳା ବୋତାମକୁ ସେ ବୁଢ଼ା ଆଙ୍ଗୁଠିରେ ଜୋରରେ ଚିପି ଧରିଲେ । ବାହାରେ ଘନ ଘନ ଘଣ୍ଟି ବାଜିବାର ଶବ୍ଦ ହେଲା ।

 

ତୁଷାରବାବୁ ବାହାର ବାରଣ୍ଡାର ଅପେକ୍ଷା କରି ରହିଥିଲେ । କଲିଂବେଲ୍‍ର ଶବ୍ଦ ଶୁଣି ସେ ତରବର ହୋଇ ଘର ଭିତରକୁ ପଶି ଆସିଲେ । ଈଶ୍ୱର ପଟ୍ଟନାୟକ ରାଗରେ ନିଆଁବାଣ । ଆଗ୍ନେୟଗିରିର ହଠାତ୍ ଏ ଅଗ୍ନି ଉତ୍ପାତ ହେଲା କାହିଁକି ? ତୁଷାରବାବୁ ବଡ଼ ଚିନ୍ତାରେ ପଡ଼ିଲେ । କିନ୍ତୁ ସେ ଚିନ୍ତା ବେଶୀ ସମୟପାଇଁ ନୁହେଁ ।

 

ଈଶ୍ୱରବାବୁ ଗର୍ଜିଉଠି ପ୍ରଶ୍ନ କଲେ, କିଏ ସେ ଝିଅଟିକୁ ଏ ଘରକୁ ଆସିବାକୁ ଅନୁମତି ଦେଇଥିଲା ? ମୁଁ ଜାଣିବାକୁ ଚାହେଁ, ମୋ ପାଖକୁ ସେ କେମିତି ଆସିଲା ?

 

ତୁଷାରବାବୁ ଅବାକ୍ । ଏଇ ଟିକକ ତଳର କଥା, ସାହେବ୍ କିପରି ଭୁଲିଯାଉଚନ୍ତି । ଛେପ ଢୋକି ସେ କୈଫିୟତ୍ ଦେବାକୁ ଚେଷ୍ଟା କଲେ, ମୁଁ ମନା କରୁଥିଲି ସାର୍ ! ଆପଣ ନିଜେ ଅନୁମତି ଦେଲେ... ।

 

ସଟ୍ ଆପ୍.... ଆହୁରି ଜୋରରେ ଚିତ୍କାର କରିଉଠିଲେ ଈଶ୍ୱରବାବୁ ।

 

ତୁଷାରବାବୁଙ୍କର ଛାତି ଭିତରଟା ହଠାତ୍ କମ୍ପି ଉଠିଲା । ସାହେବଙ୍କୁ ଏପରି ରାଗିବାର ସେ କେବେ ଦେଖିନାହାନ୍ତି । ହଠାତ୍ ଏ ଉଗ୍ରମୂର୍ତ୍ତି ସେ ଧାରଣ କଲେ କାହିଁକି ? ଆଗନ୍ତୁକା ଝିଅଟି ନିଶ୍ଚୟ କିଛି ଅବାଞ୍ଛନୀୟ କଥା କହିଚି । ଆଜି କି ଆଠଦିନ ହେଲା ସେ ମାଲିକଙ୍କର ସାକ୍ଷାତ ପାଉ ନ ଥିଲା । ଆଜି ସେ ସୁଯୋଗର ଅପବ୍ୟବହାର ନିଶ୍ଚୟ ସେ କରିଚି ।

 

ତୁଷାରବାବୁ କଥାର ପ୍ରସଙ୍ଗକୁ ବଦଳେଇବାକୁ ଚେଷ୍ଟା କଲେ । ବ୍ୟବସାୟଗତ କଥା କହି ଏହା ଆଗରୁ ସେ ସାହେବଙ୍କର ମନ ମିଞ୍ଜାସ ପରିବର୍ତ୍ତନ କରିପାରିଚନ୍ତି । ତେଣୁ ସେ ରହି ରହି କହିଲେ, ଏ ମାସରେ କୋଡ଼ିଏ ହଜାର ଟଙ୍କାର ଔଷଧ ବିକ୍ରି ହେଇଚି ସାର୍ ।

 

ଥ୍ରୋ ଇଟ୍‍ ଆଓୟେ । ସାହେବଙ୍କର ପୁଣି ଥରେ ଅଗ୍ନି ଉଦ୍‍ଗାର । ସେ ଟଙ୍କାକୁ ରାସ୍ତାର ଧୂଳି ମାଟିରେ ମିଶେଇ ଦିଅ କହୁଚି.... ।

 

ଗୋଟାଏ ମୁହୂର୍ତ୍ତ ଆଉ ଅପେକ୍ଷା କଲେ ନାହିଁ ଈଶ୍ୱର ପଟ୍ଟନାୟକ । ସେ ସିଧା ଚାଲିଲେ ନିଜର କାର୍ ଭିତରକୁ ।

 

ଦ୍ରୁତ ଗତିରେ କାର୍‍ଟି ଆଗେଇ ଚାଲିଚି । ଈଶ୍ୱର ପଟ୍ଟନାୟକ ପଛ ସିଟରେ ଅର୍ଦ୍ଧସୁପ୍ତ ଅବସ୍ଥାରେ ଆଖିବୁଜି ପଡ଼ି ରହିଚନ୍ତି । ଗତ ପଚାଶବର୍ଷ ଭିତରେ ଏପରି ଆଘାତ ସେ କାହାଠାରୁ ପାଇନାହାନ୍ତି । ଆଜି ସାମାନ୍ୟ ଗୋଟିଏ ଝିଅର କଥାରେ ତାଙ୍କୁ ମୂକ ହେବାକୁ ହେଲା । ପରାଜୟର ଗ୍ଳାନିରେ କାର୍ ଭିତରେ ବିବ୍ରତ ଈଶ୍ୱର ପଟ୍ଟନାୟକ ।

 

ଅଜନ୍ତା ହୋଟେଲ୍ । ସହରର ସମ୍ଭ୍ରାନ୍ତ, ମାନ୍ୟଗଣ୍ୟ ବହୁ ପଦସ୍ଥ ଲୋକ ଏଠାରେ ସମବେତ ହୁଅନ୍ତି । ରୁଚି ଅନୁଯାୟୀ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ଓ ପରିବେଷଣ ହୁଏ । ଈଶ୍ୱରବାବୁଙ୍କର ଦାମିକା କାର୍‍ଟି ଅଜନ୍ତା ହୋଟେଲ୍ ସାମନାରେ ଅଟକିଗଲା । ଡ୍ରାଇଭର ବୋଧହୁଏ ଆଗରୁ ନିର୍ଦ୍ଦେଶ ପାଇଥିଲା । ବଡ଼ ସାହେବଙ୍କର ବଡ଼ ହୋଟେଲରେ କାରବାର ହୁଏ । ଆଜି ନୁହେଁ, ମାଲିକଙ୍କର ଏହା ଦୀର୍ଘ ଦିନର ଅଭ୍ୟାସ ।

 

ଗାଡ଼ି ରହିବା ସଙ୍ଗେ ସଙ୍ଗେ ଈଶ୍ୱରବାବୁ ଚାରି ନମ୍ବର କ୍ୟାବିନ ଭିତରକୁ ଚାଲିଲେ । ହୋଟେଲର ଏଇ ଛୋଟିଆ ରୁମଟି ତାଙ୍କପାଇଁ ପ୍ରାୟ ମହଜୁଦ୍ ଥାଏ । ହୋଟେଲର ମ୍ୟାନେଜର ଅତି ଜଣାଶୁଣା । ପ୍ରତିଦିନ ସନ୍ଧ୍ୟାରେ ସାକ୍ଷାତ ହେଉଚି । ତେଣୁ ଈଶ୍ୱରବାବୁ କ୍ୟାବିନ ଭିତରକୁ ଯାଇ ଚେୟାରରେ ବସିବା ସଙ୍ଗେ ସଙ୍ଗେ ମ୍ୟାନେଜରବାବୁ ଆସି ଅଭିବାଦନ ଜଣାଇଲେ । ଅତି ବିନୟ ସହକାରେ ପଚାରିଲେ, କିଛି ସ୍ପେଶାଲ ସାର୍ ?

 

ଗୋଟିଏ ପେଗ୍ ହୁଇସ୍କି । କ୍ଳାନ୍ତ କଣ୍ଠରେ ଆଦେଶ ଦେଲେ ଈଶ୍ୱର ପଟ୍ଟନାୟକ ।

 

ଛୋଟ ନୋଟ ବହିରେ ଅର୍ଡ଼ର ଲେଖୁ ଲେଖୁ ମ୍ୟାନେଜରବାବୁ ହୋଟେଲ ବଏକୁ ଆଦେଶଟା ଜଣେଇଦେଲେ । ବଏ ଧାଇଁଲା ପାନୀୟ ଆଣିବାକୁ ।

 

ସାର୍ ଖାଦ୍ୟ କିଛି ? ପେନ୍‍ସିଲଟା ନୋଟ ବହି ଉପରେ ପୁଣି ଚାଲିବାକୁ ସଜାଗ ହୋଇ ରହିଲା । ଈଶ୍ୱର ପଟ୍ଟନାୟକ ଖାଇବାପାଇଁ କିଛି ବରାଦ କଲେ ।

 

ଯଥା ସମୟରେ ପେଗ୍ ଆସିଲା । ହୋଟେଲ ବଏ ହୁଇସ୍କି ବୋତଲରୁ ମାପ ଅନୁଯାୟୀ ପାନୀୟ ଗ୍ଲାସରେ ଢାଳିଦେଲା । ତା'ପରେ ସୋଡ଼ା ବୋତଲ ଠିପି ଖୋଲିଦେଇ ବାବୁଙ୍କ ସାମ୍ନାରେ ରଖିଦେଲା ।

 

ଈଶ୍ୱରବାବୁ ବଏକୁ ଛୁଟିଦେଇ ବାକି କାମତକ ନିଜେ ହାତରେ କରିନେଲେ ।

 

ପିଇବାକୁ ଆରମ୍ଭ କଲେ ସେ । ଆଜି କାହିଁକି ସୁରାର ଆସ୍ଵାଦ ସେ ଠିକ୍ ପାଉ ନାହାନ୍ତି-। ପ୍ରତିଦିନ ପାନୀୟରେ ସେ ଅଭ୍ୟସ୍ତ । କିନ୍ତୁ ଆଜି କାହିଁକି ବ୍ୟତିକ୍ରମ ଜଣା ପଡ଼ୁଚି । ବୋତଲ ତ ଠିକ୍ ଅଛି । ସମ୍ପୂର୍ଣ୍ଣ ନୂତନ । ତେବେ ଏ ଅରୁଚିକର କାହିଁକି ?

 

ବୟସ କ'ଣ ବଢ଼ିଯାଉଛି ? ? ମନ କ'ଣ ଆଉ ରସପାନ କରିବାକୁ ଆଗ୍ରହୀ ନୁହେଁ ? ସହସ୍ର ଚେଷ୍ଟାକରି ମଧ୍ୟ ଈଶ୍ୱରବାବୁ ପିଇ ପାରିଲେ ନାହିଁ । ଆଖି ଆଗରେ ତାଙ୍କର ଭାସି ଉଠିଲା ନିରାଭରଣା ଶୁଭ୍ରବସନା ନୟନାର ପ୍ରତିଛବି । ଶୁଖିଲା ମୁହଁ ସାଙ୍ଗକୁ ଆଖି କୋଣରେ ବିନ୍ଦୁ ବିନ୍ଦୁ ଲୁହର ସମ୍ଭାର । କ'ଣ ସେ ଦେଇ ପାରିଛନ୍ତି ତାକୁ ? ଐଶ୍ୱର୍ଯ୍ୟ ଭିତରେ ଥାଇ ସେ ସମ୍ପୂର୍ଣ୍ଣ ସାନ୍ୟାସିନୀ । ସକାଳ ଓ ସନ୍ଧ୍ୟାରେ ପୂଜା ଅର୍ଚ୍ଚନାରେ ତା'ର ଚାରିଘଣ୍ଟା ସମୟ ଯାଏ । ବିଗତ ବାରବର୍ଷ ହେଲା ତା'ର ଏଇ କଠୋର ତପସ୍ୟା । କଅଣ ପାଇଁ ତା'ର ଏ ସାଧନା ? ଈଶ୍ୱର ପ୍ରାପ୍ତି-!!

 

ଚଞ୍ଚଳ ହୋଇ ଉଠିଲେ ଈଶ୍ୱର ପଟ୍ଟନାୟକ । ଈଶ୍ୱର ବିଶ୍ୱାସ ତାଙ୍କର ନାହିଁ । ସେ ସବୁ ମାନସିକ ଦୁର୍ବଳତା । ସେ କର୍ମୀ । ତାଙ୍କର ଆତ୍ମବିଶ୍ୱାସ ଅଛି, କର୍ମଦକ୍ଷତା ଅଛି ।

 

ଗୋଟାଏ ଦମରେ ଗିଲାସରୁ ପାନୀୟତକ ଶେଷ କରିଦେଲେ ସେ । ଦୁଆର ପାଖରେ ବଏ ଅପେକ୍ଷା କରି ରହିଥିଲା । ଗ୍ଲାସ୍ ଶୂନ୍ୟ ହେବାର ଦେଖି କ୍ୟାବିନ୍ ଭିତରେ ତା'ର ପୁଣି ଆବିର୍ଭାବ ହେଲା ।

 

ଆଉ ଗୋଟାଏ ପେଗ୍ ଆଣ । ବାବୁଙ୍କର ଫରମାସ୍ ଶୁଣିବା ସଙ୍ଗେ ସଙ୍ଗେ ବଏ ଧାଇଁଲା ପାନୀୟପାଇଁ ।

 

ଦ୍ୱିତୀୟ ପେଗ୍ ଆସିଲା । ସରିଗଲା ମଧ୍ୟ । ତା'ପରେ ତୃତୀୟ, ଚତୁର୍ଥ ଆସି ବି ଗ୍ଲାସ ଖାଲି । ଈଶ୍ୱର ପଟ୍ଟନାୟକଙ୍କର ଆଜି ସର୍ବଗ୍ରାସୀ ତୃଷା । ପରାଜୟର ଏକ ଅଜଣା ଆଶଙ୍କା ତାଙ୍କୁ ଉତ୍‍କ୍ଷିପ୍ତ କରିଚି । ଅଠରବର୍ଷର ଝିଅ ତାଙ୍କୁ ହରେଇ ଦେବାର ଧମକ୍ ଦେଇଗଲା । ସେ ଆହୁରି ଶକ୍ତହେବା ଦରକାର ।

 

ପୁଷ୍ପା ପାରିନି । ହରିଦାଦା ପାରିନାହାନ୍ତି । ନିଜର ଅଙ୍କଲକ୍ଷ୍ମୀ ଦମୟନ୍ତୀ ମଧ୍ୟ ପାରିନାହିଁ-। ଜୀବନ-ଯୁଦ୍ଧରେ ସମସ୍ତେ ଗୋଟି ଗୋଟି ହୋଇ ହାରି ଯାଇଚନ୍ତି । ସମସ୍ତେ ତାଙ୍କୁ ବାଟ ଛାଡ଼ି ଦେଇଚନ୍ତି । ସମ୍ପଦର ଶୀର୍ଷ ମହଲକୁ ଉଠିବା ଅଭିଯାନରେ ସମସ୍ତେ ଝୁଣ୍ଟିଚନ୍ତି । କିନ୍ତୁ ଈଶ୍ୱର ପଟ୍ଟନାୟକ ବିନା ବାଧାରେ ମହଲ ଉପରକୁ ଆସି ପାରିଛନ୍ତି । କାହାର ସାହାଯ୍ୟ ଦରକାର କରିନାହାନ୍ତି ।

 

ସହରରୁ ଘର ବିକ୍ରିକରି ହରିଦାଦାଙ୍କ କଥାରେ ଈଶ୍ୱର ପଟ୍ଟନାୟକ ବାଲିକୁଦାକୁ ଚାଲିଗଲେ । ଟଙ୍କା ଆଠଶହ ଘର ବିକ୍ରି ବାବଦରୁ ମିଳିଥିଲା । ହରିଦାଦା ସେ ଟଙ୍କାରୁ ମାତ୍ର ଚାରିଶହ ଟଙ୍କା ଈଶ୍ୱର ପଟ୍ଟନାୟକଙ୍କୁ ଦେଇ କହିଥିଲେ, ଚାରିଶହ ଟଙ୍କା ଦେଲି । ଏ ଟଙ୍କାରେ ତୋର ଯାହାଇଚ୍ଛା ତୁ କର ।

 

ବାକି ଚାରିଶହ ଟଙ୍କା ଆପଣଙ୍କ ପାଖରେ ରହିଲା ।

 

ନା, ସେ ଟଙ୍କା ତୁ ପାଇବୁ ନାହିଁ । ହରିଦାଦାଙ୍କର ସ୍ପଷ୍ଟ ଓ ଗମ୍ଭୀର ଉତ୍ତର । ଘରର ବୋହୂ ଆସନ୍ନପ୍ରସବା । ଯେ କୌଣସି ମୁହୂର୍ତ୍ତରେ ଟଙ୍କା ଦରକାର ହୋଇପାରେ ।

 

ଈଶ୍ୱର ପଟ୍ଟନାୟକ ଆଉ କୌଣସି କଥା ନା କହି ଟଙ୍କାଗୁଡ଼ାକ ପକେଟରେ ରଖିଦେଲେ । ସାରାଦିନ ସେ କ'ଣ କରିବେ, ଏଇ ଚିନ୍ତାରେ ବୁଡ଼ି ରହିଲେ । ବ୍ୟବସାୟ ? ଯେବେ ଥରେ ବ୍ୟବସାୟରେ କ୍ଷତି ହୋଇଯାଏ, ତେବେ ସେ ସମ୍ପୂର୍ଣ୍ଣ ନିଃସ୍ୱ ହୋଇ ପଡ଼ିବେ । ଆଉ କିଛି ସମ୍ବଳ ନାହିଁ ।

 

ସନ୍ଧ୍ୟାହେବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କର ମନ ଧାଇଁଲା ପୁଷ୍ପାର ଘରଆଡ଼େ । ସେ କୁତ୍ସିତା ବାରବନିତାର ଗୋଟାଏ ଅଦୃଶ୍ୟ ଆକର୍ଷଣ ଅଛି । ଅନ୍ୟ ସମୟରେ ତା' କଥା ଚିନ୍ତାକଲେ ଦେହ ଶିତେଇ ଉଠେ । କିନ୍ତୁ ରାତ୍ରିର ଅନ୍ଧକାରରେ ସେଇ କୁତ୍ସିତାହିଁ ପରମା ସୁନ୍ଦରୀ ବୋଲି ଜଣାପଡ଼େ ।

 

ବାଲିକୁଦା ସହରତଳି ଗାଁ । ପୁଷ୍ପା ଘର ସେଠାରୁ ଗୁଡ଼ାଏ ବାଟ । ତଥାପି ଈଶ୍ୱର ପଟ୍ଟନାୟକଙ୍କର ମନରେ କୌଣସି ଗ୍ଳାନି ନାହିଁ । ବାଲିକୁଦା ଗାଁରୁ ସେ ଚାଲି ଚାଲି ଆସିଲେ ପୁଷ୍ପାର ଘରକୁ ।

 

ଗଳିମୁଣ୍ଡରେ ତେଲଭଜା ବରା, ପକୋଡ଼ିର ଦୋକାନ । ଚାଲି ଚାଲି କ୍ଳାନ୍ତହୋଇ ପଡ଼ିଥିବାରୁ କିଛି ଖାଇବାକୁ ମନ ବଳିଲା ଈଶ୍ୱର ପଟ୍ଟନାୟକଙ୍କର । ପୂର୍ବରୁ ସେ କୌଣସି ଦିନ ସେ ଦୋକାନକୁ ଯାଇ ନଥିଲେ । ଆଜି ସେ ସେଠାକୁ ଯାଉ ଯାଉ ଦୋକାନୀ ହସି ହସି କହିଲା, ଆସନ୍ତୁ ବାବୁ ! କୋବି ପକୋଡ଼ି କରିଛି । ଆପଣଙ୍କର ତାଙ୍କୁ ଫୁଲକୋବି ପକୋଡ଼ି ଖୁବ୍ ଭଲଲାଗେ । କିଛି ନେଇ ଯାଆନ୍ତୁ ।

 

ପୁଷ୍ପା ସହିତ ସମ୍ପର୍କ ତେବେ ଏ ସାହିରେ ସମସ୍ତେ ଜାଣି ସାରିଲେଣି । ଈଶ୍ୱରଙ୍କର ପୂର୍ବ ସଙ୍କୋଚ ଆଉ ନାହିଁ । ଠୁଙ୍ଗାରେ ପକୋଡ଼ି ଧରି ସେ କ୍ଳାନ୍ତ ପଦକ୍ଷେପରେ ପୁଷ୍ପା ଘର ନିକଟରେ ହାଜର ହେଲେ । ଦୁଆର ମୁହଁରେ ପୁଷ୍ପା ମଧ୍ୟ ଅପେକ୍ଷା କରି ବସିଥାଏ । ଈଶ୍ୱରଙ୍କୁ ଦେଖୁ ଦେଖୁ ସେ ହସି ହସି ପଚାରିଲା, ଏତେଦିନ ପରେ ଫୁଲ କଥା ମନେପଡ଼ିଲା ?

 

କ'ଣ ଆଉ କରିବି ? ମନ ଆଉ ଗୋଡ଼କୁ ଠିକ୍ କଲେ ତ ଏତେ ବାଟ ଆସିବି । ଚାଲ, ଭିତରକୁ ଚାଲ; ଅନେକ କଥା ଅଛି ।

 

ପୁଷ୍ପା ଓ ଈଶ୍ୱର ଭିତରକୁ ଗଲେ । ଘରକୁ ଯାଉ ଯାଉ ଈଶ୍ୱରଙ୍କର ଆଉ ତର ସହିଲା ନାହିଁ । ଖଟ ଉପରେ ବାଦ୍‍ଶାହୀ ଠାଣିରେ ଶୋଇପଡ଼ି ଆଦେଶ ଦେଲେ ପୁଷ୍ପାକୁ, ବୋତଲ ନିକାଲୋ....

 

ପୁଷ୍ପା ସାମାନ୍ୟ ଆଶ୍ଚର୍ଯ୍ୟ ହେଲା । ଈଶ୍ଵରଙ୍କର ହଠାତ୍ ଏ ପରିବର୍ତ୍ତନ କାହିଁକି ? ଶାସନ କଲାଭଳି ପୁଷ୍ପା କହିଲା, ଅପେକ୍ଷା କର । ମୁଁ ଆଗ ଦୁଆର ବନ୍ଦ କରିଦିଅଏ !

 

ଯାହା କରିବାର ଶୀଘ୍ର କର । ଅପେକ୍ଷା କରିବାକୁ ମୋର ସମୟ ନାହିଁ ।

 

ପୁଷ୍ପା ଦୁଆର ବନ୍ଦ କରିଦେଲା । ଏଇ ଅବସରରେ ଈଶ୍ୱର ମଧ୍ୟ ନିଜ ଦେହରୁ ସାର୍ଟ ଖୋଲିଦେଲେ । କାନ୍ଥକୁରାରୁ କଳାରଙ୍ଗର ବୋତଲ ଓ ଗ୍ଲାସ ପୁଷ୍ପା ଆଣିଲା । ଈଶ୍ଵରଙ୍କର ଆଗମନକୁ ଏମାନେ ଯେପରି ଅପେକ୍ଷା କରି ରହିଥିଲେ । ବୋତଲରୁ ଗିଲାସରେ ମଦ ଢାଳି ଈଶ୍ୱରଙ୍କର ହାତକୁ ହସି ହସି ବଢ଼େଇ ଦେଉ ଦେଉ ପୁଷ୍ପା କହିଲା, ମତେ କ'ଣ ସତରେ ମନରୁ ପାଶୋରି ଦେଉଚନ୍ତି ?

 

ନା-ନା, ତୁମକୁ କାହିଁକି ଭୁଲିଯିବି ପୁଷ୍ପା ?

 

ଏଇଦେଖ, କେତେଟଙ୍କା ମୁଁ ଆଜି ଆଣିଚି ।

 

ଟଙ୍କାର ବଣ୍ଡିଲଟା ପକେଟରୁ କାଢ଼ି ଈଶ୍ୱର ପଟ୍ଟନାୟକ ପୁଷ୍ପାକୁ ଦେଖେଇଲେ ।

 

ଗୁଡ଼ାଏ ଟଙ୍କା ଦେଖି ପୁଷ୍ପା ମନେ ମନେ ଭୟ କରିଗଲା । କେତେ ପ୍ରକାର ସନ୍ଦେହ ଜାତହେଲା ତା' ମନରେ । ଆତଙ୍କରେ ସେ ପ୍ରଶ୍ନକଲା, ଏତେ ଟଙ୍କା ଆପଣ କେଉଁଠୁ ପାଇଲେ ? କାହାକୁ ଖୁନ୍ କରି ନାହାନ୍ତି ତ ?

 

ନା, ଖୁନ୍ କାହାକୁ କରିନି । ତେବେ ବର୍ତ୍ତମାନ ହୁଏତ କରିବି ।

 

ପୁଷ୍ପା ଆହୁରି ଭୟ କରିଗଲା । ବେଶ୍ୟାଘରକୁ ଯେଉଁମାନେ ଆସନ୍ତି, ଖୁନ୍ କରିବା ସେମାନଙ୍କ ପକ୍ଷର ଆଦୌ ଅସମ୍ଭବ ନୁହେଁ । ପୂର୍ବପରି ଆତଙ୍କରେ ସେ ପଚାରିଲା, ବର୍ତ୍ତମାନ ଖୁନ୍ କରିବେ ? କାହାକୁ ?

 

କାହିଁକି ତୁମକୁ ।

 

ଈଶ୍ୱର ପଟ୍ଟନାୟକଙ୍କର ମଦନିଶା ମୁଣ୍ଡଉପରକୁ ଉଠିଯାଇଚି ।

 

ମତେ ଖୁନ୍ କରିବେ ? ମୁଁ କି ଦୋଷ କଲି ।

 

ନିଶା ଭୋଳରେ ଏ ପ୍ରଶ୍ନରେ ହୋ-ହୋ' କରି ହସି ଉଠିଲେ । ସେ ଏଣିକି ନିଜକୁ ଆୟତ୍ତରେ ରଖିପାରୁ ନାହାନ୍ତି । ହାତରେ ଧରିଥିବା ଗ୍ଲାସରୁ ମଦର କିଛିଅଂଶ ଢାଳିଗଲା ବିଛଣାରେ । ସଙ୍ଗେ ସଙ୍ଗେ ବିଛଣାରେ ଦାଗ ବସିଗଲା ।

 

ବ୍ୟସ୍ତ ହୋଇ ଉଠିଲା ପୁଷ୍ପା । ସେ ସବୁବେଳେ ଅତି ଯତ୍ନରେ ନିଜର ବିଛଣାକୁ ପରିଷ୍କାର ରଖିଥାଏ । କହିଲା, ଆଃ.....ଚାଦରଟାକୁ ଏକଦମ୍ ନଷ୍ଟ କରିଦେଲେ ?

 

ଈଶ୍ୱର ପଟ୍ଟନାୟକଙ୍କର ଆଜି ଆହୁରି ପାନୀୟ ଦରକାର । ଗ୍ଲାସପରେ ଗ୍ଲାସ ସେ ପିଇ ଚାଲିଚନ୍ତି । ପୁଷ୍ପାର ବ୍ୟସ୍ତତା ବୋଧହୁଏ ତାଙ୍କ ନଜରକୁ ଆସିପାରୁନାହିଁ । ଆଖି ଦୁଇଟି ତାଙ୍କର ଅଳତାପରି ଲାଲ୍‍ପଡ଼ି ଆସିଲାଣି । ଆହୁରି ଗିଲାସେ ମଦ ଦେବାକୁ ସେ ପୁଷ୍ପାକୁ ଇଙ୍ଗିତ ଦେଲେ । ବିନା ଆପତ୍ତିରେ ପୁଷ୍ପା ମଧ୍ୟ ଈଶ୍ୱରଙ୍କର ଫରମାସ ପୂରଣ କରୁଥାଏ ।

 

ତୁମେ ଏଇତକ ପିଇଦିଅ ପୁଷ୍ପା । ଆଜି ପରା ଦିନରେ ତୁମେ କାହିଁକି ବାଦ୍ ପଡ଼ିଯିବ ?

 

ପୁଷ୍ପାକୁ ନିଜ କୋଳକୁ ଟାଣିଆଣି ଈଶ୍ୱର ଗ୍ଲାସଟିକୁ ତା' ମୁହଁ ପାଖରେ ଲଗେଇ ଦେଲେ ।

 

ନା-ନା ସେ, ଜିନିଷ ମୁଁ ପିଏନାହିଁ । ଆପଣ ଶେଷକରି ଦିଅନ୍ତୁ । ଈଶ୍ୱରଙ୍କର ଆଲିଙ୍ଗନ ଭିତରେ ଥାଇ ପୁଷ୍ପା ଉତ୍ତର ଦେଲା ।

କାହିଁକି ପିଇବନି ? ହଠାତ୍ ଈଶ୍ୱରଙ୍କର କଣ୍ଠସ୍ୱର କର୍କଶ ହୋଇ ଉଠିଲା । ଜୋରରେ ସେ ପୁଷ୍ପାକୁ ଦୂରକୁ ଠେଲିଦେଲେ । ପୁଷ୍ପା ମନରେ ତଥାପି ଶୋଚନା ନାହିଁ । ନିଜର ଦୁଇ ହାତ ପାପୁଲିରେ ମୁହଁ ବନ୍ଦକରି ସେ କାତର କଣ୍ଠରେ କହିଲା, ମନଇଛା ତୁମେ ମତେ ଆଘାତ ଦେଇପାର; କିନ୍ତୁ ମୁଁ ନାଚାର । ମଦ ମୁଁ ମରିବା ପର୍ଯ୍ୟନ୍ତ ଛୁଇଁବି ନି ।

କାହିଁକି ଛୁଇଁବ ନି ? ଈଶ୍ଵରଙ୍କର ଜିଦ୍‍ଟା ବେଳକୁ ବେଳ ବଢ଼ିବାରେ ଲାଗିଲା । କାରଣଟା ମୁଁ ଜାଣିବାକୁ ଚାହେଁ ।

କହିଲେ ତୁମେ ମନ ଦୁଃଖ କରିବ ।

ତଥାପି ତୁମକୁ କହିବାକୁ ହେବ ।

ସାମାନ୍ୟ ନିରବ ରହି ପୁଷ୍ପା କହିଲା, ମଦ ଖାଇ ମାତାଲ ହେଲେ ମୋର ଅନ୍ୟ ଅତିଥିମାନେ ରାଗରେ ଆଉ ଏ ଘରକୁ ଆସିବେ ନାହିଁ ।

ଈଶ୍ୱର ପଟ୍ଟନାୟକଙ୍କର ମୁଣ୍ଡକୁ ନିଆଁ ଉଠିଗଲା । 'ବେଶ୍ୟା ! ନିମକ୍ ହାରାମ୍' କହି ସେ ମଦମିଶା ଗ୍ଲାସଟାକୁ ପୁଷ୍ପାର ମୁହଁ ଉପରକୁ ଜୋରରେ ଫିଙ୍ଗି ଦେଲେ ।

ମୋ ପରେ ଅନ୍ୟ ଅତିଥିମାନେ ତେବେ ଏ ଘରକୁ ଆସନ୍ତି ?

 

କପାଳରୁ ଝର ଝର କରି ରକ୍ତ ବହିବାରେ ଲାଗିଲା ପୁଷ୍ପାର । ମୁହଁରୁ ତା'ର କିନ୍ତୁ ହସ ଲିଭି ନାହିଁ । ସେଇ ରକ୍ତାକ୍ତ ଅବସ୍ଥାରେ ସେ କହିଲା, ଆଜି ମତେ ଆଘାତ ଦେଇଚ । ତେଣୁ ବେଶି ପଇସା ଦେବାକୁ ହେବ ।

 

ଈଶ୍ୱର ଆଶ୍ଚର୍ଯ୍ୟରେ ପୁଷ୍ପାଆଡ଼କୁ ଚାହିଁ ରହିଲେ । ମୁହଁସାରା ରକ୍ତରେ ଲାଲ ପଡ଼ିଗଲାଣି । ପିନ୍ଧିଥିବା ଶାଢ଼ିଟାରେ ମଧ୍ୟ ରକ୍ତର ଛିଟା । ପୁଷ୍ପାର ପାଖକୁ ଲାଗିଆସି ସେ ଅତି ନରମ ଗଳାରେ କହିଲେ, ଗ୍ଲାସଟା ବାଜି ତୁମ କପାଳଟା ଫାଟିଯିବ ବୋଲି ମୁଁ ଭାବି ନଥିଲି ପୁଷ୍ପା ।

 

ଆଖିରେ ସେଇ ଚଟୁଳ ଚାହାଣି । ମୁହଁରେ ସେଇ ସବୁଜ ହସ ରଖି ପୁଷ୍ପା କାନ୍ଥ ଦେହରେ ଟଙ୍ଗା ହୋଇଥିବା ଦର୍ପଣଟା ଆଣି ନିଜର ମୁହଁଟାକୁ ଭଲକରି ଦେଖିନେଲା । ପ୍ରକୃତରେ ଖୁବ୍ ଜୋର୍ ରେ କଟିଯାଇଚି କପାଳଟା । ଦର୍ପଣ ରଖିଦେଇ କଟିଯାଇଥିବା ଜାଗାଟାକୁ ହାତରେ ଚିପିଧରି ହସି ହସି ପୁଷ୍ପା କହିଲା, ମୁହଁରେ ଦାଗ ରଖିଦେଲେ ତ ? ଯାହା ବି ଦି'ପଇସା ମିଳୁଥିଲା, ସେତକ ଏଣିକି ମିଳିବ କି ନାହିଁ ସନ୍ଦେହ ।

 

କାହିଁକି ମତେ ରଗେଇଦେଲ ? ଅନ୍ୟ ଅତିଥି କଥା କହି ମୋ ମୁଣ୍ଡଟାକୁ କାହିଁକି ଗୋଳମାଳ କରିଦେଲ ? ଈଶ୍ଵରଙ୍କର କଣ୍ଠରେ ଅନୁତାପ ମିଶ୍ରିତ କୈଫିୟତ୍ ।

 

ମୁଁ କ'ଣ ଆପଣଙ୍କର ଧରାବନ୍ଧା ହେଇ ରହିଚି ? ଅନ୍ୟ ଅତିଥି ନ ଆସିଲେ ମୋର ପେଟକୁ ଦାନା ଜୁଟିବ କେମିତି ? ପାଞ୍ଚଟଙ୍କା ପାଉଣା ତ ଦିଅନ୍ତି ସେଥିରେ ମୋର ସଂସାର ଚଳିବ କେମିତି ?

 

ତୁମର ଦୈନିକ କେତେ ଖର୍ଚ୍ଚ କୁହ, ମୁଁ ଦେବି ? ଈଶ୍ଵରଙ୍କର କଣ୍ଠସ୍ୱରରେ ଦୃଢ଼ତା ।

 

ପୁଷ୍ପା କିଛି ଉତ୍ତର ଦେଲା ନାହିଁ, । ମୁହଁର ଲାଗିଥିବା ରକ୍ତଗୁଡ଼ାକ ସେ କାନି ପଣତରେ ପୋଛି ପକେଇଲା ।

 

ଡାକ୍ତର ଡାକିଆଣିବି ? ଈଶ୍ଵରଙ୍କର ମାତଲାମି ପୂରାପୂରି କାଟିଗଲାଣି । ପୁଷ୍ପା କପାଳରୁ ରକ୍ତସ୍ରାବ ଦେଖି ତାଙ୍କ ମନରେ ପ୍ରବଳ ଭୟ ଓ ଆଶଙ୍କା ।

 

ପୁଷ୍ପାର ଆଖିରେ କଟାକ୍ଷ । ଅବିରାମ ଗତିରେ ରକ୍ତ ବୋହି ଚାଲିଚି । ତଥାପି ସେ ଦିଗକୁ ତା'ର ଭ୍ରୂକ୍ଷେପ ନାହିଁ ।

 

ନା, ଡାକ୍ତର ଡାକିବା ଦରକାର ନାହିଁ । ଆପଣ ସେ ଠଣା ଉପରୁ ମଲମ ଶିଶିଟା ଆଣିଦିଅନ୍ତୁ ।

 

ବାଧ୍ୟ ଛାତ୍ରଭଳି ଈଶ୍ୱର ପୁଷ୍ପାର ଆଦେଶ ପାଳନ କଲେ । ତା'ର ଇଙ୍ଗିତରେ କଟିଯାଇଥିବା ଜାଗାରେ ମଲମ ମଧ୍ୟ ଲଗେଇ ଦେଲେ । ଟିକିଏ ପରେ ଈଶ୍ୱର ଲକ୍ଷ୍ୟ କଲେ କପାଳରୁ ରକ୍ତସ୍ରାବ ଏକାବେଳେକେ ବନ୍ଦ ହୋଇ ଯାଇଚି ।

 

ମଲମଟା ଖୁବ୍ କାମ ଦେଉଚି ତ ? ମନକୁମନ ଈଶ୍ୱର କହିଲେ ।

 

ମୋ ନିଜ ହାତର ତିଆରି ଏ ମଲମ । ଆମ ଜୀବନରେ ଅତିଥିମାନଙ୍କ ହାତରୁ ମାଡ଼ ଖାଇବା ତ ନୂଆ କଥା ନୁହେଁ । ତେଣୁ ପାଖେ ପାଖେ ଔଷଧ ରଖିବାକୁ ହୁଏ । କଟା ଘା'କୁ ଏ ମଲମ ଖୁବ୍ ଉପକାରୀ ।

 

କ'ଣ ଦେଇ ୟାକୁ ତିଆରି କରିଚ ? ଈଶ୍ୱର ଆଶ୍ଚର୍ଯ୍ୟରେ ପ୍ରଶ୍ନ କଲେ ।

 

ବିଲାତି ଜିନିଷର ନାମ ଗନ୍ଧ ନାହିଁ । ସବୁ ଆମ ଦେଶର ଚେରମୂଳି । ରଙ୍ଗୀ ମାଉସୀ ଏ ମଲମ ତିଆରି ମତେ ଶିଖେଇ ଦେଇ ଯାଇଚି ।

 

ରଙ୍ଗୀ ମାଉସୀ ? ସେ ପୁଣି କିଏ ?

 

ସେ ମତେ ଏଇ ବଙ୍କା ବାଟକୁ ଟାଣି ଆଣିଥିଲା । ବିଚାରୀ ବେଶୀ ଦିନ ବଞ୍ଚି ରହିପାରିଲା ନାହିଁ ।

 

ମତେ ଏ ମଲମ ତିଆରି ଶିଖେଇଦେବ ?

 

କାହିଁକି ? ମଲମ କ'ଣ କରିବେ ?

 

ବଜାରରେ ବିକ୍ରି କରିବି । ଗୋଟାଏ ବ୍ୟବସାୟ କରିବି ବୋଲି ଭାବିଥିଲି । ଏଇ ମଲମ ମୋର ଖୁବ୍ ଦରକାରରେ ଆସିବ ।

 

ବଜାରରେ ବିକ୍ରି କଲେ ଲାଭ ବେଶି ମିଳିବନି । ଚଳନ୍ତା ରେଲ୍ ଉପରେ ଏ ମଲମ କିଣିବାକୁ ଆପଣ ବେଶି ଗ୍ରାହକ ପାଇବେ । ତେବେ ମୋର ଗୋଟାଏ ସର୍ତ୍ତ ଅଛି । ଲାଭରୁ ମତେ କିଛି ଭାଗ ଦେବାକୁ ହେବ ।

 

ନିଶ୍ଚୟ ଭାଗ ଦେବି । ଈଶ୍ଵରଙ୍କର ମନରେ ଖୁବ୍ ଉତ୍ସାହ ।

 

ଭଙ୍ଗା ଟ୍ରଙ୍କ୍ ଭିତରୁ ଖଣ୍ଡେ ମଇଳା କାଗଜ ଆଣି ପୁଷ୍ପା ଈଶ୍ୱରଙ୍କ ହାତକୁ ବଢ଼େଇଦେଇ କହିଲା, ନିଅନ୍ତୁ । ମଲମଟା କେମିତି ତିଆରି କରିବେ, ଏଇ କାଗଜରେ ଲେଖା ହୋଇଚି ।

 

ଅତି ଆଗ୍ରହରେ କାଗଜ ଖଣ୍ଡକ ପକେଟରେ ରଖିଦେଲେ ଈଶ୍ୱର । ଠିକ୍ ଏଇ ସମୟରେ ପକେଟରେ ଟଙ୍କାଥିବା କଥା ତାଙ୍କର ମନେପଡ଼ିଲା । ସେ ଥରେ ପୁଷ୍ପା ଆଡ଼କୁ ଭଲକରି ଚାହିଁଲେ । ମନରେ ଦୟାହେଲା ତାଙ୍କର । ଆହା, ବିଚାରି ପେଟ ଚାଖଣ୍ଡକପାଇଁ କେତେ କଷ୍ଟ ସହୁଚି । ଈଶ୍ଵରଙ୍କର ମନଟା ହଠାତ୍ ଦରଦୀ ହୋଇ ଉଠିଲା ପୁଷ୍ପା ପ୍ରତି । ପକେଟରୁ ଟଙ୍କା ପଚାଶଟା କାଢ଼ି ସେ କହିଲେ, ନିଅ ପୁଷ୍ପା, ଏ ଟଙ୍କା ରଖ ।

 

ନା, ଏତେ ଟଙ୍କା ମୋର କ'ଣ ହେବ ? ଆପଣ ମାତ୍ର ମତେ ପାଞ୍ଚଟା ଟଙ୍କା ଦିଅନ୍ତୁ । ବଳକା ଟଙ୍କାଟା ବ୍ୟବସାୟରେ ଲଗାନ୍ତୁ । ଲାଭ ହେଲେ ଆମେ ଦିହେଁ ତ ପାଇବା । ହସି ହସି ଏତିକି କହି ପୁଷ୍ପା ଅନ୍ୟ ଘରକୁ ଚାଲିଗଲା । କପାଳରୁ ଏତେଗୁଡ଼ାଏ ରକ୍ତ ଯାଇଚି । ତଥାପି ତା' ମନରେ ଅଣୁମାତ୍ର ଦୁଃଖ ନାହିଁ । ସବୁଦିନ ଅପେକ୍ଷା ସେ ଆଜି ବେଶି ଚଞ୍ଚଳ, ବେଶି ଉତ୍‍ଫୁଲ ।

 

କିଛି ସମୟ ପରେ ହାତରେ ଗୋଟେ ଛୋଟିଆ ଅତର ଶିଶି ଧରି ସେ ପହଞ୍ଚିଲା । ଈଶ୍ୱରଙ୍କ ହାତରୁ ମଲମଟା ନେଇ ସେ ଅତରରୁ କିଛି ଅଂଶ ସେଥିରେ ଢାଳିଦେଇ ମିଶେଇଦେଲା ।

 

ଈଶ୍ୱର ଅବାକ୍ ହେଲେ । ମଲମରୁ ଏକ ମହକ ବାହାରୁଚି । ଗ୍ରାହକ କେବଳ ଏଇ ସୁଗନ୍ଧିପାଇଁ ପ୍ରଥମେ ମଲମ କିଣିବେ ।

 

ପରେ ପରେ ପୁଷ୍ପା ଆଉ ଖଣ୍ଡିଏ କାଗଜ ଈଶ୍ୱରଙ୍କୁ ଦେଲା । ଅତରଟା ତିଆରି କରିବାର ପ୍ରଣାଳୀଟା ସେଥିରେ ଲେଖାଥିଲା ।

 

ପୁଷ୍ପା ଆଜି ଈଶ୍ୱରଙ୍କୁ ସବୁ କିଛି ଦେଇଦେବାକୁ ପ୍ରସ୍ତୁତ । ଟା' ଆଖିରେ ଆଜି ସୁନେଲି ଭବିଷ୍ୟତର ସ୍ୱପ୍ନ । ତା’ରି ଅତରମିଶା ମଲମ ବେଶି ପରିମାଣରେ ବିକ୍ରି ହେଲେ ପେଟ ଆଉ ତା'ର ଅପୋଷା ରହିବ ନାହିଁ । ଲାଭାଂଶରେ ତା'ର ମଧ୍ୟ ଅଂଶ ଅଛି । ଅତି ମୁଲାଏମ ଗଳାରେ ସେ ଈଶ୍ୱରଙ୍କୁ କହିଲା, ଯେତେ ଶୀଘ୍ର ପାରନ୍ତି, ମଲମ ବିକ୍ରିଟା ଆରମ୍ଭ କରନ୍ତୁ । ବ୍ୟବସାୟରୁ ଟଙ୍କା ମିଳିଲେ ମୁଁ ଆଉ ନର୍କପୁରୀରେ ରହିବି ନାହିଁ । ଅନ୍ୟ କୋଉଠିକି ଚାଲିଯିବି ।

 

ପୁଷ୍ପାର ଏ ଧରଣର କଥା ଶୁଣି ହସି ହସି ଈଶ୍ୱର କହିଲେ, ମତେ ତା'ହେଲେ କ'ଣ ଚିରଦିନପାଇଁ ବିଦାୟ କରିଦେଉଚ ପୁଷ୍ପା ? ତୁମ ପାଖକୁ ଆସିବା ମୋର କ'ଣ ଏଇ ଶେଷ ?

 

ନା-ନା-ଶେଷ କାହିଁକି ? ଏଣିକି ଆସିଲେ ଆପଣଙ୍କର ସେବା କରିବା ମୋର ପ୍ରଧାନ କାମ ହେବ । ନିଜ ହାତରେ ରାନ୍ଧି ଖୁଆଇବି । ବିଶ୍ରାମପାଇଁ ବିଛଣା ସଜେଇଦେବି । ଏ ସବୁ ପରେ ଆପଣଙ୍କୁ ଘରକୁ ପଠେଇଦେବାର ମଧ୍ୟ ବ୍ୟବସ୍ଥା କରିଦେବି ।

 

ପୁଷ୍ପା ମୁହଁରୁ 'ଘର' କଥା ଶୁଣିଲାକ୍ଷଣି ଈଶ୍ୱରଙ୍କର ଚେତନା ଫେରି ଆସିଲା । ଘରେ ଦମୟନ୍ତୀ ଏକା ଅଛନ୍ତି । ଆସନ୍ନପ୍ରସବା ସେ । କେଉଁ ମୁହୂର୍ତ୍ତରେ କ'ଣ ଘଟିବ ଜଣା ନାହିଁ ।

 

ଈଶ୍ୱର ନୀରବରେ ବ୍ୟସ୍ତ ହୋଇ ଉଠିଲେ । ପୁଷ୍ପା ତାଙ୍କର ଚଞ୍ଚଳତା ଠିକ୍ ଲକ୍ଷ୍ୟ କରିପାରିଲା । ନାରୀର ସେଇଟା ଏକ ସହଜାତ ଗୁଣ । ସେ ନିଜର ଅଦୃଶ୍ୟ ତୃତୀୟ ନୟନରେ ପୁରୁଷକୁ ବିଚାର କରେ । ସେଇ ଆଖିରେ ସେ ବୁଝିପାରେ ପୁରୁଷର ଆସକ୍ତି ତା'ଉପରେ ଅଛି, ନା ଅନ୍ୟ ନାରୀ ଉପରେ ଅଛି ।

 

ସାମାନ୍ୟ ନୀରବତା ପରେ ପୁଷ୍ପା ଖିଲି ଖିଲ୍ କରି ହସି ଉଠିଲା । ସେ ପୁଣି ଚାହିଁଲା ଈଶ୍ୱରଙ୍କୁ ପ୍ରେମଅଭିସାର ଭିତରକୁ ଟାଣିନେବାକୁ । ହସି ହସି ସେ ଈଶ୍ୱରଙ୍କର କୋଳକୁ ଢଳିପଡ଼ି ଅପାଙ୍ଗ ଚାହାଣିରେ ପ୍ରଶ୍ନ କଲା, ମଲମଟାର ନାଁ କ'ଣ ଦେବେ ଜାଣନ୍ତି ?....ଫୁଲ ମଲମ ।

 

ଦୁଇ ବାହୁରେ ଈଶ୍ୱରଙ୍କୁ କୁଣ୍ଢେଇ ଧରିଲା ପୁଷ୍ପା । ଈଶ୍ୱର ଦେଖିଲେ ପୁଷ୍ପାର ଦୁଇ ଆଖିରେ ସମ୍ଭୋଗର ପିପାସା । ଆଲିଙ୍ଗନ ଅବସ୍ଥାରେ ଈଶ୍ୱରଙ୍କର କାନ ପାଖକୁ ମୁହଁ ଆଣି ସେ ଅତି ନିମ୍ନ ସ୍ୱରରେ ପ୍ରଶ୍ନ କଲା, ଆଉ ଗୋଟାଏ ବୋତଲ ଆଣିବି ?

 

ସାବ୍, ଅଉର ଲେ'ଆଏଗା ? ଅଜନ୍ତା ହୋଟେଲ୍‍ର ବଏ ଈଶ୍ୱର ପଟ୍ଟନାୟକଙ୍କର ମୁହଁ ପାଖକୁ ମୁହଁଲଗେଇ ପ୍ରଶ୍ନ କଲା ।

 

ତନ୍ଦ୍ରା ଭାଙ୍ଗିଗଲା ଈଶ୍ୱରବାବୁଙ୍କର । ସେ ଶକ୍ତ ହୋଇ ବସିବାକୁ ଚେଷ୍ଟା କଲେ । ଏତେବେଳଯାଏ ସେ ଅତୀତରୋମନ୍ଥନରେ ଭାସି ଚାଲିଥିଲେ ।

 

ନେହି । ଖାନା ଲେଆଓ । ବଏକୁ ରୁକ୍ଷ କଣ୍ଠରେ ଆଦେଶ ଦେଲେ ଈଶ୍ୱର ପଟ୍ଟନାୟକ । ହୁକୁମ ତାମିଲ୍ କରିବାକୁ ବଏ ମଧ୍ୟ ତରବର ହୋଇ ଚାଲିଗଲା ।

 

ଚାରି

 

ସେଦିନ ମଧ୍ୟ ଏଇ ଉତ୍ତର ଦେଇଥିଲେ ଈଶ୍ୱର । କଣ୍ଠବେଷ୍ଠିତ ବାହୁ ଦୁଇଟା ଛଡ଼େଇନେଇ ସେ ପୁଷ୍ପାକୁ କହିଥିଲେ, ବୋତଲ ଆଉ କାହିଁ ? ସବୁତ ଶେଷ ହୋଇଯାଇଚି ।

 

ଆଉରି ଗୋଟେ ମୁଁ ଲୁଚେଇ ରଖିଚି । ଆପଣ କହିଲେ, ଆଣିବି ।

 

ନା, ଥାଉ । ଈଶ୍ୱର ବସିବା ଜାଗାରୁ ଉଠିଲେ । ସେଇଟି ତୁମର ଅନ୍ୟ ଅତିଥିଙ୍କପାଇଁ ମହଜୁଦ୍ ଥାଉ ।

 

ଈଶ୍ୱରଙ୍କର ଅଭିମାନ ପୁଷ୍ପା ବେଶ୍ ବୁଝିପାରିଲା । ଅସହାୟ କଣ୍ଠରେ ସେ କହିଲା, କ'ଣ କରିବି ? ମିଛ ନ କହିଲେ ଜଣେ ଜଣେ ସବୁ ଶେଷ କରିଦିଅନ୍ତି ।

 

କେତେଜଣ ଅତିଥି ତୁମ ଘରକୁ ଆସନ୍ତି ପୁଷ୍ପା ?

 

ଆପଣଙ୍କ ମଦନବାବୁ ଆସନ୍ତି । ତାଙ୍କର ଆଉ କେତେଜଣ ବନ୍ଧୁ ମଧ୍ୟ ଆସନ୍ତି । ପୁଷ୍ପା ମୁହଁରେ ପୁଣି ଦୁଷ୍ଟାମି ହସ ।

 

ଈଶ୍ୱର ବର୍ତ୍ତମାନ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଚନ୍ତି । ସୁରାର ନିଶା ଆଉ ନାହିଁ । ସାମାନ୍ୟ ଗମ୍ଭୀର ହୋଇ ସେ କହିଲେ, ମୁଁ ଗଲି ପୁଷ୍ପା । ତୁମେ ସେଇ ଅତିଥିମାନଙ୍କର ମନ ଜୟ କରିବାର ଚେଷ୍ଟା କର ।

 

କାଲି ଆସୁଚନ୍ତି ତ ? ପୁଷ୍ପା ମନରେ ଆଶଙ୍କାର ଚିହ୍ନ....

 

ଚେଷ୍ଟା କରିବି ।

 

ଚେଷ୍ଟା ନୁହେଁ, ଆସିବେ ବୋଲି କଥା ଦେଇ ଯାଆନ୍ତୁ । ଈଶ୍ୱରଙ୍କର ବୁକୁଉପରେ ପୁଣି ଢଳି ପଡ଼ିବାକୁ ଚେଷ୍ଟା କଲା ପୁଷ୍ପା ।

 

ହଁ, ଆସିବି । ପୁଷ୍ପା କବଳରୁ ମୁକ୍ତି ପାଇବାକୁ ଈଶ୍ୱର ବ୍ୟତିବ୍ୟସ୍ତ ହୋଇ ଉଠିଲେ ।

 

ନିଜ ହାତରେ ପୁଷ୍ପା ଦୁଆର ଖୋଲିଦେଲା । ଈଶ୍ୱର ଘରକୁ ଫେରିବାର ଉପକ୍ରମ କଲେ-

 

ହରିଦାଦା ଦୁଆର ସାମନାରେ ଛିଡ଼ା ହୋଇଥିଲେ । କୁଆଡ଼କୁ ନଚାହିଁ ଈଶ୍ୱର ଘର ଭିତରକୁ ପଶିଗଲାବେଳେ ହରିଦାଦାଙ୍କର ରୁକ୍ଷଗମ୍ଭୀର କଣ୍ଠସ୍ୱର ଶୁଣାଗଲା, ଭିତରକୁ ତୁ ଯାଇ ପାରିବୁନି ଈଶ୍ୱର ।

 

କାହିଁକି ?

 

ପ୍ରଥମେ ତୋର ଶୁଦ୍ଧି ହେବା ଦରକାର ।

 

ମାନେ ? ଶୁଦ୍ଧି କାହିଁକି ହେବି ?

 

ତୋର ଝିଅ ହେଇଚି । ହରିଦାଦାଙ୍କର କଣ୍ଠସ୍ୱର ପୂର୍ବପରି ଗମ୍ଭୀର ଓ ଆକ୍ଷେପମୂଳକ ।

 

ଝିଅ ଜନ୍ମ ହୋଇଚି ! ଏକ ଅପୂର୍ବ ପୁଲକରେ କ୍ଷଣକପାଇଁ ଈଶ୍ୱରଙ୍କର ମନ ନାଚି ଉଠିଲା । ସେ ଆଜି କନ୍ୟାର ପିତା ।

 

ସନ୍ତାନର ବାପା । ନିଜର ରକ୍ତକଣିକାକୁ ଦେଖିବାକୁ ମନ ତାଙ୍କର ଉଚ୍ଛନ୍ନ ହେଲା ।

ଢେଉ ପରେ ଢେଉ

 

ମୁଁ ଝିଅକୁ ଦେଖିଆସେ । ଈଶ୍ୱର ଆଗକୁ ପାଦ ବଢ଼େଇଥିଲେ ।

 

ନା, ସେ ସମୟ ତୋର ଆସିନି । ହରିଦାଦା ବାଟ ଓଗାଳିଲେ ।

 

ଏଇ ଅପବିତ୍ର, ଅଶୁଦ୍ଧ ଦେହରେ ଦେବଶିଶୁକୁ ଦେଖିବାକୁ ତୋର ଅଧିକାର ନାହିଁ । ଆଗେ ତୋର ଶୁଚିହେବା ଦରକାର । ଯା' ଠାକୁରାଣୀଙ୍କର ପୋଖରୀରେ ବୁଡ଼ ପକେଇ ଆ ।

 

ହରିଦାଦା ଠିକ୍ କହିଚନ୍ତି । ଈଶ୍ୱରଙ୍କ ଦେହରେ ପାପ ସିଞ୍ଚିତ ହୋଇ ରହିଚି । ଏଥିରେ କନ୍ୟା ଦର୍ଶନକରିବା ଉଚିତ ହେବ ନାହିଁ ।

 

କୌଣସି ପ୍ରତିବାଦ ନକରି ଈଶ୍ୱର ଧାଇଁଲେ ଠାକୁରାଣୀଙ୍କର ପୋଖରୀକୁ । ମାତ୍ର ପାଞ୍ଚମିନିଟ୍ ଭିତରେ ଗାଧୁଆ ସାରି ସେ ଫେରି ଆସି ଦେଖିଲେ ହରିଦାଦା ପୂର୍ବପରି ଦୁଆର ଆଗରେ ଛିଡ଼ା ହୋଇଛନ୍ତି । ଆଗ ଅପେକ୍ଷା ସେ ଆହୁରି ଗମ୍ଭୀର ଓ ଚିନ୍ତିତ । ଈଶ୍ୱର ତାଙ୍କ ଆଗରେ ଆସି ଠିଆ ହେଲେ ମଧ୍ୟ ସେ ଜାଣିପାରିଲେ ନାହିଁ ।

 

ବୁଡ଼ ପକେଇ ଆସିଲି ।

 

ଈଶ୍ୱରଙ୍କ କଥାରେ ହରିଦାଦାଙ୍କର ଚେତନା ଫେରିଲା । ଅନ୍ୟମନସ୍କ ଭାବରେ ସେ କହିଲେ, ଆରେ, ତୁ ଏତେ ଶୀଘ୍ର ଫେରି ଆସିଲୁ ଈଶ୍ୱର ? ଅଚ୍ଛା ! ଏଥର ଘର ଭିତରକୁ ଚାଲ୍ ।

 

ଦୁହେଁ ଭିତରକୁ ଗଲେ । ଈଶ୍ୱରଙ୍କର ଉଚ୍ଚାଟ ମନ ବେଳକୁ ବେଳ ଅସ୍ଥିର ହେଲା । ଦମୟନ୍ତୀ ସଦ୍ୟଜାତ କନ୍ୟାକୁ ଧରି ଯେଉଁ ଘରେ ଥିଲେ, ସେ ଓଦା ଲୁଗା ପିନ୍ଧି ସେଇ ଘରକୁ ପ୍ରଥମେ ଗଲେ ।

 

ଆଃ, କି ଚମତ୍କାର ଶିଶୁ ! ହାତ ଗୋଡ଼ ବାଡ଼େଇ ଦମୟନ୍ତୀଙ୍କ କୋଳରେ ଖେଳୁଚି । ୟେ' ରୋମାଞ୍ଚକର ଦୃଶ୍ୟ ଈଶ୍ୱର ଆଗରୁ କେବେ ଦେଖି ନ ଥିଲେ । ଆନନ୍ଦରେ ବିଭୋର ହୋଇ ସେ ଏକଲୟରେ ଚାହିଁ ରହିଲେ ଦମୟନ୍ତୀଙ୍କୁ । ଆଗ ଅପେକ୍ଷା କେଡ଼େ ସୁନ୍ଦର ଦିଶୁଚନ୍ତି ସେ । ଫୁଟନ୍ତା ପଦ୍ମପରି କମନୀୟ ତାଙ୍କର ଚେହେରା । ଜାୟା ପରେ ଜନନୀର ଭୂମିକା ଦୁନିଆରେ ଆହୁରି ମନଲାଖି ହୁଏ, ଆହୁରି ଦର୍ଶନୀୟ ହୋଇ ଉଠେ ।

 

ଈଶ୍ୱରଙ୍କର ଆନନ୍ଦ ଦେଖି ଦମୟନ୍ତୀ ସାମାନ୍ୟ ମୁରୁକିହସା ଦେଇ କହିଲେ, ଝିଅକୁ କୋଳକୁ ନେବାକୁ ଇଚ୍ଛା ହେଉଚି ?

 

ଇଚ୍ଛା ଥିଲେ ମଧ୍ୟ ହଠାତ୍ 'ହଁ' କହିବାକୁ ଈଶ୍ୱର କିପରି ଇଚ୍ଛାବୋଧ କଲେ । ପାଖରେ ହରିଦାଦା ଛିଡ଼ା ହୋଇଚନ୍ତି । କ'ଣ ସେ ଭାବିବେ ?

 

ତୋ ଝିଅର ଆଖି ଦୁଇଟି ଖୁବ୍ ସୁନ୍ଦର ହେଇଚି ଈଶ୍ୱର । ତେଣୁ ତା' ନାଁ ନୟନା ରହିଲା-। ହରିଦାଦା ସହଜ ଗଳାରେ କହିଲେ । ଦମୟନ୍ତୀ ଓ ଈଶ୍ୱର, ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ହସି ପକେଇଲେ । ଆଜିଠୁ ହରିଦାଦା ଝିଅର ନାଁ ମଧ୍ୟ ଠିକ୍ କରିସାରିଲେଣି ।

 

ଈଶ୍ୱର ଆଜି ନୂଆକରି ଦମୟନ୍ତୀଙ୍କୁ ଦେଖୁଚନ୍ତି । କି ମନୋରମ ହସ ତାଙ୍କର ? ସନ୍ତାନ ପ୍ରସବ ପରେ ସ୍ୱାମୀ ଆଖିକୁ ସ୍ତ୍ରୀ ଏତେ ସୁନ୍ଦର ଦିଶେ କାହିଁକି ?

 

ଏ ଟଙ୍କାଗୁଡ଼ାକ ରଖ...ହରିଦାଦା ଗୋଟାଏ ଟଙ୍କାର ଥଳି ଦମୟନ୍ତୀଙ୍କ ପାଖରେ ଥୋଇଦେଲେ ।

 

ଆପଣଙ୍କ ପାଖରେ ଥାଉ । ମତେ କାହିଁକି ଦଉଚନ୍ତି । ଦମୟନ୍ତୀ ପ୍ରତିବାଦ କଲେ ।

 

ମୁଁ କିଛି ସମୟପାଇଁ ବାହାରକୁ ଯିବି ।

 

ଏତେ ରାତିରେ ଆପଣ ପୁଣି କୁଆଡ଼େ ଯିବେ ? ଆଶ୍ଚର୍ଯ୍ୟରେ ପ୍ରଶ୍ନ କଲେ ଈଶ୍ୱର ।

 

ମୋର ଶେଷ କାମ ଆହୁରି ବାକି ଅଛି । ଗମ୍ଭୀର କଣ୍ଠରେ ଜବାବ ଦେଲେ ହରିଦାଦା, ହଁ, ମୋର ତତେ ଗୋଟେ ଅନୁରୋଧ ଅଛି ଈଶ୍ୱର ।

 

କୁହନ୍ତୁ ।

 

ମୁଁ ଫେରି ନ ଆସିବା ପର୍ଯ୍ୟନ୍ତ ତୁ ବୋହୂକୁ ଛାଡ଼ି କୋଉଠିକି ଯିବୁ ନାହିଁ । ମତେ କଥା ଦେ' !

କଥା ଦଉଚି ଦାଦା, ଆପଣ ନ ଫେରିବାଯାଏ ମୁଁ କେଉଁଠିକି ଯିବି ନାହିଁ । କିନ୍ତୁ ରାତି ଅଧରେ ଆପଣଙ୍କର କ'ଣ କାମ ବାକି ଅଛି, ମୁଁ କିଛି ବୁଝିପାରୁନି ।

ରାତିରେ ସେ କାମ ହୁଏ ଈଶ୍ୱର । ସାମାନ୍ୟ ହସି ହରିଦାଦା କହିଲେ । ଆ, ଦାଣ୍ଡ ଦୁଆଣ ବନ୍ଦ କରିଦେଇ ଆସିବୁ ।

ହରିଦାଦାଙ୍କ ପଛେ ପଛେ ଈଶ୍ୱର ଦାଣ୍ଡ ଦୁଆରପର୍ଯ୍ୟନ୍ତ ଗଲେ । ଦାଣ୍ଡକୁ ଓହ୍ଲେଇପଡ଼ି ହରିଦାଦା ଈଶ୍ୱରଙ୍କୁ ଚାହିଁ ପୁଣି ପ୍ରଶ୍ନ କଲେ, ବ୍ୟବସାୟ କରିବ ବୋଲି କହୁଥିଲୁ ? କ'ଣ ଠିକ୍ କଲୁ-?

ଈଶ୍ୱର ଅବାକ୍ ହେଲେ । ରାତି ଅଧରେ ହରିଦାଦା ବ୍ୟବସାୟ କଥା କାହିଁକି ପଚାରୁଚନ୍ତି ? ସେ କହିଲେ, ହଁ, ଅପାତତଃ ଗୋଟାଏ ମଲମ ବିକ୍ରି କରିବି ବୋଲି ଭାବିଚି ।

ହଁ, ସେଇୟା କର୍ । ମୁଁ ତେବେ ନିର୍ଭୟରେ ଗଲି ଈଶ୍ୱର । ତୁ ମତେ କଥା ଦେଇଚୁ । ବୋହୂର ପାଖେ ପାଖେ ରହିବୁ ।

ସାମାନ୍ୟ ବିରକ୍ତିବୋଧ କଲେ ଈଶ୍ୱର । ବାରମ୍ବାର ସେ କଥାକୁ ହରିଦାଦା କାହିଁକି ଘୋଷି ହେଉଚନ୍ତି ? ଈଷତ୍ ଟାଣ ଗଳାରେ ସେ କହିଲେ, ମୁଁ ତ କଥା ଦେଇଚି ଦାଦା । ମତେ କ'ଣ ବିଶ୍ୱାସ କରିପାରୁ ନାହାନ୍ତି ?

 

ହଁ, ବିଶ୍ୱାସ କରିଚି । ମୋ ମନରେ ଆଉ କୌଣସି ସନ୍ଦେହ ନାହିଁ । ମୁଁ ଏଥର ନିଶ୍ଚିନ୍ତ ।

 

ହରିଦାଦା ଏତିକି କହି ସେଇ ଅନ୍ଧକାର ଭିତରେ ମିଳେଇ ଗଲେ । ସାରା ରାତି ହରିଦାଦାଙ୍କର ଆଉ ଦେଖା ନାହିଁ । ଈଶ୍ୱର ଦମୟନ୍ତୀଙ୍କ ମୁଣ୍ଡ ଉପରେ ବସି ରହିଲେ । ନବଜାତ ଶିଶୁଟି ଛୋଟ ଛୋଟ ହାତ ଦୁଇଟି ଉପରକୁ କରି ମନକୁମନ ଖେଳୁଥାଏ । ତା' ଆଖିକୁ ନିଦ ନ ଥାଏ । ବୋଧହୁଏ ନୂତନ ପୃଥିବୀର ଆସ୍ୱାଦପାଇ ସେ ଆନମନା ହୋଇଯାଇଚି ।

 

ସକାଳ ହେଲା । ବାଲିକୁଦା ଗାଁର ମଉଡ଼ମରା ଘର ମଥାନ ଉପରକୁ ଖରା ଉଠିଲା । ପାହାନ୍ତା ପହରକୁ ଦମୟନ୍ତୀଙ୍କୁ ନିଦ ଲାଗିଯାଇ ଥିଲା । ଝରକାବାଟେ ଖରାର ତେଜ ଘର ଭିତରକୁ ପଶିଆସିବା ସଙ୍ଗେ ସଙ୍ଗେ ଦମୟନ୍ତୀଙ୍କର ନିଦ ହଠାତ୍ ଭାଙ୍ଗିଗଲା । ସେ ବିଳିବଳେଇ ଉଠି ବଡ଼ ପାଟିରେ କହିଲେ, ହରିଦାଦା ? ହରିଦାଦା କାହାନ୍ତି ?

 

ସେ ଏପର୍ଯ୍ୟନ୍ତ ଫେରି ନାହାନ୍ତି । ଈଶ୍ୱର ଉତ୍ତର ଦେଲେ ।

 

ମୁଁ କ'ଣ ସ୍ୱପ୍ନ ଦେଖୁଥିଲି ଜାଣ ?

 

ଈଶ୍ୱର ଅନିଚ୍ଛାସତ୍ତ୍ୱେ ହସି ପକେଇଲେ । ଦମୟନ୍ତୀ କହି ଚାଲିଲେ । ସ୍ୱପ୍ନ ଦେଖୁଥିଲି ହରିଦାଦା ସ୍ୱର୍ଗକୁ ଯାଇଥିଲେ । ବାପାଙ୍କ ସହିତ ତାଙ୍କର ସେଠି ଦେଖାହେଲା । ବାପା ତୁମ କଥା ହରିଦାଦାଙ୍କୁ ପଚାରିଲେ । ଈଶ୍ୱର ଏଥର ଜୋରରେ ହସିବାକୁ ବାଧ୍ୟ ହେଲେ ।

 

କି ଉତ୍ତର ଦେଲେ ହରିଦାଦା ? ସେ ନିଶ୍ଚୟ କହିଥିବେ.....ପୁଅ ତୁମର ନର୍କକୁ ଗଲାଣି-

 

ତୁମେ ହସୁଚ ? ଦମୟନ୍ତୀଙ୍କ କଣ୍ଠ ସ୍ୱରରେ ଅସହାୟ କାକୁତି ।

 

ସ୍ୱପ୍ନ କଥାକୁ ଥଟ୍ଟାକରିବା ଠିକ୍ ନୁହେଁ । ଯୋଡ଼ହସ୍ତରେ ଶୂନ୍ୟକୁ ଚାହିଁ ନମସ୍କାର କଲେ ଦମୟନ୍ତୀ ।

 

ଆଚ୍ଛା, ଆଉ ମୁଁ ହସିବିନି । କୁହ, କ'ଣ କହିଲେ ତୁମର ହରିଦାଦା ?

 

ହରିଦାଦା କହିଲେ....ପୁଅ ତୁମର ବାଟକୁ ଫେରିଚି । ମତେ ସେ କଥା ଦେଇଚି, ଆଉ ପାପ କାମ କରିବନି ।

 

ଆଉ କ'ଣ କହିଲେ ?

 

ନୟନାର ଖବର ନେଲେ ।

 

ନୟନା ?? ଆଶ୍ଚର୍ଯ୍ୟରେ ପ୍ରଶ୍ନ କଲେ ଈଶ୍ୱର ।

 

କ'ଣ ବୁଝିଲନି ? ଏଇ ତ ଶୋଇଚି । ଆଙ୍ଗୁଠିରେ ଶିଶୁ କନ୍ୟାକୁ ଦେଖେଇଦେଲେ ଦମୟନ୍ତୀ ।

 

ଓ ! ଈଶ୍ୱର ଝିଅର ନାଁଟା ପାଶୋରି ପକେଇଥିଲେ । ହସି ହସି ସେ କହିଲେ, ସତ କହୁଛି ଦମୟନ୍ତୀ, ତୁମ ଝିଅଟି ଖୁବ୍ ସୁନ୍ଦର ହେଇଚି ।

 

ଅତି ଆଦରରେ ଝିଅକୁ କୋଳକୁ ନେଇ ଦମୟନ୍ତୀ କହିଲେ, ମୋ ଝିଅ ? ନିଜର ଝିଅ ବୋଲି କହିବାକୁ ଲାଜ ମାଡ଼ୁଚି ପରା ?

 

ପ୍ରକୃତରେ ମୁଁ ବିଶ୍ୱାସ କରିପାରୁନି । ଏଡ଼େ ସୁନ୍ଦର ଝିଅ ମୋର ହେଲା କେମିତି ?

 

ମୁହଁରେ କପଟ ରାଗ ଆଣି ଦମୟନ୍ତୀ ଏଥର କହିଲେ, ବାପ ହେଇ ଝିଅକୁ ଏତେ ସୁନ୍ଦର କୁହନ୍ତିନି ? ଈଶ୍ୱର କ'ଣ କହିବାକୁ ଯାଉଥିଲେ; କିନ୍ତୁ କହିପାରିଲେ ନାହିଁ । ବାହାରେ ଦୁଆରେ କିଏ ଆଘାତ କରିବାର ଶବ୍ଦ ଶୁଣାଗଲା ।

 

ହେଇଟି, ହରିଦାଦା ଫେରିଲେଣି । ଯାଅ, ଦୁଆର ଖୋଲି ଦିଅ । ଦମୟନ୍ତୀ ବଡ଼ ଆଗ୍ରହରେ କହିଲେ ।

 

ଦାଣ୍ଡ ଦୁଆର ଖୋଲିଦେଇ ଈଶ୍ୱର ଯାହା ଦେଖିଲେ, ସେଥିରେ ସେ କାଠଭୂତ ।

 

ହରିଦାଦା କାହାନ୍ତି ? ତାଙ୍କ ବଦଳରେ ଜଣେ ପୋଲିସ୍ ଅଫିସର, ପଛରେ ମଦନ । ଈଶ୍ୱର ଦୁଆରକୁ ଆଉଜି ବଲବଲ କରି ସେମାନଙ୍କ ମୁହଁକୁ ଚାହିଁ ରହିଲେ । ତୁଣ୍ଡରେ କଥା ନାହିଁ । ଭୟ, ଆଶଙ୍କାରେ ଚିନ୍ତା, ଭାବନା ଲୋପ ପାଇଯାଇଚି ତାଙ୍କର ।

 

ହରିବାବୁ ଏ ଘରେ ଥାଆନ୍ତି ?

 

ପୋଲିସ୍ ଅଫିସରଙ୍କ କଣ୍ଠ ସ୍ୱରରେ ଈଶ୍ୱରଙ୍କର ଚେତନା ଫେରିଆସିଲା । ସେ ମୁଣ୍ଡ ହଲେଇ ସମ୍ମତି ଜଣେଇଲେ ।

 

ଭିତରକୁ ଚାଲ । ପୋଲିସ୍ ଅଫିସର ଆଉ ଅପେକ୍ଷା ନ କରି ଘର ଭିତରକୁ ଆଗେଇଲେ । ପଛରେ ତାଙ୍କର ମଦନ ମଧ୍ୟ ଅନୁସରଣ କରୁଥାଏ ।

 

ହରିବାବୁଙ୍କର ରହିବା ଘର କେଉଁଟା ?

 

ଈଶ୍ୱର ବିନା କଥାରେ ପୋଲିସ୍ ଅଫିସରଙ୍କୁ ହରିଦାଦାଙ୍କ ରହିବା ଘର ଦେଖେଇ ଦେଲେ । ଘଟଣାର ଆଦ୍ୟପ୍ରାନ୍ତ ସେ କିଛି ବୁଝିପାରୁ ନ ଥାନ୍ତି ।

 

ହରିଦାଦାଙ୍କ ଘରଟି ଛୋଟିଆ ହେଲେ ମଧ୍ୟ ଠାକୁର, ଠାକୁରାଣୀ ଫଟୋରେ ପରିପୂର୍ଣ୍ଣ । କେତେ ଦେବ-ଦେବୀଙ୍କୁ ସେ ପୂଜା କରନ୍ତି । ଘରଟାକୁ ତନ୍ନତନ୍ନ କରି ଦେଖି ପୋଲିସ୍ ଅଫିସର ବ୍ୟଙ୍ଗ ବିଦ୍ରୂପରେ କହିଲେ, ଭକ୍ତିର ଦଉଡ଼ଟା ତ କମ୍‍ ନୁହେଁ ଦେଖୁଚି । ତୁଣ୍ଡରେ ତମ ନାମ ଜପି ଲୋକଙ୍କୁ ଭଣ୍ଡେଇବାର ଚେଷ୍ଟା ।

 

ଲକ୍ଷ୍ମୀ-ନାରାୟଣଙ୍କୁ ସେ ରୋଜ ପୂଜା କରୁଥିଲେ । ମଦନ ଆପଣା ଛାଏଁ କହିଲା ।

 

ଭଲ-ଭଲ । ପାପ-ପୁଣ୍ୟର ବେଶ୍ ଲୁଚକାଳି ଖେଳ ଚଲେଇଥିଲେ ।

 

ଈଶ୍ୱରଙ୍କର ସନ୍ଦେହ ବେଳକୁବେଳ ବୃଦ୍ଧି ପାଇଲା । ପୋଲିସ୍ ଅଫିସର ସକାଳୁ ସକାଳୁ ଆସି ହରିଦାଦାଙ୍କ ଘର କାହିଁକି ତଲାସ କରୁଚନ୍ତି । ଧୂର୍ତ୍ତ ମଦନ ବା ତାଙ୍କ ପିଛା ଧରିଚି କାହିଁକି ? ମନରେ ଯଥାସମ୍ଭବ ସାହସ ଓ ଧୈର୍ଯ୍ୟ ଆଣି ସେ ପଚାରିଲେ, କ'ଣ ହେଇଚି ବାବୁ ? ହରିଦାଦା କ'ଣ କରିଚନ୍ତି ?

 

କ'ଣ ଆଉ ନ କରିଚନ୍ତି ? ବିଦ୍ରୂପଭରା କଣ୍ଠରେ ପୋଲିସ୍ ଅଫିସର କହିଲେ । କାଲି ରାତିରେ ସେ ଗୋଟାଏ ବେଶ୍ୟାକୁ ଖୁନ୍ କରିଚନ୍ତି । ହଇହୋ, କ'ଣ ତା'ର ନାଁ'ଟା ? ଶେଷ ପ୍ରଶ୍ନଟି ମଦନ ଉଦ୍ଦେଶ୍ୟରେ ?

 

'ପୁଷ୍ପା' । ମଦନ ସଙ୍ଗେ ସଙ୍ଗେ ଉତ୍ତର ଦେଲା ।

 

ଈଶ୍ୱର ମଧ୍ୟ ତା' ଘରକୁ ଯାଏ ।

 

ପୋଲିସ୍ ଅଫିସର ଈଶ୍ୱରଙ୍କୁ ଚାହିଁ ହସ ହସ ମୁଁହରେ ଏଥର କହିଲେ, ମଣିକାଞ୍ଚନ ସଂଯୋଗ । ଦାଦା, ପୁତୁରା ଏକାଠି ବେଶ୍ୟା ଘରକୁ ନଗଲେ ପୁଣ୍ୟ ଅର୍ଜନର ନମ୍ବର କମିଯାଆନ୍ତା ଯେ.....

 

ଈଶ୍ୱରଙ୍କର ଗୋଡ଼ରୁ ମୁଣ୍ଡଯାଏ କମ୍ପି ଉଠିଲା । ହରିଦାଦା ପୁଷ୍ପାକୁ ହତ୍ୟା କରିଚନ୍ତି ! ନାଗଫାଶ ବନ୍ଧନରୁ ତାଙ୍କର ମୁକ୍ତିପାଇଁ ସେ ତାକୁ ବିନା ଦୋଷରେ ଖୁନ୍ କରିଚନ୍ତି ।

 

ନା-ନା, ଏସବୁ ମିଛ କଥା । ଏତେବଡ଼ ପାପ କାମ ହରିଦାଦା କରିପାରିବେନି । ପ୍ରତିବାଦ କଣ୍ଠରେ ଚିତ୍କାର କରି ଉଠିଲେ ଈଶ୍ୱର ।

 

ଥାନାକୁ ନିଜେ ଯାଇ ଆସାମୀ ଜମାନବନ୍ଦୀ ଦେଇଚି । ନିଜ ହାତରେ ସେ ବେଶ୍ୟାକୁ ଖୁନ୍ କରିଚି । ପୋଲିସ୍ ଅଫିସର ସାମାନ୍ୟ ଉତ୍ତେଜିତ ହୋଇ କହିଲେ । ଘରର ଚାରି ଦିଗକୁ ଆଉ ଥରେ ଭଲକରି ନଜର ପକେଇ ସେ ସାହେବ ଠାଣିରେ ବାହାରକୁ ଚାଲିଗଲେ । ଈଶ୍ୱର ତାଙ୍କ ପଛେ ପଛେ ଯାଉଥାନ୍ତି । କାହିଁକି ଯାଉଥାନ୍ତି, ସେ ନିଜେ ମଧ୍ୟ ଜାଣି ନ ଥାନ୍ତି ।

 

ରାସ୍ତାରେ ଗୋଡ଼ଦେବା ମାତ୍ରକେ ପୋଲିସ୍ ଅଫିସର ମୁହଁଟାକୁ ବିକୃତକରି କହିଲେ, ତୁମକୁ ମଧ୍ୟ ଥାନାକୁ ଯିବାକୁ ହେବ । କେତେଟା ପ୍ରଶ୍ନ ଅଛି ପଚାରିବାକୁ । ଘର କାମ ଶୀଘ୍ର ତୁଟେଇ ଥାନାରେ ହାଜରା ଦେବ ।

 

ହରିଦାଦା ବର୍ତ୍ତମାନ କୋଉଠି ଅଛନ୍ତି ? ଈଶ୍ୱର ଦୁଇ ଆଖିରୁ ଲୁହର ଗଙ୍ଗାଧାର ଝରାଇ ପ୍ରଶ୍ନକଲେ ।

 

ହାଜତରେ । ମଣିଷ ମାରିଲେ କୋଉଠି ରହନ୍ତି, ତମେ କ'ଣ ଜାଣିନାହିଁ ? ଇଡ଼ିୟଟ୍....

 

ରାଗ ଗରଗରରେ ପୋଲିସ ଅଫିସର ଚାଲିଗଲେ । ଈଶ୍ୱର ସେଠାରେ କିଛି ସମୟପାଇଁ ଅଚଳ ମହାମେରୁ ପରି ଛିଡ଼ାହୋଇ ରହିଲେ ।

 

ହଠାତ୍ ଏସବୁ କ'ଣ ଘଟି ଯାଉଚି ? ୟେ' ବିପଦବେଳେ ସେ କ'ଣ କରିବେ ? କିଏ ତାକୁ ସାହାଯ୍ୟ କରିବ ? ଧୀରେ ଧୀରେ ସେ ଦମୟନ୍ତୀଙ୍କ ପାଖକୁ ଆସିଲେ । ଝିଅଟି ରାହାଧରି କାନ୍ଦୁଚି । ତଥାପି ଦମୟନ୍ତୀଙ୍କର ସେ ଦିଗକୁ ନଜର ନାହିଁ । ସେ ପଥର ପରି ନିରବ ନିପଲକ । ପାଣ୍ଡୁର ମୁହଁରେ ରକ୍ତର ଚିହ୍ନବର୍ଣ୍ଣ ନାହିଁ ।

 

ଈଶ୍ୱର ପିଲାଙ୍କ ପରି ଭୋ ଭୋ କରି କାନ୍ଦିପକାଇ କହିଲେ, ମୋ ପାପରୁ ଆମ ଉପରେ ଏ ବିପଦ ଦେଖାଦେଲା ଦମୟନ୍ତୀ । କେବଳ ମତେ ବଞ୍ଚେଇବାପାଇଁ ହରିଦାଦା ନିଜକୁ ଏମିତି ବଳିଦେଲେ ।

 

ଦମୟନ୍ତୀ ନୀରବରେ ଦୀର୍ଘଶ୍ୱାସ ଛାଡ଼ିଲେ । ତାଙ୍କର ସବୁ ଆଶା, ଆକାଂକ୍ଷା ମୁହୂର୍ତ୍ତକ ମଧ୍ୟରେ ଓଲଟପାଲଟା ହୋଇଗଲା । ହରିଦାଦା ତଣ୍ଟିଚିପି ଗୋଟାଏ ସ୍ତ୍ରୀଲୋକକୁ ହତ୍ୟାକଲେ ଶେଷରେ ?

 

ଈଶ୍ୱର ଭାରିଗଳାରେ କହିଲେ, ହରିଦାଦାଙ୍କୁ ଯେ କୌଣସି ଉପାୟରେ ବଞ୍ଚେଇବାକୁ ହେବ । ସେଥିପାଇଁ ଯେତେ ଟଙ୍କା ଖର୍ଚ୍ଚ ହେଉଛି, ହେଉ । ମୁଁ ତାଙ୍କୁ ନିଶ୍ଚୟ ଫେରେଇ ଆଣିବି ।

 

ତକିଆତଳୁ ଟଙ୍କା ଥଳିଟା ବାହାରକରି ଈଶ୍ୱରବାବୁଙ୍କ ହାତକୁ ବଢ଼େଇ ଦେଇ ଦମୟନ୍ତୀ କହିଲେ, ଏ ସବୁ ହରିଦାଦାଙ୍କର ଟଙ୍କା । ତାଙ୍କରି ଟଙ୍କାରେ ତାଙ୍କୁ ଏ ବିପଦରୁ ଉଦ୍ଧାର କର ।

 

ଈଶ୍ୱର ଆଉ ମୁହୂର୍ତ୍ତେ ଡେରି କଲେ ନାହିଁ । ଟଙ୍କା ଧରି ସେ ଚାଲିଲେ ଥାନାକୁ ।

 

ଥାନା ବାରଣ୍ଡାରେ ଗୋଡ଼ଦେବା ମାତ୍ରକେ ସେ ଦେଖିଲେ ନିର୍ଦ୍ଦେଶ ଦେଇଥିବା ପୋଲିସ୍ ଅଫିସର୍ ତାଙ୍କରି ଅପେକ୍ଷାରେ ରହିଚନ୍ତି । ଈଶ୍ୱରଙ୍କୁ ଦେଖୁ ଦେଖୁ ସେ କହିଲେ, ତୁମର ଏତେ ଡେରି ହେଲା କାହିଁକି ? ହଉ ଭିତରକୁ ଆସ....

 

କମ୍ପିତ ହୃଦୟରେ ଈଶ୍ୱର ଭିତରକୁ ଗଲେ । ଥାନାକୁ ଆସିବା ତାଙ୍କ ଭାଗ୍ୟରେ ଆଗରୁ ଜୁଟି ନଥିଲା । ଅଜାଣତରେ ତାଙ୍କ ଆଖିରେ ଲୁହ ଜକେଇ ଆସୁଥାଏ । ଥାନା ଅଫିସର କହିଲେ, ଯାହା ପଚାରିବି, ଠିକ୍ ଠିକ୍ ଉତ୍ତର ଦେବ । କିଛି ଗୁପ୍ତ ରଖିବ ନାହିଁ ।

 

ନୀରବରେ ପ୍ରଶ୍ନ ଅପେକ୍ଷାରେ ଈଶ୍ୱର ଛିଡ଼ା ହୋଇ ରହିଲେ ।

 

ହରିବାବୁ ସମ୍ପର୍କରେ ତୁମର କ'ଣ ହୁଅନ୍ତି ?

 

ଦାଦା ।

 

କ'ଣ ନିଜର ଦାଦା ?

 

ନା, ନିଜର ନୁହଁନ୍ତି । ଗ୍ରାମ ସମ୍ପର୍କରେ ।

 

ସେ ବେଶ୍ୟା ଘରକୁ ଯିବାର ତୁମେ ଜାଣିଚ ?

 

ନା, ବେଶ୍ୟା-ଘରକୁ ସେ ଯାଆନ୍ତି ନାହିଁ ।

 

ଯାଆନ୍ତି ନାହିଁ ? ତା'ହେଲେ ଖୁନ୍ କଲେ କେମିତି ?

 

ସେ କଥା ମୁଁ କହିପାରିବିନି । ବେଶ୍ୟା-ଘରକୁ ମୁଁ ଯାଉଥିଲି ।

 

ଈଶ୍ୱରଙ୍କ ଜମାନବନ୍ଦୀ ପୋଲିସ୍ ଅଫିସରେ ଖାତାରେ ଲେଖି ଚାଲିଲେ । ଈଶ୍ୱରଙ୍କ ମନର ଉତ୍କଣ୍ଠା ବେଳବେଳକୁ ବୃଦ୍ଧି ପାଇଲା । ଭୟ ବିଚଳିତ କଣ୍ଠରେ ସେ ପଚାରିଲେ, ହରିଦାଦାଙ୍କର କ'ଣ ହବ ?

 

ଫାଶୀ । ଗମ୍ଭୀର ଓ ନିର୍ବିକାର ଭାବରେ ଉତ୍ତର ଦେଲେ ପୋଲିସ୍ ଅଫିସର ।

 

ତାଙ୍କୁ କ'ଣ ବଞ୍ଚେଇ ହବନି ?

 

ଓକିଲଙ୍କୁ ଏ ପ୍ରଶ୍ନ କରିବା ଉଚିତ । କଳାକୁ ଧଳା ସେଇମାନେହିଁ କରିପାରନ୍ତି ।

 

ଜମାନବନ୍ଦୀ ଦେବାରେ ଈଶ୍ୱରଙ୍କର ଥାନା ଭିତରେ ପୂରା ଗୋଟାଏ ଘଣ୍ଟା କଟିଲା । ସେଠାରୁ ମୁକ୍ତିପାଇ ଈଶ୍ୱର ଧାଇଁଲେ କଚେରି ରୋଡ଼ରେ ଥିବା ନାମଜାଦା ଓକିଲ ପ୍ରବୀର ବାବୁଙ୍କ ପାଖକୁ ! ସହରରେ ତାଙ୍କର ସୁନାମ ଅଛି । ତାଙ୍କରି ଶରଣାପନ୍ନ ହେଲେ ସେ ହୁଏତ କିଛି କରିପାରନ୍ତି ।

 

ପ୍ରବୀରବାବୁ ଘଟଣାର ବିବରଣୀ ଶୁଣିଲେ । ସାମାନ୍ୟ ନୀରବ ରହିଲା ପରେ ହତାଶିଆ କଣ୍ଠରେ ସେ କହିଲେ, ବଡ଼ ଦୁଃଖର କଥା । ତୁମ ହରିଦାଦାଙ୍କୁ ବଞ୍ଚେଇବା ବଡ଼ କଷ୍ଟକର-। ତେବେ ହରିବାବୁ ଯେବେ କୋର୍ଟରେ କହିବେ ଯେ ନିଶାଜୋରରେ ସେ ପୁଷ୍ପାର ତଣ୍ଟିଚିପି ଦେଇଛନ୍ତି ତେବେ ଶାସ୍ତିଟା ହୁଏତ କିଛି ଅଂଶରେ କମିଯାଇ ପାରେ ।

 

ଆପଣ ଭାବିଲେ ସବୁ କରିପାରିବେ ବାବୁ । ଆମକୁ ଏ ବିପଦରୁ ରକ୍ଷା କରନ୍ତୁ । ଈଶ୍ୱର ପ୍ରବୀରବାବୁଙ୍କର ଗୋଡ଼ଧରି ପକେଇଲେ । ଏଭଳି ପରିସ୍ଥିତ ପ୍ରବୀରବାବୁଙ୍କର ଜୀବନରେ ପ୍ରଥମ-। ଯେ ସାମାନ୍ୟ ବିଚଳିତ ହୋଇ ପଡ଼ିଲେ । ସେ କହିଲେ, ଏ କେଶ୍‍ରେ କିନ୍ତୁ ଅନେକ ଟଙ୍କା ଖର୍ଚ୍ଚ ହେବ ।

 

କେତେ ଟଙ୍କା ଲାଗିବ ବାବୁ ?

 

ପ୍ରଥମଦିନ ଦୁଇଶହ ଟଙ୍କା । ତା'ପରେ ମକଦ୍ଦମା ଅଗ୍ରଗତି ଦେଖି ଟଙ୍କାର ପରିମାଣ ବଢ଼ିବ ।

 

ପକେଟରୁ ଦୁଇଶହ ଟଙ୍କା ବାହାର କରି ଓକିଲଙ୍କ ଟେବୁଲ ଉପରେ ରଖିଲେ ଈଶ୍ୱର । ପୂର୍ବପରି ଥର ଥର ଗଳାରେ ସେ କହିଲେ, ପ୍ରଥମ ପାଉଣା ଦୁଇଶ ଟଙ୍କା ଦେଲି ବାବୁ । ଆଉ ଯେତେଟଙ୍କା ଲାଗିବ ମୁଁ ଦେବି । ଆପଣ ମୋର ହରିଦାଦାଙ୍କୁ ମୁକୁଳେଇ ଆଣନ୍ତୁ ।

 

ହରିଦାଦାଙ୍କୁ ନରହତ୍ୟା ମକଦ୍ଦମାରୁ ମୁକୁଳେଇବାପାଇଁ ପ୍ରବୀରବାବୁ ପ୍ରକୃତରେ ଆପ୍ରାଣ ଚେଷ୍ଟାକଲେ । ସାକ୍ଷୀ ଯୋଗାଡ଼ କଲେ । କିନ୍ତୁ ସବୁ ଚେଷ୍ଟାକୁ ପଣ୍ଡ କରିଦେଲେ ହରିଦାଦା ନିଜେ ।

 

ଗୋଟାଏ ଦିନରେ ହତ୍ୟା ମୋକଦ୍ଦମାର ନିଷ୍ପତ୍ତି ହୋଇଗଲା । କାଠଗଡ଼ା ଭିତରେ ଛିଡ଼ାହୋଇ ସେ ନିଃଶଙ୍କ ଚିତ୍ତରେ କହିଲେ, ମୁଁ ନିଶାଖାଇ ବେ-ହୁସିଆର ହୋଇ ନଥିଲି ଧର୍ମାବତାର । ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ମୋ ନିଜ ଇଚ୍ଛାରେ ପୁଷ୍ପାର ତଣ୍ଟିଚିପି ମୁଁ ତାକୁ ହତ୍ୟା କରିଚି-

 

କିନ୍ତୁ ତଣ୍ଟିଚିପି ତୁମେ ତାକୁ କାହିଁକି ମାରିଲ ? ପ୍ରଶ୍ନ କରିଥିଲେ ସରକାର ପକ୍ଷର ଓକିଲ-

 

ପରୀକ୍ଷା କରୁଥିଲି......ତଣ୍ଟିଚିପି ଗୋଟାଏ ସ୍ତ୍ରୀଲୋକକୁ ମାରି ହେଉଚି କି ନାହିଁ ? ହରିଦାଦାଙ୍କର ସ୍ପଷ୍ଟ ଉତ୍ତର ।

 

ୟା'ପାରେ ଆଉ କାହାର କିଛି କହିବାର ନାହିଁ ।

 

ହାକିମ ହରିଦଦାଙ୍କୁ ଫାଶୀ ହୁକୁମ ଦେବା ପୂର୍ବରୁ ପଚାରିଲେ, ତୁମର କ'ଣ କହିବାର ଅଛି ?

 

ଫାଶୀ ଆଦେଶ ଯେତେଶୀଘ୍ର ପାରନ୍ତି ଦିଅନ୍ତୁ । ଦୁନିଆ ମତେ ଆଉ ଭଲ ଲାଗୁନାହିଁ । ଶୀଘ୍ର ଚାଲିଯିବାକୁ ଇଚ୍ଛା ।

 

କୋର୍ଟଭିତରେ ରଡ଼ିବୋବାଳି ପକାଇଲେ ଈଶ୍ୱର । ସେଦିନ ନିଜ ଛାତିକୁ ବିଧାମାରି, ନିଜ ମୁଣ୍ଡର ବାଳଟାଣି କୋର୍ଟଭିତରେ ଏକ ଅଭୂତପୂର୍ବ କାଣ୍ଡ କରିଥିଲେ ଈଶ୍ୱର । ଯେ'ତାକୁ ସାନ୍ତ୍ୱନା ଦେବାକୁ ଆସିଥିଲେ, ଦୁଇହାତରେ ସେମାନଙ୍କୁ ସେ ଦୂରକୁ ଠେଲି ଦେଇଥିଲେ । ଟେବୁଲ ଉପରେ ମୁହଁମାଡ଼ି ସେ କେବଳ ବଡ଼ ପାଟିରେ କାନ୍ଦି କାନ୍ଦି କହୁଥିଲେ, ହରିଦାଦା ! ହରିଦାଦା !!

 

ଆପଣଙ୍କୁ ସାହାଯ୍ୟ କରିପାରେ ସାର୍ ? ଅଜନ୍ତା ହୋଟେଲ୍‍ର ମ୍ୟାନେଜର ଅତି ସଙ୍କୋଚରେ ପ୍ରଶ୍ନକଲେ ।

 

ଟେବୁଲ୍ ଉପରେ ଝୁଙ୍କି ପଡ଼ିଥିଲେ ଈଶ୍ୱର ପଟ୍ଟନାୟକ । ମନକୁମନ ସେ କେତେ କ'ଣ କହି ଯାଉଥିଲେ । ହୋଟେଲ ବଏ ତାଙ୍କର ଏ ଅବସ୍ଥା ଦେଖି ମ୍ୟାନେଜରଙ୍କୁ ଚଟାପଟ ଖବର ଦେଇଥିଲା । ମ୍ୟାନେଜର ଆସି ଦେଖିଲେ, ପ୍ରକୃତରେ ଈଶ୍ୱରବାବୁ ଟେବୁଲ ଉପରେ ଝୁଙ୍କି ପଡ଼ିଛନ୍ତି । ଅତିରିକ୍ତ ପାନୀୟର ପ୍ରତିକ୍ରିୟା ଭାବି ମ୍ୟାନେଜର ସାହାଯ୍ୟ ଦେବାପାଇଁ ନିବେଦନ ଜଣେଇଲେ ।

 

ନା, ଧନ୍ୟବାଦ । ପ୍ରକୃତିସ୍ଥ ହେବାକୁ ଚେଷ୍ଟାକଲେ ଈଶ୍ୱର ପଟ୍ଟନାୟକ । ରୁମାଲରେ ଭଲକରି ମୁହଁଟା ପୋଛିଦେଇ ଆଦେଶ ଦେଲେ, କିଛି ଖାଇବା ଜିନିଷ ପଠା ।

 

ଖାଇବାପାଇଁ ଦାମିକା ଡିସ୍‍ ସଙ୍ଗେ ସଙ୍ଗେ ଆସିଲା । ଈଶ୍ୱର ପଟ୍ଟନାୟକ ମଧ୍ୟାହ୍ନ ଭୋଜନ ହୋଟେଲରେ ଶେଷକରି ଘରକୁ ଫେରିବାର ଉପକ୍ରମ କଲେ……

 

ପାଞ୍ଚ

 

ଇଜିଚେଆରରେ ବିଶ୍ରାମ ନେଉଥିଲେ ଈଶ୍ୱର ପଟ୍ଟନାୟକ । ମୁଣ୍ଡ ପାଖରେ ଛିଡ଼ା ହୋଇଥାଏ ନୟନା । ପଶ୍ଚିମ ଆକାଶରେ ସୂର୍ଯ୍ୟ ବୁଡ଼ି ଯାଉଥିଲେ ମୁଠାଏ ଫଗୁ ଛାଡ଼ିଦେଇ । ଅସ୍ତଗାମୀ ସୂର୍ଯ୍ୟଙ୍କୁ ବେଶ୍ ତନ୍ମୟରେ ଦେଖୁଥିଲେ ଈଶ୍ୱର ପଟ୍ଟନାୟକ ।

 

କିଛି ସମୟ ପରେ ନୟନା ପଚାରିଲା, ମତେ କାହିଁକି ଡାକିଥିଲେ ବାପା ??

 

ହଁ ମା’, ମୋର କିଛି ପଚାରିବାର ଅଛି ।

 

ନୀରବରେ ଅପେକ୍ଷା କଲା ନୟନା । ମତେ ତୁ ଘୃଣା କରୁନା ମା' ?

 

ଈଶ୍ୱର ପଟ୍ଟନାୟକଙ୍କର ନୟନାପ୍ରତି ପ୍ରଥମ ପ୍ରଶ୍ନ । ଏ ପ୍ରକାର ପ୍ରଶ୍ନ ଶୁଣି ନୟନା ଆଶ୍ଚର୍ଯ୍ୟହେବା ସଙ୍ଗେ ସଙ୍ଗେ ବିବ୍ରତ ହୋଇ ପଡ଼ିଲା । ଏ ଧରଣର ପ୍ରଶ୍ନ କୌଣସି ଝିଅ ତାଙ୍କ ଜନ୍ମଦାତାଙ୍କ ପାଖରୁ ଶୁଣିବା ମଧ୍ୟ ଶୁଭସୂଚକ ନୁହେଁ ।

 

ଆପଣ ଏ କ'ଣ କହୁଚନ୍ତି ବାପା ? ନୟନା ଆଶ୍ଚର୍ଯ୍ୟରେ କହିଲା ।

 

ଉଦୟ ପ୍ରତିଦିନ ରାତି ଅଧରେ ଘରକୁ ଫେରେ । ଏ କଥା ତୁ ଜାଣି ସୁଦ୍ଧା ମତେ କାହିଁକି କହି ନାହୁଁ ?

 

ଶୁଣିଲେ ଆପଣଙ୍କ ମନରେ କଷ୍ଟ ହେବ ବୋଲି ମୁଁ କହି ନଥିଲି ।

 

ଆଜି ଯେତେ ରାତି ହେଉ, ଉଦୟ ଫେରିଲେ ମୋ ପାଖକୁ ପଠେଇଦେବୁ ।

 

ହଁ ବାପା, ପଠେଇ ଦେବି ।

 

ନୟନା ଯିବାପାଇଁ ଉଦ୍ୟତ ହେଲା । ଯାଆନା ମା । ମୋର ଆଉରି ପ୍ରଶ୍ନ ଅଛି । ଈଶ୍ୱର ପଟ୍ଟନାୟକଙ୍କ କଣ୍ଠରେ ଆଦେଶ ପରିବର୍ତ୍ତେ ଥିଲା ଅନୁଯୋଗ ।

 

ନୟନା ପୁଣି ଅପେକ୍ଷା କଲା । ଟିକିଏ ପରେ ଈଶ୍ୱର ପଟ୍ଟନାୟକ ପଚାରିଲେ, ପ୍ରଭାତୀ ଦାସ ନାଁରେ ତୁ କୌଣସି ଝିଅକୁ ଜାଣୁ ?

 

ନା, ପ୍ରଭାତୀ ମୋର ଆଦୌ ଜଣାଶୁଣା ନୁହେଁ ।

 

ପ୍ରକୃତରେ ତୁ ତାକୁ ଜାଣିନାହୁଁ ? ନାଁ, ଜାଣି ମଧ୍ୟ କହିବାକୁ ନାରାଜ ?

 

ସତ କହୁଚି ବାପା, ମୁଁ ତାକୁ ଚିହ୍ନି ନାହିଁ । ସାମାନ୍ୟ ଜୋରଦେଇ ନୟନା ଏଥର ବୁଝେଇବାକୁ ଚେଷ୍ଟା କଲା ।

 

ଘଟଣା କ'ଣ ହେଇଚି ବାପା ? ପ୍ରଭାତୀ କ'ଣ କଲା ?

 

ସେ ମୋର ଅହଙ୍କାରକୁ ମାଟିରେ ମିଶେଇ ଦେଇଛି ମା', ମୁଁ ହାରିଯାଇଚି ତା' ନିକଟରେ ।

 

ଆପଣ ହାରି ଯାଇଚନ୍ତି ??

 

ଆଶ୍ଚର୍ଯ୍ୟ ଗଳାରେ ପ୍ରଶ୍ନ କଲା ନୟନା । ଏ ସହରରେ ଏମିତି ଝିଅ ବି ଅଛନ୍ତି ଯେ' କି ତା'ର ବାପାଙ୍କ ଦମ୍ଭ, ଅହଙ୍କାରକୁ ଚୁନା କରି ଦେଇପାରେ ?

 

ଈଶ୍ୱର ପଟ୍ଟନାୟକ ପୁଣି କହିଲେ, ପ୍ରଭାତୀ ଜିତିଗଲା ନୟନା । ସେ କହିଚି....ନିଜର ଝିଅକୁ ଯେବେ ଶାଢ଼ି ଗହଣା ପିନ୍ଧେଇ ପାରିବେ, ତେବେ ଆପଣଙ୍କର ଜୟ ହେବ ।

 

ମୁଁ ଶାଢ଼ି ଗହଣା ପିନ୍ଧିବି ? ଚିହିଁକି ଉଠିଲା ନୟନା । କାହିଁକି ଏ ପାପ କଥା କହୁଚନ୍ତି ବାପା ??

 

ମୋ ପାପର ସୀମା ନାହିଁ ଝିଅ । ତେବେ ଶାଢ଼ି ପିନ୍ଧିଲେ ତୋର କାହିଁକି ପାପ ହବ କହିଲୁ ? ବୟସ ତ ତୋର ଖୁବ୍ କମ୍ ।

 

ଏ ଆଲୋଚନା ନୟନାକୁ ସୁଖ ଲାଗିଲା ନାହିଁ । ଜଣେ ପୋଖତ ଦାର୍ଶନିକ ଭଳି ସେ କହିଲା, ବାପା ! ଜୀବନରେ ଅନେକ ଜିନିଷ ବୟସ, ମାପକାଠିରେ ବିଚାର ହୁଏନି । ସନ୍ତାନ ଜନ୍ମ ପରେ ପନ୍ଦର ବର୍ଷର ଝିଅ ଯେମିତି ମାଆ ହୋଇପାରୁଚି, ତିରିଶି ବର୍ଷର ସ୍ତ୍ରୀଲୋକ ମଧ୍ୟ ସେମିତି ମାଆ ହେଉଚି । ବୟସର ତାରତମ୍ୟ ସେଠାରେ ଦେଖାଯାଏ ନାହିଁ ବାପା । ଠିକ୍ ସେମିତି ଯିଏ ଥରେ ବିଧବା ହୁଏ, ସେ ବିଧବା ହୋଇ ରହେ । ବୟସର ସୀମାରେଖା ସେଠାରେ ଆଦୌ ନ ଥାଏ ।

 

ମୁଁ ଯେବେ ତତେ ଆଉ ଥରେ ବିବାହ ଦିଏ ?

 

ସେ କଥା ଆଉ ସମ୍ଭବ ନୁହେଁ ବାପା ?

 

କାହିଁକି ନୁହେଁ ନୟନା ?

 

ଜୀବନରେ ବିବାହାଲଗ୍ନ ଥରକପାଇଁ ଆସେ ବାପା । ମୁଣ୍ଡରୁ ସିନ୍ଦୁର ଲିଭିଗଲେ ତାକୁ ଆଉ ଫେରେଇ ଆଣିହୁଏ ନାହିଁ । ଦ୍ୱିତୀୟ ବିବାହ ପାଶବିକ ମିଳନ ଛଡ଼ା ଆଉ କିଛି ନୁହେଁ ।

 

ଈଶ୍ୱର ପଟ୍ଟନାୟକ ବିସ୍ମୟରେ ଚାହିଁ ରହିଲେ ନୟନାର ମୁହଁକୁ । ଗତାୟୁ ସୂର୍ଯ୍ୟର ଅବିରବୋଳା ରଙ୍ଗରୁ କିଛି ଅଂଶ ନୟନା ମୁହଁକୁ ଛିଟିକି ଆସିଚି । ଈଶ୍ୱରବାବୁଙ୍କ ଆଖିରେ ନିଜର ସନ୍ତାନ ଆଜି ଅଚିହ୍ନାପରି ବୋଧ ହେଉଚି ।

 

କିନ୍ତୁ ବିଧବା ବିବାହର ପ୍ରଚଳନ ଏ ଦେଶରେ ଅଛି ନୟନା । କେତେ ଝିଅ ଦ୍ୱିତୀୟ ବିବାହ କରି ସୁଖରେ ସମୟ କାଟୁଚନ୍ତି । ....ଈଶ୍ୱର ପଟ୍ଟନାୟକ ଯୁକ୍ତି ଛଳରେ ପୁଣି କହିଲେ ।

 

ବିଧବାହେବା ପରେ ବିବାହ ନ କରିବା ସଂଖ୍ୟା ବେଶି ବାପା । କଦବା କ୍ୱଚିତ୍ କିଏ ସିନା ଭୁଲ୍ ବାଟରେ ଯାଇ ବିବାହ କରୁଥିବ । ହେଲେ ପୁଣି ବିଧବା ଯେବେ ହାତରେ ଶଙ୍ଖା ଲଗାଏ, ତେବେ ଭଗବାନଙ୍କ ଦରବାରରେ ତାକୁ ଚରମ ଶାସ୍ତି ମିଳେ । ଇହଲୋକରେ ତା'ର ସବୁଠୁ ବେଶି କ୍ଷତି ହୁଏ । କଥାର ଶେଷ ଆଡ଼କୁ ନୟନା ଉତ୍ତେଜିତ ହେଲାପରି ଜଣା ପଡ଼ୁଥିଲା ।

 

କ୍ଷତିର ପ୍ରଶ୍ନ ନାହିଁ ମାଆ । ତୁ କାହିଁକି ଏତେ କଥା ଚିନ୍ତା କରୁଚୁ ?

 

ମଣିଷ ଆଉ ପଶୁ ଭିତରେ ପ୍ରଭେଦ ଅଛି ବାପା । ସେ କେବଳ ଖାଇ ପିଇ ସୁଖରେ ରହିବାପାଇଁ ସଂସାରକୁ ଆସି ନାହିଁ । ତା'ର ମନ ଅଛି, ଚିନ୍ତା ଅଛି, ଧର୍ମ ଅଛି ।

 

ଥରେ ତର୍କ ଆରମ୍ଭ ହେଲେ ଈଶ୍ୱର ପଟ୍ଟନାୟକ ସହଜରେ ନିରବ ହୁଅନ୍ତି ନାହିଁ । ସଂସ୍କାରଧର୍ମୀ ମନ ତାଙ୍କର ନୟନା କଥାରେ ତୃପ୍ତି ଲାଭ କଲା ନାହିଁ । ସେ ପୁଣି କହିଲେ, ସମାଜରେ ପରିବର୍ତ୍ତନ ଆଣିବା ଦରକାର । ଭଗବାନ, ଧର୍ମ ଏ ସବୁକୁ ସ୍ୱୀକାର କରି ତୁ କାହିଁକି ତୋ ଜୀବନକୁ ସଙ୍କୁଚିତ କରିଦେବାକୁ ବସିଚୁ ?

 

ନୟନା ମଧ୍ୟ ଯୁକ୍ତି କରିବାରେ ଆଜି ଶତମୁଖର । ବାପାଙ୍କ ସଙ୍ଗେ ସେ ସମାନ ତାଳ ଦେଇ ତର୍କ କରି ଚାଲିଚି । ସେ କହିଲା, ଜୀବନର ମୂଳ ଘଟଣା କେତେବେଳେ ଦ୍ଵିତୀୟ ଥରପାଇଁ ଘଟେ ନାହିଁ । ଘଟିପାରେ ନା ମଧ୍ୟ । ମଣିଷ ଜନ୍ମ ହେଉଚି ଥରକ ପାଇଁ, ମରୁଚି ମଧ୍ୟ ଥରକପାଇଁ । ତେବେ ବିବାହ କାହିଁକି ଦୁଇଥର କରିବ ?

 

ଜନ୍ମ, ମୃତ୍ୟୁ ସଙ୍ଗେ ବିବାହକୁ କାହିଁକି ସମାନ କରୁଚୁ ନୟନା ? ପ୍ରଥମ ବିବାହକୁ ଅସ୍ୱୀକାର କରାଯାଇପାରେ । ସେଥିପାଇଁ ଉପାୟ ମଧ୍ୟ ଅଛି ।

 

ଦୃଢ଼ କଣ୍ଠରେ ଏ କଥାର ପ୍ରତିବାଦ ଜଣାଇଲା ନୟନା । ସେ କହିଲା, ପ୍ରଥମ ବିବାହକୁ ଅସ୍ୱୀକାର କରାଯାଇ ନ ପାରେ । ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଯୁଗ ଯୁଗପାଇଁ । ଜଣକର ସ୍ମୃତି ଅନ୍ୟ ଜଣକ ନିକଟରେ ଅତି ମୂଲ୍ୟବାନ ।

 

ପ୍ରଥମ ସ୍ୱାମୀକୁ ମନରୁ ପାଶୋରି ଦେଲେ ସବୁ ଅସୁବିଧା ଦୂର ହୋଇପାରିବ....ଈଶ୍ୱର ପଟ୍ଟନାୟକଙ୍କର ଅଭିନବ ଯୁକ୍ତି ।

 

ମନରୁ ପାଶୋରିଦେବା ଯୁକ୍ତିଟା ଆତ୍ମ ପ୍ରବଞ୍ଚନା ହେବ । ନିଜ ନିକଟରେ ଏକ ଅର୍ଥହୀନ ଯୁକ୍ତି ଛଡ଼ା ଆଉ କିଛି ନୁହେଁ । ଜୀବନରେ କିଏ କାହାକୁ ଭୁଲିପାରନ୍ତି ନାହିଁ ।

 

ମୁଁ ତ ଅନେକ ଲୋକଙ୍କୁ ଭୁଲିପାରିଚି ନୟନା....ଈଶ୍ୱରବାବୁ କିପରି ଏକ ଉଦାସ ଭଙ୍ଗୀରେ କହିଲେ ।

 

ସେଇଟା ଆପଣଙ୍କର ବୃଥା ଆତ୍ମସନ୍ତୋଷ । ପ୍ରକୃତରେ ଆପଣ କାହାକୁ ଭୁଲି ନାହାନ୍ତି, କି ଭୁଲିପାରିବେ ନି । ଜୀବନରେ କାହାକୁ ମନେ ରଖିଚନ୍ତି ବୋଲି ସ୍ୱୀକାର କରୁନାହାନ୍ତି ଆପଣ । କିନ୍ତୁ ଏଇ ଅସ୍ୱୀକାର ହିଁ ହେଲା ସବୁଠାରୁ ବଡ଼ ପ୍ରମାଣ ଯେ ଆପଣ ପ୍ରତ୍ୟେକଙ୍କୁ ଗୋଟି ଗୋଟି କରି ମନେ ରଖିଚନ୍ତି । ସ୍ମୃତି ଏବଂ ଅସ୍ୱୀକାରର ଦ୍ଵନ୍ଦ୍ୱ ଭିତରେ ଝୁଲୁଚନ୍ତି ବୋଲି ଆପଣଙ୍କ ମନରେ ଏତେ ଯନ୍ତ୍ରଣା ।

 

ଯନ୍ତ୍ରଣା ? ଈଶ୍ୱରବାବୁ ହସିଲେ । କିଏ କହିଲା ମୁଁ ଯନ୍ତ୍ରଣା ଭୋଗୁଚି ?

 

ଯନ୍ତ୍ରଣା କଥା କହିବା ଦରକାର ହୁଅନାହିଁ । ଦେଖିବା ମାତ୍ରକେ ଜାଣିହୁଏ । ମୁଁ ପ୍ରତିଦିନ ଦେଖୁଚି, ଆପଣ ମାନସିକ ଯନ୍ତ୍ରଣାରେ କଷ୍ଟ ଭୋଗୁଚନ୍ତି ।

 

ନୟନା କଥାର ଉତ୍ତର ଦେବାକୁ ଯାଉଥିଲେ ଈଶ୍ୱରବାବୁ । କିନ୍ତୁ କହି ପାରିଲେ ନାହିଁ । ବାହାରେ ମଟରହର୍ଣ୍ଣ ଶୁଣାଗଲା । ନୟନା କହିଲା, ଏଇତ ଉଦୟ ଆସିଲାଣି । ମୁଁ ତାକୁ ଆପଣଙ୍କ ପାଖକୁ ପଠେଇ ଦଉଚି ।

 

ତୁ ମଧ୍ୟ ଆସିବୁ । ଆହୁରି କଥା ଅଛି ।

 

ନୟନା ଚାଲିଗଲା । ଈଶ୍ୱରବାବୁ ଏକା ବସି ରହିଲେ ପଶ୍ଚିମ ଆକାଶରୁ ସୂର୍ଯ୍ୟ ଦିଗ୍‍ବଳୟର ତଳକୁ ଚାଲିଗଲେଣି । ରାତ୍ରିର ଅନ୍ଧକାର କ୍ରମଶଃ ନଇଁ ଆସୁଚି ପୃଥିବୀ ଉପରେ ।

 

ବାପା, ଆପଣ ମତେ ଡକେଇଥିଲେ ? ଚଞ୍ଚଳ ପଦକ୍ଷେପରେ ପ୍ରବେଶ କରି ପ୍ରଶ୍ନକଲା ଉଦୟ ।

 

ହଁ, ଡକେଇଥିଲି । ବସ୍ ଏଇଠି ।

 

ପାଖରେ ପଡ଼ିଥିବା ବେଞ୍ଚଉପରେ ଉଦୟ ଦୋ-ଦୋପାଞ୍ଚ ହୋଇ ବସିଲା ।

 

ଖୁବ୍ ବ୍ୟସ୍ତ ଥିଲାପରି ଜଣା ପଡ଼ୁଚୁ ? ....ଈଶ୍ୱର ବାବୁଙ୍କର ପ୍ରଶ୍ନରେ ପ୍ରଚ୍ଛନ୍ନ ବିଦ୍ରୂପ ।

 

ହଁ ବାହାରେ ଗୋଟେ କାମ ଥିଲା । ସଙ୍ଗେ ସଙ୍ଗେ ଉତ୍ତର ଦେଲା ଉଦୟ ।

 

କେତେବେଳେ ଫେରିବୁ ?

 

ଶୀଘ୍ର ଫେରି ଆସିବି । ବାପାଙ୍କଠାରୁ ବିଦାୟ ନେବାପାଇଁ ଉଦୟ ବ୍ୟସ୍ତ ହୋଇ ଉଠିପଡ଼ିଲା ।

 

ହଁ, ଶୁଣ । ପ୍ରଭାତୀ ଦାସ କିଏ ?

 

ଈଶ୍ୱର ବାବୁଙ୍କଠାରୁ ଏ ପ୍ରଶ୍ନଟା ଉଦୟ ଆଦୌ ଆଶାକରି ନଥିଲା ଶୁଣିବାକୁ । ତା'ର ଅନ୍ତର ହଠାତ୍ ଥରି ଉଠିଲା ।

 

ତାକୁ ତୁ ଜାଣୁ ? ବାପାଙ୍କର ଦ୍ଵିତୀୟ ପ୍ରଶ୍ନବାଣ ।

 

ହଁ ଜାଣେ । ଅତି ନମ୍ରଭାବରେ ଉତ୍ତର ଦେଲା ଉଦୟ ।

 

ପ୍ରଭାତୀ ଦାସ ତୋ ବିଷୟରେ କେତେକ ଟିପ୍‍ପଣୀ ଦେଇଗଲା ।

 

ଉଦୟ ନୀରବ । ସେ ଜାଣେ ପ୍ରଭାତୀ କ'ଣ କହିଥିବ ବାପାଙ୍କୁ ।

 

ଦେଖ୍ ଉଦୟ । ମୋର ଆଉ ଶକ୍ତି ନାହିଁ କି ସାମର୍ଥ୍ୟ ନାହିଁ । ଚାହୁଁ ଚାହୁଁ ପଚାଶ ପୂରିଗଲା । ଏଣିକି ତୋ' ଦାୟିତ୍ୱରେ ସବୁ ଛାଡ଼ିଦେଇ ମୁଁ ଛୁଟି ନେବାକୁ ଚାହେଁ । ....ଈଶ୍ୱର ବାବୁଙ୍କର କଣ୍ଠସ୍ୱର ଅତି ନିର୍ଲିପ୍ତ ।

 

ମୋ ଉପରେ ଦାୟିତ୍ୱ ଦେବେ ? କିନ୍ତୁ ମୁଁ ତ ଏତେ ବଡ଼ ବ୍ୟବସାୟ ଚଳେଇ ପାରିବି ନି ।

 

ଭୟ କାହିଁକି କରୁଚୁ ଉଦୟ । ମୋ ପରେ ଏ ସବୁ ଜଞ୍ଜାଳ ତତେ ତ ମୁଣ୍ଡେଇବାକୁ ପଡ଼ିବ ।

 

ନା-ନା, ମତେ ଆପଣ ସେ ଦାୟିତ୍ୱ ଦିଅନ୍ତୁ ନାହିଁ.....ଏତିକି କହି ଉଦୟ ବାହାରକୁ ଚାଲିଯିବାକୁ ଚେଷ୍ଟା କରୁଥିଲା ।

 

ଶୁଣି ଯା' ଉଦୟ । ବାପାଙ୍କର ଆହ୍ୱାନରେ ଉଦୟ ପୁଣି ଫେରିଲା । ଈଶ୍ୱରବାବୁ ପୁଣି ନିର୍ଦ୍ଦେଶ ଦେଲେ ବସିବାକୁ । ଇଚ୍ଛା ନ ଥିଲେ ମଧ୍ୟ ଉଦୟ ବସିରହିବାକୁ ବାଧ୍ୟ ହେଲା । ଟିକିଏ ପରେ ଈଶ୍ୱରବାବୁ କହିଲେ, ନୟନାକୁ ମୁଁ ପୁଣି ଥରେ ବାହା ଦେବାକୁ ଚାହେଁ । ତୋର ମତ କ'ଣ-?

 

ବାପାଙ୍କ କଥା ଶୁଣି ଉଦୟ ଆଶ୍ଚର୍ଯ୍ୟ ହେଲା । ସେ ନିଜେ ତା'ର ଅପାକୁ କେତେଥର ବିଧବା ବିବାହ କଥା କହିଚି । କିନ୍ତୁ ଉତ୍ତରରେ ତା' ଅପା କୁହେ, ସେ କଥା କହନାରେ । ସେ କଥା ଶୁଣିଲେ ମଧ୍ୟ ପାପ । ....ଆଜି ବାପା କେମିତି ଏ ପ୍ରସ୍ତାବ ଦେଉଚନ୍ତି ? ସେ କ'ଣ ତେବେ ଅପାର ସ୍ୱୀକୃତି ପାଇଚନ୍ତି ?

 

ଏହା ଭିତରେ ନୟନା ମଧ୍ୟ ଆସି ଟିକିଏ ଦୂରରେ ଛିଡ଼ା ହୋଇଥିଲା । ଉଦୟ ଚେଷ୍ଟାକଲା ଅପାର ମୁହଁକୁ ଚାହିଁବାକୁ । କିନ୍ତୁ ଅନ୍ଧାରଯୋଗୁ ମୁହଁର ଭାବ ଠିକ୍ ଜାଣି ପାରିଲାନି । ଶ୍ୱେତବସ୍ତ୍ର ପରିହିତା ନୟନା ବୋଧହୁଏ ନୀରବରେ ଅଶ୍ରୁ ବିସର୍ଜନ କରୁଥିଲା ସେତେବେଳେ ।

 

ଅପାର ଯେବେ ମତ ଥାଏ, ତେବେ ମୋର ଆପତ୍ତି ନାହିଁ....ଉଦୟ ଭାବି-ଚିନ୍ତି ଉତ୍ତର ଦେଲା ।

 

ଏ କଥା ତୁ ମନ ଖୋଲି କହୁଚୁ ?

 

ହଁ, ମନଖୋଲି କହୁଚି । ଅପା ସୁଖୀ ହେଲେ ମୁଁ ସବୁଠାରୁ ବେଶି ସୁଖୀ ହେବି ।

 

ତା' ସଙ୍ଗେ ସଙ୍ଗେ ମୁଁ ତତେ ମଧ୍ୟ ବିବାହକରି ଦେବାକୁ ଚାହେଁ....ଈଶ୍ୱରବାବୁଙ୍କ କଣ୍ଠର ଦୃଢ଼ତା ଜଣା ପଡ଼ୁଥିଲା ।

 

ମୋ’ର ବିବାହ ?

 

ହଁ, ଏଥିରେ ଚମକି ଉଠୁଚୁ କାହିଁକି ? ତୋ ବୟସରେ ମୁଁ ବାହାହେଇ ଦୁଇଟି ସନ୍ତାନର ପିତା ମଧ୍ୟ ହୋଇ ସାରିଥିଲି ।

 

ସେ ଯୁଗ ଚାଲିଯାଇଚି ବାପା । ମୋର ବିବାହର ସମୟ ଆସିଲେ, ମୁଁ ନିଜେ ଆପଣଙ୍କର ଅନୁମତି ଲୋଡ଼ିବି ।

 

ସେ ସବୁ କଥା ମୁଁ ଶୁଣିବାକୁ ଚାହେଁନା । ତୋପାଇଁ କନ୍ୟା ପାତ୍ରୀ ଠିକ୍ କରିବାକୁ ମୁଁ କାଲିଠୁ' କାମ ଆରମ୍ଭ କରିଦେଇଚି ।

 

ଆପଣଙ୍କ କାମରେ ବାଧାଦେବାର କ୍ଷମତା ମୋର ନାହିଁ । ତେବେ ମୁଁ ଏତିକି କହିରଖୁଚି, ଆପଣଙ୍କ ମନୋନୀତ କନ୍ୟାକୁ ମୁଁ ହୁଏତ ବିବାହ କରି ନ ପାରେ ।

 

ଈଶ୍ୱରବାବୁଙ୍କଠାରୁ କୌଣସି ଉତ୍ତର ଶୁଣିବା ପୂର୍ବରୁ ଉଦୟ ସେ ଜାଗା ଛାଡ଼ି ଚାଲିଗଲା-। ଈଶ୍ୱରବାବୁ ଇଜି ଚେଆରରେ ସେମିତି ପଡ଼ି ରହିଥିଲେ । ପୁଅ ଅବାଧ୍ୟ ହୋଇ ଉଠିଚି-। ଅବାଟରେ ଗୋଡ଼ ଦେଇଚି । ତାକୁ ଶାସନରେ ରଖିବାକୁ ହେବ । ପ୍ରଭାତୀ ଉଦୟକୁ ତାଙ୍କ ପାଖରୁ ଦୂରେଇ ନେଉଚି । ଉଦୟର ବିଦ୍ରୋହ ମୂଳରେ ରହିଛି ପ୍ରଭାତୀର ପ୍ରେରଣା । ସେ ଈଶ୍ୱରବାବୁଙ୍କୁ ସ୍ପଷ୍ଟ ଜଣେଇ ଦେଇ ଯାଇଚି ଯେ ପରାଜୟର ଦିନ ନିକଟେଇ ଆସୁଚି । ପ୍ରଭାତୀ ଜାଣେ, ଉଦୟ ନିକଟରେ ଈଶ୍ୱର ପଟ୍ଟନାୟକ ନିଶ୍ଚୟ ଦିନେ ହରିବେ ।

 

କିନ୍ତୁ ଈଶ୍ୱରବାବୁ ଏ ଘଟଣାର ପୂର୍ଣ୍ଣଚ୍ଛେଦ ଟାଣିବାକୁ ଚାହାନ୍ତି । ତାଙ୍କର ସମସ୍ତ ସମ୍ପଦ ଓ ଐଶ୍ୱର୍ଯ୍ୟ ବଦଳରେ ସେ ପ୍ରଭାତୀକୁ ଉପଯୁକ୍ତ ଶିକ୍ଷା ଦେବାକୁ ଚାହାନ୍ତି । ସହରର ସବୁଠାରୁ ଗୁଣବତୀ ଓ ରୂପବତୀ କନ୍ୟାକୁ ସେ ବୋହୂ କରି ଘରକୁ ଆଣିବେ । ସେଇଠି ହେବ ପ୍ରଭାତୀର ଚରମ ପରାଜୟ ।

 

ବାପା !

 

ନୟନାର ଡାକରେ ଈଶ୍ଵରବାବୁଙ୍କର ଭାବନାର ଖିଅ ଛିଣ୍ଡିଗଲା । ସେ ପୁଣି ସହଜ ହୋଇ ଉଠିଲେ ।

 

ମତେ ପୁରୀ ପଠେଇ ଦିଅନ୍ତୁ ବାପା । ଏଣିକି ଏ ଘର ମତେ ଭଲ ଲାଗୁନି ।

 

ଈଶ୍ୱରବାବୁ ଅନୁଭବ କଲେ ପୁଅ ପରେ ପରେ ଝିଅ ମଧ୍ୟ ବିଦ୍ରୋହ ଆରମ୍ଭ କଲାଣି । ପୁରୀ ଯିବା ଅନ୍ତରାଳରେ ଅଛି ପ୍ରଚ୍ଛନ୍ନ ତ୍ୟାଗର ଇଙ୍ଗିତ । ବାପାଙ୍କଠାରୁ ସେ ସମ୍ପର୍କ ଛିଡ଼େଇ ଦେବାକୁ ଚାହେଁ ।

 

ପୁରୀ କାହିଁକି ଯିବୁ ନୟନା ?

 

ସେଠି ଜଗନ୍ନାଥଙ୍କୁ ଦେଖି ଦେଖି ସମୟ କଟିଯିବ ।

 

ବିତର୍କ ପୁଣି ଆରମ୍ଭ ହେଲା । ଈଶ୍ୱରବାବୁ କହିଲେ, ଜଗନ୍ନାଥଙ୍କର ପୂଜାଅର୍ଚ୍ଚନା କରିବା ଅର୍ଥ ନିଜର ମନ ନିକଟରୁ ନିଜକୁ ଦୂରେଇନେବା । ମନ ଚାହୁଁଚି ସୁଖ, ସମ୍ପଦ, ବିଳାସ; କିନ୍ତୁ ସମାଜ ସେଇଟା ସ୍ୱୀକାର କରୁନାହିଁ । ତେଣୁ ମନକୁ ଭୁଲେଇ ରଖିବାପାଇଁ ବାହ୍ୟିକ ପୂଜା ଓ ଦେବ-ଦେବୀଙ୍କୁ ଆରାଧନା.....

 

ନୟନା ହୁଏତ ଈଶ୍ୱରବାବୁଙ୍କର କଥାରେ ଯନ୍ତ୍ରଣା ଅନୁଭବ କଲା । ସେ କହିଲା, ମାଆଙ୍କର ତ ସବୁ ଥିଲା ବାପା । ଏଇ ଐଶ୍ୱର୍ଯ୍ୟ ଭିତରେ ଥାଇ ସେ ତ ଆଖି ବୁଜିଲା ପର୍ଯ୍ୟନ୍ତ ଦେବତାର ଅନୁଗ୍ରହ ସବୁବେଳେ କାମନା କରୁଥିଲେ ।

 

ଈଶ୍ଵବାବୁଙ୍କର ତୁଣ୍ଡ ସିଲେଇ ହୋଇଗଲା । ସେ କିପରି ନୟନାକୁ କହିବେ, ତା'ର ଅଭାଗିନୀ ମାଆ ଜୀବନରେ କିଛି ପାଇନି ବୋଲି । ବିଧବାଠାରୁ ଶତଗୁଣରେ ଦୁଃଖିନୀ ହେଉଚି ଦୁଃଶ୍ଚରିତ୍ର ସ୍ୱାମୀର ଗୃହିଣୀ । ନୀରବରେ କାନ୍ଦିବା ଛଡ଼ା ତାଙ୍କର ଆଉ ଦ୍ଵିତୀୟ ରାସ୍ତା ନାହିଁ । କ'ଣ ସେ ଦେଇଚନ୍ତି ଦମୟନ୍ତୀଙ୍କୁ । ପ୍ରଥମ ଯୌବନରେ ଉପେକ୍ଷା କଲେ ପୁଷ୍ପାପାଇଁ । ତା'ପରେ ସେ ଧାଇଁଲେ ଅର୍ଥ ଉପାର୍ଜନରେ । ସ୍ତ୍ରୀର ନୀରବ କାନ୍ଦଣା ଶୁଣିବାକୁ ସେ ସେତେବେଳେ ପ୍ରସ୍ତୁତ ନ ଥିଲେ । କାନ୍ଦି କାନ୍ଦି ତାଙ୍କର ଜୀବନ ଯାଇଚି ।

 

ଈଶ୍ୱରବାବୁ ହଠାତ୍ ଶକ୍ତ ହୋଇ ଉଠିଲେ । ଯାଆନ୍ତୁ, ସମସ୍ତେ ତାଙ୍କ ପାଖରୁ ଦୂରେଇ ଯାଆନ୍ତୁ । ହେଲେ ସେ କେବେ ଭାଙ୍ଗି ପଡ଼ିବେ ନାହିଁ । ଜୀବନର ପ୍ରାରମ୍ଭରେ ସେ ଯେତେବେଳେ ହାରି ନାହାନ୍ତି, ଶେଷ ପର୍ଯାୟରେ ପରାଜୟ ସ୍ୱୀକାର କରିବା ଅତି ଦୁଃଖଦାୟକ ହୋଇ ଉଠିବ ।

 

ବେଶ୍, ତୁ ପୁରୀ ଯାଇପାରୁ । ମୁଁ ଆପତ୍ତି କରିବି ନି ।

 

ଏତିକି କହି ଈଶ୍ୱରବାବୁ ତରତର ହୋଇ ନିଜର ଶୋଇବା ଘରକୁ ଚାଲିଗଲେ । ସେଇ ଅନ୍ଧକାର ଭିତରେ ନୟନା ଏକାକିନୀ ଛିଡ଼ା ହୋଇ ରହିଲା ।

 

....ଦମୟନ୍ତୀଙ୍କର ପ୍ରତିଛବିଟା ଯେମିତି ଦିନକୁଦିନ ଜୀବନ୍ତ ହୋଇ ଉଠୁଚି ତାଙ୍କ ଆଗରେ । ଈଶ୍ୱରବାବୁ ବାରମ୍ବାର ଦେଖୁଚନ୍ତି । ତାଙ୍କର ମନେ ହେଉଚି ଦମୟନ୍ତୀଙ୍କର ଆଖି ପତା ଯେମିତି ଥରି ଉଠୁଚି । କିଛି କହିବାକୁ ଚାହାନ୍ତି ସେ । କିନ୍ତୁ କ'ଣ କହିବେ ?

 

ଈଶ୍ୱରବାବୁ ତ ତାଙ୍କ ନିକଟରେ କୌଣସି କଥା ଗୋପନ ରଖି ନାହାନ୍ତି । ଜୀବନରେ ଯେତେବେଳେ ଯାହା ଘଟିଚି, ଘରକୁ ଆସି ସବୁ ଗୋଟି ଗୋଟି କରି ସେ ଦମୟନ୍ତୀଙ୍କୁ ଜଣେଇଚନ୍ତି-

 

କେତେକ କ୍ଷେତ୍ରରେ ସେ କହୁଥିଲେ, ପାପ କାମ କରନି, ଆମକୁ ଧର୍ମ ସହିବ ନି । ଈଶ୍ୱରବାବୁ ତାଙ୍କର ଏଇ କଥାକୁ ହୁଏତ ଅଗ୍ରାହ୍ୟ କରି ନିଜ କାମରେ ନିଜେ ଆଗେଇ ଯାଉଥିଲେ-

 

ପ୍ରଥମ ପଦକ୍ଷେପ ଆରମ୍ଭ ହେଲା ଫୁଲ ମଲମକୁ କେନ୍ଦ୍ରକରି । ଫର୍ଦ୍ଦ ଅନୁଯାୟୀ ଜିନିଷ କିଣିଆଣି ଈଶ୍ୱର ନିଜ ହାତରେ ମଲମ ତିଆରି କରୁଥିଲେ । ପୁଷ୍ପା ବତେଇଥିବା ଅତର ମଧ୍ୟ ସେଥିରେ ମିଶୁଥିଲା । ଶିଶିରେ ଲେବୁଲ୍ ମାରି ଈଶ୍ୱର ନିଜେ ଚଳନ୍ତା ଟ୍ରେନରେ ଫୁଲ ମଲମ ବିକ୍ରି କରୁଥିଲେ । କଟକରୁ ବାଲେଶ୍ୱର । କୋଉଦିନ କଟକରୁ ବରହମ୍‍ପୁର ପର୍ଯ୍ୟନ୍ତ ଯାଇ ଟ୍ରେନ୍‍ରେ ମଲମ ବ୍ୟବସାୟ କରୁଥିଲେ । ଫୁଲ ମଲମର ପ୍ରକୃତ ଗୁଣ ଥିଲା । ଦିନକୁ ଦିନ ସେ ମଲମର ଚାହିଦା ବଢ଼ିଲା । ରେଳଯାତ୍ରୀମାନେ ଖୁବ୍ ଆଗ୍ରହରେ ମଲମ କିଣିଲେ ।

 

ଚାହୁଁ ଚାହୁଁ ଦୁଇବର୍ଷ କଟିଗଲା । ଈଶ୍ୱରଙ୍କର ହାତରେ କିଛି ତାଙ୍କ ମଧ୍ୟ ଜମି ଆସିଲା । ଦମୟନ୍ତୀଙ୍କର ଅଙ୍ଗ-ପ୍ରତ୍ୟଙ୍ଗରେ ଆଉ ଗୋଟିଏ ନୂତନ ଜୀବନର ଇଙ୍ଗିତ ଜାଗି ଉଠୁଥିଲା । ଦିନେ ଗାଡ଼ିରେ ମଲମ ବିକ୍ରିକରି ଘରକୁ ଫେରି ଈଶ୍ୱର ଦମୟନ୍ତୀଙ୍କୁ କହିଲେ, ବାଲିକୁଦା ଛାଡ଼ି ମୁଁ ପୁଣି ସହର ଭିତରକୁ ଚାଲିଯିବି ବୋଲି ଠିକ୍ କରିଚି ।

 

ଦମୟନ୍ତୀ ସେତେବେଳେ ନୟନାକୁ ଶୁଆଉଥିଲେ । ସେ କହିଲେ, କାହିଁକି ? ଆମର ଏଠି ତ କିଛି ଅସୁବିଧା ହେଉନି ।

ଅସୁବିଧା ହେଉନି ସତ, ହେଲେ ମତେ ଏ ଗାଁ-ମାଟି ଆଉ ଭଲ ଲାଗୁ ନାହିଁ । ଈଶ୍ୱର ଉତ୍ତର ଦେଲେ ।

ସ୍ୱାମୀଙ୍କର କଥା ଉପରେ ପ୍ରତିବାଦ କରିବାର ଅଭ୍ୟାସ ଦମୟନ୍ତୀଙ୍କର ନଥିଲା । ତଥାପି ସେ ଅନୁଯୋଗ ସ୍ୱରରେ କହିଲେ, ନୂଆ ଜାଗାକୁ ଯିବାକୁ ମତେ କାହିଁକି ଖୁବ୍ ଭୟ ଲାଗୁଚି-

ଦମୟନ୍ତୀ ପୂର୍ବପରି ବିନୟ ସହକାରେ କହିଲେ, ସହରକୁ ଯିବାକୁ ମୋର ଭୟନୁହେଁ, ଭୟ ମୋର ପୋଡ଼ା ଭାଗ୍ୟକୁ । ଗାଁ ଛାଡ଼ି କଟକକୁ ଆସିଲା ପରେ ବାପା ବିଦାୟ ନେଲେ ଆମ ପାଖରୁ । କଟକଘରୁ ବାଲିକୁଦା ଆସିଲାପରେ ହରିଦାଦା ଦୂରେଇଗଲେ । ସେଇଥିପାଇଁ .....

ଦମୟନ୍ତୀଙ୍କ କଥାରେ ବାଧା ଦେଇ ଈଶ୍ୱର କହିଲେ, ଏଥର ତା'ହେଲେ ମୋର ପାଳି । ସହରକୁ ଗଲେ ମୋତେ ବୋଧେ ହରେଇ ବସିବ ।

ଛି, ସେ ଅମଙ୍ଗଳ କଥା ତୁଣ୍ଡରେ ଧରନି । ତୁମକୁ ମୋ ରାଣ.....

ଦମୟନ୍ତୀ ସହସ୍ର ରାଣ ପକେଇ ଥିଲେ ସେଦିନ । ଈଶ୍ୱର ବାବୁଙ୍କ ପାଟିବୁଜି ଧରିଥିଲେ-। ହସି ହସି ଈଶ୍ୱର କିନ୍ତୁ କହିଥିଲେ, ଭାଗ୍ୟକୁ ଭୟକଲେ ଆମେ ଆଗେଇ ପାରିବାନି ଦମୟନ୍ତୀ । ସହରକୁ ଗଲେ ବ୍ୟବସାୟରେ ଆମର ଉନ୍ନତି ହେବ ।

 

X X X

 

କଟକ ବାଖରାବାଦ୍‍କୁ ଉଠିଆସିବା ପରେ ପରେ ପ୍ରକୃତରେ ଈଶ୍ୱରଙ୍କ ଭାଗ୍ୟରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା ।

 

'ଦାସ ଫାର୍ମାସୀ'ର ମାଲିକ ସେତେବେଳେ ଥିଲେ ଯଦୁନାଥ ଦାସ । କମ୍ପାଉଣ୍ଡରି ପାସ୍ କରି ଯଦୁବାବୁ ଛୋଟ ଆକାରରେ ଗୋଟିଏ ଔଷଧ ଦୋକାନ ଖୋଲିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ରୋଗୀକୁ ଇଞ୍ଜେକ୍‍ସନ ଦେଇ ଟଙ୍କା ରୋଜଗାର କରିବା ।

 

ଈଶ୍ୱରବାବୁଙ୍କ ସାହିକୁ ଯଦୁବାବୁ ବହୁଥର ଇଞ୍ଜେକ୍‍ସନ୍‍ ଦେବାକୁ ଆସନ୍ତି । ଦିନେ ସୁଟ୍‍କେସରେ ଫୁଲ ମଲମ ଭର୍ତ୍ତିକରି ଗାଡ଼ିକୁ ଯିବାବେଳେ ବାଟରେ ଈଶ୍ୱରବାବୁଙ୍କର ଯଦୁବାବୁଙ୍କ ସହିତ ଦେଖା ସାକ୍ଷାତ ହୋଇଗଲା । ପ୍ରଥମେ କଥା ଆରମ୍ଭ କଲେ ଯଦୁବାବୁ ।

 

ବ୍ୟବସାୟ କେମିତି ଚାଲିଚି ଈଶ୍ୱରବାବୁ ?

 

କାହିଁକି ସେ କଥା ଆଉ ପଚାରୁଚନ୍ତି । କୌଣସିମତେ ଖାଇବା ଗଣ୍ଡାକ ଉଠିଯାଉଚି ।

 

ଦିନେ ସମୟ ଦେଖି ମୋ ଦୋକାନଆଡ଼େ ଆସନ୍ତୁ ନା, ଭବିଷ୍ୟତ ଯୋଜନା କରିବା ।

 

ନିଶ୍ଚୟ ଯିବି । ଆସନ୍ତା ରବିବାର ଦିନ ମୋତେ ଫୁରସତ୍ ହେବ । ସେଇଦିନ ଯିବି ।

 

ଏତିକି କହି ଯଦୁବାବୁଙ୍କଠାରୁ ବିଦାୟ ନେଇ ତରବର ହୋଇ ଷ୍ଟେସନ ଆଡ଼କୁ ଚାଲିଗଲେ ଈଶ୍ୱର । କାରଣ ଟ୍ରେନ୍ ଆସିବାର ସମୟ ହୋଇଯାଇଥିଲା ।

 

କଥା ଦେଇ କଥା ରକ୍ଷା କରିଥିଲେ ଈଶ୍ୱରବାବୁ । ରବିବାର ଦିନ 'ଦାସ୍ ଫାର୍ମାସୀ'ରେ ସେ ଆପେ ଆପେ ଯାଇ ହାଜର ହେଲେ ଠିକ୍ ସକାଳ ଆଠଟାରେ । ସେତେବେଳେ ଯଦୁବାବୁ ବିଘ୍ନନାଶନ ଗଣେଶଙ୍କୁ ଧୂପ ଦୀପ ଦେଇ ନିଜର ଗୁହାରି ଜଣାଉଥିଲେ ।

 

ଈଶ୍ୱରବାବୁଙ୍କୁ ଇଙ୍ଗିତରେ ବସିବାକୁ କହି ଯଦୁବାବୁ ମନକୁମନ କେତେ ସ୍ତୋତ୍ର ମନ୍ତ୍ର ବୋଲିଲେ । ଈଶ୍ୱରବାବୁ ସେ ମନ୍ତ୍ରର ଗୋଟିଏ ବର୍ଣ୍ଣ ମଧ୍ୟ ବୁଝିପାରିଲେ ନାହିଁ । ବସି ବସି ସେ ଦାସ୍ ଫାର୍ମାସୀର ଅନ୍ଦରମହଲ ଆଡ଼େ ନଜର ପକାଇଲେ । ଛୋଟିଆ ଦୋକାନଟିଏ । ଜାଗା ସେତେ ବିସ୍ତୀର୍ଣ୍ଣ ନୁହେଁ । ପୁରୁଣା ମଡେଲ୍‍ର କେତେଟା ଆଲମାରୀ । ତା' ଭିତରେ କଳାରଙ୍ଗର ପୁରୁଣାକାଳିଆ ବଡ଼ ବଡ଼ ବୋତଲ କେତେଟା । କେତେଟାରେ ଲେବୁଲ ଅଛି, କେତେଟାରେ ନାହିଁ-। ଘରର ଗୋଟିଏ କଡ଼କୁ ମଧ୍ୟମ ଧରଣର ଟେବୁଲଟିଏ ପଡ଼ିଛି ଏବଂ ତା'ପାଖରେ ଦୁଇ ତିନିଟା ଚେୟାର ପଡ଼ିଛି । ପଛପଟକୁ ଟିଣ ବାଡ଼ ଦିଆହୋଇ ଦୋକାନର କିଛିଅଂଶ ଅଲଗା କରାହେଇଚି-। ଦୋକାନ ସାମ୍ନାରେ ପିଚବୋର୍ଡ଼ ଉପରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଚି....

 

''ଏଠାରେ ମେଥିଲେଟେଡ୍ ସ୍ପିରିଟ୍ ବିକ୍ରୟ ହୁଏ’’

 

ପୂଜାସାରି ଯଦୁବାବୁ ହସି ହସି ପଚାରିଲେ, ଦୋକାନଟା ମନକୁ ପାଇଲା ତ ?

 

ହଁ, ନ ପାଇବ କାହିଁକି ? ଭଦ୍ରତା ଖାତିରରେ ଈଶ୍ୱରବାବୁ ଏତିକି କହିବାକୁ ବାଧ୍ୟହେଲେ-। ମନେ ମନେ ଭାବିଲେ, ଫାର୍ମାସୀର ଅବସ୍ଥା ଯେବେ ଏତେ ତଳକୁ ଖସିଆସେ, ତା'ହେଲେ ବ୍ୟବସାୟ ମଧ୍ୟ ଆହୁରି ଶୋଚନୀୟ ହୋଇଥିବ ।

 

ଏଇ ଦେଖନ୍ତୁ.......ଆଲମାରୀ ଭିତରୁ ଆଉ ଗୋଟାଏ ପିଚବୋର୍ଡ଼ ବାହାର କରି ଈଶ୍ୱରବାବୁଙ୍କ ଆଗରେ ରଖିଲେ ଯଦୁବାବୁ । ଈଶ୍ୱରବାବୁ ଆଶ୍ଚର୍ଯ୍ୟ ହେଲେ । ସେଥିରେ ବଡ଼ ବଡ଼ ଅକ୍ଷରରେ ଲେଖାଥିଲା.....

 

''ଏଠାରେ ବିଖ୍ୟାତ ଫୁଲ ମଲମ ମିଳେ ।’’

 

ବାସ୍ ! ପିଚବୋର୍ଡ଼ଟା ଦୁଆର ଉପରେ ଟାଙ୍ଗିଦେଇ ଯଦୁବାବୁ ତୃପ୍ତିର ନିଃଶ୍ୱାସ ମାରି କହିଲେ, କାମ ସରିଗଲା ।

 

କ'ଣ ସରିଗଲା ? ଈଶ୍ୱରବାବୁ ପ୍ରଶ୍ନ କଲେ ।

 

ଆପଣଙ୍କ ଔଷଧର ଏଜେନ୍‍ସି ନେବା କାମ ସରିଗଲା । ଆପଣ ଘରେ ବସି ଯେତେ ଇଚ୍ଛା 'ଫୁଲ ମଲମ' ତିଆରି କରନ୍ତୁ । ମୁଁ ଏଇ ଦୋକାନରେ ସେସବୁ ବିକ୍ରି କରିଦେବି ।

 

କିନ୍ତୁ କଟକ ସହରରେ ମୋର ଏଇ ମଲମକୁ ଲୋକେ କିଣିବେ କାହିଁକି ? ମନରେ ସନ୍ଦେହ ରଖି ପ୍ରଶ୍ନ କଲେ ଈଶ୍ୱରବାବୁ ।

 

ଆପଣଙ୍କ ମଲମର ଲୋକପ୍ରିୟତା ଆପଣ ଜାଣିନାହାନ୍ତି ଈଶ୍ୱରବାବୁ । ଲୋକେ ଲାଇନ୍ ଲଗେଇ ତାକୁ କିଣିବାକୁ ଆସିବେ । କେତେଦିନ ତଳେ ଯାଜପୁର ଯାଇଥିଲି । ସେଠାରେ ପ୍ରତ୍ୟେକଙ୍କ ମୁହଁରେ 'ଫୁଲ ମଲମ'ର ପ୍ରଶଂସା ଶୁଣିଲି । ସେଇ ଦିନଠାରୁ ମଲମର ଏଜେନ୍‍ସି ନେବାକୁ ଭାବିଥିଲି । ଯାହା ହେଉ ସେ କାମ ଭଲରେ ଭଲରେ ସରିଗଲା ।

 

କିନ୍ତୁ....

 

ଆଉ କିନ୍ତୁ କ'ଣ ? ଯଦୁବାବୁ ଈଶ୍ୱରବାବୁଙ୍କୁ ଆଉ କଥା କୁହାଇ ଦେଲେ ନାହିଁ । ସେ କହିବାରେ ଲାଗିଲେ ଆପଣ ଆଉ କେତେଦିନ ଟ୍ରେନରେ ଘୂରି ବୁଲିବେ ? ସଂସାର ଆପଣଙ୍କର ବଡ଼ ହେବାକୁ ଯାଉଚି । ଏଣିକି ଘରେ ବସି ଟଙ୍କା ଅର୍ଜନ କରନ୍ତୁ ।

 

ହଠାତ୍ ଏଭଳି ଏକ ପରିସ୍ଥିତି ସୃଷ୍ଟି ହେବ ବୋଲି ଈଶ୍ୱରବାବୁଙ୍କର ଧାରଣା ନ ଥିଲା । 'ଫୁଲ ମଲମର ଏଜେନ୍‍ସି' ଭାବିଲେ କଥାଟା କେମିତି ଖାପ୍‍ଛଡ଼ା ଲାଗୁଚି । ଭାବନାରେ ବୁଡ଼ିରହି ଈଶ୍ୱରବାବୁ ପ୍ରଶ୍ନ କଲେ, ଆଚ୍ଛା ଆପଣଙ୍କୁ କେତେ ଦବାକୁ ପଡ଼ିବ ?

 

ଶତକରା କୋଡ଼ିଏ । ପ୍ରତ୍ୟେକ ଏଜେଣ୍ଟ ସେଇୟା ନିଅନ୍ତି ।

 

ଶେଷରେ ରାଜିହେଲେ ଈଶ୍ୱରବାବୁ । ଆନନ୍ଦରେ ନାଚି ଉଠିଲେ ଯଦୁବାବୁ । ତାଙ୍କର କଳ୍ପନାଟା ଏତେ ଶୀଘ୍ର, ଆଉ ସହଜରେ ପୂରଣ ହୋଇଯିବ ବୋଲି ସେ ବିଶ୍ୱାସ କରି ନ ଥିଲେ । ନିଜ ପକେଟରୁ ପଇସା ଖର୍ଚ୍ଚ କରି ଯଦୁବାବୁ ପଡ଼ିଶା ଦୋକାନରୁ ଚାହା, ଜଳଖିଆ ମଗାଇଲେ । 'ଫୁଲ ମଲମ'ର ଦୁଇଜଣ ଭାଗିଦାର ଏକାଠି ବସି ଖାଇଲେ ।

 

ଚାହା ଖାଉ ଖାଉ ଯଦୁବାବୁ ପଚାରିଲେ, ଆପଣଙ୍କର ପିଲା ଛୁଆ କେତୋଟି ?

 

ଗୋଟିଏ ଝିଅ, ଆଉ.... । ଲାଜରେ ଈଶ୍ୱରବାବୁ ଅଟକିଗଲେ ।

 

ବୁଝିଲି, ବୁଝିଲି । ଆଉ ଖୋଲି କହିବାକୁ ପଡ଼ିବନି । ଭଲ, ଭଲ । ଏଥର ନିଶ୍ଚୟ ପୁଅ ମୁହଁ ଦେଖିବେ ।

 

ସେଦିନ ଚା' ଜଳଖିଆ ପର୍ବରେ 'ଦାସ୍ ଫାର୍ମାସୀ'ର ପ୍ରୋପ୍ରାଇଟର ଯଦୁନାଥ ଦାସଙ୍କ ସଙ୍ଗେ ଈଶ୍ୱରବାବୁ ଆଉ କେତେଟା ସର୍ତ୍ତରେ ଚୁକ୍ତିବଦ୍ଧ ହେଲେ । ଦୁହିଁଙ୍କର ମିଳିତ ଦାୟିତ୍ୱରେ 'ଦାସ୍ ଫାର୍ମାସୀ' ଚାଲୁ ହେବ । ଯଦୁବାବୁ ଇଞ୍ଜେକ୍‍ସନ ଦେବାକୁ ଗଲାବେଳେ ଈଶ୍ୱରବାବୁ ପୂରାପୂରି ଦୋକାନ ଦାୟିତ୍ୱରେ ରହିବେ । ଲାଭାଂଶ ଦୁହେଁ ସମାନଭାବରେ ବାଣ୍ଟିନେବେ ।

 

କେତେବର୍ଷ ସୁରୁଖୁରୁରେ ବ୍ୟବସାୟ ଚାଲିଲା । ନିଜର ମଲମ ଛଡ଼ା ଈଶ୍ୱରବାବୁ ଆଉ କେତେଟା ନାଁକରା ଔଷଧ ମଧ୍ୟ ଦୋକାନରେ ଆଣି ରଖିଲେ । ଯଦୁବାବୁ ମଧ୍ୟ ତାଙ୍କୁ ଇଞ୍ଜେକ୍‍ସନ ଦେବାର ପ୍ରଣାଳୀ ବତେଇ ଦେଲେ । ଈଶ୍ୱରଙ୍କର ଘରେ ମଧ୍ୟ ଅଖଣ୍ଡ ଆନନ୍ଦ । ସେତେବେଳେ ନୟନାର ବୟସ ସାତ ଏବଂ ଉଦୟକୁ ଚାରି ପୂରି ପାଞ୍ଚ ଚାଲୁଥାଏ । ପିଲା ଦୁଇଟି ବଡ଼ ସୁନ୍ଦର ଓ କଉତୁକିଆ ହୋଇଥାନ୍ତି । ଦାଣ୍ଡରେ ଚାଲିଯିବା ଲୋକ ମଧ୍ୟ ପିଲା ଦୁଇଟିଙ୍କୁ ଦେଖିଲେ ଗେଲ କରନ୍ତି । ଯଦୁବାବୁ ଯେତେବେଳେ ଆସନ୍ତି, ଉଦୟ ତାଙ୍କ ପାଖ ଛାଡ଼େ ନାହିଁ ।

 

ଚାହୁଁ ଚାହୁଁ ଊଣେଇଶ ଚାଳିଶ ମସିହା ଆସିଲା । ଦେଶ ପକ୍ଷରେ ଏହା ଏକ ପରିବର୍ତ୍ତନର ସମୟ । ପୃଥିବୀ ବ୍ୟାପି ଯୁଦ୍ଧର ଘନଘଟା । କଟକ ସହରକୁ ମଧ୍ୟ ବିପଦ ଘନେଇ ଆସିଲା ।

 

ପ୍ରତି ସହରରେ ବ୍ଲାକ୍ଆଉଟ୍ ହେଲା । ଟ୍ରେଞ୍ଚ ଖୋଳାହେଲା । ଚାରିଆଡ଼େ ଖେଳିଗଲା ଭୟ ଓ ଆତଙ୍କ । ବୋମା ପଡ଼ିବା ଭୟରେ ସମସ୍ତେ ପ୍ରମାଦ ଗଣିଲେ ।

 

ଦିନେ ସନ୍ଧ୍ୟାରେ ଯଦୁବାବୁ କହିଲେ, ଈଶ୍ୱରବାବୁ ! କଟକ ସହରରେ ରହିବାକୁ ଏଣିକି ବଡ଼ ଭୟ ଲାଗିଲାଣି । କେତେବେଳେ ଯେ କ'ଣ ହେବ କହିହେଉନି । ଆପଣ କ'ଣ କରିବେ ?

 

ଏ ସହର ଛାଡ଼ି ମୁଁ କୋଉଠିକି ଯିବି ନାହିଁ । ....ଖୁବ୍ ଦମ୍ଭରେ ଉତ୍ତରଦେଲେ ଈଶ୍ୱରବାବୁ-

 

ମୁଁ ଗାଁକୁ ଚାଲିଯାଉଛି ଈଶ୍ୱରବାବୁ । 'ଦାସ୍ ଫାର୍ମାସୀ'କୁ ମୁଁ ଆପଣଙ୍କ ନାଁରେ ଲେଖିଦେଇ ଯାଉଚି । ଆପଣ ଦେଖାଶୁଣା କରୁଥିବେ । ଯୁଦ୍ଧ ଭୟ କମିଲେ, ଯଦି ବଞ୍ଚିଥାଏ ତା'ହେଲେ ଗାଁରୁ ଫେରି ପୁଣି ଏକାଠି ବ୍ୟବସାୟ କରିବା ।

 

କିନ୍ତୁ ସହର ଛାଡ଼ି ଆପଣ ଗାଁକୁ ଯିବେ କାହିଁକି ? ସେଠି କ'ଣ ବୋମା ପଡ଼ିବାର ଭୟ ନାହିଁ ?

 

ସହର ଅପେକ୍ଷା ମଫସଲରେ ବିପଦର ଆଶଙ୍କା କମ୍ । ....ଯଦୁବାବୁ ଦୀର୍ଘ ନିଃଶ୍ୱାସ ପକେଇ ଉତ୍ତର ଦେଇଥିଲେ ।

 

ଠିକ୍ ତା' ପରଦିନ 'ଦାସ୍ ଫାର୍ମାସୀ’ ଈଶ୍ୱରବାବୁଙ୍କର ମାରଫତରେ ରହିଲା । ଯଦୁବାବୁ ନିଜର ନିରାପତ୍ତାପାଇଁ ସୁଦୂର ଗ୍ରାମ୍ୟ ଅଞ୍ଚଳକୁ ଚାଲିଗଲେ । କ୍ରମେ ବ୍ୟବସାୟ ବଡ଼ ମାନ୍ଦା ଧରିଲା ଓ ଦୋକାନର ଆର୍ଥିକ ପରିସ୍ଥିତି ବଡ଼ ଖରାପ ଆଡ଼କୁ ଗତି କଲା ।

 

ବିଦେଶୀ ଆସି ଦେଶ ଦଖଲ କରିନେବେ । କଟକ ସହର ବୋମା ପକେଇ ଆଖି ପିଛୁଳାକେ ସବୁ ଧ୍ୱଂସ କରିଦେବେ....ଏମିତି କେତେ ଗୁଜବ୍ ଲୋକ ମୁଖରେ ପ୍ରଚାରିତ ହେଲା ।

 

ଗୁଜବ ଯେତିକି ବଢ଼ି ଚାଲିଲା, ଲୋକେ ସେତିକି ପରିମାଣରେ ସହର ଛାଡ଼ି ପଳେଇଲେ । ନିଜ ଜୀବନକୁ କାହାର ଭୟ ନାହିଁ ?

 

ରାତି ଆଠଟାରେ ଦୋକାନ ବନ୍ଦକରି ଈଶ୍ୱରବାବୁ ଫେରନ୍ତି ଘରକୁ । ଚାରିଆଡ଼େ ଅନ୍ଧକାରର ରାଜତ୍ୱ । ରାସ୍ତାରେ ଏତେ ଟିକିଏ ଆଲୁଅ ପଡ଼ିବାର ହୁକୁମ୍ ନାହିଁ । ସୁନ୍ଦରୀ ନାରୀ ବୁରଖା ପିନ୍ଧି ଆତତାୟୀ କବଳରୁ ଲୁଚି ରହିବାର ଚେଷ୍ଟା କଲାଭଳି ବିଦେଶୀ ଶକ୍ତିର ବୋମାମାଡ଼ରୁ ରକ୍ଷା ପାଇବା ପାଇଁ ସହରରେ ଅନ୍ଧାର ରାତ୍ରିର ପ୍ରହସନ ଚାଲିଥାଏ ।

 

ଈଶ୍ୱର ଘରକୁ ନ ଫେରିବା ପର୍ଯ୍ୟନ୍ତ ଦମୟନ୍ତୀଙ୍କର ପିଣ୍ଡରେ ପ୍ରାଣ ନ ଥାଏ । ପୁଅଝିଅ ଦୁହିଁଙ୍କୁ କୁଣ୍ଢେଇ ଧରି ଗୋଟିଏ ଜାଗାରେ ସେ ତପସ୍ୟା କଲାଭଳି ବସି ଥାଆନ୍ତି ।

 

ଈଶ୍ୱରଙ୍କୁ ଫେରିବାର ଦେଖି ଦିନେ ସେ କହିଲେ, ନା' ଆଉ କେତେଦିନ ଏମିତି ଗୋଟେ ଗୋଡ଼ ମଶାଣିରେ ଥୋଇ କାଳ କାଟିବା କହିଲ ? ତା’ଠୁଁ ବରଂ ସହର ଛାଡ଼ି ଅନ୍ୟ କେଉଁଠିକୁ ପଳେଇଯିବା ଭଲ ।

 

କୁଆଡ଼େ ଯିବ ? ଦେଶର ପ୍ରତ୍ୟେକ କୋଣରେ ଏଇ ବିଭୀଷିକା, ଏଇ ଆତଙ୍କ ।

 

ମତେ କିନ୍ତୁ ଏ କଟକ ସହର ଆଦୌ ଭଲ ଲାଗୁ ନାହିଁ । ଦମୟନ୍ତୀ ପ୍ରତିବାଦ ଛଳରେ କହିଲେ ।

 

ସତାର କର । ଅବସ୍ଥା ଯେବେ ଆଉ କେତେଟା ଦିନ ବେଶୀ ସଙ୍କଟପୂର୍ଣ୍ଣ ହୁଏ, ତେବେ ସହର ଛାଡ଼ି ମଫସଲ ଯିବା ।

 

ଈଶ୍ୱରବାବୁଙ୍କର ଏ ପ୍ରସ୍ତାବକୁ ଦମୟନ୍ତୀ ମାନି ନେଇଥିଲେ । ଠିକ୍ ଗୋଟାଏ ଦିନ ପରେ ଈଶ୍ୱରଙ୍କର ଭାଗ୍ୟ ପୂରାପୂରି ବଦଳି ଗଲା ।

 

....ମୁହଁ ସଞ୍ଜବେଳେ । ଈଶ୍ୱରବାବୁ ଦୋକାନ ଖୋଲି ବସିଥିଲେ । ହଠାତ୍ ଜଣେ ଗୋରା ସୈନିକ ଆସି ଦୋକାନ ସାମନାରେ ଠିଆ ହେଲା । ସାମରିକ ପୋଷାକ ପିନ୍ଧି ଇଂରେଜ ଲୋକଟିକୁ ଦେଖି ଈଶ୍ୱର ପ୍ରଥମେ ମନେ ମନେ ପ୍ରମାଦ ଗଣିଲେ । କିନ୍ତୁ ସେ ଭୟ ତାଙ୍କର ଟିକିଏ ପରେ ଦୂର ହୋଇଗଲା ।

 

ଆର୍ ଇୟୁ ଡକ୍‍କ୍ଟର ?

 

ଈଶ୍ୱର ବୁଝିଲେ ସାହେବ ଡାକ୍ତରକୁ ଖୋଜୁଛନ୍ତି । ସେ ତେଣୁ ସଙ୍ଗେ ସଙ୍ଗେ ଉତ୍ତରଦେଲେ, ଇୟେସ୍.... !

 

ପୁସ୍ ମି ଦିସ୍ ଇଞ୍ଜେକ୍‍ସନ । କିଉ ବ୍ୟାଗ୍ ଖୋଲି ଗୋଟିଏ ପେନ୍‍ସିଲିନ୍‍ର ଶିଶି ସେ ଟେବୁଲ ଉପରେ ରଖିଲେ । ସେତେବେଳେ ପେନ୍‍ସିଲିନ୍ ଅତି ଦୁର୍ଲ୍ଲଭ ବସ୍ତୁ ଥିଲା । ଅଧିକ ମୂଲ୍ୟ ଦେଇ ବହୁ କଷ୍ଟରେ ଗୋଟିଏ ପେନ୍‍ସିଲିନ୍ ଯୋଗାଡ଼ କରିବାକୁ ପଡ଼ୁଥିଲା ।

 

ସିରିଞ୍ଜ ବାହାର କରି ଈଶ୍ୱରବାବୁ ଗୋରା ସୈନିକକୁ ଇଞ୍ଜେକ୍‍ସନ ଦେଲେ ଅତି ଉତ୍ସାହରେ ।

 

ଇୟୁ ଆର୍ ଏ ଗୁଡ଼୍ ଡକ୍ଟର । ଏଭ୍ରିଡେ ଆଇ ସ୍ୟାଲ୍ କାମ୍ ଟୁ ଇୟୁ । ସୈନିକଟି ଏତିକି କହି ପକେଟରୁ ଶହେଟଙ୍କାର ଗୋଟିଏ ନୋଟ୍ ବାହାର କରି ହାତରେ ଗୁଞ୍ଜିଦେଲା ।

 

କିପ୍ ଇଟ୍, ଆଇ ସ୍ୟାଲ୍ ଗିଭ୍ ୟୁ ମୋର ।

 

ସାହେବଟି ଚାଲିଯିବା ପରେ ହାତରେ ଶହେଟଙ୍କିଆ ନୋଟ ଧରି ଈଶ୍ୱର ଆକାଶ-ପାତାଳ ଚିନ୍ତା କରିବାରେ ଲାଗିଲେ । କ'ଣ ବା ସେ ପରିଶ୍ରମ କଲେ ? ଯେଉଁ କାମ ପାଇଁ ଆଠଅଣା ବା ଅତିବେଶୀ ହେଲେ ଟଙ୍କାଏ ମିଳିବାର କଥା, ସେ କାମ ପାଇଁ ତାଙ୍କୁ ଆଜି ପୁରସ୍କାର ମିଳିଲା ଶହେଟଙ୍କା !!!

 

ଘରକୁ ଫେରିବାପରେ ଦମୟନ୍ତୀ ଆଶ୍ଚର୍ଯ୍ୟରେ ପ୍ରଶ୍ନ କଲେ, ଆରେ, ତୁମେ ଶହେ ଟଙ୍କା କୋଉଠୁ ପାଇଲ ?

 

ଭୟ କରନି । ଶହେ ଟଙ୍କା ଆଜି ମୁଁ ରୋଜଗାର କରି ଆଣିଚି । ହସି ହସି ଈଶ୍ୱର ନିଜର କରାମତି ଜଣେଇଲେ ।

 

ଗୋଟିଏ ଦିନରେ ତୁମେ ରୋଜଗାର କରିଚ ଶହେ ଟଙ୍କା ! ମୋର ବିଶ୍ୱାସ ହେଉନି ।

 

ବିଶ୍ୱାସ କର ଦମୟନ୍ତୀ, ମୋର ଆଜିଦିନର ପରିଶ୍ରମ ଫଳ ମୁଁ ଆଣିଚି । ଜଣେ ଗୋରା ସୈନିକକୁ ଇଞ୍ଜେକ୍‍ସନ ଦେଲି । ସେ ମତେ ଏ ନୋଟ୍ ଟି ବଢ଼େଇ ଦେଲା । ଆଉ କାହିଁକି ବା ନ ଦେବ ? ଟଙ୍କାଗୁଡ଼ାକ ଏବେ ତ ତାଙ୍କ ଆଖିରେ ମାଟି ଗୋଡ଼ି ।

 

ସେ ଯାହାହେଉ, ଏ ଟଙ୍କା ମୁଁ ନେବିନାଇଁ । ତୁମର ରୋଜଗାର, ତୁମେ ରଖ । ଦମୟନ୍ତୀ ପ୍ରତିବାଦ ଜଣେଇଲେ ।

 

ଭଲ କଥା । ଏ ଟଙ୍କା ମୁଁ ବ୍ୟାଙ୍କରେ ରଖି ଦେଉଚି ।

 

ଈଶ୍ୱରଙ୍କର ମନରେ କୌଣସି ଗ୍ଳାନି ନଥିଲା ।

 

ଆରଦିନ ସନ୍ଧ୍ୟାରେ ସାହେବ ପୁଣି ଦେଖାହେଲେ । ସାଙ୍ଗରେ ଜଣେ ଆଙ୍ଗଲୋ ଇଣ୍ଡିଆନ୍ ଝିଅ । ଆଶ୍ଚର୍ଯ୍ୟର କଥା, ସାହେବଟି ପ୍ରକୃତିସ୍ଥ ଥିବାବେଳେ ଝିଅଟି ମଦପିଇ ଟଳମଟଳ ଅବସ୍ଥାରେ ଥାଏ । ଈଶ୍ୱର ସେ ଦୁହିଁଙ୍କୁ ଦେଖି କ'ଣ କହିବେ କିଛି ଠିକ୍ କରି ପାରିଲେ ନାହିଁ । କାଲି ଜଣେ ଆଜି ଦୁଇଜଣ ।

 

ଗୋରା ସୈନିକ ଆସି ଈଶ୍ୱରଙ୍କୁ ପଚାରିଲେ, କ୍ୟାନ୍ ଇୟୁ ଆରେଞ୍ଜ ସମ୍ ପ୍ଲେସ୍ ଇନ୍ ଦି' ନାଇଟ୍ ? ଆଇ ସ୍ୟାଲ୍ ପେ ହଣ୍ଡ୍ରେଡ଼ ରୁପିଜ୍ ପର୍ ଆୱାର ।

 

ପ୍ରତି ଘଣ୍ଟାରେ ଏକଶହ ଟଙ୍କା ! ଈଶ୍ୱରଙ୍କର ମନରେ ଲୋଭ ହେଲା । ସେ ଦୋକାନର ପଛପଟ ଦେଖେଇ ଦେଲେ । ସାହେବ ଈଶ୍ୱରଙ୍କ ହାତରେ ଚାରିଶହ ଟଙ୍କା ଗୁଞ୍ଜିଦେଇ ମେମ୍‍କୁ ଧରି ପଛପଟକୁ ଚାଲିଗଲେ । ତାଙ୍କ ଆଖି ଓ ମୁହଁରେ ଥିଲା ପାଶବିକ ଆନନ୍ଦ ।

 

ଈଶ୍ୱର ବାହାରେ ଅପେକ୍ଷା କରି ରହିଲେ । ସେତିକିବେଳେ ତାଙ୍କର ମଦନ କଥା ମନେ ପଡ଼ିଲା । ପୁଷ୍ପା ନିକଟରେ ନୂଆ ନୂଆ ଅତିଥିଙ୍କୁ ପହଞ୍ଚେଇ ଦେଇ ମଦନ ପାଉଥିଲା ମାତ୍ର ଦୁଇଟଙ୍କା । କିନ୍ତୁ ସେ ଏବେ ସେଇବାଟ ଧରି ଚାରିଘଣ୍ଟାକୁ ଆୟ କଲେ ଚାରିଶହ ଟଙ୍କା । ଆନନ୍ଦ ପରିବର୍ତ୍ତରେ ଈଶ୍ୱର କ୍ଷଣକ ପାଇଁ ଅନୁଭବ କଲେ ବିବେକର ଦଂଶନ ।

 

ରାତ୍ରିର ଶେଷ ପହରକୁ ସାହେବ ଓ ମେମ୍ ବାହାରକୁ ଆସିଲେ । ଦୁହେଁ ଖୁବ୍ ଉତ୍‍ଫୁଲ୍ଲ ଦେଖା ଯାଉଛନ୍ତି । ସୈନିକର ଅନୁରାଧରେ ସେଦିନ ପୁଣି ଇଞ୍ଜେକ୍‍ସନ ଦେଇଥିଲେ ଈଶ୍ୱରବାବୁ ।

 

ଦିନ ଗଡ଼ି ଚାଲିଲା । ସେ ଗୋରା ସୈନିକକୁ ରାତିରେ ଦୋକାନ ଭିତରେ ଜାଗା ଦେଇ ପ୍ରତିଦିନ ଶହଶହ ଟଙ୍କା ଲାଭ ଉଠେଇଲେ ଈଶ୍ୱରବାବୁ । ବ୍ୟାଙ୍କରେ ତାଙ୍କର ଅସୁମାରି ଟଙ୍କା ଜମାହେଲା । ଅନ୍ୟ କେହି ଜାଣିବା ଆଗରୁ ଏ ଟଙ୍କାର ସଦ୍‍ବ୍ୟବହାର କରାଯିବା ଦରକାର । ଯୁଦ୍ଧର ବିଭୀଷିକା ପରେ ପରେ ଦେଶରେ ସ୍ୱାଧୀନତା ବିପ୍ଳବ ତେଜି ଉଠିଲା । ସ୍ୱରାଜ ଆସିଲା । 'ଦାସ୍ ଫାର୍ମାସୀ'ରୁ ବିଦାୟ ନେଲେ ଈଶ୍ୱର । ସେ ଛୋଟିଆ ଦୋକାନର ଆଉ ପ୍ରୟୋଜନ କ'ଣ ? ବର୍ତ୍ତମାନ ସେ ଅଜସ୍ର ଟଙ୍କାର ମାଲିକ ।

 

ନିଜର ଇଚ୍ଛା ଅନୁଯାୟୀ ସହରରେ ଜାଗା କିଣି ସେ ପକ୍କା ଘର ତିଆରି କଲେ । ପରେ ପରେ ଆରମ୍ଭ କଲେ 'କଳିଙ୍ଗ କେମିକାଲ' କ୍ରମେ ବ୍ୟବସାୟ ବ୍ୟାପକ ଓ ଲାଭଜନକ ହୋଇ ଉଠିଲା । କମ୍ପାନୀର ଶାଖାପ୍ରଶାଖା ବଢ଼ିଚାଲିଲା । ଉନ୍ନତିର ଶେଷସୀମାରେ ପାଦଦେଲେ ଈଶ୍ୱର ପଟ୍ଟନାୟକ ।

 

....ଗତଦିନର ସବୁ କଳଙ୍କମୟ ଇତିହାସ ତ ଦମୟନ୍ତୀ ଜାଣନ୍ତି । ତା' ହେଲେ ସେ ଆଉ କ'ଣ କରିବେ ?

 

ଈଶ୍ୱର ପଟ୍ଟନାୟକ ଅଶାନ୍ତି ଓ ଯନ୍ତ୍ରଣାରେ ଛଟପଟ ହେଲେ । ଆଜି କିଏ ତାକୁ ଭବିଷ୍ୟତର ବାଟ ଦେଖାଇ ଦେବ । ଦେହ ଓ ମନ ଅବସନ୍ନ । ପୁଅ, ଝିଅ ଉଭୟେ ତାଙ୍କ ମନରେ ଆଘାତ ଦେଇଛନ୍ତି ।

 

ଈଶ୍ୱର ପଟ୍ଟନୟକ ନିଜ ବିଞ୍ଚଣାରେ କ୍ଳାନ୍ତ ଓ ଅବସନ୍ନ ଦେହକୁ ଲୋଟେଇ ଦେଲେ । ସହରରେ ସେ ଆଜି ଶ୍ରେଷ୍ଠ ଧନୀଙ୍କ ଭିତରେ ଗଣା ହେଉଚନ୍ତି । ତଥାପି ତାଙ୍କର ତୃପ୍ତି ନାହିଁ, ଆନନ୍ଦ ନାହିଁ । ବିଛଣାରେ ସେମିତି ପଡ଼ି ପଡ଼ି କେତେବେଳେ ତାଙ୍କୁ ନିଦ ଲାଗିଗଲା, ସେ ଜାଣିପାରିଲେ ନାହିଁ ।

 

ଛଅ

 

ଦିନ ନଅଟା । ଈଶ୍ୱର ପଟ୍ଟନାୟକ ବିଛଣାରୁ ଉଠିଲେ । ଖରାର ତେଜ ଯଥେଷ୍ଟ ବଢ଼ିଯାଇଥିଲା । ଶୋଉ ଶୋଉ ଏତେବେଳ ଯାଏ ଶୋଇ ପଡ଼ିଲେ । ଚାକର, ପୁଝାରୀ ଭୟରେ କେହି ତାଙ୍କର ନିଦରେ ବ୍ୟାଘାତ ଦେଇ ନାହାନ୍ତି ।

 

ବାଥ୍‍ରୁମ୍‍କୁ ଯାଇ କାମସାରି ଈଶ୍ୱର ପଟ୍ଟନାୟକ ପ୍ରସ୍ତୁତ ହେଲେ କାରଖାନାକୁ ଯିବାଲାଗି । କାମ ବହୁତ ବାକି ପଡ଼ିଛି । ଉଦୟ ତ ଆଜିକାଲି କୌଣସି କାମରେ ହାତ ଦେଉନାହିଁ-। କମ୍ପାନୀର ଲାଭ ଲୋକାସାନରେ ତା'ର କୌଣସି ଚିନ୍ତା ନାହିଁ, କି ଭାବନା ନାହିଁ । ତେଣୁ ସବୁକାମ ତାଙ୍କୁ ତୁଲେଇବାକୁ ପଡ଼ିବ ।

 

ଚାକର ମଧୁଆ ଠିକ୍ ସମୟରେ ଚାହା ଦେଇଗଲା । ଉଦୟ ଘରେ ଅଛି କି ନାହିଁ ଈଶ୍ୱରବାବୁ ଚାହା ଖାଉ ଖାଉ ତାକୁ ପଚାରିଲେ । ସକାଳ ସାତଟାରୁ ସେ ଘର ଛାଡ଼ିଛନ୍ତି ବୋଲି ମଧୁଆ ଜଣେଇବା ପରେ ଈଶ୍ୱରବାବୁ ବଡ଼ ଚିନ୍ତାରେ ପଡ଼ିଲେ । ଏତେ ସକାଳୁ ଉଦୟ ଗଲା କୁଆଡ଼େ ? ନିଶ୍ଚୟ ପ୍ରଭାତୀ ଦାସ ଘରକୁ ଯାଇଚି । ଝିଅଟିର ମୋହ ଉଦୟକୁ ସମ୍ପୂର୍ଣ୍ଣରୂପେ ଗ୍ରାସକରି ସାରିଲାଣି । ଯୌବନରେ ପାଦ ଖସିଲେ ଆଉ ସଳଖ ହେବା ଖୁବ୍ କଷ୍ଟକର ହୋଇପଡ଼େ । ସେ ନିଜେ ଥାଉ ଥାଉ ପୁଅ ତାଙ୍କର କଦର୍ଯ୍ୟ ବାଟରେ ଚାଲୁଚି ! ନିଜର କର୍ତ୍ତବ୍ୟଜ୍ଞାନ ଭୁଲି ଯାଉଚି ସେ !!

 

ଈଶ୍ୱର ପଟ୍ଟନାୟକ ହଠାତ୍ ଚଞ୍ଚଳ ହୋଇ ଉଠିଲେ । ଯେ କୌଣସି ଉପାୟରେ ଉଦୟକୁ ପ୍ରଭାତୀର ଚକ୍ରବ୍ୟୁହରୁ ଖସେଇ ଆଣିବାକୁ ହେବ । ମଧୁଆକୁ ସେ ହୁକୁମ ଦେଲେ ନୟନକୁ ଶୀଘ୍ର ଡାକି ଦେବାକୁ । ଟିକିଏ ପରେ ସଦ୍ୟତ୍ସ୍ନାତା, ଶ୍ୱେତପଦ୍ମା ନୟନାର ଆବିର୍ଭାବ ହେଲା ସେ ଘରେ ।

 

ମତେ ଡାକୁଥିଲେ ବାପା ? ନୟନା ପ୍ରଶ୍ନ କଲା ।

 

ହଁ ମା, ଉଦୟ କେଉଁଠିକି ଯାଇଚି କହିପାରିବୁ ?

 

ମୁଁ କହି ପାରିବିନି ବାପା । ନୟନା ଉତ୍ତର ଦେଲା ।

 

ଈଶ୍ୱରବାବୁ ଆଉ କିଛି କହିବା ପୂର୍ବରୁ ନୟନା ହସି ହସି ପୁଣି କହିଲା, ଉଦୟ ପ୍ରଭାତୀ ଘରକୁ କିନ୍ତୁ ଯାଇନି ବାପା, ମୁଁ ଜାଣେ ।

 

ତାଙ୍କ ମନର କଥା କହିଚି ନୟନା । ତଥାପି ସେ ପଚାରିଲେ, ତୁ କେମିତି ଜାଣିଲୁ ନୟନା, ମୁଁ ପ୍ରଭାତୀ କଥା ତତେ ପଚାରିବି ବୋଲି ।

 

ଆପଣଙ୍କ ମୁହଁରେ ଭୟ ଓ ଆତଙ୍କର ଚିହ୍ନ ଠିକ୍ ଫୁଟି ଉଠୁଚି ବାପା ।...ଅତି କୋମଳ କଣ୍ଠରେ ଉତ୍ତର ଦେଲା ନୟନା ।

 

ଆତଙ୍କ ? କୋଉ ଆତଙ୍କ କଥା ତୁ କହୁଚୁ ନୟନା ?

 

ହାରିଯିବାର ଆତଙ୍କ । ପ୍ରଭାତୀ ସାଙ୍ଗରେ ଦେଖାହେବା ଦିନଠୁଁ ଆପଣଙ୍କ ମନରେ ଏକ ଅଜଣା ଭୟ ଦେଖାଦେଇଚି । ଝିଅଟି ଆପଣଙ୍କୁ ହରେଇଦେବ, ଏଇ ଭୟ ।

ତୁ ପ୍ରଭାତୀକୁ ଦେଖିଚୁ ନୟନା ?

ନା, ଦେଖିନି । ତେବେ ଉଦୟଠୁ ନାଁ ଶୁଣିଚି ତା'ର ।

ଦେଖିଥିଲେ ତୋ ମନରେ ସେଇ ଭୟ ହୁଅନ୍ତା ମାଆ । ଝିଅଟିର ଗୋଟିଏ ଅଦ୍ଭୁତ ଆକର୍ଷଣୀ ଶକ୍ତି ଅଛି ।

କିନ୍ତୁ ବାପା ? ଆପଣଙ୍କର ତାଙ୍କ ଦୁହିଁଙ୍କର ବିବାହରେ ଆପତ୍ତି କାହିଁକି ?

ନୟନାର ଏ ପ୍ରଶ୍ନରେ ଈଶ୍ୱରବାବୁ ଚମକି ଉଠିଲେ । ସାମାନ୍ୟ ଉତ୍ତେଜିତ ଗଳାରେ ସେ କହିଲେ, ଏ କଥା ତୁ କେମିତି କହୁଚୁ ନୟନା ? ସେ ଝିଅ ସଙ୍ଗେ ଉଦୟର ବାହାଘର ହେବ ? ଅସମ୍ଭବ ! ଏ ବିବାହ କୌଣସିମତେ ହୋଇପାରେ ନା ।

କାହିଁକି ହୋଇପାରିବିନି ବାପା ? ପ୍ରଭାତୀ କଲେଜରେ ପାଠ ପଢ଼ୁଛି । ସ୍ୱଭାବ ଚରିତ୍ର ଖୁବ୍ ଭଲ ।

ବଂଶ ମର୍ଯ୍ୟାଦାର ଗୋଟାଏ ମୂଲ୍ୟ ଅଛି ନୟନା । ଘରର ବୋହୂ ହେବାପାଇଁ ପାଠପଢ଼ା କେବଳ ଏକମାତ୍ର ଯୋଗ୍ୟତା ନୁହେଁ । ପଟ୍ଟନାୟକ ବଂଶର ପୁଅ ରାସ୍ତାର ଯେ କୌଣସି ଝିଅକୁ ବିବାହ କରିପାରେ ନା ।

 

ଈଶ୍ୱରବାବୁଙ୍କର ଗୁରୁଗମ୍ଭୀର ଟିପ୍‍ପଣୀ ଶୁଣି ନୟନା ଆଉ କିଛି କହିବାକୁ ସାହସ କଲା ନାହିଁ । ସେ ଜାଣେ, ତା'ର ବାପା ଥରେ ଉତ୍ୟକ୍ତ ହେଲେ ରାଗର ଚରମକୁ ଉଠିଯାଆନ୍ତି । ଈଶ୍ୱରବାବୁ କିନ୍ତୁ ନିରବ ରହିଲେ ନାହିଁ । ନୟନାକୁ ଲକ୍ଷ୍ୟକରି ସେ ପୁଣି କହିଲେ, ଗୋଟିଏ କଥା ମୁଁ ବୁଝିପାରୁନି ନୟନା । ଉଦୟର ଅସବର୍ଣ୍ଣ ବିବାହକୁ ତୁ ସମର୍ଥନ କରୁଚୁ; ଅଥଚ ନିଜର ବିଧବା ବିବାହରେ ତୋର ପ୍ରବଳ ଆପତ୍ତି କାହିଁକି ?

 

ଏ ସବୁ ହେଲା ବ୍ୟକ୍ତିଗତ ରୁଚିର କଥା । ନୟନା ଶାନ୍ତ କଣ୍ଠରେ ଉତ୍ତର ଦେଲା । କିଏ ହୁଏତ ଥରେ ମାତ୍ର ବିବାହ କରି ସାରା ଜୀବନ ଶାନ୍ତିରେ କଟେଇ ଦେଉଚି, କିଏ ପୁଣି ବାରମ୍ବାର ବିବାହ-ବିଛେଦକରି ନିତ୍ୟ-ନୂତନ ସାଥୀର ଦରକାର କରୁଚି ।

 

ପୁଣି ଥରେ ବିତର୍କର ବାଟ ଫିଟିଗଲା । ଈଶ୍ୱରବାବୁ ଏଥର ନରମ ଗଳାରେ କହିଲେ, ଚଳମାନ ଯୁଗରେ ସ୍ଥବିର ନ ହୋଇ ଗତିବାନ୍ ହେବା ଉଚିତ । ତେଣୁ ନୂତନତାକୁ ଆମର ସ୍ୱାଗତ କରିବାର କଥା ।

 

ସେ କ୍ଷେତ୍ରରେ ନୁହେଁ ବାପା । ବିବାହ ପୂର୍ବରୁ ସନ୍ଦେହ ଥିଲେ ଥରେ ନୁହେଁ, ଶହେବାର ଭାବିବା ଉଚିତ । କିନ୍ତୁ ଥରେ ବିବାହ ହୋଇଗଲେ ଆଉ ତାକୁ ରଦ୍ଦ କରିବା କେବଳ ଅସୁନ୍ଦର ନୁହେଁ, ଆମର ଅକର୍ତ୍ତବ୍ୟ ମଧ୍ୟ ।

 

ଆଜିର ତର୍କ ବିତର୍କରେ ନୟନାର ଚଞ୍ଚଳତା ନାହିଁ, ଉତ୍ତେଜନା ନାହିଁ । ମୁହଁରେ ଲାଗି ରହିଚି ତା'ର ବିମଳ ହସ ।

 

ପାଶ୍ଚାତ୍ୟ ଦେଶରେ ବିବାହ-ବିଚ୍ଛେଦ କିନ୍ତୁ ଏକ ଦୈନନ୍ଦିନ ଘଟଣା । ଈଶ୍ୱରବାବୁ ପୂର୍ବ ପରି ସରଳ କଣ୍ଠରେ କହିଲେ ।

 

ସେ ଦେଶର ସଭ୍ୟତା ସବୁ କ୍ଷେତ୍ରରେ ଆମର ଗ୍ରହଣଯୋଗ୍ୟ ନୁହେଁ । ଜୀବନକୁ ଆମେ ଯେପରି ଗଭୀର ଭାବରେ ଦେଖୁ, ସେମାନେ ସେପରି ଦେଖନ୍ତି ନାହିଁ ।

 

ଈଶ୍ୱରବାବୁ ଆଉ କ'ଣ କହିବାକୁ ଯାଉଥିଲେ । କିନ୍ତୁ ଚାକର ମଧୁଆ ଆସି ବାଧାଦେଇ କହିଲା, ବାହାରେ ଗାଡ଼ି ଅପେକ୍ଷା କରିଛି ବାବୁ । ଆପଣ ଜଲଦି ଯିବେ ବୋଲି ହୁକୁମ ଦେଇଥିଲେ ପରା ।

 

ରିଷ୍ଟଓ୍ୟାଚ୍‍କୁ ଚାହିଁଲେ ଈଶ୍ୱରବାବୁ । ଦଶଟା ବାଜି ପଚିଶ ମିନିଟ୍ । ପ୍ରକୃତରେ ଅନେକ ଡେରି ହୋଇ ଗଲାଣି । ନୟନାକୁ ଚାହିଁ ଈଶ୍ୱରବାବୁ କହିଲେ, ମୁଁ କାରଖାନାକୁ ଯାଉଚି ମା' । ଫେରିଲେ ତୋ ସଙ୍ଗେ ପୁଣି ଏ ବିଷୟରେ ଆଲୋଚନା କରିବି ।

 

ଠିକ୍ ଦଶଟା ଚାଳିଶି ମିନିଟରେ ଈଶ୍ୱର ପଟ୍ଟନାୟକ ତାଙ୍କର ଅଫିସ୍ ଚେମ୍ବରରେ ପହଞ୍ଚିଲେ । ମାଲିକଙ୍କୁ ବହୁ ଆଗରୁ ତୁଷାର ବାବୁ ଅପେକ୍ଷାକରି ରହିଥିଲେ । ବିନମ୍ର ନମସ୍କାର ଜଣେଇ କେତେଟା ଜରୁରୀ ଚିଠି ସେ ଈଶ୍ୱରବାବୁଙ୍କ ଟେବୁଲ ଉପରେ ରଖିଦେଲେ । କିନ୍ତୁ ଚିଠିଆଡ଼େ ନଜର ନ ଦେଇ ଈଶ୍ୱର ପଟ୍ଟନାୟକ କିଞ୍ଚିତ୍ ବ୍ୟଙ୍ଗମିଶା କଣ୍ଠରେ ପଚାରିଲେ, ଆପଣଙ୍କର ଜେନେରାଲ ମ୍ୟାନେଜର ଅଫିସରେ ହାଜରା ଦେଲେଣି କି ନାହିଁ ?

 

ସଂଭ୍ରମର ସହିତ ତୁଷାରବାବୁ ଉତ୍ତରଦେଲେ, ସେ'ତ ସକାଳ ସାତଟାରୁ ଆସି ଅଫିସରେ କାମ କରୁଛନ୍ତି ।

 

ଈଶ୍ୱର ପଟ୍ଟନାୟକ ମନେମନେ ପୁଲକିତ ହୋଇ ଉଠିଲେ । ଉଦୟ ଯେତେହେଲେ ତାଙ୍କର ପୁଅ । ଜଣେ ନାରୀର ଆକର୍ଷଣ ତାକୁ କେବେ କର୍ତ୍ତବ୍ୟରୁ ବିଚ୍ୟୁତ କରିପାରିବ ନାହିଁ ।

 

ଭେରି ଗୁଡ଼୍ ! ତାକୁ ମୋ ପାଖକୁ ଡକେଇ ପଠାନ୍ତୁ ।

 

ଜରୁରୀ ଚିଠି ଉପରେ ଆଖି ବୁଲେଇଲେ ଈଶ୍ୱର ପଟ୍ଟନାୟକ । ଟିକିଏ ପରେ ଉଦୟ ଆସିଲା । ପଛେ ପଛେ ତୁଷାରବାବୁ ମଧ୍ୟ ଥାଆନ୍ତି । ଉଦୟର ହାତରେ ଗୋଟାଏ ବଣ୍ଡିଲ କାଗଜ ।

 

ଶୁଣି ଖୁବ୍ ଖୁସିହେଲି ଯେ ସକାଳ ସାତଟାରୁ ତୁ ଅଫିସକୁ ଆସି ଆଜି କାମ କରୁଚୁ ! କଅଁଳ କଣ୍ଠରେ କଥା ଆରମ୍ଭ କଲେ ଈଶ୍ୱରବାବୁ ।

 

କିନ୍ତୁ ବାପା, ଏ କାଗଜଗୁଡ଼ାକରେ ମୁଁ ଦସ୍ତଖତ୍ କରି ପାରିଲି ନାହିଁ ।

 

କ'ଣ ସେ କାଗଜ ?

 

ଈଶ୍ୱରବାବୁ କାଗଜଗୁଡ଼ାକ ତନ୍ନ ତନ୍ନ କରି ଦେଖିଲେ । ମୁହଁରେ ତାଙ୍କର ମାଲିକ ସ୍ୱଭାବ ହସ ଉକୁଟି ଉଠିଲା । ଚେୟାରକୁ ଆଉଜି ଯାଇ ଉତ୍ସାହିତ କଣ୍ଠରେ ସେ କହିଲେ, ଡିସଚାର୍ଜ ଲେଟର ତତେଇ ଦସ୍ତଖତ୍ କରିବାକୁ ପଡ଼ିବ ଉଦୟ । କମ୍ପାନୀର ତୁ ହେଲୁ ଜେନେରାଲ୍ ମ୍ୟାନେଜର ।

 

କିନ୍ତୁ ଡିସଚାର୍ଜ କରିବା ପାଇଁ ମୋର ତ ମତାମତ ନିଆ ହୋଇ ନ ଥିଲା । ଶାନ୍ତ କଣ୍ଠରେ କହିଲା ଉଦୟ ।

 

ମୋ ଆଦେଶରେ ଏ ଚିଠି ଲେଖା ହୋଇଥିଲା ।

 

ତା'ହେଲେ ଆପଣ ଦସ୍ତଖତ୍ କରନ୍ତୁ । ମୁଁ ପାରିବିନି ।

 

ଉଠି ଠିଆହେଲା ଉଦୟ ।

 

ସେମାନଙ୍କର ଅପରାଧ କ'ଣ ଜାଣୁ ?

 

ଯେତିକି ଜାଣିଚି, ସେଥିରୁ ମୋର ହୃଦବୋଧ ହେଇଚି ଯେ ସେମାନଙ୍କର ଦୋଷ କିଛି ନାହିଁ । ଦରମା ବଢ଼େଇବାପାଇଁ ଆପଣଙ୍କ ନିକଟରେ ଏଇ ଦଶଜଣ ଆପତ୍ତି କରିଥିଲେ ।

 

ଫ୍ୟାକ୍ଟରୀର ଆଇନ ଶୃଙ୍ଖଳା ସେମାନେ ଭାଙ୍ଗିଛନ୍ତି । ସେମାନଙ୍କୁ ବିଦାୟ କରି ନ ଦେଲେ କମ୍ପାନୀରେ ବିଶୃଙ୍ଖଳା ବଢ଼ି ଉଠିବ ଭବିଷ୍ୟତରେ ।

 

ଦରମା ବୃଦ୍ଧିପାଇଁ ଆବେଦନ କରିବା ତ ଅନ୍ୟାୟ ନୁହେଁ ।

 

...ଦୃଢ଼ କଣ୍ଠରେ ପ୍ରତିବାଦ ଜଣେଇଲେ ଉଦୟ । ଈଶ୍ୱରବାବୁଙ୍କ ଗମ୍ଭୀର ମୁହଁକୁ ସେ ସିଧା-ସଳଖ ଚାହିଁଥିଲା ନ୍ୟାୟ ବିଚାର ଆଶାରେ ।

 

ସେମାନଙ୍କର ଅପରାଧ କ୍ଷମଣୀୟ ନୁହେଁ । ଲିଖିତ ଭାବେ ସେମାନେ ଆବେଦନ କରିପାରିଥାନ୍ତେ । ତା' ନ କରି ସେମାନେ ଗଣ୍ଡଗୋଳ କଲେ କାହିଁକି ?

 

ଆପଣ ଜାଣିରଖନ୍ତୁ ବାପା, ସେମାନଙ୍କର ଶିକ୍ଷା ନାହିଁ । କୁଲି, ମଜଦୁର୍ ଶ୍ରେଣୀର ଲୋକ । ଲେଖା-ପଢା ଉପରେ ବିଶେଷ ଜୋର୍ ନ ଦେଇଥିବା ସ୍ୱାଭାବିକ । କିନ୍ତୁ ମୌଖିକ ଆବେଦନ ସେମାନଙ୍କର ଆଇନ୍ ବହିର୍ଭୁତ ନ ଥିଲା ।

 

ଦେଖ୍ ଉଦୟ....ଗମ୍ଭୀର କଣ୍ଠରେ ଉତ୍ତର ଦେଲେ ଈଶ୍ୱରବାବୁ । ନିଆଁରେ ହାତଦେଲେ ହାତ ପୋଡ଼ିଯାଏ । ଶିଶୁ ବା ଅଶି ତା ବୋଲି ନିଆଁ ସେମାନଙ୍କୁ କେବେ କ୍ଷମା ଦିଏ ନାହିଁ ।

 

ଆପଣଙ୍କ ବିଚାରରେ ଯାହା ଭଲ ବୋଲି ଭାବୁଚନ୍ତି, କରନ୍ତୁ । ମୁଁ ଚାଲିଲି ।

 

ଉଦୟ ଦୁଆର ପର୍ଯ୍ୟନ୍ତ ଆଗେଇଗଲା ।

 

ଠିଆ ହୁଅ । ଈଶ୍ୱରବାବୁ ରାଗରେ ଚେଆର ଛାଡ଼ି ଠିଆ ହୋଇ ପଡ଼ିଲେ । ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ତାଙ୍କର କମ୍ପିବାକୁ ଲାଗିଲା । ସେ ହୁଏତ ପଡ଼ିଯାଇଥାନ୍ତେ । ଟେବୁଲ ଉପରେ ହାତ ଭରାଦେଇ ସେ କୌଣସିମତେ ଅଟକି ଗଲେ । ରାଗମିଶା କଣ୍ଠରେ ସେ ଚିତ୍କାର କରି କହିଲେ, ଯିବାର ଯେବେ ଇଚ୍ଛା, ତେବେ ରେଜିନେସନ୍ ଦେଇ ଚାଲି ଯା' ।

 

ଆପଣ ଏ କ'ଣ କହୁଚନ୍ତି ସାର୍ ? ତୁଷାରବାବୁ ବାଧା ଦେବାକୁ ଆଗଭର ହେଲେ ।

 

ଆପଣ ଚୁପ୍ କରନ୍ତୁ ତୁଷାରବାବୁ । ଇଚ୍ଛା କଲେ ଆପଣ ମଧ୍ୟ ଯାଇପାରନ୍ତି । କଳିଙ୍ଗ କେମିକାଲ୍ ମୁଁ ଏକ ଗଢ଼ିଥିଲି । ମୁଁ ଏକ ଚଳେଇବି । ହଁ....

 

....ପୂର୍ବପରି ବଡ଼ ପାଟିରେ ଧମକ୍ ଦେଲେ ଈଶ୍ୱରବାବୁ ।

 

ମୁଁ ଜାଣେ;ଆପଣ ଶେଷକୁ ଏଇ ଧମକ୍ ଦେବେ ।

 

ପକେଟରୁ ଖଣ୍ଡେ ଲେଖା କାଗଜ ବାହାର କରି ଉଦୟ ଟେବୁଲ ଉପରେ ରଖିଦେଇ କହିଲା, ଏଇ ମୋର ଇସ୍ତଫାପତ୍ର । ବହୁ ଆଗରୁ ଲେଖିଥିଲି । ମୁଁ ଚାଲିଲି ।

 

ଉଦୟ ଚାଲିଗଲା ଦ୍ରୁତ ପଦକ୍ଷେପରେ । ବାଧା ଦେବାକୁ କାହାର ସାହସ ନାହିଁ । ଈଶ୍ୱରବାବୁ କିଛି ସମୟ ତା'ର ଯିବା ବାଟକୁ ଚାହିଁ ରହିଲେ । ତା' ପରେ ତୁଷାରବାବୁଙ୍କୁ ଲକ୍ଷ୍ୟ କରି କହିଲେ, ଆଣନ୍ତୁ ଡିସ୍‍ଚାର୍ଜ ଲେଟରଗୁଡ଼ାକ ମୁଁ ନିଜେ ଦସ୍ତଖତ୍ କରିଦେବି ।

 

ତୁଷାରବାବୁ ଦସ୍ତଖତ୍ ପାଇଁ କାଗଜଗୁଡ଼ାକ ବଢ଼େଇଦେଲେ । ଏକା ନିଶ୍ୱାସରେ ସେଥିରେ ସଇ କରିଦେଲେ ଈଶ୍ୱରବାବୁ । ତା' ପରେ ଏକମୁହାଁ ହୋଇ ଘରକୁ ଫେରି ଆସିଲେ ସେ । ଘରେ ପହଞ୍ଚିବା ସଙ୍ଗେ ସଙ୍ଗେ ସେ ଫୋନରେ କଥାବାର୍ତ୍ତା କଲେ ସ୍ଥାନୀୟ ଆଡ଼ଭୋକେଟ୍ ଅଶୋକବାବୁଙ୍କ ସଙ୍ଗେ ।

 

ଆପଣ ଘଣ୍ଟାକ ଭିତରେ ଆସନ୍ତୁ । ଖୁବ୍ ଜରୁରୀ ପରାମର୍ଶ ଅଛି । ସେପାଖରୁ ଅଶୋକବାବୁ ହୁଏତ ନିଦ୍ଧିଷ୍ଟ ସମୟ ମଧ୍ୟରେ ଆସିବେ ବୋଲି ସ୍ୱୀକୃତି ଦେଲେ । ଫୋନ ରିସିଭର ଥୋଇଦେଇ ଈଶ୍ୱରବାବୁ ଏଥର ମଧୁଆକୁ ଆଦେଶ ଦେଲେ ନୟନାକୁ ଡାକିଦେବାକୁ । ସେ ଆଜି ଏକାବେଳେକେ ଭିନ୍ନ ମଣିଷ ହୋଇ ଉଠିଛନ୍ତି ।

 

ଖବର ପାଇ ନୟନା ଆସିଲା । ତାକୁ ଦେଖୁ ଦେଖୁ ଈଶ୍ୱରବାବୁ କହିଲେ, ବସ୍ ମା' ! ତୋ ସଙ୍ଗେ ଅନେକ କଥାବାର୍ତ୍ତା ଅଛି ।

 

ନାଇଁ ବାପା, ମୁଁ ଆଗ ଆପଣଙ୍କ ପାଇଁ ଚାହା ନେଇ ଆସେ ।

 

ଚାହା ପାଇଁ ବ୍ୟସ୍ତ ହଅନା ମା' । ଆଡ଼ଭୋକେଟ୍ ଅଶୋକବାବୁ ଆସିବେ । ସେ ଆସିଲେ ଏକ ସଙ୍ଗରେ ଚା' ପର୍ବ ହେବ ।

 

ଅଶୋକ ବାବୁ କାହିଁକି ଆସିବେ ବାପା ? ଆଶ୍ଚର୍ଯ୍ୟରେ ପ୍ରଶ୍ନ କଲା ନୟନା ।

 

ମୋର ଦରକାର ଅଛି । ଆଚ୍ଛା, ଉଦୟ ଘରକୁ ଆସିଥିଲା ?

 

ନା, ଆସିନି । ସେଇ ସକାଳ ସାତଟାରୁ ଯାଇଚି ଯେ ଏ ପର୍ଯ୍ୟନ୍ତ ଘରକୁ ଫେରିନି ।

 

ସେ ରିଜାଇନ୍ ଦେଇଚି ନୟନା । ଘର ଭିତରେ ପଦଚାରଣା କରୁ କରୁ ଈଶ୍ୱରବାବୁ ଗମ୍ଭୀର ଭାବରେ କହିଲେ ।

 

ଶାନ୍ତ କଣ୍ଠରେ ନୟନା ଉତ୍ତର ଦେଲା, ଏଥିପାଇଁ ଆପଣ ଏତେ ଭାବୁଚନ୍ତି କାହିଁକି ? ଲୋକଙ୍କର ଅଭାବ ନାହିଁ ଏ ସହରରେ । କାଲି ଆଉ ଜଣକୁ ମୁକରିର କରିଦେବେ ।

ଆଶ୍ଚର୍ଯ୍ୟ ହୋଇ ଈଶ୍ୱରବାବୁ ନୟନାକୁ ଚାହିଁଲେ । ନୟନାର ଉତ୍ତରରେ ବିଦ୍ରୂପ ଅଛି କି ନାହିଁ ସେ ଭଲକରି ବୁଝିବାକୁ ଚେଷ୍ଟା କଲେ । ନା, କୌଣସି ଚାତୁରୀ ତା' କଥାରେ ନାହିଁ । ଅଛି ସହାନୁଭୂତି ଓ ସମବେଦନାର ଇଙ୍ଗିତ ।

ଭାଇପାଇଁ ତୋର ମନ ଦୁଃଖ ହେଉନି ନୟନା ?

ନା, ଦୁଃଖ କାହିଁକି ହେବ ?

ତୋର କ'ଣ କୌଣସି କାରଣରେ ମନ ବିଚଳିତ ହୁଏନି ?

ହୁଏ ବାପା, ହସହସ ମୁହଁରେ ନୟନା ଉତ୍ତର ଦେଲା । ମନ ବିଚଳିତ ହେଲେ ମୁଁ ଭଗବାନଙ୍କୁ ଆରାଧନା କରେ ।

ତଳେ କାର୍ ଆସି ଅଟକିବାର ଶବ୍ଦ ହେଲା । ଅଶୋକବାବୁ ବୋଧେ ଆସିଲେ ।

ମଧୁଆ ହାତରେ ଚା' ପଠେଇ ଦେ' ନୟନା ।

ଈଶ୍ୱରବାବୁ ଅପେକ୍ଷା କରି ରହିଲେ ଅଶୋକବାବୁଙ୍କୁ । ଟିକିଏ ପରେ ଓକିଲବାବୁ ହସି ହସି ଘର ଭିତରକୁ ଆସିଲେ । ଅମୀର ଆସନକୁ ଆସିଲା ପରେ ଅଶୋକବାବୁଙ୍କଠାରୁ ସବୁ ସମୟରେ ଲିଗାଲ୍ ଆଡ଼ଭାଇସ୍ ନିଅନ୍ତି ଈଶ୍ୱରବାବୁ ।

 

ହଠାତ୍ କାହିଁକି ତଲବ୍ ଦେଲେ ? ଅଶୋକବାବୁ ଅତି ମଧୁର ଭାବରେ ହସିକରି ପ୍ରଶ୍ନ କଲେ ।

 

ଗୋଟିଏ ନୂଆ ଉଇଲ କରିବି । ଆସନ୍ତୁ ଡାଇନିଂ ଟେବୁଲକୁ, ଆସନ୍ତୁ । ସେଇଠି କଥାବାର୍ତ୍ତା ହେବା ।

 

ଡାଇନିଂ ଟେବୁଲରେ ଅଶୋକବାବୁ ପୁଣି ପ୍ରଶ୍ନ କଲେ, ହଠାତ୍ ନୂଆ ଉଇଲ୍‍ର ଦରକାର ହେଲା କାହିଁକି ?

 

ଚାହା ପିଆ ବନ୍ଦକରି ଈଶ୍ୱରବାବୁ ଉତ୍ତର ଦେଲେ, ବହୁତ ଭାବିଲି ଅଶୋକବାବୁ । ଉଦୟକୁ ଧନ ସମ୍ପତ୍ତି ଦେବା ଅର୍ଥ ସେ ସବୁ ପାଣିକୁ ଫିଙ୍ଗିଦେବା । ବହୁଶ୍ରମ ସ୍ୱୀକାରକରି ମୁଁ ଏ ଧନ ସମ୍ପତ୍ତି କରିଚି । ମୋ ଜୀବନରେ କେତେ ଯେ ଢେଉ, ତା'ର ଇୟତ୍ତା ନାହିଁ । ଜଣେ ଅଯୋଗ୍ୟ ଅପଦାର୍ଥ ହାତରେ ମୁଁ ସେ ସବୁକୁ ବରବାଦ୍ ହେବାକୁ ଦେବି ନାହିଁ ।

 

ଅଶୋକବାବୁ ଈଶ୍ୱରବାବୁଙ୍କର ନାଟକୀୟ ସଂଳାପ ଶୁଣି ନିରବ ରହିଲେ । ସେ ଦେଖିଲେ ପଛରେ ନୟନା ଛିଡ଼ା ହେଇଚି ।

 

ଈଶ୍ୱରବାବୁ ପୁଣି କହିବାରେ ଲାଗିଲେ, ପୁରୁଣା ଉଇଲ୍ ବଦଳରେ ମୁଁ ତେଣୁ ନୂଆ ଉଇଲ୍‍ କରିବି ବୋଲି ଭାବିଚି । ମୋର ସମସ୍ତ ସ୍ଥାବର ଅବସ୍ଥାର ସମ୍ପତ୍ତି ମୋ ପରେ ମୋ କନ୍ୟା ନୟନା ପାଇବ ।

 

ଅଶୋକବାବୁ ନୟନା ଆଡ଼କୁ ମୁହଁ ଫେରେଇଲେ । ସେ ହୁଏତ ଭାବିଲେ ଏ ନୂଆ ଉଇଲ୍ ପଛରେ ନୟନାର ନିଶ୍ଚୟ ଅଦୃଶ୍ୟ ହାତ ଅଛି । ତେବେ ତାଙ୍କର ମନକଥା ମନରେ ରଖି ସେ କହିଲେ, ଦେଖନ୍ତୁ ଈଶ୍ୱରବାବୁ, ଆପଣଙ୍କ ସମ୍ପତ୍ତି, ଆପଣ ଉଇଲ୍ କରିବେ । ମୋର ସେଥିରେ କିଛି କହିବାର ନାହିଁ । ଆପଣ ଯେମିତି କହିବେ, ମୁଁ ସେମିତି କରିଦେବି । ତେବେ ଶେଷ ନିଷ୍ପତ୍ତି କରିବା ଆଗରୁ ଆପଣ ଆଉଥରେ ଭଲକରି କଥାଟା ଚିନ୍ତା କରନ୍ତୁ ।

 

ବହୁତ ଚିନ୍ତା କରିଚି ଅଶୋକବାବୁ । ୟା'ଛଡ଼ା ମୁଁ ଆଉ କୌଣସି ବିକଳ୍ପ ପନ୍ଥା ପାଇଲି ନାହିଁ । ଦୁଇଦିନ ଭିତରେ ଆପଣ ନୂଆ ଉଇଲ୍ କରି ଆଣିଦିଅନ୍ତୁ ।

 

ସମ୍ମତି ଜଣାଇ ଅଶୋକବାବୁ ବିଦାୟ ନେଲେ । ଦୁଆର ପର୍ଯ୍ୟନ୍ତ ପାଛୋଟି ଯାଇଥିଲେ ଈଶ୍ୱରବାବୁ ।

 

ନୟନା ଏତେବେଳଯାଏ ଚୁପ୍ ହୋଇ ଛିଡ଼ାହେଇ ଥିଲା । ଓକିଲବାବୁ ଯିବା ପରେ ପରେ ସେ କହିଲା, ଆପଣ ନୂଆ ଉଇଲ୍ କରନ୍ତୁନି ବାପା ! ସେଥିରେ ଅଶାନ୍ତି ଆହୁରି ବଢ଼ିବ ।

 

ଈଶ୍ୱରବାବୁ ନୟନାର ଖୁବ୍ ନିକଟକୁ ଯାଇ ସହାନୁଭୂତି ସୂଚକ ସ୍ୱରରେ କହିଲେ, ତୋର କ'ଣ ଉଦୟକୁ ଭୟ ହେଉଚି ମା' ?

 

ଭୟର ପ୍ରଶ୍ନ ନାହିଁ ବାପା ! ଉଦୟ ମୋର ସାନ ଭାଇ । ସେ ମୋର ଅତି ଆଦରର, ଅତି ଆପଣାର । ତାକୁ ସମ୍ପତ୍ତିରୁ ବେଦଖଲକଲେ ସବୁଠାରୁ ମୁଁ ବେଶି ଦୁଃଖ ପାଇବି ।

 

ସେ ଦୁଃଖ ତତେ ସହିବାକୁ ହେବ । ମୁଁ କହୁଚି, ଉଦୟକୁ ତୁ ସାନଭାଇ ତାଲିକାରୁ କାଟି ଦେ' ।

 

ନିର୍ମମ ନିଷ୍ଠୁର ଈଶ୍ୱରବାବୁଙ୍କୁ ବିଧବା ନୟନା ଆଉ କ'ଣ ଉତ୍ତର ଦେବ ? ସେ ବିଷୟରେ ଆଉ ତର୍କ କରିବା ମାନେ ଘଟଣାକୁ ଆହୁରି ତିକ୍ତ କରିବା । ନୀରବରେ ନୟନା ଚାଲିଗଲା ତା' ଘରକୁ ।

 

ସାତ

 

.......କାରଖାନା ଭିତରକୁ ଯିବା ପୂର୍ବରୁ ଈଶ୍ୱରବାବୁ ଦେଖିଲେ ପ୍ରଭାତୀ ସଦର ଗେଟ୍‍ ବାହାରେ ଛିଡ଼ା ହେଇଚି ଏକାକୀ । ସେ କାହିଁକି ପୁଣି ଆସିଚି ? ଉଦୟ ସଙ୍ଗେ ଦେଖା କରିବ ? ଝିଅଟିର ସାହସ ତ କମ୍ ନୁହେଁ ।

 

ଗାଡ଼ି ଅଟକା ଡ୍ରାଇଭର୍ ।

 

ଈଶ୍ୱରବାବୁଙ୍କର ଦାମିକା କାର୍‍ଟି ସଙ୍ଗେ ସଙ୍ଗେ ଅଟକି ଗଲା । ମଟର ଭିତରୁ ରାସ୍ତାକୁ ଓହ୍ଲେଇ ପ୍ରଭାତୀକୁ ରୁକ୍ଷଗଳାରେ ସେ ପ୍ରଶ୍ନକଲେ, କାହିଁକି ଏଠି ଠିଆ ହୋଇଛ ?

 

ରାସ୍ତାରେ ଛିଡ଼ା ହୋଇଚି । ସେଥିରେ ମଧ୍ୟ ଆପଣଙ୍କର ଆପତ୍ତି ? ହସୁ ହସୁ ପ୍ରଭାତୀ ଉତ୍ତର ଦେଲା ।

 

ଉଦୟ ସଙ୍ଗେ ଦେଖା କରିବାକୁ ଆସିଚ ?

 

ନା, ଆପଣଙ୍କ ପାଖକୁ ଆସିଥିଲି । କିନ୍ତୁ ଆପଣଙ୍କର ପି.ଏ ସାହେବଙ୍କର କଡ଼ା ହୁକୁମ...କାରଖାନା ଭିତରକୁ ମୋର ପ୍ରବେଶ ନିଷେଧ ।

 

ସେ ଆଦେଶ ମୁଁ ଦେଇଥିଲି । ଈଶ୍ୱରବାବୁ ପୂର୍ବପରି ରୁକ୍ଷଗଳାରେ କହିଲେ ।

 

ତା' ହେଲେ ମୁଁ ଫେରିଯାଉଚି । ନମସ୍କାର ।

 

ପ୍ରଭାତୀ ଗୋଡ଼ ବଢ଼େଇଲା ଯିବାକୁ ।

 

ଶୁଣ । ପଛରୁ ପୁଣି ଡାକିଲେ ଈଶ୍ୱରବାବୁ । କ'ଣ ତୁମେ ମତେ କହିବାକୁ ଚାହଁ ?

 

ଏଇ ରାସ୍ତାରେ ଶୁଣିବେ ?

 

ଈଶ୍ୱରବାବୁ କଣ ଭାବିଲେ କେଜାଣି, ସହଜ ଗଳାରେ କହିଲେ, ଆସ ମୋ ସଙ୍ଗେ ।

 

ଗାଡ଼ିରେ ଦୁଇଜଣଯାକ ଉଠିଲେ । ଦୁଇଜଣଙ୍କର ଚିନ୍ତାଧାରା ଭିନ୍ନମୁଖୀ, ଦୁହେଁ ନିରବ । ଗାଡ଼ି ନିଃଶବ୍ଦରେ କାରଖାନା ଭିତରକୁ ଚାଲିଲା । ନିଜର ପ୍ରକୋଷ୍ଠ ଭିତରେ ଆସନ ଗ୍ରହଣ କରି ଈଶ୍ୱରବାବୁ ପ୍ରଥମେ ପଚାରିଲେ, କୁହ, ତୁମର କ'ଣ କହିବାର ଅଛି ?

 

ଶୁଣିଲି, ଆପଣଙ୍କ ଫାର୍ମରେ ଜେନେରାଲ ମ୍ୟାନେଜର ପୋଷ୍ଟ ଖାଲିଅଛି । ପ୍ରଭାତୀ ସେଇ ହସ ହସ ମୁହଁରେ ପଚାରିଥିଲା ।

 

ଜେନେରାଲ ମ୍ୟାନେଜର ନିଜେ ବୋଧେ ଏ ଖବର ତୁମକୁ ଦେଇଛନ୍ତି ? ଈଶ୍ୱରବାବୁଙ୍କର ବିଦ୍ରୂପମିଶା ପ୍ରତ୍ୟୁତ୍ତର ।

 

ଆପଣ ଉଦୟ ଭାଇଙ୍କ ସଙ୍ଗେ କାହିଁକି କଳହ ସୃଷ୍ଟି କରିଛନ୍ତି ?

 

ସେ କୈଫିୟତ୍ କ'ଣ ତୁମକୁ ବି ଦେବାକୁ ହେବ ?

 

ଈଶ୍ୱରବାବୁ ଯେତିକି ରୁକ୍ଷ, କଠୋର ହେଉଥାନ୍ତି, ପ୍ରଭାତୀର ମୁହଁରେ ସେତିକି ହସ ଭରିଯାଉଥାଏ ।

 

ନା ନା, ସେ କୈଫିୟତ୍ ଚାହିଁବାର ଅଧିକାର ମୋର ନାହିଁ । ନିମ୍ନସ୍ୱରରେ ଉତ୍ତର ଦେଲା ପ୍ରଭାତୀ । ମୋର କହିବାର କଥା, ପିତା ପୁତ୍ରଙ୍କର ଅଚିରେ ମିଳନ ହେଉ ।

 

ଉଦୟ କେଉଁଠି ? ଈଶ୍ୱରବାବୁ ପ୍ରଭାତୀଠାରୁ ସତକଥା ଶୁଣିବାକୁ ଚାହିଁଥିଲେ ।

 

ସେ ବର୍ତ୍ତମାନ ଆମ ଘରେ ।

 

ବାଃ, ଶୁଣି ଖୁସି ହେଲି । ଆଚ୍ଛା, ତୁମେ କ’ଣ ଉଦୟକୁ ଭୁଲିପାରିବନି ? ସେ ମୋର ଏକମାତ୍ର ପୁତ୍ର । ଆଉ ମୋର କେହି ନାହାନ୍ତି ।

 

ମୁଁ ତ ଆପଣଙ୍କ ପୁଅକୁ ଆପଣଙ୍କ ନିକଟରୁ ଛଡ଼େଇ ନେଉ ନାହିଁ । ବରଂ ମୁଁ ଚାହୁଁଚି ଦୁହିଁଙ୍କର ମିଳନ ।

 

କିନ୍ତୁ ସେ'ତ ତୁମ ବ୍ୟତୀତ ଅନ୍ୟ କାହାକୁ ବିବାହ କରିବନି ବୋଲି କହୁଚି ।

 

ସେଇଟା ତାଙ୍କର ଇଚ୍ଛା । ତାଙ୍କ ଇଚ୍ଛା ଉପରେ ମୁଁ କାହିଁକି ବାଧା ଦେବି ?

 

ଜଣେ ଉତ୍‍ଶୃଙ୍ଖଳ ମାତାଲକୁ ତୁମେ କ'ଣ ଜୀବନର ସାଥି କରିବାକୁ ଚାହୁଁଚ ?

 

ସାଥି ମୁଁ ବହୁଦିନରୁ କରିସାରିଚି ।

 

ପ୍ରଭାତୀର ସ୍ପଷ୍ଟ ଉତ୍ତର ଶୁଣି ଈଶ୍ୱରବାବୁ ଅବାକ୍ ହେଲେ । ସେ କହିଲେ, ଯୋଉ ଲୋଭରେ ତୁମେ ମୋ ପୁଅକୁ ବାହା ହେବାକୁ ଚାହୁଁଚ, ସେ କଥା ମୁଁ ଠିକ୍ ଜାଣେ । ମୋର ଏ ବିଶାଳ ସମ୍ପତ୍ତି ଲୋଭରେ ତୁମେ ତାକୁ ଆପଣାର କରିବାକୁ ଜାଲ ବିସ୍ତାର କରିଚ ।

 

ମିଛ କଥା । ସମ୍ପତ୍ତି ଲୋଭ ଥିଲେ ମୁଁ ବହୁ ପୂର୍ବରୁ ଆପଣଙ୍କ ନିକଟରେ ମୋ ଦାବି ଜଣେଇ ଥାଆନ୍ତି ।

 

ତା'ର ଅର୍ଥ ? ତୁମ ଦୁହିଁଙ୍କର କ'ଣ ବିବାହ ସରିଯାଇଚି ? ଈଶ୍ୱରବାବୁଙ୍କର କଣ୍ଠରେ ଚରମ ବିସ୍ମୟତା ।

 

ନା, ପବିତ୍ର ବିବାହକୁ ଆମେ ଆପଣଙ୍କୁ ନ ଜଣେଇ ଗୁପ୍ତରେ କରିଦେବାକୁ ଚାହୁଁନା ।

 

ତା'ହେଲେ ମୋ ସମ୍ପତ୍ତି ଉପରେ ତୁମେ ଦାବି କରିଥାନ୍ତ କାହିଁକି ?

 

ପ୍ରଭାତୀ ଏ ପ୍ରଶ୍ନର ଉତ୍ତର ହଠାତ୍ ଦେଇପାରିଲା ନାହିଁ । କିଛି ସମୟ ପରେ ଭାବନାରେ ବୁଡ଼ି ରହିଲା । ତା'ପରେ ଅତି କ୍ଷୀଣ କଣ୍ଠରେ କହିଲା, ଜୀବନରେ ଆପଣ କାହାକୁ ଭଲ ପାଇନାହାନ୍ତି, କି କାହାର ବନ୍ଧୁତ୍ଵକୁ ସ୍ୱୀକାର କରିନାହାନ୍ତି ।

 

ମୁଁ କର୍ମଠ ମଣିଷ । କାମ ହେଲା ମୋର ସବୁଠାରୁ ବଳି ପ୍ରିୟ ଜିନିଷ । ଜୀବନରେ ଯାହା କିଛି କରିଚି, ନିଜର ଚେଷ୍ଟାରେ କରିଚି । କାହାର ସାହାଯ୍ୟ ଚାହିଁନି ।

 

କିନ୍ତୁ ବହୁ ଲୋକ ଆପଣଙ୍କୁ ସାହାଯ୍ୟ କରିଚନ୍ତି ।

 

ନା, କେହି କରିନାହାନ୍ତି ।

 

ତଥାପି ଆପଣ ଅସ୍ୱୀକାର କରୁଚନ୍ତି ? ଯଦୁବାବୁ ବୋଲି ଜଣେ ଭଦ୍ରଲୋକ ଆପଣଙ୍କୁ ତାଙ୍କର 'ଦାସ୍ ଫାର୍ମାସୀ'ରେ ଅଂଶୀଦାର ଭାବରେ ଗ୍ରହଣ କରିଥିଲେ କି ନାହିଁ ?

 

ଈଶ୍ୱରବାବୁଙ୍କର ଭ୍ରୂ କୁଞ୍ଚିତ ହୋଇ ଆସିଲା । କଣ୍ଠ ସ୍ୱରରେ ଯେତେ ଦୃଢ଼ତା ଥିଲା, ତା' ମଧ୍ୟ ଆସ୍ତେ କମି କମି ଆସିଲା ।

 

ତୁମେ ଜାଣିଲ କେମିତି ?

 

ଈଶ୍ୱରବାବୁ ପ୍ରଶ୍ନ କରିବା ସଙ୍ଗେ ସଙ୍ଗେ ଭାବିଲେ, କିଏ ଏହି ଝିଅ ? ....ଅତୀତର ମୋର ସମସ୍ତ ଦୁର୍ବଳତାକୁ ପ୍ରକାଶ କରିବାକୁ ଶତମୁଖର ହୋଇ ଉଠିଚି କାହିଁକି ?

 

ଜୀବନରେ କୌଣସି କଥା ଗୁପ୍ତ ରହେ ନାହିଁ । ଦିନେ ନା ଦିନେ ତାହା ବାହାରକୁ ପ୍ରକାଶ ପାଏ । ପ୍ରଭାତୀର କଣ୍ଠସ୍ୱରରେ ବିଜୟ ଉଲ୍ଲାସର ଚିହ୍ନ ।

 

ତୁମେ କ'ଣ ଯଦୁବାବୁଙ୍କୁ ଜାଣ ? ଈଶ୍ୱରବାବୁଙ୍କର କଣ୍ଠସ୍ୱରରେ ଭୟ ଓ ଆତଙ୍କର ଚିହ୍ନ-

 

ଛାଡ଼ନ୍ତୁ ସେ କଥା । ଆପଣ ଯଦୁବାବୁଙ୍କୁ ମନେ ରଖିଚନ୍ତି ତ ?

 

ହଁ, ମନେ ରଖିଚି । ସେ'ତ ଯୁଦ୍ଧ ଭୟରେ କଟକ ଛାଡ଼ି ଗାଁକୁ ଚାଲିଗଲେ ଯେ ଆଉ ଫେରିଲେ ନାହିଁ ।

 

ନା, ସେ ଫେରିଥିଲେ । କିନ୍ତୁ ତାଙ୍କ ଫେରିବା ସମୟକୁ ଏ ସହରର ଅନେକ କିଛି ପରିବର୍ତ୍ତନ ହୋଇ ସାରିଥିଲା । ଗାଁରେ ତାଙ୍କର ଆର୍ଥିକ ପରିସ୍ଥିତି ଅତି ଶୋଚନୀୟ ଅବସ୍ଥାକୁ ଆସିଯାଇଥିଲା । ବିଧିର ନିର୍ଦ୍ଦେଶରେ ଦୁଇ ପୁଅ ଓ ସ୍ତ୍ରୀ ମଧ୍ୟ ଅକାଳ ମୃତ୍ୟୁ ମୁଖରେ ପଡ଼ିଲେ । କେବଳ ତରୁଣୀ କନ୍ୟାକୁ ସାଙ୍ଗରେ ଧରି ସେ ଯେତେବେଳେ କଟକରେ ପାଦ ଦେଲେ, ସେତେବେଳେ ତାଙ୍କର ପ୍ରଧାନ ଚିନ୍ତା ହେଲା.....ସେ ରହିବେ କେଉଁଠି ? ଖାଇବେ କ'ଣ ?

 

ଯଦୁବାବୁ ବଡ଼ ଆଶାରେ ଧାଇଁଲେ ପୁରୁଣା ବନ୍ଧୁଙ୍କୁ 'ଦାସ୍ ଫାର୍ମାସୀ'ରେ ଭେଟିବାକୁ । ଈଶ୍ୱରବାବୁଙ୍କ ସହିତ ଦେଖାହେଲେ ସେ ନିଶ୍ଚୟ କିଛି ଗୋଟିଏ ବ୍ୟବସ୍ଥା କରିଦେବେ । କିନ୍ତୁ 'ଦାସ୍ ଫାର୍ମାସୀ'ର ସତ୍ତା ମଧ୍ୟ ସେ ଦେଖିଲେ ନାହିଁ । ନିରାଶ ହୃଦୟରେ ସେ ତେଣୁ ତାଙ୍କ ଝିଅକୁ ପଚାରିଥିଲେ, ମା’ ! ଏବେ କ’ଣ କରିବା କହିଲୁ ?

 

ଝିଅ ତାଙ୍କର ଉତ୍ତର ଦେଇଥିଲା, ଚାଲନ୍ତୁ ନା ବାପା ଈଶ୍ୱରବାବୁଙ୍କ ଘରକୁ । ତୁମେ ତ ତାଙ୍କ ଘର ଜାଣ ।

ତୁମେ ତା'ହେଲେ ଯଦୁବାବୁଙ୍କ ଝିଅ ??

ଈଶ୍ୱରବାବୁ ବିସ୍ମୟ ବିସ୍ଫାରିତ ନେତ୍ରରେ ପୁଣିଥରେ ଭଲକରି ଚାହିଁଲେ ପ୍ରଭାତୀର ସମସ୍ତ ଅବୟବକୁ । ପ୍ରଭାତୀ କିନ୍ତୁ ସେଥିପ୍ରତି ଦୃଷ୍ଟିପାତ ନକରି କହି ଚାଲିଥାଏ ।

ହଁ, ବାପାଙ୍କ ସାଙ୍ଗରେ ମୁଁ ମଧ୍ୟ ଆପଣଙ୍କ ଘରକୁ ଯାଇଥିଲି । ମାଉସୀ ବଡ଼ ଆଦର ଯତ୍ନ କଲେ । ସେଇଠି ଶୁଣିଲି ନୟନା ଅପାର ବାହାଘର ମାସକତଳେ ସରିଯାଇଚି । କଥାବାର୍ତ୍ତା ଛଳରେ ମାଉସୀ ଆପଣଙ୍କ କଳିଙ୍ଗ କେମିକାଲ୍ କଥା କହିଲେ । ତା' ପାଖରେ ଆପଣଙ୍କ ବିରାଟ ଅଟ୍ଟାଳିକା ତୋଳା ହୋଇଚି ବୋଲି ମାଉସୀ ମଧ୍ୟ ସେଦିନ କହିଥିଲେ ।

ଆପଣଙ୍କ ଉନ୍ନତିର ଟିକିନିଖି ଖବର ଶୁଣି ଯେ ସେ କେତେ ଆନନ୍ଦିତ ହେଲେ ସେ କଥା ମୁଁ କଥାରେ କହିପାରିବିନି । ଈଶ୍ୱର ପଟ୍ଟନାୟକଙ୍କ ଉନ୍ନତିରେ ତାଙ୍କର ଉନ୍ନତି ବୋଲି ସେ ଭାବୁଥିଲେ ।

ବାପା ଶେଷରେ ମାଉସୀଙ୍କୁ ଅଭାବ ଅସୁବିଧା କଥା ଜଣେଇଲେ । ସାହାଯ୍ୟ ପ୍ରାର୍ଥନା କଲେ, ଖାଦ୍ୟ ସଂସ୍ଥାନପାଇଁ, ମୋର କଲେଜ ପାଠପାଇଁ । ମାଉସୀ ବାପାଙ୍କୁ ସେଦିନ କିଛି ଟଙ୍କା ମଧ୍ୟ ଦାନ କରିଥିଲେ । ଆପଣଙ୍କ ଘରୁ ଫେରିବା ବାଟରେ ଉଦୟ ଭାଇଙ୍କ ସଙ୍ଗେ ଦେଖାହେଲା । କଲେଜରୁ ଫୁଟବଲ ଖେଳି, ହାତରେ କେତେଟା କପ୍ ଧରି ବିଜୟ ଗର୍ବରେ ସେ ଫେରୁଥିଲେ । ସେଇଦିନ ଉଦୟଭାଇଙ୍କ ସହିତ ମୋର ହେଲା ପୁନଃସାକ୍ଷାତ । ପିଲାଦିନରୁ ପରିଚିତ । ତେଣୁ ହଠାତ୍ ଚିହ୍ନିପାରିଲେ । ଆମର ତୁଳସୀପୁରସ୍ଥ କୁଡ଼ିଆ ଘରକୁ ସେ ଆମ ସଙ୍ଗେ ସେଦିନ ଯାଇଥିଲେ ।

 

ଠିକ୍ ତା' ପରଦିନ ବାପା ଆପଣଙ୍କର କାରଖାନାକୁ ଗଲେ । ଉଦ୍ଦେଶ୍ୟ ଥିଲା କେବଳ ଆପଣଙ୍କୁ ଥରେ ଭଲ କରି ଦେଖିବାକୁ । ଆପଣ ସେତେବେଳେ ଅନ୍ୟ ଜଗତର ଲୋକ । ବାଟର ଭିଖାରି ସଙ୍ଗେ ଦେଖା କରିବାକୁ ଆପଣଙ୍କର ସମୟ ବା ଆସିବ କୁଆଡ଼ୁ ? ଫ୍ୟାକ୍ଟରୀ ତିଆରି ଚାଲିଥିଲା । ରାଜଉଆସ ଗଢ଼ା ହେଉଥିଲା । ତେଣୁ ଦେଖା କରିବାକୁ ଦେଇଥିବା ସ୍ଲିପ୍‍ଟାକୁ ଆପଣ ଚିରି ଦେଇ କହିଥିଲେ, ନା....ବର୍ତ୍ତମାନ କାହାରି ସଙ୍ଗେ ଦେଖା ହେଇପାରିବନି ।

 

ଆପଣ ସିନା ସ୍ୱୀକାର କଲେ ନାହିଁ । କିନ୍ତୁ ଉଦୟଭାଇ ହସ ହସ ମୁହଁରେ ଆମ ପାଖକୁ ଆସି ଆମର ସବୁ ଅଭାବ ଅସୁବିଧା ବୁଝିଲେ । ମୋର କଲେଜ ପାଠପଢ଼ାରେ ସେ ସବୁମନ୍ତେ ସାହାଯ୍ୟ କଲେ । ଆମର ଦୁର୍ଦ୍ଦିନରେ ସେଇ ଏକ ସାହାଯ୍ୟ କଲେ ।

 

ଏତିକି କହି ପ୍ରଭାତୀ ଚୁପ୍ ହୋଇଗଲା । ଏଥର ଈଶ୍ୱର ପଟ୍ଟନାୟକଙ୍କର ପାଳି । ଗୋଟିଏ ବୁକୁଫଟା ଇତିହାସ ଶୁଣିବା ପରେ ତାଙ୍କର ଆଉ କ'ଣ କହିବାକୁ ଅଛି ? ସେ କ'ଣ ପ୍ରଭାତୀକୁ ପୂର୍ବପରି ବିଷଦୃଷ୍ଟିରେ ଦେଖିବେ ? କିଛି ସମୟ ପରେ ସେ ଅସହାୟ କଣ୍ଠରେ କହିଲେ, ଉଦୟଭାଇ ଯେବେ ସାହାଯ୍ୟ କରୁଥିଲା, ତେବେ ତାକୁ ତୁମେ ଅଟକାଇ ରଖିପାରିଲନି କାହିଁକି ? ସେଦିନ ତା' ବିଷୟରେ ମୋ ନିକଟରେ ଫେରାଦ ହେଉଥିଲ କାହିଁକି ?

 

ଉଦୟଭାଇଙ୍କ ରକ୍ତରେ ଉତ୍‍ଶୃଙ୍ଖଳତାର ଆଭାସ ଅଛି । ତାଙ୍କୁ ମୁଁ କୌଣସିମତେ ସୁଧାରି ପାରିଲି ନାହିଁ । ତେଣୁ ଆପଣଙ୍କର ଶରଣାପନ୍ନ ହେଲି । କିନ୍ତୁ ମୁଁ ଅନୁଭବ କଲି, ଆପଣ ମୋ’ଠାରୁ ମଧ୍ୟ ଦୁର୍ବଳ ।

 

କିପରି ଜାଣିଲ ?

 

ପୂର୍ବପରି ଅସହାୟ ସ୍ୱର ଈଶ୍ୱରବାବୁଙ୍କର ।

 

ତା' ନ ହେଲେ ଆପଣଙ୍କଠାରୁ ବିଦାୟନେଇ ସେ ମୋ ପାଖକୁ ଯାଇ ନ ଥାନ୍ତେ । ସେ ଠିକ୍ ଜାଣିଛନ୍ତି.....ଆପଣଙ୍କଠାରୁ ମୁଁ ଅଧିକ ଶାସ୍ତି ଦେଇପାରେ । ଈଶ୍ୱରବାବୁ ଏଥର ପୂରାପୂରି ନୀରବ । କଲିଂବେଲ୍ ବଜେଇ ସେ ତୁଷାରବାବୁଙ୍କୁ ଡକେଇଲେ । ଅଫିସ୍‍ରୁ ସେ ବର୍ତ୍ତମାନ ଯିବେ । ଡ୍ରାଇଭର ଗାଡ଼ି ଗ୍ୟାରେଜ୍‍ରୁ ବାହାର କରିବ ।

 

ଗାଡ଼ି ପ୍ରସ୍ତୁତ ହେବାପରେ ସେ ପ୍ରଭାତୀକୁ ଆଦେଶ ଦେଲେ, ମୋ ସାଙ୍ଗରେ ଆସ ।

 

କୋଉଠିକି ମୁଁ ଯିବି ? ପ୍ରଭାତୀ ଆଶ୍ଚର୍ଯ୍ୟରେ ପଚାରିଲା ।

 

ତର୍କ କରନି । ମୁଁ ଯାହା କହୁଚି ସେଇୟା କର ।

 

ଗାଡ଼ିରେ ବସି ଈଶ୍ୱରବାବୁ ପ୍ରଭାତୀକୁ କହିଲେ, ତୁମ ଘରକୁ କେଉଁ ବାଟ ଦେଇ ଯିବାକୁ ହେବ, ଡ୍ରାଇଭରକୁ କହିଦିଅ ।

 

ପ୍ରଭାତୀ ଆଦେଶ ପାଳନ କଲା । ପ୍ରଭାତୀ ସାଙ୍ଗରେ ତା' ଘରକୁ ଯାଇ ଈଶ୍ୱରବାବୁ ପ୍ରଥମେ କିଛି ଅନୁଭବ କରିପାରିଲେ ନାହିଁ । ନୂଆଣିଆ ଚାଳଘର । ଘରଗୁଡ଼ାକ ଏକାବେଳେକେ ଅନ୍ଧାରିଆ । କିଛି ସମୟ ରହିବା ପରେ ସେ ଦେଖିଲେ ଘରର ଗୋଟାଏ କଣକୁ ଯଦୁବାବୁ ବିଛଣାରେ ପଡ଼ି ରହିଛନ୍ତି । ଚେହେରାରେ ବିରାଟ ପରିବର୍ତ୍ତନ ହୋଇଚି ତାଙ୍କର ହାଡ଼ ମାଳ କଙ୍କାଳ-। ଶେଯରୁ ଉଠିବାର କ୍ଷମତା ନାହିଁ । ଈଶ୍ୱରବାବୁଙ୍କୁ ଦେଖି ସେ ଉଠିଆସିବାକୁ ଚେଷ୍ଟା କଲେ-। କିନ୍ତୁ ପାରିଲେ ନାହିଁ । ଅଗତ୍ୟା ଶେଯରେ ଥାଇ ସେ ସମ୍ଭାଷଣ ଜଣେଇଲେ, କିଏ, ଈଶ୍ୱରବାବୁ ନା-?

 

ଠିକ୍ ଚିହ୍ନିଚନ୍ତି । ଯଦୁବାବୁଙ୍କ ମୁଣ୍ଡରେ ହାତ ବୁଲେଇ ଅତି ଦରଦୀ କଣ୍ଠରେ ଈଶ୍ୱରବାବୁ ଉତ୍ତରଦେଲେ । ଆପଣଙ୍କ 'ଦାସ୍ ଫାର୍ମାସୀ'ର ସହଯୋଗୀ ପାଟ୍‍ନର ଈଶ୍ୱରବାବୁ ଆସିଚି । ଅନେକ ବର୍ଷ ପରେ, ଅନେକ ଯୁଗ ପରେ । ସେଦିନର ସେଇ ଭିକାରି....

 

କ୍ଷୀଣ କଣ୍ଠରେ ପ୍ରତିବାଦ ଜଣେଇଲେ ଯଦୁବାବୁ । ନା-ନା, ସେ କଥା କହିବେନି । ବର୍ତ୍ତମାନ ଆପଣ କେଡ଼େ ବଡ଼ ହୋଇଚନ୍ତି । ସହରରେ ଆପଣଙ୍କର କେତେ ପ୍ରତିପତ୍ତି, କେତେ ସୁନାମ ।

 

କଥା ପରେ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲେ ଯଦୁବାବୁ । ବୋଧହୁଏ ଅତୀତର ଛିନ୍ନ ପୃଷ୍ଠା ସେ ମନକୁମନ ଲେଉଟାଉ ଥିଲେ । ଠିକ୍ ଏଇ ସମୟରେ ସେ ଘରକୁ ପଶି ଆସିଚି ଉଦୟ । ବାପାଙ୍କୁ ସେ ଏ ଘରେ ଏପରି ଅବସ୍ଥାରେ ଦେଖିବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା । ହାତରେ କିଛି ଫଳ ଓ ଡାକ୍ତରୀ ଔଷଧ ସେ ଧରିଥିଲା ଯଦୁବାବୁଙ୍କ ପାଇଁ ।

 

ଆପଣ !!! ଆଶ୍ଚର୍ଯ୍ୟର ଚରମ ସୀମାରେ ଉଦୟ ।

 

ହଁ, ଏଥିରେ ଅବାକ୍ ହେବାର କ'ଣ ଅଛି ? ତୁ ଗୋଟାଏ କାମ କର ଉଦୟ । ଆମ ଫ୍ୟାକ୍ଟରୀର ଆମ୍ବୁଲେନ୍‍ସଟା ଶୀଘ୍ର ଏଠାକୁ ନେଇଆ ।

 

ମୁଁ ତ ବର୍ତ୍ତମାନ ଆପଣଙ୍କ କମ୍ପାନୀର କର୍ମଚାରୀ ନୁହେଁ । ମୋ କଥାରେ କିଏ କାହିଁକି ଆମ୍ବୁଲେନ୍‍ସ ଆଣିବ ?

 

ଭୁଲି ଯାଆନା ଉଦୟ, ତୁ ବି ତ ମୋର ପୁଅ । ଯାଆ, ଯାହା କହିଲି, ସେଇ ଅନୁସାରେ କାମ କର ।

 

ଈଶ୍ୱରବାବୁଙ୍କର ଆଜିର ଆଦେଶକୁ ଆଉ ଫାଙ୍କିଦେଇ ହେବ ନାହିଁ । ଉଦୟ ଧାଇଁଲା ଆମ୍ବୁଲେନ୍‍ସ ପାଇଁ । ଅଧଘଣ୍ଟାଏ ଭିତରେ ସେ ଫେରିଲା । ଈଶ୍ୱରବାବୁ ଦୃଢ଼ କଣ୍ଠରେ ଆଦେଶ ଦେଲେ; ଯଦୁବାବୁଙ୍କୁ ଆମ୍ବୁଲେନ୍‍ସରେ ନେଇ ମୋ ଘରେ ପହଞ୍ଚେଇ ଦେବ । ଯେମିତି ବିନ୍ଦୁମାତ୍ର ଅସୁବିଧା ନ ହୁଏ ତାଙ୍କର ।

 

ଆସିଥିବା କର୍ମଚାରୀମାନେ ଅକ୍ଷରେ ଅକ୍ଷରେ ହୁକୁମ୍ ତାମିଲ୍ କରିବାକୁ ଆଗଭର ହୋଇ ଉଠିଲେ ।

 

ଉଦୟ ଓ ପ୍ରଭାତୀକୁ ଲକ୍ଷ୍ୟକରି ସେ ପୁଣି କହିଲେ, ତୁମେ ଦୁହେଁ ମୋ ଗାଡ଼ିରେ ବସ । ମୁହୂର୍ତ୍ତେ ଡେରି କର ନାହିଁ । ଖୁବ୍ ଫୁର୍ତ୍ତି କାମ ଶେଷ କର....ଈଶ୍ୱରବାବୁଙ୍କର କଣ୍ଠସ୍ୱର ଅସ୍ଥିର । ମନର କେଉଁ କୋଣରେ ତାଙ୍କର କ'ଣ ଲୁଚି ରହିଥିଲା ତାହା ଜାଣିବା ସହଜ ନୁହେଁ ।

 

ପ୍ରଭାତୀ ଏଇ ଅବସରରେ ପାଖ ଘରକୁ ଯାଇ ବାକ୍‍ସରୁ ଗୋଟାଏ ଅତି ଦରକାରୀ ଜିନିଷ ନେଇଆସିଲା । ଈଶ୍ୱରବାବୁ ଦେଖିଲେ ପ୍ରଭାତୀ ହାତରେ ଦମୟନ୍ତୀଙ୍କର ସୁନାହାର । ବିବାହ ଦିନ ତାଙ୍କ ବାପା ଯାହାକୁ ଦମୟନ୍ତୀଙ୍କୁ ପିନ୍ଧେଇ ଦେଇଥିଲେ । ପ୍ରଭାତୀ ଲାଜରେ ଥଳକୁଳ ପାଇଲା ନାହିଁ । ଭୟମିଶା କଣ୍ଠରେ ସେ କହିଲା, ମାଉସୀ ମତେ କଲ୍ୟାଣ କରି ଏଇଟି ଦେଇ ଯାଇଥିଲେ ।

 

ଘରେ ପହଞ୍ଚି ଈଶ୍ୱରବାବୁ ଦେଖିଲେ ଯଦୁବାବୁଙ୍କୁ କର୍ମଚାରୀମାନେ ନିରାପଦରେ ଆଣି ଶୁଆଇ ଦେଇଚନ୍ତି । ନୟନା ତାଙ୍କରି ସେବାରେ ଲାଗିଯାଇଚି । ବାପାଙ୍କୁ ଦେଖୁ ଦେଖୁ ସେ କହିଲା ବୈଠକଖାନା ଘରେ ଓକିଲବାବୁ ଅପେକ୍ଷା କରିଚନ୍ତି ବାପା ।

 

ତାଙ୍କୁ ଏଇଠିକି ଡାକି ଦେ' ମା । ମୁଁ ଆଉ ବୈଠକଖାନାକୁ ଯାଇପାରିବିନି । ସବୁ ଆଜି ଶେଷ ହୋଇଯାଉ ଏଇଠି ।

 

ଅଶୋକବାବୁ ଆସି ଦେଖିଲେ ଘର ଭିତରେ ଜନ ସମାଗମ ବେଶୀ । ଉଦୟକୁ ଦେଖି ସେ ମଧ୍ୟ ସାମାନ୍ୟ ବିବ୍ରତ ହୋଇ ପଡ଼ିଲେ । ହୋ-ହୋ କରି ହସି ଉଠିଲେ ଈଶ୍ୱରବାବୁ ଅଶୋକବାବୁଙ୍କର ଅବସ୍ଥା ଦେଖି ।

 

ଆପଣ ହସୁଚନ୍ତି ଯେ ? ଅଶୋକବାବୁଙ୍କର ଅବସ୍ଥା ଆହୁରି ଶୋଚନୀୟ ହେବାକୁ ଲାଗିଲା ।

 

ଆପଣଙ୍କ ଅବସ୍ଥା ଦେଖି । ଉଇଲ୍ ଆଣିଛନ୍ତି ?

 

ଈଶ୍ୱରବାବୁଙ୍କର ପ୍ରଶ୍ନରେ ଅଶୋକବାବୁ ଆହୁରି ଅପ୍ରତିଭ ହୋଇ ପଡ଼ିଲେ । ପକେଟ୍‍ରୁ ଡ୍ରାପଟ୍ ଉଇଲ୍‍ଟା ସେ ଈଶ୍ୱରବାବୁଙ୍କ ହାତକୁ ବଢ଼େଇ ଦେଲେ । କିନ୍ତୁ ହାତରେ ଧରିବା ସଙ୍ଗେ ସଙ୍ଗେ ଈଶ୍ୱରବାବୁ ତାକୁ ଟିକି ଟିକି କରି ଚିରି ଫୋପାଡ଼ି ଦେଲେ । ଅଶୋକବାବୁଙ୍କୁ ଲକ୍ଷ୍ୟ କରି ସେ କହିଲେ; ପୁଣି ଗୋଟେ ଉଇଲ୍ କରିବାକୁ ପଡ଼ିବ ।

 

ଏଥର କୁହନ୍ତୁ କ'ଣ ଲେଖିବି । ସ୍ୱସ୍ତିର ନିଶ୍ୱାସ ପକାଇଲେ ଅଶୋକବାବୁ ।

 

ମୋର ସମସ୍ତ ସମ୍ପତ୍ତି ମୁଁ ଉଦୟକୁ ଦେଇଗଲି । ନୟନା ପାଇଁ ଆଉ ମୋପାଇଁ ମାସିକ କିଛି ଟଙ୍କା ଦେଲେ ଆମର ଗୁଜୁରାଣ ମେଣ୍ଟିଯିବ । କାଲି ସକାଳୁ ଆମ୍ଭେ ଦୁହେଁ ପୁରୀଧାମକୁ ଯାତ୍ରା କରୁଚୁ ।

 

ସମସ୍ତେ ସ୍ତମ୍ଭିତ ଓ ବିସ୍ମିତ ହେଲେ । ଯଦୁବାବୁ କହିଲେ, ମୋର ମଧ୍ୟ ନୀଳାଚଳକୁ ଯିବାର ଇଚ୍ଛା ଅଛି ଈଶ୍ୱରବାବୁ ।

 

ଖୁବ୍ ଉତ୍ତମ ପ୍ରସ୍ତାବ । ଈଶ୍ୱରବାବୁ ଅଶୋକବାବୁଙ୍କୁ ପୁଣି ଲକ୍ଷ୍ୟକରି କହିଲେ, ଆମ ତିନି ଜଣଙ୍କପାଇଁ ମାସିକ କିଛି ଟଙ୍କା ଉଇଲ୍‍ରେ ବ୍ୟବସ୍ଥା କରିବେ ।

 

ସମସ୍ତେ ଚାଲିଗଲେ ଏଠି କିଏ ରହିବ ? ପ୍ରଭାତୀ କରୁଣ ନିବେଦନ ଜଣେଇଲା । ହସି ହସି ଈଶ୍ୱରବାବୁ କହିଲେ, କାହିଁକି ତୁ ଆଉ ଉଦୟ ।

 

ନୟନା ଅଶ୍ରୁଳ ନୟନରେ ଡାକିଲା, ବାପା !

 

ମନରେ ତା'ର ଅସୁମାରି ଆନନ୍ଦର ଢେଉ ।

 

ପୁଣି ଥରେ ହସି ଉଠିଲେ ଈଶ୍ୱର ପଟ୍ଟନାୟକ । ପ୍ରଭାତୀର ପିଠି ଥାପୁଡ଼େଇ ସେ କହିଲେ, କିଛି ଭୟ ନାହିଁ ମା' । ତୁମ ଦୁହିଁଙ୍କର ବିବାହ ବହୁ ଆଗରୁ ଆସି ମୁଁ ବନ୍ଦୋବସ୍ତ କରିଦେଇ ଯିବି । ମୋର କୁଳର ବୋହୂକୁ ମୁଁ କେବେ ଅମର୍ଯ୍ୟାଦା କରିବି ନାହିଁ ।

 

ଏତିକି କହି ନିଜର ଶୟନ କକ୍ଷରେ ପ୍ରବେଶ କଲେ ଈଶ୍ୱର ପଟ୍ଟନାୟକ । ଦମୟନ୍ତୀଙ୍କର ପ୍ରତି ଛବିଟା ଖୁବ୍ ଉଜ୍ଜ୍ୱଳ ଦିଶୁଚି ଆଜି । ପ୍ରାଣବନ୍ତ ବୋଲି ମନେ ହେଉଚି । ମନେ ହେଉଚି ସେ ଯେପରି ପ୍ରାଣଖୋଲା ହସରେ ଆଜିର ମିଳନକୁ ସ୍ୱାଗତ ଜଣାଉଛନ୍ତି ।

 

ମନେ ମନେ ଈଶ୍ୱରବାବୁ ମଧ୍ୟ ହସିଲେ । ଏତେଦିନ ପରେ ଶାନ୍ତି-ସନ୍ତୋଷର ପରଶ ସେ ପାଇଛନ୍ତି । ସେ ଆଜି ଆଉ ନାସ୍ତିକ ନାହାନ୍ତି । ଯୁକ୍ତ ହସ୍ତରେ ଭଗବାନଙ୍କୁ ସ୍ମରଣକରି ସେ କହିଲେ, ତୁମରି ନାମରେ ନାମିତ ହୋଇ ମୁଁ ଖୁବ୍ ତଳକୁ ଖସି ଯାଇଥିଲି । ପ୍ରଭୁ ! ଅଭୟ ଦିଅ । ମୁକ୍ତି ଦିଅ ।

 

ଦମୟନ୍ତୀ ! ତମର ଅବୁଝା ସ୍ୱାମୀ କିଛି ଭୁଲ କରିଛି ଆଜି, କୁହ । ତମେ ଯାହାକୁ ବାଛିଥିଲ ତାକୁ ମୁଁ ତମ ଉଦୟକୁ ଦେଇଚି ।

 

ମନେ ମନେ ନୀରବ ଚିନ୍ତା କରୁଥିବାବେଳେ ଈଶ୍ୱରବାବୁଙ୍କ ସଂଜ୍ଞାଲୋପ ହୋଇଗଲା ପରି ବୋଧହେଲା । ଜଣାଗଲା...ପ୍ରତିକୃତି ଭିତରୁ ଦମୟନ୍ତୀ ସଶରୀରେ ଓହ୍ଲେଇ ଆସି ଈଶ୍ୱରବାବୁଙ୍କ ମୁଣ୍ଡ ପାଖରେ ବସି କହିଲେ, ‘‘ଏତେଦିନ ପରେ ତୁମର ତା'ହେଲେ ଈଶ୍ୱର ବିଶ୍ୱାସ ହେଲା ? ଢେଉ ପରେ ଢେଉ ନ ଆସିଲେ ତୁମେ କ'ଣ ସତରେ ବାଟକୁ ଫେରିଥାନ୍ତ ???’’

Image